ସ୍ମୃତି ସବୁ ସାଉଣ୍ଟି ଆଣେ।

କବିତା ସାହୁ , ଜୟପୁର

ବେଳ ଅବେଳରେ ଖିଆଲି ମନରେ

ଆସିଥାଅ ତୁମେ ବହଳ ଅନ୍ଧାରେ

ଛୁଇଁ ଯାଅ ଯେବେ ଶୀତଳ ସମୀରେ

ମାଦକତା ଭର କାଉଁରୀ ଛୁଆଁରେ

ଆନମନା ହୁଏ ତୁମ ସାନିଧ୍ୟ ରେ

ପ୍ରଗଳଭ ହୁଏ ସୁପ୍ତ ଚେତନା ରେ

ଚଳଚଞ୍ଚଳ ହୁଏ ଉଦ୍ଦାମତା ମନରେ

ବିବର୍ତ୍ତନ ଲାଗେ ସାରା ସଂସାରେ

ସବୁ କିଛି ଭାବମୟ ହୋଇଯାଏ

କ୍ଷଣିକ ପୁଲକରେ

ମହକି ଯାଏ ସାରା ଦୁନିଆଁ

ରଜନୀ ଗନ୍ଧାର ବିଭୋର ବାସ୍ନାରେ

ସ୍ମୃତି ସବୁ ସାଉଣ୍ଟି ଆଣେ

ଆଉଜି ପଡ଼ିଥିବା ଅଧା ସ୍ବପ୍ନକୁ

ପୁଣି ଭରି ଦିଏ ଇନ୍ଧନରେ

ବିମୋହିତ ହୁଏ ଚେନାଏ ହସରେ

ମେଲିଯାଏ ଶାଖା ପ୍ରଶାଖାରେ

ବାହୁ ଖୋଲି ଡାକୁଥାଏ ଆପଣା ପଣରେ।

କେହି ନୁହେଁ ସାନ

କବିତା ସାହୁ , ଜୟପୁର

ବିଶ୍ବ ନିୟନ୍ତା ଙ୍କ ସୃଷ୍ଟି ରେ

ସମସ୍ତେ ଅଟନ୍ତି ସମାନ

ସଂସାର ଭିତରେ ମଣିଷ

ଅଟଇ ଶ୍ରେଷ୍ଠ ପ୍ରାଣୀ ଜାଣ

ସକଳ ଜୀବଙ୍କ ଭିତରେ

ଅଛନ୍ତି ପ୍ରଭୁ ନାରାୟଣ

ବଡ଼ ସାନ ଉଚ୍ଚ ନୀଚ କରିଛି

ମଣିଷ ଭିଆଣ

ଧନ ଧଉଲତ ସମ୍ପତ୍ତି କୁ

ନେଇ କହିଥାଏ ବଡ ସାନ

ଥାଉ ଯେତେ ଧନ ସମ୍ପଦ ଅବା ଜ୍ଞାନ

ବିବେକ ବିଚାର ନାହିଁ ଜଦି

ସେ ଅଟଇ ପଶୁସମ

ମଣିଷ ପଣିଆ ନ ଥିଲେ

ସେ ଅଟଇ ହୀନ

ଦୟା କ୍ଷମା ବିନୟ ସେବା ମନରେ

ଯାର ସେ ଅଟଇ ମହାନ

ବୟସ ରେ ସାନ ସିନା ବୁଦ୍ଧି ଜ୍ଞାନେ

ପାଏ ଉଚ୍ଚ ସ୍ଥାନ

ଧ୍ରୁବ ପ୍ରହଲ୍ଲାଦ ଧର୍ମପଦ ବୟସରେ ସାନ

ସାରା ସଂସାର ରେ ଅଛନ୍ତି

ହୋଇଣ ଅମର ଅମ୍ଳାନ

ଆଜି ଯିଏ ରାଜା କାଲିକି ଭିକାରୀ

ସମୟ ସହ ଯାଏ ବଦଳି

ସଂସାର ରେ କେହି ନୁହେଁ ବଡ଼

କେହି ନୁହେଁ ସାନ

ମନରେ କାହାକୁ ଭାବ ନାହିଁ ସାନ

ମହନୀୟତା ଗୁଣରେ ହୁଅ ଶକ୍ତିମାନ

ଈଶ୍ୱରଙ୍କ ସୃଷ୍ଟି ରେ ସମସ୍ତେ ସମାନ।

ଜୀବନ ସଂଗ୍ରାମ

କବିତା ସାହୁ , ଜୟପୁର

ମଣିଷ ଜୀବନ ଅଟଇ ଦୁର୍ଲ୍ଲଭ

କେତେ ଦୁଃଖ କଷ୍ଟ ସହି

ଆଗକୁ ଆହୁରି ଉନ୍ନତି କରିବ

ଜୀବନ ସଂଗ୍ରାମ ବହି

୨- ଜୀବନେ ସଂଗ୍ରାମ ଆରମ୍ଭ ହୁଅଇ

ହେତୁ ପାହିଲା ଦିନରୁ

ପ୍ରତି ଦିନ ପ୍ରତି ମୁହୂର୍ତ୍ତରେ

ପ୍ରତି କ୍ଷେତ୍ର ରେ ସଂଗ୍ରାମ କରେ

ନିଜକୁ ସୁରକ୍ଷା ପାଇଁ

୩- ଘାତ ପ୍ରତିଘାତ ମଧ୍ୟରେ ଆଗେଇ

ଶତୃ ସହ ଲଢେଇ କରଇ

ଜୀବନ ସଂଗ୍ରାମ କରି ଚାଲିଛନ୍ତି

ଦିନ ରାତି ସମାନ ଅଟଇ।

୪ - ଯେତେ ଝଡ଼ ଝଞା ଆସୁ ସଂସାର ଭିତରେ

ହାରି ଯିବ ନାହିଁ ସାମାନ୍ୟ କଥାରେ

ଜୀବନ ଅଟଇ ଅମୁଲ୍ୟ ଧନ

ସଂଗ୍ରାମ କରି ଆଗକୁ ଚାଲ।

ଉତ୍କଳ ଗୌରବ ମଧୁସୂଦନ

ଚନ୍ଦ୍ରକଳା ଦେବୀ

ଉତ୍କଳ ଗୌରବ ହେ ମଧୁସୂଦନ

ଅଠର ଶ' ଅଠଚାଳିଶ

ଏପ୍ରିଲ ମାସ ଅଠେଇଶ ତାରିଖ

ଜନ୍ମ ଉତ୍କଳ ପ୍ରଦେଶ l

କଟକ ସହର ସତ୍ୟଭାମା ପୁର

ଥିଲା ତୁମ ଜନ୍ମସ୍ଥାନ

ପିତା ରଘୁନାଥ ମାତା ପାର୍ବତୀଙ୍କ

କୋଳ କରିଲେ ମଣ୍ଡନ l

