ନାଆଁ ନୁହେଁ, ନିଆଁ

ହାତ ଛୁଇଁନି ଖଡ଼ି, କୋଳ ଛୁଇଁନି ସିଲଟ

ଇସ୍କୁଲୁ ବାରଣ୍ଡା ରେ ପଡିନି ପାଦ

ଚାଳିଶି ବସନ୍ତର ଅତିକ୍ରମ ପରେ ବି,

କେବେ କେହି କହି ନାହାନ୍ତି

ପଢିବା କି' ଲେଖିବାକୁ ତାଗିଦ କରି ।

ମଉନ ଅନ୍ଧାର ଭିତରେ କେବେ

କୋଉ ଶିକ୍ଷକ ଛୁଆଁଇ ନାହାନ୍ତି

ଗଣେଶ ପେଟ,

ଚାରିକାନ୍ଥ ମଧ୍ୟରେ

ଇଚ୍ଛାହୁଏ ଲେଖିବାକୁ କିଛି ଅଙ୍ଗୀକାର,

ଆଉ ଅଭିମାନର ଅମାପ ଶବ୍ଦ ।

କାହିଁକି ଦେବି କାହାକୁ ମୋର ଦୃଶ୍ୟ ଅଦୃଶ୍ୟ ହରଣ ଫେଡାଣ ଓ ହସ ଲୁହର କୈଫିୟତ ?

ନଈ,ନାଳ,ପାହାଡ଼,ବଣ,ମଶାଣି ଭୂଇଁ

ସାହି,ବସ୍ତି ସବୁଠି ତ,

ମୋର ଗତାଗତ

ତଥାପି,

କେହି ତ, ମାଗୁନାହାନ୍ତି

ମୋ ହାତର ଦସ୍ତଖତ ।

ଅବଶ୍ୟ ତୁମକୁ ଚିଠି ଲେଖିବାକୁ ଦିନେ

ହେଉଥିଲି ଛଟପଟ

ଆଜି ସେସବୁ ମିଛ

କେବଳ ଏତିକି ଜାଣେ;

ତୁଣ୍ଡରେ ଯାହା ସବୁ କହୁଛି,

କାହାକୁ ବାଧୁ ପଛେ

ତାହା ଖାଣ୍ଟି ସତ !

ଅକ୍ଷରଟିଏ କଣ ସତ୍ୟର ଆକାଶ ?

'ଅ' 'ଆ'ଲେଖେଇ ଦେବାକୁ ହାତ ଧରି

ଅନୁରୋଧ କରିନି କେବେ ତୁମକୁ

ଏଇଥି ପାଇଁ ଯେ,

ଅପଢ଼ା ହାତକୁ ଛୁଁ ଛୁଁ

ତୁମ ଆଙ୍ଗୁଳି ମାନେ ହେବେ ଅଚଳ

ଛାତିକୁ ଛୁଁ ଛୁଁ ହୋଇଯିବ ଜହର

ହାତକୁ ଛୁଁ ଛୁଁ କାଳେ କହିବ "ହତିଆର" !

ନିଅ,

ମୋର ଅସ୍ତିକୁ ମୁନକରି

ତିଆରି କରିଛି ଖଣ୍ଡେ ଖଡ଼ି

ଘାସକୁ କାଟି କାଟି

ଖାଲି ମୋ ନାଆଁ ଟି ଲେଖିଦିଅ

ଚିହ୍ନେ ମୁଁ ଥରେ

ଛୁଇଁ ଛୁଇଁ ରକ୍ତରେ ଅନୁଭବ କରେ

ସେଇ ତିନୋଟି ଅକ୍ଷର,

ଯାହାକୁ ପଢୁ ପଢୁ

ପାହାଡଠୁ ନଈ

ଗାଁ ମୁଣ୍ଡରୁ ମଶାଣୀ ଭୂଇଁ

ସମସ୍ତେ କହୁଛନ୍ତି ସେ ନାଁ ନୁହେଁ ନିଆଁ

ସତରେ ସେ' ନାଆଁରେ

ଅନୁଭବ କରି ହେଉଛି କି'

ନିଆଁର ଉତ୍ତାପ ???