ତୁମେ ଉତ୍କଳର ମାନ ସ୍ୱାଭିମାନ

ଥିଲ ତେଜୋସ୍ବୀ ତପନ

ତୁମରି ଅକ୍ଲାନ୍ତ ପରିଶ୍ରମ ପାଇଁ

ଦେଶ ହୋଇଲା ମହାନ l

ବିଛିନ୍ନାଞ୍ଚଳର ଏକତ୍ରୀ କରଣ

ତୁମରି ପାଇଁ ସମ୍ଭବ

ହୃତ ଗଉରବ ଲୁପ୍ତ ଗଉରବ

ଆଣିଲ ଉତ୍କଳ ଗୌରବ l

ଉଣେଇଶ ଶହ ଛତିଶି ମସିହା

ଏପ୍ରିଲ ଏକ ତାରିଖ

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ

ସଂସ୍କୃତିର ରୂପରେଖ l

ତୁମେଥିଲ ଜଣେ ବିରଳ ବ୍ୟକ୍ତିତ୍ୱ

ସବୁରେ ତୁମେ ପ୍ରଥମ

ପ୍ରଥମ ସ୍ନାତକ ପ୍ରଥମ ଏମ ଏ

ବିଲାତ ଯାତ୍ରୀ ପ୍ରଥମ l

ପ୍ରଥମ ଓଡ଼ିଆ ମନ୍ତ୍ରୀ ଆଡ଼ଭୋକେଟ

ଉଚ୍ଚପଦ ଅଧିକାରୀ

ବରିଷ୍ଟର ରୂପେ କୋଣେ ଅନୁକୋଣେ

ତୁମେହେ ପ୍ରତିଭାଧାରୀ l

ଉତ୍କଳ ଟ୍ୟାନେରୀ ଜୋତା କାରଖାନା

ଜାତି ସ୍ୱାଭିମାନ ପାଇଁ

ତୁମରି ଆଦର୍ଶେ ତାରକସି କାମ

କଟକେ ବିଖ୍ୟାତ ହୋଇ l

ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନ

ସର୍ବଦା ଉତ୍କଳ ଚିନ୍ତା

ମାତୃଭାଷା ମାତୃଭୂମିର ଉନ୍ନତି

ଥିଲା ତୁମ ଅନୁଚିନ୍ତା l

ଇଂରେଜ ଶାସନ କବଳରୁ ମୁକ୍ତି

ପାଇବା ପାଇଁ ଫକୀର

ଶହେପାନ ଦୁଇଶହ ଗୁଆ ଚିଠି

ବୁଝାଇ ଥିଲେ ଆପଣ l

ଗାଆଁ ଗହଳିରେ ଏବେବି କହନ୍ତି

ମଧୁବାବୁଙ୍କର ଉକ୍ତି

କାଳିଆ ଘୋଡାରେ ଚଢ଼ିବି, ମଧୁ

ବାବୁ ସାଙ୍ଗେ ଲଢ଼ିବି

ଆଲୋସଖୀ, ଆପଣା ମହତଦେଖି

ଚଳୁଥିବୁ ଜଗିରଖି l

ଅଠେଇଶ ଚଉ ତିରିଶି ମସିହା

ଫେବୃଆରୀ ମାସ ଚାରି

ଉତ୍କଳ ଗୌରବ ହେ ମଧୁସୂଦନ

ଆରପାରି ଗଲେ ଚାଲି l

ବନ୍ଧୁଗାଁ, କୋରାପୁଟ l

ଶ୍ରମିକ

**

ଡହ ଡହ ତାତିରେ

ଗ୍ରୀଷମର ଝାଞ୍ଜିରେ

ଭାରାପରେ ଠିଆହୋଇ

ଇଟାକୁ ଇଟା ଯୋଡି

ସେଥିରେ ବାଲିସିମେଣ୍ଟର

ମସଲା ଛାଟ ମାରି କରଣୀ ଘସି

ଭୂମିପରେ ବିରାଟ ବିରାଟ ଅଟ୍ଟାଳିକା ଠିଆ

କରିଥିବା ମଣିଷଟିଏ ମୁଁ I

ପିନ୍ଧାଲୁଗା କାନିରେ

ଛୁଆକୁ ଝୁଲାଇ

ଖରା ବର୍ଷା ଶୀତକୁ

ଖାତିର ନ କରି

ମୁଣ୍ଡ ଉପରେ ମସଲା କଡାଇ ରଖି

ପେଟର ଭୋକକୁ ମାରିବାପାଇଁ

ଛୁଆ ମୁଖେ ଗଣ୍ଡେ ଦାନା ଦେବାପାଇଁ

ସିଡ଼ି ପରେ ସିଡି ଚଢି ମିସ୍ତ୍ରୀ ପାଖେ କାମ

କରୁଥିବା ନାରୀ ମୁଁ I

ଗାଁ ଠୁଁ ସହର

ସବୁ ରାସ୍ତା ଘାଟ

ଘର ଅଗଣା ଠୁଁ

ଆମ ରାଜପଥ

ଧୂଳି ଧୂସରିତ ରାସ୍ତାକୁ

ପିଚ୍ ପିଚ୍ କାଦୁଅ ନ ହେବା ପାଇଁ

ବାଲିଗୋଡି ସିମେଣ୍ଟର ମିଶ୍ରଣକୁ

ଢାଳି ଚକା ଚକ୍ ରାସ୍ତା ବନାଉଥିବା ଦିନ ମଜୁରିଆଟେ ମୁଁ l

ରାସ୍ତାକଡ଼ ଗଛ ତଳେ

ଛୁଆକୁ ଶୋଇଦେଇ

ସିମେଣ୍ଟ ବାଲି ପାଣି ଭାଗ ମାପ ଗୋଳାଇ

ଶୀତତାପ ନିୟନ୍ତ୍ରିତ

ପ୍ରସାଦ ଗଢୁଥିବା

ଅସହାୟ ଗରିବ ଲୋକଟେ ମୁଁ I

ନିହାଁଣ ମୁନରେ

ପଥର ଦେହରେ

ମନ୍ଦିର ଗାତ୍ରରେ

ଅବା କେଉଁ ଦୁର୍ଗରେ

ସଜ ସଜଫୁଟା

ପଦ୍ମବନ ,ଗଜ, ଅଶ୍ଵ

ରାଜ ରାଜୁଡାଙ୍କ ଶାସନ

ଅବା ବୁଦ୍ଧ ଜୈନ ଧର୍ମ,

ମନୁଷ୍ୟ ଜୀବନର ଜୀବନ୍ତ

ନିଖୁଣ ପ୍ରତିଛବି ଫୁଟାଇ ପାରିଥିବା

ନିର୍ମାଣକାରୀ ମୁଁ I

ହତାଦର ହୁଏ

ଅଣଦେଖାହୁଏ

ପାଏ ନାହିଁ ଉଚିତ୍ ପ୍ରାପ୍ୟ

ଘୃଣାର ପାତ୍ରଟିଏ

ଲୋକଙ୍କ ଠାରୁ ଦୂରେଇ ରହେ

କାହିଁକି ନା

ବାଲି ସିମେଣ୍ଟ ଛିଟା ଲାଗିଥିବା

ଛିଣ୍ଡା ମଇଳା ବସ୍ତ୍ର ପିନ୍ଧିଥିବା

ଅଶିକ୍ଷିତ ଗାଉଁଲି

ଲୋକଟିଏ ବୋଲି ମୁଁ l

ଦେଖିନି ମୁଁ ତୁଳୀ ତଳ୍ପ ଶେଯ

ଦେଖିନି ମୁଁ ସ୍ୱପ୍ନ କେବେ

ସୁବର୍ଣ୍ଣ ମହଲର

ସୁଯୋଗ ପାଇନି କେବେ ଶୋଇବାର

ଶୀତତାପ ନିୟନ୍ତ୍ରିତ ଘରର

ମୋ ପଖାଳ କଂସା

ମୋ ପାଇଁ ଅମୃତ

ମୋ କୁଡ଼ିଆଘର ମୋ ପାଇଁ

ଶ୍ରୀମନ୍ଦିର

ଏଇଠି ମୁଁ ନୀତି ଦେଖେ

ମୋ ଜଗାକାଳିଆ କୁ

ମୋ କର୍ମର କରଣୀ ଓ ନିହାଣ ମୁନରେ

ଭୂମି ପରେ ଗାମୁଛାରେ ଆନନ୍ଦରେ

ଶୋଇଯାଏ

ଡାକି ଦେଇ ଜଗାରେ

ମୁଁ ତ ଶ୍ରମିକ ଟିଏ

ମୁଁ ତ ଶ୍ରମିକ ଟିଏ ।

ନଳିନୀ ପ୍ରଭା ଦାସ

କଲମପୁର , କଳାହାଣ୍ତି

ସଂଜ ନଇଁଲେ

କବିତା ସାହୁ , ଜୟପୁର

ସଂଜ ନଇଁଲେ କୂଳ ଭୁଆସୁଣୀ

ତତପର ହୋଇ

ହାତ ଗୋଡ଼ ଧୋଇ ଲୁଗା ପାଲଟଇ

ସଂଜ ବତୀ ଦେବା ପାଇଁ

୨- ସଂଜ ନଇଁଲେ ଗାଈ ଗୋଠ ନେଇ

ଫେରେ ଗାଈଆଳ ପିଲା

ରୁଣୁ ଝୁଣୁ ଶୁଭେ ଘାଘଡା ଘୁଙ୍ଗୁର

ଜଣାପଡ଼େ ସଂଜ ହେଲା

୩- ସଂଜ ନଇଁଲେ ମନ୍ଦିର ମଠରୁ

ଶୁଭେ ଘଣ୍ଟ ଘଣ୍ଟି ଧ୍ବନି

ଆଳତୀ ସାଙ୍ଗକୁ ହୁଳହୁଳି ସାଥେ

ହରିବୋଲ ଜୟ ଧ୍ୱନି।

୪- ସଂଜ ନଇଁଲେ ପ୍ରାର୍ଥନା କରନ୍ତି

ବିଦ୍ୟା ଦାୟିନୀ ମାଆ ଙ୍କୁ

ପାଠ ପଢ଼ିବାକୁ ବସିନ୍ତି ପିଲାଏ

ଧରି ବହି ଖାତା କଲମ କୁ।

୫- ସଂଜ ନଇଁଲେ ଫେରି ଆସନ୍ତି

ସଭିଏଁ କର୍ମକ୍ଷେତ୍ରରୁ

ପକ୍ଷୀ ବାହୁଡନ୍ତି ଡେଣା ଝାଡ଼ି ଝାଡି

ଖୁସିରେ ନିଜ ନୀଡ଼କୁ।

କୈକେୟୀ

ଶୁଭେନ୍ଦୁ ମେହେର

ନୁହେଁ ରାମାୟଣ ନୁହେଁ ଭାଗବତ

ନୁହେଁ ଏ ପୁରାଣ କଥା

ଯୁଗେ ଯୁଗେ ପରା କୈକେୟୀ ବଞ୍ଚିଛି

ଟୁଙ୍ଗାରି ନିଜର ମଥା ।

କୁଟ ଓ କପଟ ମନ୍ତ୍ରଣା କରିଲା

କୁତ୍ସିତ ମନ୍ଥରା ନାରୀ

ନିର୍ବୋଧ ପରାୟେ କୈକେୟୀ ମାତା

ପୁତ୍ର ହାତେ ଦେଲା ବରି ।

ନିର୍ଦୋଷେ ରାମ ଗଲେ ଘୋର ବନ

ସାଥେ ଲକ୍ଷ୍ମଣ ସୀତା

ଭାବେ ଭାବ ରଖି ନ ପାରେ ସଳଖି

ବୃଦ୍ଧ ଦଶରଥ ପିତା ।

କିଏ ସେ ବୁଝିଲା ଅଯୋଧ୍ୟା ରାଜ୍ୟେ

ସବୁ କଲେ ମଥା ନତ

ମିଥ୍ୟାକୁ ଆବୋରି କୁତ୍ସିତ ନାରୀ

ଖୁସି ହୁଏ ଶତ ଶତ ।

ଯାଇଛି ଯେ ବନ ଫେରିବ ସେଦିନ

ଅପେକ୍ଷା ସେହି ସକାଶେ

କୁତ୍ସିତ ମୁହଁ ତା କଳୁଷିତ ହେବ

ଶାନ୍ତି ଫେରିବ ଦେଶେ ।

ଯାଲୋଏ, ସୁବର୍ଣ୍ଣପୁର

ଦୁବ

ଡ.ପ୍ରିୟମ୍ବଦା ସାମଲ

ଧୂସର ଧରାରେ ଉଙ୍କିମାରେ ଯେବେ

ଉଲ୍ଲସି ଉଠଇ ଭୂଇଁ

ସବୁଜିମା ଛାଇ ସୁନ୍ଦରତା ଆଣେ

ଦୁବ ଘାସଟିଏ ସେହି।

ବାଟୋଇ ପଥିକ ପଥ ଅତିକ୍ରମୀ

ଯେବେ ବସେ ଥକ୍କା ହୋଇ

ନରମ ଶେଜର ପୁଲକ ଲଭଇ