ଶୁଭେନ୍ଦୁ ମେହେର

ଯାଲୋଏ, ସୁବର୍ଣ୍ଣପୁର

ମାଗି ଜାଣେ ନାହିଁ

ମଣିଷ ଜନମ ଦେଇଅଛ ପ୍ରଭୁ

ଆଉ କିଛି ଦେଲ ନାହିଁ

ଧନ ଦଉଲତ ଗାଡ଼ି ଘୋଡ଼ା ପାଇଁ

ମନ ଊଣା ହେବ କାହିଁ ।।

ତୁମ ଶରଣରେ ଏ ଜୀବ ଜୀବନ

ରହିଛି ରହିବ ସାଇଁ

ସୁଖ ନଦେଲ ନାହିଁ ରଖିଛି ଆଶା

ତୁମ ଦରଶନ ପାଇଁ ।।

ବରଷା ଟୋପାଏ ଭାଙ୍ଗିଦିଏ ନିଦ

ବିଛଣା ହୋଇଲେ ଓଦା

ଦେଲ ନାହିଁ ବୋଲି ଘର ଖଣ୍ଡେ ମତେ

ଊଣା ନାହିଁ ମନ ସଦା ।।

ପ୍ରାଣ ଥିବାଯାଏ ଗାଉଥିବି ଗୀତ

ତୁମରି ଶରଣେ ଥିବି

ଯଉବନ ସୁଖ ପାଇଲିନି ବୋଲି

ଦୋଷ କିସ ପାଇଁ ଦେବି ।।

ମାଗି ଜାଣେ ନାହିଁ ମନ ଲାଖି ଚିଜ

ତୁମରି ଭରଷା ସବୁ

ମନ ଜାଣି ମୋର ଯାଚି ଦେଉଥିବ

ଲକ୍ଷ୍ୟପଥେ ନେଇ ଯିବୁ ।।

----#----

ନିକୁଞ୍ଜ କୁମାର ଘୋଷ।

ଅମର ଶହୀଦ ବାଜିରାଉତ

ଚନ୍ଦ୍ରକଳା ଦେବୀ

ଢେଙ୍କାନାଳ ଜିଲ୍ଲା ନୀଳକଣ୍ଠ ପୁର

ହରି ରାଣିଆଙ୍କ ସୁତ

ଉଣିଶ' ଛବିଶି ପାଞ୍ଚ ଅକ୍ଟୋବରେ

ହୋଇଥିଲେ ସିଏ ଜାତ l

ଅଳ୍ପ ବୟସରେ ପିତୃହରା ହୋଇ

ଦୁଃଖରେ କାଟେ ଜୀଵନ

ନାଉରିଆ ପିଲା ନାଆ ବାହିକରି

ମେଣ୍ଟାଏ ସେ ଗୁଜୁରାଣ l

ପ୍ରତ୍ୟେହ ନଦୀରୁ ମାଛଧରି ଆଣି

ମାଆଙ୍କୁ ଦିଏ ଯତନେ

ମାଛକୁ ବାଛିଣ ଭଲରେ ରାନ୍ଧିଣ

ପରଷି ଦ୍ୟନ୍ତି ସନ୍ତାନେ l

ଢେଙ୍କାନାଳ ରାଜା ଶଙ୍କର ପ୍ରତାପ

ଥିଲେ ବହୁ ଅତ୍ୟାଚାରୀ

ପ୍ରଜାମାନଙ୍କୁ ସେ ନାନା ଅତ୍ୟାଚାର

ଦିଅନ୍ତି ନାହିଁ ମଜୁରୀ l

ପାହାଡ଼ ଉପରେ ଏକଶ' କୋଠରୀ

ଏକ ସୁଦୃଶ୍ୟ ପ୍ରାସାଦ

ବିନା ମଜୁରୀରେ ପ୍ରଜାଙ୍କୁ ଖଟାଇ

ଦେଉଥିଲେ ନାନା ଖେଦ l

ଇଂରେଜଙ୍କ ସହ ହାତକୁ ମେଳାଇ

କରୁଥିଲେ ଅତ୍ୟାଚାର

ଢେଙ୍କାନାଳ ପ୍ରଜା ଅନ୍ୟାୟ ନସହି

ଉତ୍ତ୍ୟକ୍ତ ହୋଇଣ ମେଳ l

ଇଂରେଜ ଫଉଜ ମଗାଇଲେ ରାଜ୍ଞ

ଭାଙ୍ଗିବାକୁ ପ୍ରଜାମେଳି

ମଝିରେ ବ୍ରାହ୍ମଣୀ ନଦୀ ବହୁଅଛି

କରିବ କେ'ତାଙ୍କୁ ପାରି l

ପ୍ରଜା ମଣ୍ଡଳୀର ନିଷ୍ପତ୍ତିକୁ ମାନି

ବାଜିଘାଟ ଜଗିରହେ

ପ୍ରଜା ମଣ୍ଡଳୀର ଲୋକ ବିନା ସିଏ

ଆନ ପାରି ନକରାଏ l

ବାଜିଆ ରାଉତ ଦମ୍ଭର ସହିତ

ଘାଟରେ ଜଗି ରହିଲା

ପ୍ରଜାମଣ୍ଡଳର ଲୋକ ଛଡା ସିଏ

କାହାକୁ ପାରି ନକଲା l

ବରଷାର ରାତି ମନେଆଣେ ଭୀତି

ଶୀତୁଆ ବାଆ ବହୁଛି

ନାଆ ଭିଡି ଦେଇ ମଙ୍ଗେ ହାତରଖି

ବାଜିଆ ଚେଇଁ ଶୋଇଛି l

ଏଇ ସମୟରେ ପହଂଚି ଇଂରେଜ

ଡାକନ୍ତି ନାଉରୀ ଟୋକା

ବେଗେ ନାଆଆଣି କର ତୁହିପାରି

ଦିଏନି ଆମକୁ ଧୋକା l

ପ୍ରାଣଗଲେ ଯାଉ ଗୋରା ସିପାହୀଙ୍କୁ

କରିବିନି ମୁହିଁ ପାରି

ଦୃଢ଼ମନ କରି ବସିଲା ନାଆରେ

ହାତରେ ଆହୁଲା ଧରି l

ଦୂରରୁ ଶୁଭଇ ନାଉରିଆ ଭାଇ

ବେଗେଆସ ନାଆନେଇ

ପ୍ରଜା ଆନ୍ଦୋଳନ ଛାଲିଛି ରାଇଜେ

ଯିବୁ ରୋକିବାର ପାଇଁ l

କହଇ ବାଜିଆ ଇଂରେଜ ସେନାଙ୍କୁ

ବିଦେଶୁ ଆସିଲ ଧାଇଁ

ବ୍ରାହ୍ମଣୀ ନଦୀକୁ ପାର ହେବାପାଇଁ

ଶକତି ତୁମର ନାହିଁ l

ଗୋରା ସିପାହୀଙ୍କ ଧମକର ପ୍ରତି

ନଥିଲା ତିଳେ ଖାତିରି

ଜନମ ନେଇଛି ଏଦେଶ ମାଟିରେ

ବଞ୍ଚିବିନି ଭୀରୁ ପରି l

ଦରକାର ହେଲେ ଦେବି ପ୍ରଣାବଳି

ପାରିମୁଁ କରିବି ନାହିଁ

ନାଲିଆଖି ଦେଖି ଡରିଯିବି ନାହିଁ

ଜୁଲମ କରନ୍ତୁ ନାହିଁ l

ରାଗେ ଜର୍ଜରିତ ଇଂରେଜ ଶାସକ

ଧାଇଁଧାଇଁ ଛାଡେ ଗୁଳି

ପଲକେ ପଡିଲା ନାଉରୀ ଟୋକାସେ

ଡ଼ଙ୍ଗାର ଉପରେ ଟଳି l

ପହଁରି ପଲାସୀ ସିପାହୀ ଆସିଣ

ସିଙ୍ଗନ ମୁନେ ଭୂଷଇ

ଓଲଟି ଗଲାତା କଅଁଳ ଖପୁରି

ତଥାପି ସେଛାଡେ ନାଇଁ l

ରକତ ରଞ୍ଜିତ ସେବ୍ରାହ୍ମଣୀ ସ୍ରୋତ

ଇତିହାସେ ଲେଖା ଗାଥା

ବାର ବରଷର ବାଳୁତ ବୀରସେ

କାଳକାଳକୁ ଯେ କଥା l

ବନ୍ଧୁଗାଁ,କୋରାପୁଟ l

ପ୍ରେମ

ବିଶ୍ୱାସରେ ଗଢା ପ୍ରେମର ଘରଟି

ସାଥେ ନେଇ ସ୍ନେହ ଡୋରି

ସ୍ୱାର୍ଥ ପର ତାକୁ ଛୁଇଁ ନ ପାରଇ

ସେ ଯେ ଅମୃତ ଲହରୀ ।୧।

ସଂସାର ଭିତରେ ସେ ଏକା ସନ୍ତକ

ମେଣ୍ଟାଏ ସବୁ ଯାତନା

ଜିଇଁବା ପାଇଁ କି ଲୋଡ଼ା ହୁଏ ପ୍ରେମ

ତା ବିନା ଲାଗେ ବିତୃଷ୍ଣା ।୨।

ପ୍ରେମ ନୁହେଁ ପାପ ନୁହେଁ ଅଭିଶାପ

ସେ ତ ସର୍ବଦା ପବିତ୍ର ।

ପ୍ରେମ ଠାରୁ ବଳି କେହି ନୁହେଁ ଆଉ

ଜୀବନର ବଡ଼ ମିତ୍ର ।୩।

ରାଧା କୃଷ୍ଣ ଯୋଡି ଯୁଗଳ ମୂରତି

ପ୍ରେମର ବଡ଼ ସଂକେତ

ମାନବ ଜାତିର ଅସନା ଗୁଜବ

ଚିନ୍ତା ଧାରା ଯେ କୁଶ୍ଚିତ ।୪।

ପ୍ରେମ ବିନା ନାହିଁ କେଉଁଠି ସମ୍ପର୍କ

ସବୁ ହୁଏ ଛାରଖାର

ପ୍ରେମରେ କହିଲେ କଥାଟି ସୁନ୍ଦର

ଘର ହୁଅଇ ମନ୍ଦିର ।୫।

ମାଆର ପ୍ରେମରେ ସନ୍ତାନ ବଳଇ

ହୁଏ ସେ ଭଲ ମଣିଷ

ପ୍ରେମ ବିନା ନାହିଁ ବଂଚିବାର ବାଟ

ଅକାଳେ ଯାଏ ନିଶ୍ୱାସ ।୬।

ଭକ୍ତର ପ୍ରେମରେ ବନ୍ଧା ଭଗବାନ

ଯୁଗେ ଯୁଗେ ଅଛି କଥା

ମହା ଔଷଧ ଯେ ସ୍ନେହ ପ୍ରେମ ଅଟେ

ଭଲ ହୁଏ ସବୁ ବ୍ୟଥା ।୭।

ଦେଶ ପ୍ରେମୀ ଦିଏ ଜୀବନ ଆହୁତି

ଦେଶ ମାତୃକା ସେବାରେ

ଇତିହାସ ରଚେ ସହିଦ ହୋଇ କି

ସେ ଦେଶ ସେବା ପ୍ରେମରେ ।୮।

ପ୍ରେମ ଏକ ଶବ୍ଦ ବିଚିତ୍ର ବିଶେଷ

ନାହିଁ ତାହାର ତୁଳନା

ସେ ଅଟେ ମନ୍ଦିର ସେ ଯେ ନିରାକାର

ଅଶେଷ ତାର ବାସନା ।୯।

ଜ୍ୟୋତ୍ସ୍ନା ରାଣୀ ମହାନ୍ତି

ରାଇବଣିଆ, ବାଲେଶ୍ବର

(((((ହୃଦୟର ଚିଠି)))))