ସାଉଁଳାଏ ଖୁସିହୋଇ।

ନ କରେ ଆଦର ଫୁଲ ପରି ନର

ନ ନିଏ ଯତନ ତାର

କା ' ଫୁଲ କୁଣ୍ଡରେ କିବା ବଗିଚାରେ

ଶୋଭା ପାଏ ନାହିଁ ଛାର।

ବଣ ବିଲ ଭୂଇଁ କିଅବା ରାସ୍ତାରେ

ପାଦତଳେ ଦଳି ହୋଇ

ପଦ ଯାତ୍ରୀର ସେବାରେ ଲାଗିଥାଏ

କ୍ଷୁଦ୍ର ଘାସଟିଏ ହୋଇ।

ପୂଜା ପାର୍ବଣରେ ପ୍ରତି ଘରେ ଘରେ

ଦୁର୍ବାର ଆଦର ଥାଏ

ପୁଷ୍ପ ସହ ଦୂର୍ବା ନୈବେଦ୍ୟ ରୂପରେ

ପୂଜନରେ ଲାଗିଥାଏ।

ଆଦ୍ୟ ଦେବ ଗଣେଶଙ୍କ ପ୍ରିୟ ଦୁବ

ପ୍ରତୀକ ପବିତ୍ରତାର

ମନ ତେଜିୟାନ ପ୍ରଫୁଲ୍ଲତା ଭାବ

ଦରଶନେ ଆଗ୍ରହର।

ସର୍ବ ପର୍ବେ ଦେବଦେବୀ ଅରଚନା

ଦୁବ ଅର୍ପିତ ପୂଜନ

ଔଷଧୀୟ ଗୁଣ ଅଧିକାରୀ ଦୁବ

ରୋଗ କରଇ ନାଶନ।

ଛତିଶଗଡ/ଭୁବନେଶ୍ୱର।

ଝୁରୁଛି ଉତ୍କଳ ମଧୁ ବାବୁଙ୍କୁ

କବିତା ସାହୁ, ଜୟପୁର, କୋରାପୁଟ

ଫେରି ଆସ କୂଳବୁଦ୍ଧ ମଧୁସୂଦନ

ଦେଖି ଯାଅ ଉତ୍କଳ ହୁଏ ହୀନିମାନ

ମାଟି ମାଆ ମାତୃଭାଷା ସୁରକ୍ଷା ସମ୍ମାନ

କରିଥିଲ ନିଃସ୍ଵାର୍ଥପର ଆନ୍ଦୋଳନ

ଚାଲିଗଲ ସବୁ ସୁଯୋଗ୍ୟ ସନ୍ତାନ

ଦୁର୍ଦ୍ଦିନରେ କଟେ ମାଆର ଜୀବନ

କି କହିବି ଦୁଃଖ କଷ୍ଟ ନିର୍ଯ୍ୟାତନା

ଅନ୍ଯାୟ ଅତ୍ୟାଚାର ସହି ପାରେନା

ମାଟି ପାଣି ଖଣିଜ ସଂପଦ ବିକିଣ

ବିଦେଶୀ ଟଙ୍କା ପାଖରେ ମୁଣ୍ଡ ବିକିଣ

ସଭିଏଁ ଏଠି ହେଲେଣି ସ୍ୱାର୍ଥପର

ଓଡିଆ ଭାଷାର ତୁମେ ଥିଲ କର୍ଣ୍ଣଧାର

ବିଦେଶୀ ଭାଷାରେ ସବୁ ହେଲେ ଉବୁଟୁବୁ

ଖାଇବା ପିନ୍ଧିବା ହେଲାଣି ବେକାବୁ

କେମିତି ଗଢ଼ିବ ଆଗକୁ ବଢିବ

ଜାତି ନନ୍ଦିଘୋଷ ରଥ

ସବୁରି ମୁହଁ ରେ ସ୍ବାର୍ଥର ତୋବଡ଼ା

ସବୁ ଦେଖି ଅଣଦେଖା

ପରସ୍ପର ଚାଲେ ଧୋକା

ଦରିଦ୍ର ପାଇଁ କିଏସେ ଲଢିବ

ମଧୁ ବାରିଷ୍ଟର ଆଉ କିଏ ହେବ

ବିକିବନି ଖିର ଦୁଃଖି ପିଲା ପାଇଁ

ଜାଳିବ ଉତ୍କଳ ଟ୍ୟାନେରୀ ଭୁଲ ପାଇଁ

ଦୁଃଖି ରଙ୍କିକୁ କେ ଦେବ ନ୍ୟାୟ

ବିଜ୍ଞ ପ୍ରାଜ୍ଞ ତ୍ୟାଗ ଆଦର୍ଶର ପ୍ରତିମୂର୍ତ୍ତି

ସ୍ବାଭିମାନୀ ଗଢିଥିଲ ସ୍ବତନ୍ତ୍ର ପ୍ରଦେଶ

ଝୁରୁଛି ଉତ୍କଳ କବି ରବି କୂଳ

ଫେରି ଆସ କୂଳବୁଦ୍ଧ ମଧୁସୂଦନ ଏଥର।

ପ୍ରିୟା ଓ ପକ୍ଷୀ

****

ମୁକ୍ତ ଆକାଶରେ ଘୁରିବୁଲେ ସିଏ

ମୁକୁଳାଇ ତାର ଡେଣା ।

କଦବା କେମିତି ଉଡିଆସି ବସେ

ପ୍ରିୟା ହୁଏ ବାଟବଣା ।।

ମୋ ପ୍ରିୟା ଚାତୁରୀ ପ୍ରେମେ ଅନୁସରି

ଡାକେ ତାକୁ ହାତ ଠାରି ।

ଖାଇବାକୁ ଦିଏ କେତେ ଗୀତଗାଇ

ପିଇବାକୁ ଦିଏ ବାରି ।।

ଛୋଟ ଏ ବିହଙ୍ଗ ହେଲେ ବି ଜୀବନେ

ମନିନାହିଁ କେବେ ହାର ।

ମୋ ପ୍ରିୟା ଛାତରେ ଆସେ ମନୋହରେ

ପାଇବ ବୋଲି ଆହାର ।।

ସୁନୀଳ ନୟନୀ ଚାରୁ ଚନ୍ଦ୍ରନନୀ

ଖାଇବାକୁ ଦିଏ ତାରେ ।

ଖାଇବାକୁ ଦେଇ ଆନନ୍ଦ ଲଭଇ

ମହାନତା ଜୀବନରେ ।।

ପ୍ରିୟା ନିରୀମାଖୀ ହୁଏ ଭାରି ଖୁସି

ବାଇ ଚଢ଼େଇକୁ ଦେଖି ।

ଖାଇବାକୁ ଦାନା ପିଇବାକୁ ପାଣି

ଛାତ ପରେ ଦିଏ ରଖି ।।

ଭାରି ଖୁସି ହୁଏ ସୁନ୍ଦରୀ ଲଳନା

ଚଢେଇ ବସିଲେ ଆସି।

କବିତା ରଚନା କରେ ବସି ପ୍ରିୟା

ନିଜେ ନିଜେ ହୁଏ ଖୁସି ।।

ପର ଉପକାରୀ ରମଣୀ ଚାତୁରୀ

ଲାବଣ୍ୟବତୀ ମୋ ହୀରା।

ପର ଉପକାରେ ସମର୍ପିତ ହୁଅ

ଏହା ତା ଜୀବନ ଧାରା ।।

ଶୁଭେନ୍ଦୁ ମେହେର

ଯାଲୋଏ, ସୁବର୍ଣ୍ଣପୁର

ମଏନା

***

ଦିନେ ଯାଇଥିଲି ଖେତ୍‌କେ ବୁଲି

ସଂଗେ ଥିଲା ମୋର୍‌ ସାଙ୍ଗର୍‌ ଜୁଲି

ଚାଲୁଥିଲା ଅଙ୍ଗି ଭଙ୍ଗି ।

ଖେଜୁର୍‌ ବୁଟାନ ପତର୍‌ ହଲି

ମଏନା ଛୁଆଟେ ଆଏଲା ଖର୍‌ଲି

ଧଏଲା ଉସତେ ସଙ୍ଗି ।।

ଆନ୍‌ଲା ତାହାକେ ଯତନ୍‌ କରି

ଖୁଆଲା ପିଆଲା କୁଲେ ସେ' ଧରି

ରଖ୍‌ଲା ଗୁଡାଥି ଭରି ।

ଦିନୁ ଦିନ୍‌ ବଢେ କେତ୍‌ନିକେତେ

ମାଏଝିର୍‌ ମନ୍‌ ମାତେ ଉସତେ

କୁଲେ ଧରି ଦିଏ କୁରି ।।

ମଏନା ହେଲା ଜୁଆନ୍‌ ଯେଭେ

ପାଠ୍‌ ପଢ଼୍‌ଲା ଅପ୍‌ନା ଭାବେ

ସୁନି ପେଟ୍‌ ଯାଏ ପୁରି ।

ଆସିଗଲେ କେନୁ ସିଆନ୍‌ ସୁଜନ୍‌

ସଭେ କହେସନ୍‌ କିହେ ନି ପାରନ୍‌

କେଁ ସୁଆ କେଁ ସାରି।।

ସାଲି ମୋର୍‌ ବଢେ ସଉକି ବାଲି

ଆସ୍‌ଲା ଆମର୍‌ ଘର୍‌କେ ବୁଲି

ଦେଖ୍‌ଲା କି' ଗଲା ଲଟ୍‌କି ।

ବଏଲା ଭେନେଇ ନେମି ଇତାକେ

ଦେବ କି' ନେଇଁ କହ ଗୋ ମତେ

ଲାଗୁଚେ ବଡ଼ା ଗହକି ।

ପଡ୍‌ଲି ମୁଇଁ ବଡା ଅଡୁଆ ଘରେ

ମୋର୍‌ ଘର୍‌ବାଲି ସଉକି କରେ

କେଁ ଉତର୍‌ ଦେମି ମୁଇଁ ।

ମାଏଝି ମୋର୍‌ ତ ପୁସିଚେ ପାଲି

ସାଲି ବି' ତ ଅଧା ଘର୍‌ବାଲି

କାହାକେ ଛାଡ଼୍‌ମି ମୁଇଁ ।।

ଶୁଭେନ୍ଦୁ ମେହେର

ଯାଲୋଏ, ସୁବର୍ଣ୍ଣପୁର

କହିଲେ କହିବ କହୁଛି

ଭାଇ ଆମ ନେତା ........

ନେତା ନୁହେଁ ଏବେ, ଭାଇ ବୋଲି ସେ କହୁଛି

ଅଲଗା ଦଳରୁ ନୂଆ କରି,ଟିକଟ ସେ ପାଇଛି

ପୁରୁଣା ଦଳର ନୀତି ନିୟମ,ଖରାପ ଥିଲା ସେ କହୁଛି

ତେଣୁ ଜନ ସେବା ପାଇଁ, ଦଳ ଡେଇଁବାର କଥା କହୁଛି

କିନ୍ତୁ ମନେ ମନେ ସେ, ପାଞ୍ଚ ବରଷ

ଲୁଟିବାର କଥା ଭାବୁଛି

କହିଲେ କହିବ କହୁଛି ।।୧।

ଭାଇ ଆମ ନେତା ........

ଖଚୁଆ ମିଛୁଆ କହି ଦିନେ, ଗାଳି କରୁଥିଲା ଯାହାକୁ

ତାହାରି କାନ୍ଧରେ ହାତ ରଖି, ବାହାରିଛି ଏବେ ବାଟକୁ

ଅଭିନେତା ଠାରୁ ବଡ ଅଭିନୟ,କରୁଥାନ୍ତି ଆସି ପାଖକୁ

ଗୋଡ ହାତ ପରି କେତେ କ'ଣ ଧରି,ମାଗୁଥାଏ ଭୋଟ ଖଣ୍ଡକୁ

କିନ୍ତୁ ମନେ ମନେ ସେ, ଭତ୍ତା ଆଉ

ପିସିର ହିସାବ କରୁଛି

କହିଲେ କହିବ କହୁଛି ।।୨।

ଭାଇ ଆମ ନେତା .......

ନେ-ରେ ନିଅନ୍ତି ତା-ରେ, ଭୋଟ ପାଇ ତଡା ଦିଅନ୍ତି

ମିନତି ହୋଇ ଭୋଟ ମାଗିବାର,ସୁଧ ମୂଳ କରି ଉଠାନ୍ତି

ଭଅଟ ଆଗେ ପାଞ୍ଚ ଦେଇ, ପାଞ୍ଚ କୋଟି ପରେ ଲୁଟନ୍ତି

ଭୋଟ ପାଇ ବଳି ଦେବା ଆଗେ,ମଦ ମାଉଁସକୁ ଦିଅନ୍ତି

କିନ୍ତୁ ମନେ ମନେ ସେ, ଭୋଟର୍

ମନକୁ ଭୁଲି ଯାଇଛି

କହିଲେ କହିବ କହୁଛି ।।୩।

ଭାଇ ଆମ ନେତା .......