ପ୍ରାପ୍ତେସୁ ମୋ ବିଭୁ ଘେନା କରି ସବୁ

ଲେଖୁଛି ହୃଦୟ ଚିଠି

କେମିତି ଜୀଇଁଛି ଆଜି ମୁଁ ଲେଖୁଛି

ଅନ୍ତର ବେଦନା ଏଠି ।।

ଜଗତେ କି ଅଛି ତୁମ୍ଭକୁ ଅବୁଝା

ମୌନ ଅଛ ଜାଣି ଶୁଣି

ଏତେ ବି ନୁହେଁ ମୁଁ ନିର୍ବୋଧ ବାଳକ

ସବୁ ପାରୁଅଛି ଜାଣି ।।

ଥରେ କହି ଦିଅ ଜାଣି ନାହଁ ବୋଲି

କାହୁଁ ପିଏ ନିଜ ଲୁହ

ନିଜେ ନ କରିଣ କରୁ ଥାଅ ସବୁ

ନ ଜାଣିଲା ପରି ରୁହ ।।

କିଏ କରାଇଲା କିଏ ଛଡାଇଲା

ଭାତ ଥାଳିଟିକୁ ମୋର

ଭାଇ ତ ଭଗାରୀ ସବୁ ନେଲା ହାରି

ନିଜ ଲୋକ ହେଲା ପର ।।

କୁଟ ନୀତି ଆଗେ ଜନକ ଜନନୀ

ହାରିଦେଲେ ନିଜ ମାନ

ପିମ୍ପୁଡ଼ି ପାଖରୁ ମାଂସ ଖାଇ ଯିଏ

ରଖୁଥିଲା ତାଙ୍କ ମନ ।।

ଏକ ଦିନ ଥିଲା ଲୁହ ଢାଳୁଥିଲେ

ଯା'ର ନିର୍ଯାତନା ପାଇ

ତା'କୁଟ ନୀତିକୁ ବୁଝି ନପାରିଲେ

ମୁଁ ଯେ ଗଲି ଦୋଷ ପାଇ ।।

ଗୀତା ଭାଗବତ କଥା ଅଛି ଶୁଣି

ଧର୍ମର ହୁଅଇ ଜୟ

ଭଲ କରି ଦେଖ ପ୍ରତିଥର ଏଠି

ଧର୍ମୀ ପାଉଥାଏ ଭୟ ।।

ଏକୁଟିଆ ନୁହେଁ ଏଇ ଜଗତେ ମୁଁ

ମୋ ପରି ଅନେକ ଛନ୍ତି

ମୋ ପାଇଁ ନହେଉ ଥରେ ଦେଖିଯାଅ

କେତେ ଦହଗଞ୍ଜ ହ୍ୱନ୍ତି ।।

ତୁମ୍ଭରି ଜଗତେ ଧର୍ମ କ୍ଷୟ ଦେଖି

କେମିତି ପାରୁଛ ରହି

ନୀରବରେ ପୁଣି ମୁରୁକି ହସୁଛ

ଦୁଃଖିଜନ ଦୁଃଖ ସହି ।।

ସେଥିପାଇଁ ବୋଧେ କେହି କେହି କହେ

ତୁମ୍ଭ ଦେହ ମନ ଶିଳା

ମଣିଷର କଷ୍ଟ କାହୁଁ ସେ ବୁଝିବ

ଜୀବନକୁ ଗୋଟେ କୀଳା ।।

ଧର୍ଯ୍ୟର ପରିଧି ଭାଙ୍ଗିଗଲା ପରେ

କିଏ କେତେ ଦିଏ କହି

ନକରିବ ରୋଷ ବରଷି ଆଶିଷ

ଧରମ ସାଥିରେ ରହି ।।

ଇଚ୍ଛା ଯଦି ଆସ ଧୋଇଦିଅ ଦୁଃଖ

ଚରଣାମୃତର ନୀରେ

ମୋ ଘର ଠିକଣା ମନେ ରଖ ପ୍ରଭୁ

ସୂବର୍ଣ୍ଣରେଖାର ତୀରେ ।।

ଭକତି ଅନ୍ତରେ ବେଦନା ଲେଖୁଛି

ବୁଝି ଡାକିନିଅ କତି

ବନ୍ଧା ଦେଇ ମନ ଲେଖନୀ ରଖୁଛି

ଚିଠି କରିଦେଇ ଇତି ।।

-------#-------

ନିକୁଞ୍ଜ କୁମାର ଘୋଷ ।

ସା-ମାଧବପୁର ପୋ-ଲକ୍ଷ୍ମଣନାଥ ଥାନା-ଜଳେଶ୍ୱର ଜି-ଵାଲେଶ୍ୱର ଓଡିଶା । ପିନ୍ -୭୫୬୦୮୭.ମୋ-୮୦୯୩୬୩୦୭୫୬.

ଫେରି ଆସ ପୁଣି ବୁଦ୍ଧ

-ନଳିନୀ ପ୍ରଭା ମିଶ୍ର

ସଂସାର କଷଣ ହେଲାଣି ଅସହ୍ୟ

ଫେରି ଆସ ପୁଣି ବୁଦ୍ଧ

ଜ୍ଞାନାଲୋକ କରିବାକୁ ବିତରଣ

ଆତ୍ମା ହୋଇଯାଉ ଶୁଦ୍ଧ

ଫେରି ଆସ---------।

ଜାଗତିକ ଦୁ଼ଃଖ ସଂସାର ଜଞ୍ଜାଳ

ରୋଗ,ଶୋକ ,ଜରା ବ୍ୟାଧି

ମୃତ୍ୟୁ ପାଶୋରି ମଣିଷ ଚାଲିଛି

ଅ ପ୍ରାପ୍ତି ହୁଏ ସିଦ୍ଧି

ପୁଣି ହୁଅ ଜନ୍ମ ବୌଦ୍ଧ ଧର୍ମରେ

କରିବାକୁ ଉଦବୁଦ୍ଧ

ଫେରି ଆସ----------।

ଦୁର୍ବାର କାମନା ବଢ଼ି ବଢ଼ି ଚାଲେ

ଶାନ୍ତି ପଥରୁ ଦୂରେ

ଅକାଳ ମୃତ୍ୟୁ ଗ୍ରାସେ ମଣିଷକୁ

ଅଜ୍ଞାନତା ମନେ ଭରେ

ଯୋଗର ଜୀବନ ଭୋଗରୁ ନିବୃତ

ଧାରା ହେଉ ବହୁବିଧ

ଫେରି ଆସ ----------।

ଅଷ୍ଟ ମାର୍ଗ ଆଜି ହେଲାଣି ବିଲୁପ୍ତ

କାହିଁ ବୌଦ୍ଧିକ ବାଣୀ

ସୁପ୍ତ ମଣିଷ ନୁହେଁ ଜାଗ୍ରତ

ଅଶାନ୍ତ ହୁଏ ଧରଣୀ

ତତ୍ତ୍ଵ ର ଧାରା ହେଉ ଉଜ୍ଜୀବିତ

ମୁକ୍ତ ହେଉ କାରା ଅବରୁଦ୍ଧ

ଫେରି ଆସ --------------।

ଜୀବନଟା ନୁହେଁ ସୁଖର କଥା

ଅନିବାର୍ଯ୍ୟ ସେ ମୃତ୍ୟୁ

ନିରଞ୍ଜନା ତଟ ହେଉ ମୁଖରିତ

ଯୋଗ ମାର୍ଗର ସେତୁ

ଚିନ୍ତା ଚେତନା ରେ ମାନବିକତା ର

ଯଶ ଲଭୁ ପ୍ରସିଦ୍ଧ

ଫେରି ଆସ ----------।

କରୁଛୁ ପ୍ରଣାମ ଏ ଜଗତ ବାସୀ

ବୁଦ୍ଧ ପୂର୍ଣ୍ଣିମା ଅବସରେ

ଯୋଗ ସାଧନାରେ ରହିବାକୁ ରତ

ଦିଅ ଆଶୀର୍ବାଦ ଜଗତରେ

ବୌଦ୍ଧ ଶ୍ରମଣ ହେଉ ସୃଷ୍ଟି ଆଜି

ଧରା ହେଉ ଶାନ୍ତ, ସ୍ନିଗ୍ଧ

ଫେରି ଆସ-----------।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

ମୋ-୯୭୭୭୮୮୭୯୪୨

((((( ଜୟ ମା ମଙ୍ଗଳା )))))

(((ରାଗ- ଜୟନ୍ତ)))

ଜୟ ମା ମଙ୍ଗଳା ତୁମ ମହିମା ଅପାର

ତୁମରି ସ୍ମରଣ ମାତ୍ରେ ଦୁଃଖ ହୁଏ ଦୂର

ମାଆ ମଙ୍ଗଳା ଲୋ ...…(୧)

ବିପଦେ ଆପଦେ ମା'ଲୋ ଭରଷା ତୋହରି

ନିମିଷକେ କେତେ କରୁ ସଙ୍କଟରୁ ପାରି

ମାଆ ମଙ୍ଗଳା ଲୋ ......(୨)

ଜଗତରେ ନାନା ନାମେ ଏଣୁ ତୁ ପୂଜିତା

ବିନ୍ଧ୍ୟଗିରୀ ନିବାସିନୀ ଖୈମବତୀ ସୁତା

ମାଆ ମଙ୍ଗଳା ଲୋ ......(୩)

ଯାଜପୁରେ ବିରଜାଇ ଝଙ୍କଡେ ସାରଳା

ବାଣପୁରେ ଭଗବତୀ ଶ୍ରୀକ୍ଷେତ୍ରେ ବିମଳା

ମାଆ ମଙ୍ଗଳା ଲୋ ......(୪)

ସମ୍ବଲପୁରେ ସମଲେଇ ଉତ୍ତରେ ଚଣ୍ଡୀ

କଣାରକେ ପୂଜିତ ଅଭୟାରାମ ଚଣ୍ଡୀ

ମାଆ ମଙ୍ଗଳା ଲୋ ......(୫)