ଭୋଟ ଆଗେ ନେତା ବୁଲୁଥାନ୍ତି ହୋଇ

କୁତା

ଭୋଟ ସରିବା ପରେ, ଭୋଟର୍ ହୁଅନ୍ତି

କୁତା

କାମ ପାଇଁ ବୁଲି ବୁଲି, ଛିଡିଯାଏ ତା'ର

ଜୋତା

ଖରା କି ବରଷା ନଥିଲେ ନଥାଉ,ଫୁଟାଇ

ରହନ୍ତି ଛତା

କିନ୍ତୁ ମନେ ମନେ ସେ,କିଏ

ଜାଣିଯିବା କଥା ଭାବୁଛି

କହିଲେ କହିବ କହୁଛି ।।୪।

-------#-------

ନିକୁଞ୍ଜ କୁମାର ଘୋଷ ।

ସା-ମାଧବପୁର ପୋ-ଲକ୍ଷ୍ମଣନାଥ ଥାନା-ଜଳେଶ୍ୱର ଜି-ଵାଲେଶ୍ୱର ଓଡିଶା। ପିନ୍ -୭୫୬୦୮୭.ମୋ-୮୦୯୩୬୩୦୭୫୬.

ଧୀର ପାଣି ପଥର କାଟେ

ଡ.ପ୍ରିୟମ୍ବଦା ସାମଲ

ଜୀବନର ଏଇ ସୁଦୀର୍ଘ ପଥରେ

ଧୈର୍ଯ୍ୟ ସାହସର ସହ

ଧୀରେ ଧୀରେ ବାଟ ଚାଲିବାକୁ ପଡ଼େ

ନହୁଅ କେବେ ଅଥୟ।

ଚଞ୍ଚଳ ଚାଲିରେ କ୍ଳାନ୍ତ ଅନୁଭବେ

ପଥିକଟି କ୍ଳେଶ ପାଏ

ଧୀରେ ମନଯୋଗ ଦେଇ କର୍ମ କଲେ

ସଫଳତା ମିଳିଥାଏ।

ଚଞ୍ଚଳ ଖାଦ୍ୟକୁ ଭୋଜନ କରିଲେ

ସ୍ଵାଦ ହୁଏ ନାହିଁ ବାରି

ସଙ୍ଗୀତଟିକୁ ଚଞ୍ଚଳ ଗାନ କଲେ

ସ୍ୱର ତାଳ ଅପସରି।

ମୃଦୁ ମଳୟ ଯେ ହରିନିଏ କ୍ଳାନ୍ତି

ବାଆ ବତାସରେ ଭୟ

ଯୋଜନା କରିଣ କାର୍ଯ୍ୟ ସମାପନ

ସଫଳତା ନିଶ୍ଚେ ଥୟ।

ପାଣିଯେ ନରମ ପଥର କଠିନ

ଧୀରେ କାଟେ ସେ ପଥର

ଅବିରତ ଭାବେ ଜଳପାତ ସହ

ଭାଙ୍ଗି ଦିଏ ସେ ପ୍ରସ୍ତର।

ସକଳ କାର୍ଯ୍ୟକୁ ଧୀରେ ସୁସ୍ଥେ କଲେ

ସହଜ ସୁନ୍ଦର ହୁଏ

ତରବର କାର୍ଯ୍ୟ ଆଣଇ ପ୍ରମାଦ

ଭୁଲ କେବେ ହୋଇ ଯାଏ।

ବିବ୍ରତ ପ୍ରକୃତି ମଣିଷଟି ସଦା

ତତକ୍ଷଣ ସବୁ ଚାହେଁ

ତରବରେ କେବେ ସଫଳତା ନୁହେଁ

ବିଫଳତା ପ୍ରାପ୍ତ ହୁଏ।

ଛତିଶଗଡ / ଭୁବନେଶ୍ୱର।

ମଧୁବାବୁ ପରା ସିଏ

ଭକ୍ତବନ୍ଧୁ ସାହୁ

ଜାତିପ୍ରେମ ବହ୍ନି କରି ପ୍ରଜ୍ଜ୍ବଳିତ

ସୁପ୍ତ ଓଡ଼ିଆଙ୍କ ପ୍ରାଣେ

ନବ ଜାଗରଣ ଭରିଦେଲେ ଯିଏ

ଶୁଣାଇ ବାରତା କାନେ ।୧

ଖଣ୍ଡ ବିଖଣ୍ଡିତ ଉତ୍କଳ ଜନନୀ

ମନେ ଭରି ଦେଲା ଦୁଃଖ

ଦେଖିଲେ ସପନ କଲେ ଆନ୍ଦୋଳନ

ତେଜି ସ୍ୱାର୍ଥ ମୋହ ସୁଖ ।୨

ଉଠ ଉଠ ଉଠ ସୁଖ ନିଦ୍ରା ତେଜ

ଶୁଣାଇ ମନ୍ତ୍ରଟି କାନେ

ମାତୃଭୂମି ମାତୃ ଭାଷାର ମମତା

ଜନ୍ମାଇଲେ ପ୍ରତି ଜନେ ।୩

ପୂରୁବ ଗୌରବ ପୂରୁବ ମହିମା

ଗାଇ ଜାଗରଣ ମନ୍ତ୍ର

ସୁପ୍ତ ଓଡ଼ିଆଙ୍କ ଚେତନା ପାଇଁକି

ଥରାଇଲେ ହୃଦତନ୍ତ୍ର ।୪

ଦୁଃଖୀ ରଙ୍କି ରୋଗୀ ଓଡ଼ିଆଙ୍କୁ ଦେଖି

ଝରୁଥିଲା ମୁଖେ ଆହା

ନୁଖୁରା ଫୁଙ୍ଗୁଳା ପିଲା ପାଇଁ କ୍ଷୀର

ବାଣ୍ଟି ହେଉଥିଲେ ସାହା ।୫

ତାରକସି କାମ, ଉତ୍କଳ ଟ୍ୟାନେରୀ

ଯାହାଙ୍କର ଅବଦାନ

ଓଡ଼ିଆଙ୍କ ହିତ ଓଡ଼ିଆ ଅସ୍ମିତା

ରଖିଗଲେ ସ୍ୱାଭିମାନ ।୬

ଅବଇତନିକ ମନ୍ତ୍ରୀ ପଦ ପାଇଁ

ମନ୍ତ୍ରୀ ପଦୁ ଗଲେ ହଟି

ସ୍ୱାର୍ଥ ଲୋଭ ମୋହ ବିଳାସ ବ୍ୟସନ

ଯା ହୃଦେ ନ ଥିଲା ଫୁଟି ।୭

ସ୍ୱତନ୍ତ୍ର ଉତ୍କଳ ଯାର ଅବଦାନ

କୁହ ଭାଇ କୁହ କିଏ?