ପଶ୍ଚିମେ ହିଙ୍ଗୁଳାଇ ତୁ ଚର୍ଚ୍ଚିକା ବାଙ୍କିରେ

ପୂଜା ପାଉ ଗୌରୀ ରୂପେ ଭୁବନେଶ୍ୱରରେ

ମାଆ ମଙ୍ଗଳା ଲୋ ......(୬)

କାକଟପୁରରେ ମାଆ ମଙ୍ଗଳା ପୂଜିତା

ଅସ୍ତ୍ର ଓ ଶସ୍ତ୍ର ଧାରିଣୀ ମା ଶକ୍ତି ସମ୍ଭୁତା

ମାଆ ମଙ୍ଗଳା ଲୋ .......(୭)

ଆଶିଷ ବରଷା କରି ଦୁଃଖ ଦିଅ ଦୂରି

ଜଗତ ପାଇଁ ଏତିକି ରଖ ମୋ ଗୁହାରି

ମାଆ ମଙ୍ଗଳା ଲୋ .......(୮)

ସର୍ବ ମଙ୍ଗଳମୟୀ ମା ଦୁଃଖ ବିନାଶିନୀ

ଚରଣେ ଶରଣ ଦିଅ ଜଗତ ଜନନୀ

ମାଆ ମଙ୍ଗଳା ଲୋ .......(୯)

-----#-----

-ନିକୁଞ୍ଜ କୁମାର ଘୋଷ ।

ସା-ମାଧବପୁର ପୋ-ଲକ୍ଷ୍ମଣନାଥ ଥାନା-ଜଳେଶ୍ୱର ଜି-ଵାଲେଶ୍ୱର ଓଡିଶା ପିନ୍ -୭୫୬୦୮୭.ମୋ-୮୦୯୩୬୩୦୭୫୬.

ନୀଳ ସମ୍ମୋହନ

***

ମୋହଠାରୁ ଦେହ ଦେଇ

ଦାହ ପର୍ଯ୍ୟନ୍ତ,

ଏଠି ସବୁ

ନୀଳ ନୀଳ ନିଳାଭରେ ପରିତୃପ୍ତ !

କେବଳ ତା'ରି ପାଇଁ ଆଜି,

କଇଁ ଠୁ ଭୂଇଁ ନୀଳ

ଦେହ ଠୁ ମୋହ ନୀଳ !

ମାନ, ଅଭିମାନ,ସପନ

ମନ ଆଉ ପ୍ରୀତିସ୍ଵନ,

ପ୍ରାପ୍ତିରୁ ଅପ୍ରାପ୍ତିର ଉନ୍ମୁକ୍ତ ଆହ୍ୱାନ !!

ସାଗର, ସରୋବର,ଶରୀର

ଆଉ, ହୃଦୟ ଛାତି ତଳର

ସବୁ ତ, ନୀଳ ନୀଳ ଆଉ ନୀଳ ।

ତା'ର ନୟନ ନୀଳ

ଅଞ୍ଜନ ନୀଳ, ବସନ ବି !

ରାତ୍ରିର ନୀଳ ସ୍ୱପ୍ନ ନେଇ

ନୀଳ ପ୍ରେମର ପୂର୍ଣ୍ଣତାରେ

ନୀଳ ସମ୍ମୋହନ ନେଇ ଆସିଥିଲା ।

ଶ୍ୟାମରୁ ଶ୍ୟାମଳିମା ଯାଏଁ

ବିଶ୍ୱାସର ବିସ୍ତୃତିରେ

ନିଃଶବ୍ଦ ଓଠରେ

ଶବ୍ଦଭେଦି ଆକର୍ଷଣରେ

ମୋ ସମଗ୍ର ଭୁଗୋଳରେ

ଅଙ୍କିଦେଲା ନୀଳ ଚୁମ୍ବନ।

ସେ' ସ୍ବପ୍ନର ଗଭୀରତା ବି ନୀଳ

ସ୍ପର୍ଶ ବି ନୀଳ

ଆଶକ୍ତି ବି ନୀଳ ଥିଲା !!

ମୋ'ର ମୌନତାର ଅନ୍ତରାଳେ

ନିଃସର୍ତ୍ତ ଆତ୍ମ ସମର୍ପଣରେ

ମତିଭ୍ରମ ହେଲା,

ଇପ୍‌ସା ରୁ ଇପ୍‌ସିତ କୁ

ପ୍ରତିଶ୍ରୁତି ଦେଇ

ସମ୍ମୋହନର ସନ୍ଧିକ୍ଷଣ ଆଉ

ଲୁହ,ଲହୁର ତତଲା ସ୍ପର୍ଶରେ

ଇଚ୍ଛା ମାନଙ୍କୁ ବନ୍ଦି କରି

ନୀଳ ସମ୍ମୋହନରେ

ସ୍ନିଗ୍ଧ ଶୀତଳ ଛୁଆଁ ସାଥେ

ନୀଳ ବିଦାୟ ନେଇ

ନୀଳ ଯନ୍ତ୍ରଣା ଦେଇ

ନିଲୋତ୍ପଳା ନିରୁଦ୍ଧିଷ୍ଟ ହେଲା ।।

ଶୁଭେନ୍ଦୁ ମେହେର

ଯାଲୋଏ, ସୁବର୍ଣ୍ଣପୁର

ଯେ ହେତୁ ବସନ୍ତ ନାହିଁ

ଡ଼.ପ୍ରିୟମ୍ବଦା ସାମଲ

ଯେହେତୁ ବସନ୍ତ ନାହିଁ

ଆଉ ନାହିଁ ମଳୟ ଜଞ୍ଜାଳ

ତେଣୁ ଆଜି ଭଲ ଲାଗେ

ସୂର୍ଯ୍ୟଙ୍କର ଏ ରୌଦ୍ର କିରଣ

ଭଲ ଲାଗେ ଜଳିବାକୁ

ବୈଶାଖର ନିଦାଘ ଦାରୁଣ।

ଶୋଇ ରହି ସମୟର

ଶାମୁକା ଭିତରେ

ମୁଦ୍ରିତ ସ୍ମୃତିର ଡେଣା ଖୋଲିବାକୁ

ଇଛା ହୁଏ ବୁଝିବାକୁ

ତା ଆଖିର ଭାଷା

ସେ ଯଦି ହଠାତ୍ ଆସେ

ବୈଶାଖୀର ଝାଞ୍ଜି ମଧ୍ୟେ

ଉଙ୍କି ମାରେ ତା ମନର

ଅନନ୍ତ ପିପାସା

ସେ ଯଦି ବସନ୍ତ ଦିଏ

ତା ପ୍ରାଣରେ କମ୍ପନ ଲଗାଇ

ନିଜକୁ ସଜାଇ କୁହେ

ସିଞ୍ଚି ଦିଅ ସିଞ୍ଚି ଦିଅ ଟିକିଏ ଅତର

ମୋ ହୃଦୟ ଦିଗ୍ ବଳୟ

ଛୁଇଁ ନାହିଁ ଛୁଇଁ ନାହିଁ

ବସନ୍ତ ଫୁଆର

ମୋତେ କ୍ଷମା କର।

ମୁଁ ଆଉ ଗାଉନି ଗୀତ

ମନ ମୋ ନାଚୁନି ମିତ

ନିଜର ଡାଏରୀ ସବୁ

ଚିରି ଦେବା ବେଳେ

କ୍ଷୁଦାର୍ଥ ନାଗର କଥା

ବୁଝୁ ନାହିଁ ଜମା

ବୁଝୁ ନାହିଁ ତା ମନର

ଯାବତ ଯନ୍ତ୍ରଣା

ରାତ୍ରିର ନରମ ଶେଯେ

ଢୋଳାଇବା ବେଳେ

ଚକ୍ଷୁ ଦର୍ପଣରେ ତାର

ଦେଖୁ ନାହିଁ କିଛି ପ୍ରତିବିମ୍ବ

ବସନ୍ତ ବା ଶରତ ଋତୁର

କେବଳ ପରଶ ପାଏ

ବୈଶାଖୀ ଝାଞ୍ଜିର।

ଭୁବନେଶ୍ୱର।

ଶୋଷ

- କବିତା ସାହୁ ଜୟପୁର।

ସଂଜୀବ ପ୍ରାଣୀଙ୍କୁ ଲାଗିଥାଏ ଶୋଷ

ଶରୀରରୁ କମିଲେ ଜଳୀୟ ଅଂଶ

ମୁନ୍ଦାଏ ପାଣି ରେ ମେଣ୍ଟି ଯାଏ ଶୋଷ।

୨- ଶୋଷରେ ତଣ୍ଟି ଶୁଖିଯାଇଥାଏ

ଦୁନିଆଁ ଦିଶେ ଅନ୍ଧାର

ଶୋଷ ମେଣ୍ଟାଇବା କୁ ଆକୁଳେ

ଖୋଜେ ପାଣି ସତ୍ବର

ଶୋଷ ଅଛି ପୁଣି ଅନେକ ପ୍ରକାର

ମଣିଷ ମନରେ ଭରପୁର।

୩- ଖରାଦିନେ ଯେତେ ପିଇଲେ ପାଣି

ଜମା ଶୋଷ ମେଣ୍ଟେ ନାହିଁ

ଶୀତଳ ଜଳ ପିଇବା ପାଇଁ

ମନ ସଦା ଚାହୁଥାଇ।

୪- ଜୀବନ ଅଛି ମାନେ ଭୋକ ଶୋଷ ବି ଅଛି

ଖାଦ୍ୟ ବିନା ବଞ୍ଚି ଯିବା

ଶୋଷ ରେ ନ ପିଇଲେ ତରଳ ପଦାର୍ଥ

ତଣ୍ଟି ଶୁଖି ଯାଇ ମୃତ୍ୟୁ ହୋଇବ

୫- ନାନା ପଦ ପଦବୀ ଅର୍ଥ ଧନ ସମ୍ପଦ

ଯେତେ ଯାହା ଥିଲେ ପର ଧନରେ

ସଦା ପାଇବାକୁ ଶୋଷ ରହେ ମନରେ।

ଅକ୍ଷୟ ତୃତୀୟା

କବିତା ସାହୁ , ଜୟପୁର

କ୍ଷୟ ହୁଏ ନାହିଁ ଯାହା ଅକ୍ଷୟ ସେହି

ବୈଶାଖ ଶୁକ୍ଳ ତୃତୀୟା ଅଟଇ

ରଥ କାଠ ଅନୁକୂଳ ଆରମ୍ଭ ହୁଅଇ

ପୂର୍ବରୁ ବିଲକୁ ହଳ କରିଥାଇ ଚାଷୀଭାଇ

ଅକ୍ଷୀ ମୁଠି ଅନୁକୂଳ ତୃତୀୟାରେ କରଇ

ଧାନ ହଳ ପୂଜା କରେ ଚନ୍ଦନ ସିନ୍ଦୂର

ଦୀପ ଫୁଲ ଦେଇ

ମହାଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରେ ଗୁହାରି

ଦୟା କଲେ ମହାମାୟୀ ଫସଲ ଭରଇ

କ୍ଷେତ ସୁନାର କେଣ୍ଡା ଝୁଲି ହସଇ

ଆଜିର ଦିନଟି ଅଟେ ବଡ଼ ମହତ୍ତ୍ୱପୂର୍ଣ୍ଣ

ଷଷ୍ଠ ଅବତାର ବିଷ୍ଣୁଙ୍କ ମର୍ତ୍ତ୍ୟରେ ଅବସ୍ଥାନ

ଜମି କର୍ଷଣରୁ ଜନକ ଜାନକୀ ଙ୍କୁ ପାଇଥିଲେ

ଅକ୍ଷୟ ତୃତୀୟା ରେ ପର୍ଶୁରାମଙ୍କ ଜୟନ୍ତୀ

ଏକୋଇଶି ବାର ନିକ୍ଷେତ୍ରୀୟ ମହୀ କି

ରେବତୀଙ୍କୁ ବିଭା ହୋଇଥିଲେ

ବଳଭଦ୍ର ଗୋସାଇଁ

ଚନ୍ଦନ ଯାତ୍ରାର ଆରମ୍ଭ ଆଜିଠାରୁ ହୁଅଇ

ବେଢ଼ା ପରିକ୍ରମା କରି ନରେନ୍ଦ୍ରେ

ଚାପ ଖେଳନ୍ତି ମଣି ବିମାନରେ ଯାଇ

ସ୍ବର୍ଗରୁ ଗଙ୍ଗାଙ୍କୁ ଆଣିଥିଲେ ଭଗିରଥ

ମର୍ତ୍ତ୍ୟକୁ ବଂଶ ଉଧାର ପାଇଁ

ବ୍ରହ୍ମାଙ୍କ ମୁଖରୁ ଚାରି ବେଦ

ଏହି ଦିନ ସୃଷ୍ଟି ହୋଇଥିଲା

ବ୍ୟାସ ଦେବଙ୍କ ମୁଖରୁ ନିସୃତ ଶ୍ଳୋକ

ଶ୍ରୀଗଣେଶ ନିଜ ଭଗ୍ନ ଦାନ୍ତ ରେ

ଲେଖିଥିଲେ ମହାଭାରତର କୁ

ସଖା ସୁଦାମାଙ୍କ ସହ ଶ୍ରୀକୃଷ୍ଣଙ୍କ ଭେଟ

ଅକ୍ଷୟ ତୃତୀୟା ଅଟଇ ମହାନ ଦିବସ

ଚାଷୀ କୂଳ ପାଇଁ ଆମେ ହେଉ ହରଷ

ବରଷକ ଯାକ ଦିଏ ଆମକୁ ଅନ୍ନ ତ

କୋଟି କୋଟି ଦଣ୍ଡବତ ତାଙ୍କର ପୟରେ

ସଦାସର୍ବଦା ଲକ୍ଷ୍ମୀ ନାରାୟଣ ସାହା ହୁଅନ୍ତୁ

ଜଗତରେ କେହି ଭୋକରେ ନ ରୁହୁ।

ମାଆଟି ସିଏ

ଭକ୍ତବନ୍ଧୁ ସାହୁ

ଦଶମାସ ଗର୍ଭେ ଧାରଣ କରି

ପ୍ରସବ ବେଦନା ନେଇ ଆଦରି,

ଜନମ ଦିଏ କୋଳେଇ ନିଏ

ଦୁନିଆଁ ଆଲୋକ ଦେଖାଇ ଦିଏ,

ମାଆଟି ସିଏ

ଅନାବିଳ ସ୍ନେହ ଅଜାଡି ଦିଏ,

ଥିଲେ ତା ପାଖ

ସରଗଠୁ ବଳି ମିଳଇ ସୁଖ ।(୧)

ସେ ତ ଈଶ୍ବରଙ୍କ ଅମୂଲ୍ୟ ଦାନ

ତା ବକ୍ଷ ଅମୃତ କରାଏ ପାନ,

ନ ଖାଇ ପିଇ ଥାଏ ଅନେଇ

କୋଳରେ ବସାଇ ଦିଏ ଶୁଆଇ,

ମାଆଟି ସିଏ

କରୁଣାର ଧାରା ବୁହାଇ ଦିଏ,

ମମତାମୟୀ

ଲୋରୀ ଗୀତ ଗାଇ ଦିଏ ଶୁଆଇ ।(୨)

କିଛି ପାଇବାକୁ ନ ରଖେ ଆଶା

ନିରାଶ ମନରେ ଦିଏ ଭରସା,

ଅଙ୍ଗୁଳି ଧରି ଶିଖାଏ ଚାଲି

ପଡି ଗଲେ ତଳୁ ନିଏ ଉଠାଇ,

ମାଆଟି ସିଏ

ଆଲୋକର ବାଟ ଦେଖାଇ ଦିଏ,

ସଂସାରେ ସାର

ମାଆ ଡାକ ସତେ କେଡ଼େ ମଧୁର ।(୩)

କାହାର ନଜର ନ ଲାଗୁ ବୋଲି

ମଥାରେ ଲଗାଏ କଜ୍ୱଳ କାଳି,

ଅନିଦ୍ରା ରହି ସେବା କରଇ

ପାଖେ ପାଖେ ରହେ ମୁହଁକୁ ଚାହିଁ,

ମାଆଟି ସିଏ

ଶିଶୁ ପାଇଁ ଶୁଭ ମନାସି ଥାଏ,

ମଙ୍ଗଳମୟୀ

ସକଳ ବିପଦ ଦିଏ ଦୂରେଇ ।(୪)

ସେବା ଓ ତ୍ୟାଗ ତା କେତେ ମହାନ

ନୁହେଁ କେ ସଂସାରେ ତାର ସମାନ,

ଦେଖେନି ଭିନ୍ନ ଦେଖେନି ସାନ

ଯାହାର ଆଖିରେ ସର୍ବେ ସମାନ,

ମାଆଟି ସିଏ

ବଡ ହେବା ଲାଗି ଆଶିଷ ଦିଏ,

ସେ ଦେବୀ ତୁଲ୍ୟ

ଶୁଝି କି ପାରିବା ତ୍ୟାଗର ମୂଲ୍ୟ??(୫)