ଉତ୍କଳ ଗୌରବ ମଧୁ ବାରିଷ୍ଟର

ମଧୁବାବୁ ପରା ସିଏ ।୮

ଶିକ୍ଷକ,କପସିଲା(ତୁଷୁରା)ବଲାଙ୍ଗୀର

ମୋନଂ-୯୯୩୮୮୧୯୪୧୨

ଶ୍ରମିକ ଦିବସ

କବିତା ସାହୁ , ଜୟପୁର

ମେ ମାସ ଏକ ତାରିଖରେ ସତରେ

ଶ୍ରମିକ ଦିବସ ପାଳନ ହେଉଛି

ମନରେ କେତେ ପ୍ରଶ୍ନ ଉଠିଛି

ଦିନ ଟିଏ ପାଳନ କରି ଦୁଃଖ ହରୁଛି

ଯାହାର ପରିଶ୍ରମ ମାନସିକ ଶ୍ରମ ଦାନ

ରାସ୍ତାଘାଟ କୋଠାବାଡ଼ି ଚାଷକାମ

ସୃଷ୍ଟି ସଂରଚନା ଶ୍ରେଷ୍ଠ କଳାକାରୀ ସୃଜନ

ମନରେ ନ ଥାଏ ତିଳେ ମାତ୍ର ଶୋଚନା

ହାଡ଼ଭଙ୍ଗା ପରିଶ୍ରମ ମୁଣ୍ଡଝାଳ ତୁଣ୍ଡେ ମାରି

ଖଟଇ ପରିବାର ପେଟ ଭରିବା ପାଇଁ

ସଂସାରେ ଯୁଆଡେ ଚାହିଁବ ଶ୍ରମିକ ପାଇବ

ଶ୍ରମିକ ବିନା ସମ୍ଭବ ନୁହେଁ ଏ ଯନ୍ତ୍ର ଜଗତ

ଅଟ୍ଟାଳିକା ଯାନ ବାହନ କଳ କାରଖାନା

ଖଟଇ ଶ୍ରମିକ ଜଳ ସ୍ଥଳ ଆକାଶ ମାର୍ଗ

ଖରା ବର୍ଷା ଶୀତ କାକର ସହି

ଲାଗିଥାଏ ଦେଶ ସେବାରେ ସେହି

ପିଲାଛୁଆ ସଂସାର ପାଇଁ କର୍ତ୍ତବ୍ୟ ତାହାର

ନିଜେ ସୁଖ ଖୋଜେ ନାହିଁ ସେ

ଦେଖେ ନାହିଁ ନିଜ ଦେହପା ସମ୍ମାନ

ଅନ୍ୟକୁ ଦିଅଇ ସୁଖ ଶାନ୍ତି ଶ୍ରମେ ସିନା

ରାସ୍ତାଘାଟ କରେ ସଫା ପରିବେଶ ରହେ ସୁସ୍ଥ

ଅସନା ଅପରିଷ୍କାର ନ ଥାଏ ବାଛବିଚାର

ନୁହେଁ ଶ୍ରମିକ ଛୋଟ କାମ ତା ମହାନ

ସର୍ବଦା କରିବା ଶ୍ରମିକ ମାନଙ୍କୁ ସମ୍ମାନ।

ଶ୍ରମିକ ଦିବସ

(ରାଗ-ରସକୁଲ୍ୟା)