କପସିଲା(ତୁଷୁରା)ବଲାଙ୍ଗୀର

ମୋନଂ-୯୯୩୮୮୧୯୪୧୨

ମୋ ବୋଉ

କବିତା ସାହୁ , ଜୟପୁର।

ସଭିଏଁ ଥାଇ ବି ଖାଲି ଖାଲି ଲାଗେ

ମୋ ବୋଉ ଆଉ ନାଇଁ

ଛୁଇଁ ପାରିଲିନି ତା ଚରଣ

କରି ପାରିଲିନି ସେବା ଯାଇ

ଦୂର ଜିଲ୍ଲାରେ ରହିଅଛି ଯେଣୁ

ସ୍ବାମୀ ପିଲା ନେଇ

ପ୍ରତି କ୍ଷଣେ ମନେ ପଡେ ବୋଉ

ଚାଲିଗଲୁ ତୁହି

ତୋ ମଧୁର ଡ଼ାକ କୋମଳ ପରଷ

ସ୍ନେହ ଆଦର

ସବୁ ଦିନ ପାଇଁ ହୋଇ ଗଲା ଦୂର

ପେଟ ଚିହ୍ନି ମନ ବୁଝି ଖୁଆଉ ଥିଲୁ

ହାତରେ ତୋର

ଜର ଥଣ୍ଡା ହେଲେ ହୋଇ ତରବର

ତୁଳସୀ ମହୁ ଦେଉ ସତ୍ବର

ଭଲ ପାଠ ପଢ଼ି କରୁ ଚାକିରୀ

ଠାକୁର ପାଖେ ଗୁହାରି

କେତେ ପୁଜା ବ୍ରତ କରୁ ମାନସିକ

ସନ୍ତାନ ପାଇଁ ତୋହରି

ନିଜେ ନ ଖାଇ ସାଇତି ରଖିଥାଉ

ବଳେଇ ଖୋଉ ହାତରେ

ସଂଜ ବତୀ ପରି ଜଳି ଜଳି ଆଲୋକ

ଜୀବନେ ଦେଖାଇ ଥାଉ

ଆମ ସୁଖରେ ନିଜ ସୁଖ ଦେଖୁ

ସ୍ନେହରେ ବାନ୍ଧି ତୋର

ତୋ ପଣତ କାନି ଅଟଇ ଶୀତଳ

ଠାକୁର ଘର ନେତ ଆମର

ସଦା ରହୁ ଆଶିଷ ତୋହର

ସବୁ ଦିନ ପାଳନ ହେଉ

ମାତୃ ଦିବସ ଆମର

ବୃଦ୍ଧାବସ୍ଥା ରେ କର ସେବା ଶୁଶ୍ରୁଷା

ମନ ଜାଣି ମନ ବୁଝି କୁହ ମଧୁର କଥା

ନିଜ ସନ୍ତାନ ପରି ବୁଝ ମନର ବ୍ଯଥା

ସମୟ ବିତାଅ ତାଙ୍କ ପାଖରେ ସଦା

କିଏ ହେବ ବୋଉ ପରି

ୠଣ ସୁଝି ପାରିବିନି ସାତ ଜନ୍ମରେ ତା'ର

ଶତ ଶତ ପ୍ରଣିପାତ ବୋଉ ଚରଣେ

ତୋହର।

ଚାପ ଚନ୍ଦନ

କବିତା ସାହୁ, ଜୟପୁର

ଗ୍ରୀଷିମ ଉତ୍ତାପ ଦିଅଇ ସନ୍ତାପ

ଝାଳ ବହେ ଗମଗମ

ଭୂମି ଫାଟିଯାଏ ଗଛ ଶୁଖି ଯାଏ

ଆକୁଳ ଜଗତ ଜନ

ମାନବୀୟ ଲୀଳା କରନ୍ତି ଠାକୁର

ଖେଳନ୍ତି ଚାପ ଚନ୍ଦନ

ବୈଶାଖ ମାସ ଅକ୍ଷୟ ତୃତୀୟାରୁ

ହୁଅଇ ଯାତ ଚନ୍ଦନ

ଏକୋଇଶି ଦିନ ବାହାର ଚନ୍ଦନ

ଭିତର ଏକୋଇଶି ଦିନ

ବୟାଳିଶ ଦିନ ଚାପ ଚନ୍ଦନ

ଖେଳନ୍ତି ମଦନ ମୋହନ

ନାନା ଫୁଲ ଅଳଙ୍କାରେ ହୋଇ ଶୋଭନ

କି ସୁନ୍ଦର ମନୋରମ

ମଣି ବିମାନରେ ଭୂଦେବୀ ଶ୍ରୀଦେବୀ

ଆସନ୍ତି ଶ୍ରୀ ମଧୁସୂଦନ

ପଞ୍ଚ ମହାଦେବ ସାଥେ ପଞ୍ଚୁପାଣ୍ଡବ ଆସନ୍ତି

ବସି ସୁସଜ୍ଜିତ ବିମାନ

ହରିବୋଲ ହୁଳୁହୁଳି ଘଣ୍ଟ ଘଣ୍ଟି ମୃଦଙ୍ଗ

ବିଜେ କାହାଳୀ ବାଦନ

ପଟୁଆରେ ଆସନ୍ତି ଭକ୍ତ ଭଗବାନ

ଏକାକାର ହୋଇଣ

ନାମ ସଂକୀର୍ତ୍ତନ ଭଜନ କୀର୍ତ୍ତନ

ପ୍ରକମ୍ପିତ ବଡ଼ଦାଣ୍ଡ

ପଣା ଫଳ ଭୋଗ ବାଟରେ ନୈବେଦ୍ୟ

ହୋଇ ଥାଏ ସ୍ଥାନ ସ୍ଥାନ

ଚନ୍ଦନ ଲେପନ ଦେହକୁ ଶୀତଳ

ପେଟ ଥଣ୍ଡା ପଣା ସେବନ

ନରେନ୍ଦ୍ର ପୋଖରୀ ସଜାଇ ନିଜକୁ

ଡାକୁଥାଏ ନାରାୟଣ

ନନ୍ଦା ଆଉ ଭଦ୍ରା ଦୁଇ ଗୋଟି ଡଙ୍ଗା

ନାଲି ଆଉ ଧଳା ରଙ୍ଗୀନ

ବଡ଼ ଚାପ ନନ୍ଦା ସାନ ଚାପ ଭଦ୍ରା ନାମ

ନିଜକୁ ମଣନ୍ତି ଧନ୍ୟ

ଚାପ ଖେଳନ୍ତି ମଦନ ମୋହନ ସାଥେଣ

ଧୂପ ଦୀପ ବନ୍ଦାପନା

ପୁଷ୍କରିଣୀ ଚତୁଃପାଶ୍ୱରେ ଭକ୍ତ ସମାଗମ

ନାବକେଳୀ ଚାପ ଚନ୍ଦନ

ଧନ୍ୟ ଧନ୍ୟ ମହାପ୍ରଭୁ ଲୀଳା ଅପାର

ଉଧାର କର ଏ ସଂସାର।

ପାକୁଆ ପାଟି

କବିତା ସାହୁ। ଜୟପୁର

ମଣିଷ ପାଟିକୁ ଦାନ୍ତ ସୁନ୍ଦର

ଧବଳ ବର୍ଣ୍ଣ ର ଦୁଇ ଧାଡ଼ିର

ବୟସ ସାଥିରେ ଖସଇ ଦାନ୍ତ

ପାକୁଆ ପାଟିକୁ ନାଲିଆ ହସ

୨- ଜେଜେ ଜେଜେମା ଅଜା ଆଈ

ପାକୁଆ ପାଟିରେ କଥାକୁ କହି

ବୁଝାଇ ଥାନ୍ତି ଅନେକ କଥା

ଆଶିଷ ଦିଅନ୍ତି ଛୁଇଣ ମଥା

୩- ବୟସ ବେଳେ ହୃଷ୍ଟପୁଷ୍ଟ ଚେହେରା

ହାତ ଗୋଡ଼ ଗାଲ ପାଟି ଟାଣ ଚମଡା

ବୟସ ବଢିଲେ ଚମ ଧୋକଡା

ପାକୁଆ ପାଟିକୁ ଗାଲ ଠାକରା

୪- କୁଟୁଣିରେ କୁଟି ପାନ ଗୁଆ କୁ

ଆଈ ଦେଇ ଥାଏ ଅଜା ହାତକୁ

ପାକୁଆ ପାଟିରେ ପକାଇ ଅଜା

ପାକୁଳି କରନ୍ତି ଲାଗଇ ମଜା

୫- ବୁଟ ମଟର ଭଜା ବାଦାମ ନଡ଼ିଆ

ପାକୁଆ ପାଟିକୁ ସବୁ ଲାଗଇ ଅଡ଼ୁଆ

ସନ୍ଥକବିଙ୍କ ଜନ୍ମଦିନରେ କବିତା ଟିଏ

କନ୍ଧ ଘରର ଅନ୍ଧ କବି

*****

କନ୍ଧ ପରିବାରେ ଜନ୍ମିତ ହୋଇ ହେ

ଅନ୍ଧ କବି ନାମ ବହି ।

ଦୁନିଆଁ ଆଖିରେ ଅନ୍ଧ ତୁମେ କିନ୍ତୁ

ଦିବ୍ୟ ଦୃଷ୍ଟି ଅଛି ରହି ।।

ଓଡ଼ିଆ ଭାଷାକୁ ଦେଇଗଲ ତୁମେ

ଶତାଧିକ କାବ୍ୟ ରତ୍ନ ।

ଜୀବନ ଦର୍ଶନ ଆତ୍ମ ର ଜିଜ୍ଞାସା

ଜୀବନ ବ୍ୟାପି ସାଧନ ।।

ମାନବ ଜାତିର ମଙ୍ଗଳ ପାଇଁ ହେ

ଜୀବନ ଉତ୍ସର୍ଗ କରି ।

ସାଧନା ଶୀର୍ଷରେ ଉପସ୍ଥିତ ତୁମେ

ପୁଣ୍ୟାତ୍ମା ହେ ଅବତରୀ ।।

ଘାତ ପ୍ରତିଘାତ ଶୈଶବ କାଳରୁ

ଯନ୍ତ୍ରଣା ଜର୍ଜରିତ ।

ତିଳେହେଁ ପ୍ରଭୁ ହେ ଖାତିର ନ କରି

ବିଶ୍ୱେ ହୋଇଲ ବିଦିତ ।।

ବ୍ରହ୍ମ ନିରୂପଣ ସ୍ତୁତି ଚିନ୍ତାମଣି

ଅଷ୍ଟକ ବିହାରୀ ଗୀତା ।

ଚଉତିଶା ଗ୍ରନ୍ଥ ନିର୍ବେଦ ସାଧନା

ଆଉ ଆଦିଅନ୍ତ ଗୀତା ।।

ଶତାଧିକ ଗ୍ରନ୍ଥ ଦେଇଗଲ ଦାନ

ବିଶ୍ୱର ମଙ୍ଗଳ ପାଇଁ ।

କନ୍ଧରା ଗ୍ରାମରୁ ଜନ୍ମିତ ହୋଇ ହେ

ଡାକରା ଅଲେଖ ସାଇଁ ।।

ସତ୍ୟର ସନ୍ଧାନୀ ଶୂନ୍ୟବ୍ରହ୍ମ ସେବା

ଅଲେଖ ମହିମା ଡାକ ।

ରାଜା ସମ୍ଭ୍ରାନ୍ତିୟ ଅତ୍ୟାଚାର ମଧ୍ୟ

ଅଟକାଇ ନାହିଁ ଦେଖ ।।

ମୃତ୍ୟୁରୁ ଅମୃତ ଜୀବନରୁ ଜ୍ୟୋତି

ଅନ୍ତରୀକ୍ଷୁ ଅନ୍ଧକାର ।

ପ୍ରଜ୍ଞାରୁ ପ୍ରତ୍ୟୟ ବେଦରୁ ନିର୍ବେଦ

ସାକାରରୁ ନିରାକାର ।।

ଆହେ ନିଖିଳର ପୁର୍ଣ୍ଣ ଅଧୀଶ୍ଵର

ମହିମା ଅଲେଖ ନାଥ ।

ଘେନାକର ବାରେ ଅକୀଞ୍ଚନ ଡାକ

ପୂର୍ଣ୍ଣକର ମନୋରଥ ।।

-ଶୁଭେନ୍ଦୁ ମେହେର

ଯାଲୋଏ, ସୁବର୍ଣ୍ଣପୁର

ବୁଦ୍ଧ ପୂର୍ଣ୍ଣିମା

***

-କବିତା ସାହୁ , ଜୟପୁର

କପିଳବାସ୍ତୁ ର ଲୁମ୍ବିନୀ ନଗରେ

ଶୁଦ୍ଧୋଦନ ମାୟାବତୀଙ୍କ କୋଳରେ

ବୈଶାଖ ପୂର୍ଣ୍ଣିମାରେ ଜନମ ନେଲେ

ସରାଗେ ସିଦ୍ଧାର୍ଥ ନାମଟି ଦେଲେ

କିଛି ଦିନପରେ ମାତା ସଂସାର ଛାଡ଼ିଲେ

ମାଉସୀ ଗୌତମୀ ଲାଳନପାଳନ କଲେ

ମାଉସୀଙ୍କ ନାମେ ଗୌତମ ନାଁ ବୋଇଲେ

ଲୋଭ ମୋହ ସଂସାରେ ମନ ନ ରଖିଲେ

ଗୋପା ନାମେ କନ୍ୟାକୁ ବିଭା ହୋଇଥିଲେ

ପୁତ୍ର ରାହୁଲ ମୋହରେ ବାନ୍ଧି ସେ ନହେଲେ

ଜରାଗ୍ରସ୍ଥ ବୃଦ୍ଧ ଶବ ସନ୍ୟାସୀ କୁ ଦେଖିଲେ

ଦୁଃଖରେ ମ୍ରିୟମାଣ ହୋଇ ଭାଙ୍ଗି ପଡିଲେ

ସତ୍ୟ ଅନୁସରଣ ମୁକତି ର ପଥ ଖୋଜିଲେ

ରାତି ଅନ୍ଧକାରେ ସ୍ତ୍ରୀ ପୁତ୍ରକୁ ଛାଡି ଚାଲିଗଲେ

ନିରଞ୍ଜନା ନଦୀ ତଟ ବୋଧଗୟା ଠାରେ

ବଟ ବୃକ୍ଷ ମୂଳରେ ତପସ୍ୟାରେ ବସିଲେ

ସିଦ୍ଧାର୍ଥ ରୁ ଗୌତମ ଶେଷରେ ବୁଦ୍ଧଦେବ

ବୈଶାଖ ପୂର୍ଣ୍ଣିମାରେ ନିର୍ବାଣ ପ୍ରାପ୍ତ ହେଲେ

ସତ୍ୟ ଅହିଂସା ପରମ ଧର୍ମ ପଶୁବଧ ତ୍ୟାଗ

ବୁଦ୍ଧଂ ଶରଣଂ ଗଚ୍ଛାମି ,ଧର୍ମଂ ଶରଣଂ ଗଚ୍ଛାମି

ସଂଘ ଶରଣଂ ଗଚ୍ଛାମି ପ୍ରଚାର କରିଲେ

ଧର୍ମ ଗ୍ରନ୍ଥ ତ୍ରୀପିଟକ ରଚନା ସେ କରିଲେ

ଜନ୍ମ ବୁଦ୍ଧତ୍ବ ନିର୍ବାଣ ବୈଶାଖ ପୂର୍ଣ୍ଣିମାରେ

ବୌଦ୍ଧ ଧର୍ମର ପ୍ରଚାର କରିଲେ

ଆଜିର ଏ ପବିତ୍ର ବୈଶାଖ ପୂର୍ଣ୍ଣିମା

ବୁଦ୍ଧ ପୂର୍ଣ୍ଣିମା ନାମରେ ଜାଣିଲେ

ସେ ମହାତ୍ମାଙ୍କୁ ଖୋଜୁଛି ଜଗତ

ହିଂସା ଇର୍ଷା ଲୋଭ ମୋହ ମାୟା ମିଛ

ଅଜ୍ଞାନ ଅବିଦ୍ୟା ଭରିଛି ସଂସାରେ

ଫେରି ଆସି ଶିକ୍ଷା ଦିଅ ଜନ ଜଗତରେ

ଜଣାଉଛି ଭକ୍ତି ଶ୍ରଦ୍ଧାଞ୍ଜଳି ଆଜିର ଦିନରେ 🙏

ବିଶ୍ୱାସ

-ଡ଼. ପ୍ରିୟମ୍ବଦା ସାମଲ

ସୁନ୍ଦର ସଂସାର ଗଢ଼ିଛ ହେ ପ୍ରଭୁ

ବିଶ୍ୱାସ ଦେଇଛ ଭରି

ତୁମରି ବିଶ୍ୱାସେ ଚାଲଇ ଯେ ଜନ

ଚିନ୍ତାରେ ନ ହୁଏ ଘାରି।

ଅବିଶ୍ଵାସୀ ନର ନୁହଁନ୍ତି କାହାର

ସମାଜର ଦୁଷ୍ଟ ବ୍ରଣ

ହୃଦ ତା ପାଷାଣ ଦିଅଇ କଷଣ

ନୁହେଁ ସେହି ସାଧୁ ଜନ।

ମନର ବିଶ୍ୱାସ ଦିଅଇ ଆଶ୍ୱାସ

ହୃଦରେ ଆଣେ ଦୃଢ଼ତା

ଅବିଶ୍ୱାସେ ନୁହେଁ ମଧୁର ସମ୍ପର୍କ

ମତିଭ୍ରମେ ବଢେ ଚିନ୍ତା।

ମାନବିକତା ଗୁଣଟି ମାନବର

ବିଶ୍ୱାସେ ସେ ଭରପୁର