ରଞ୍ଜୁଲତା ପାଢୀ

&&&&&&&&&&&&&&

ଦେଶ ଅଗଣାର ଶ୍ରମିକଟିଏ

ରୁଧିର ଝରାଇ ଶ୍ରମ ସେ ପାଏ

ଭଙ୍ଗା କୁଡିଆରେ ବିଶ୍ରାମ ନିଏ

ରାତି ନପାହୁଣୁ କାମକୁ ଧାଏଁ ସେ

ପଖାଳ କଂସାରେ ଖୁସି ଯେ

ନ ମାନଇ ଖରା ଶୀତ ବର୍ଷାଧାରା

ଶୁଖିଲା ଓଠରେ ହସି ଯେ।।

ଅଭାବୀ ସଂସାରେ ତା' ଗୁଜୁରାଣ

ମେଣ୍ଟେନାହିଁ କରି ଦୈନ୍ୟ କଷଣ

ସୁଖଶିରୀ ତା'ର ସାତ ସପନ

ତଥାପି ରଖଇ ଦେଶର ମାନ ସେ

ଶ୍ରମରେ ଥାଏ ଲଗନ ଯେ

ନଭ, ଜଳ, ସ୍ଥଳ, ବାୟୁ, ଭୂମଣ୍ଡଳ

ସର୍ବତ୍ର ତା' ପଦଚିହ୍ନ ଯେ।।

ଶ୍ରମର ମୂଲ ତା' ଅତୁଳନୀୟ

କର୍ମ ଏକା ଯା'ର ଜୀବନ ଲୟ

ନୀରବେ ସହିଛି ନକରି ଭୟ

ଲଭିନାହିଁ କେବେ ଯେ ପରାଜୟ ସେ

ଦେଶ ପ୍ରଗତି ସାଧକ ଯେ

ଅନ୍ତରେ ଦହଇ ମୁଖେ ହସୁଥାଇ

ଜଗତେ ଦିଏ ଆଲୋକ ଯେ।।

ରମ୍ୟ ଅଟ୍ଟାଳିକା ଭବ୍ୟ ନଗର

କଳକାରଖାନା ସେତୁ ମନ୍ଦିର

କେତେ ରାସ୍ତାଘାଟ ଶିଳ୍ପଯନ୍ତର

ଫୁଟିଉଠୁଥାଇ ନିହାଣେ ତା'ର ସେ

କର୍ମଠ ଜୀବନ ଯା'ର ଯେ

ପ୍ରତ୍ୟୁଷରୁ ଯାଇ ପ୍ରଦୋଷେ ଫେରଇ

ସଚ୍ଚା ସେହି ଶ୍ରମବୀର ଯେ।।

କୃଷି କାମ ତା'ର କେଡେ ସୁନ୍ଦର

ଅଳସୁଆ ନୁହେଁ କର୍ମ ତତ୍ପର

ଯୋଗାଇ ଦିଏ ସଂସାରେ ଆହାର

ତା'ପାଇଁ ସବୁରି ଭରେ ଉଦର ସେ

ଜାତି ପ୍ରଗତିର ମୂଳ ଯେ

ତ୍ୟାଗ ତିତିକ୍ଷାର ମନ୍ଦାକିନୀ ଧାର

ତୁଣ୍ଡେ ମାରି ମୁଣ୍ଡଝାଳ ଯେ।।

ସମାଜର ହିତେ ନିତ୍ୟପ୍ରତ୍ୟହ

ଆଗତ ଝଡକୁ ନଥାଏ ଭୟ

ଦୁଃଖଯନ୍ତ୍ରଣାକୁ କରଇ ସହ୍ୟ

ନଥାଏ ଶୋଚନା କର୍ମେ ତା' ଲୟ ସେ

ବିଶ୍ୱକର୍ମା ସଂସାରର ଯେ

ଆକାଶରେ ଉଡି ଜଳଯାନେ ବୁଡି

ଗାଇବା ତା' ଜୟକାର ଯେ।।

ଭୂମିଠାରୁ ଭୂମା ଯେ ପରିବ୍ୟାପ୍ତ

ପ୍ରତି ଛତ୍ରେ ଛତ୍ରେ ବହେ ଯା' ରକ୍ତ

ଅସ୍ଥି କଙ୍କାଳରେ ରହି ଜୀବିତ

ଯାତନା ଜୁଇରେ ଜଳୁଛି ନିତ୍ୟ ସେ

ନୁହଁଇ ମିଥ୍ୟା ଉକତ ଯେ

ଶ୍ରମ ଧର୍ମ ମିତ ଯା 'ଜୀବନ ବ୍ରତ

ସେ ଆମ ଶ୍ରମିକ ଭ୍ରାତ ଯେ।।

ଲାଘବ କର ହେ ତା 'ଶ୍ରମଭାର

ଦିବସରେ ଦିଅ ତା'ଉପହାର

କାଗଜ କଲମେ ନ ରଖ ଗୀର

ପ୍ରତିଶ୍ରୁତି ଅଟେ ପାଣିର ଗାର ସେ

ସେବକ ନିସ୍ୱାର୍ଥପର ଯେ

ଜାତି ନନ୍ଦିଘୋଷେ ସାମର୍ଥ୍ୟ ଯେ କଷେ,

ରଥୀ ଦେଶ ମାତୃକାର ଯେ।।

ରାଉରକେଲା।।ସୁନ୍ଦରଗଡ

ହସ

ଚନ୍ଦ୍ରକଳା ଦେବୀ

ହସ କାନ୍ଦ ସୁଖ ଦୁଃଖ ସମ୍ମିଶ୍ରଣେ

ଗଢ଼ା ଆମର ଜୀଵନ

ବିବିଧ ପ୍ରକାର ହସ ରହିଅଛି

ମନଦେଇ ତୁମେ ଶୁଣ l

ରାଜହସ ବ୍ୟଙ୍ଗହସ ସ୍ମିତହାସ୍ୟ

ଆଉଯେ ବିଦ୍ରୁପ ହସ

ରାକ୍ଷସ ହସ ଓ ମନଖୋଲା ହସ

ଛଳନା ମୁରୁକି ହସ l

ସୂରୁଜ ହସିଲେ ଆକାଶ ହସଇ

ତାରା ମେଳେ ହସେ ଜହ୍ନ

ଶିଶୁ ପାଇଁ ହସେ ଜ୍ଞାନର ମନ୍ଦିର

ହସୁଥାଏ ମାଆ ମନ l

ଶିଶୁ ନାଚ ଗୀତ ହସ ଖେଳରେ

ଏ ଧରା ହସଇ ପରା

ଆଜିର ଶିଶୁଯେ କାଲି ଭବିଷ୍ୟତ

ସିଏତ ଅମୂଲ୍ୟ ହୀରା l

ସବୁରି ଓଠରେ ଫୁଟାଏ ସେ ହସ

ଦରୋଟି ଦରୋଟି କଥା

ଧରାର ବକ୍ଷରେ ନାଚି କୁଦି ଖେଳେ

ନଦିଏ କାମନେ ବ୍ୟଥା l

ସ୍ୱାସ୍ଥ୍ୟ ଲାଗି ହସ ଅତି ଉପାଦେୟ

ଔଜ୍ଜ୍ୱଲ୍ୟ ମୁଖ ମଣ୍ଡଳ

ମନରେ ଭରଇ ଅଶ୍ୱସ୍ତି ପ୍ରଶ୍ୱସ୍ତି

ପବିତ୍ରତା ନିରିମଳ l

ବନ ଉପବନ ନାନାବିଧ ଫୁଲେ

କିରିକିରିଯେ ହସଇ

ସୂରୁଜକୁ ଦେଖି କମଳ ହସଇ

ଚାନ୍ଦକୁ ଦେଖିଣ କଇଁ l

ହସଭରି ଦିଏ ଅପାର ଆନନ୍ଦ

ମୂଲତା ଅମୂଲ ମୂଲ

ପ୍ରଫୁଲିତ ସଦା ରଖିଥାଏ ମନ

କେହି ନୁହେଁ ତାର ତୁଲ l

ବନ୍ଧୁଗାଁ,କୋରାପୁଟ l

ରେଡ଼କ୍ରସ

କବିତା ସାହୁ ଜୟପୁର

ଦୁଃଖ କଷ୍ଟ ଆଘାତ ପାଇ ହେନେରୀ

ମାନବ ସେବାରେ ମନ ନିବେଶ କରି

ରେଡ଼କ୍ରସ ଗଢି ଥିଲେ ହେନେରୀ

-----------*--------*-------

୨- ମେ ମାସ ଆଠ ତାରିଖ ଦିନ

ରେଡ଼କ୍ରସ ଦିବସ ପ୍ରତିବର୍ଷ ପାଳନ

ଅସହାୟ କୁ ହୋଇ ସହାୟ

ବିପନ୍ନ ରକ୍ତହୀନକୁ ରକ୍ତ ଦାନ।

୩-ମଣିଷ ଜୀବନ ହୋଇବ ଧନ୍ୟ

କରି ଥିଲେ ରକ୍ତ ଦାନ

ବଞ୍ଚାଇବା ଅନ୍ୟର ଜୀବନ

ରକ୍ତ ଦାନ ମହତ ଦାନ

୪- ବିଶ୍ବ ରେଡ଼କ୍ରସ ଜନ ସମାଜ

ହିତ କଲ୍ୟାଣ ପାଇଁ

ରୋଗୀ ଠାରୁ ବନ୍ୟା ବାତ୍ୟା ମରୁଡି

ସବୁ କ୍ଷେତ୍ରରେ ଯାଇ

ସବୁ ସମୟରେ ରେଡ଼କ୍ରସ ସଂସ୍ଥାର

ସାହାଯ୍ୟ ସହଯୋଗ ସେବା

ନିରନ୍ତର ଥାଇ