ହୃଦ ନିର୍ମଳତା ତ୍ୟାଗୀ କପଟତା

ବିଶ୍ୱାସେ ସଦା ତତ୍ପର।

ବିଶ୍ୱାସରେ ବନ୍ଧା ସମ୍ପର୍କରେ ଛନ୍ଦା

ସର୍ବ ଭାବ ଜଗତର

ଆହେ ଦୟାମୟ ହେ ମଙ୍ଗଳମୟ

ବିଶ୍ୱାସ ନତୁଟୁ କାର।

ଭୁବନେଶ୍ୱର।

ମହାକାଳ ଫଳ

ପ୍ରଥମ ପ୍ରେମର ପ୍ରଥମ ଚିଠିଟେ

ମୋ ପ୍ରିୟା ଦେଇଛି ମୋତେ

ଆହାକି ସୁନ୍ଦର ମଧୁର ବାରତା

ରହିଥିବ ଭରି କେତେ ।୧।

ଯତନରେ ଖୋଲି ଆନନ୍ଦରେ ବସି

ପଢିଲି ମନ ଖୁସିରେ

ଆଖି ଛଳଛଳ ନୟନ ମୋହର

ଭିଜିଲା ଅଶ୍ରୁର ନୀରେ ।୨।

ଲେଖିଛି ଚିଠିରେ ଭୁଲିଯିବୁ ମୋତେ

ମୁଁ ନୁହେଁ ପ୍ରେମିକା ତୋର

ମିଳିଗଲା ମୋତେ ସାଥିଟିଏ ଆଜି

ତୁମଠୁ ବେଶି ସୁନ୍ଦର ।୩।

ରୂପଗୁଣ ତାର ନାହିଁ ପଟ୍ଟାନ୍ତର

ଅପୂର୍ବ ସୁନ୍ଦର ସିଏ

କି ବର୍ଣ୍ଣିବି ଗୁଣ ଗାରିମା ତାହାର

ମନଦେଇ ଭଲପାଏ ।୪।

ମୋବାଇଲ ପ୍ରେମ କରିଥିଲା ବାଇ

ଦେଖିନଥିଲି ଆଖିର

ଦେଖିଦେଲି ଯେବେ ଚେହେରା ତୁମର

ଆସିଲା ମନେ ବିକାର ।୫।

ଚେହେରା ତୁମର ଏତେ କଦାକାର

ଜହ୍ନି ମଞ୍ଜିଠାରୁ ହୀନ

ସୁନ୍ଦର ରୂପକୁ ତୁମଠାରେ କାହିଁ

କରିଥାନ୍ତି ମୁହିଁ ଲୀନ ।୬।

ରୂପରେ ସୁନ୍ଦର ପ୍ରେମିକ କୁମର

ମିଳିଗଲା ମୋ ଭାଗ୍ଯରେ

କରିବନି ଫୋନ୍ କେବେ କେଉଁଦିନ

ରହିବ ମୋଠାରୁ ଦୂରେ ।୭।

ଶୁଣ ମୋ ଉତ୍ତର ଆହେ ପ୍ରିୟା ମୋର

କହୁଛି ଯାହା ବୁଝାଇ

ମହାକାଳ ଫଳ ଅତ୍ଯନ୍ତ ସୁନ୍ଦର

ଭାଙ୍ଗିଲେ ଘୃଣା ଲାଗଇ ।୯।

ସୁନ୍ଦର ରୂପରେ ମନ ବୁଝେସିନା

ଭିତରେ କଳଙ୍କ ଭର୍ତ୍ତି

ପାଇବୁନି କେବେ ସୁଖଶାନ୍ତି ପୁଣି

ମନରୁ ଲିଭିବ ଫୁର୍ତ୍ତି ।୧୦।

କଳାହୋଇ ଜନ୍ମ ହେଲା ବୋଲି ଶନି

ପିତା ସୂର୍ଯ୍ୟ କଲେ ଘୃଣା

କର୍ମବଳେ ଶନି ପାଉଛନ୍ତି ପୂଜା

ଏକଥା ସଭିଙ୍କୁ ଜଣା ।୧୧।

ତଥାପି ରହିଛି ତୁମ ପଥ ଚାହିଁ

ଆସ ପ୍ରିୟା ପାଖେ ଫେରି

କରନାହିଁ ଡେରି ମୋ ପ୍ରିୟା ସୁନ୍ଦରୀ

ନହେଲେ ଯିବି ମୁଁ ମରି ।୧୨।

କବିକମଳ ନରେନ୍ଦ୍ର ପ୍ରସାଦ ବେହେରା, ସମ୍ପାଦକ- ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର, ମୋ- ୯୮୫୩୧୪୨୫୧୦

ସାଥି ମୋର ପିଲାଦିନ

ଶୁଭ୍ରାଂଶୁ ଭୂଷଣ ମେହେର, ସାଲେପାଲି, ବଲାଙ୍ଗୀର

********

ମନେ ପଡ଼ିଯାଏ ସେହି ପିଲା ଦିନ

. ସାଥି ମେଳ କେତେ କଥା

ଗାଁ ବରଗଛ ସାକ୍ଷୀ ରହିଅଛି

. ଅତୀତର ସ୍ନୁତି ଗାଥା l

ଆମ୍ବ ତୋଟା ବଣ ସେହି ପିଲାଦିନ

. ଖେଳ କୁଦ ବାଲିଘର

ସବୁ ଆଜି ସତେ ସ୍ବପ୍ନ ପରି ଲାଗେ

. ଅତୀତ ଯେ ସାକ୍ଷୀ ତାର l

ଗାଁ ଦାଣ୍ଡ ସାକ୍ଷୀ ସବୁ ଅଛି ଦେଖି

. ଆମ ଚଗଳାମି ଦିନ

ନୁଆଁ ବୋହୁ ଖେଳ କେତେ କୁତୁହଳ

. ଆଜିତ ସବୁ ମଳିନ l

ନଈ ପଠା ଧାର ସାକ୍ଷୀ ଯେ ଆମର

. ନଈ କୁଳିଆ ପବନ

ଗଉଡ଼ ପିଲାର ବଂଶୀ ସ୍ଵନ ସତେ

. ଆଜି ହୋଇଛି ସପନ l

ସେହି ପିଲାଦିନ ଖୋଜି ପାଇବକି

. ଆଉ ସେହି ପିଲା ଖେଳ

ଗାଁ ଦାଣ୍ଡ ଆଜି କଂକ୍ରିଟ ହୋଇଲା

. ଭାଙ୍ଗି ଗଲା ସବୁ ଗେଲ l

ନ ଥିଲା ଚିନ୍ତା ନ ଥିଲା ଶୋଚନା

. ନା ଥିଲା ଅହଂ ଭାବ

ନିରୀହ ମନଟା ସେ ପିଲା ଦିନର

. ଖୋଜିଲେ କିଆଁ ପାଇବ l

ଅଖିମୁଠି

ଭକ୍ତବନ୍ଧୁ ସାହୁ

ବଏଶାଖ ମାସ ଉକିଆଁ ପଖର

ତୁରତିଆ ଆଏ ତିଥି

ଚାଷୀ କୁଲର ଗହଁକି ଦେଖ

ଧରବା ବଲି ଅଖିମୁଠି ...ହୋ ।୨ ଥର

ହଲ ଲଙ୍ଗଲ ଦାଆ କୁଦେଲ ରଫା

ଚାଷର ସାମାନ ଯେତେ

ଫୁଲ ଚନ୍ଦନ ଦେଇ ପୂଜା କରମା

ଗହଁକି ହେବା ମାଁ ସତେ...ହୋ ।୨ଥର

ଜୁଖା ତିଖିରି ପିଠା ମଡା ଭୋଗ

ବନେଇ ରଖମା ରାତି

ସରାଗ ମନଥି ଗାଧିପାଧି କରି

ସାଜୋ ହେମା ପିନ୍ଧି ଧୁତି...ହୋ ।୨ ଥର

ମହାଲଖି ଠାନେ ପୂଜା କରମା ...୨ ଥର

ପକେଇ ପାଦ ଝୁଁଟି ହୋ

ଚାଷୀ କୁଲର ଗହଁକି ଦେଖ

ଧରବା ବଲି ଅଖିମୁଠି...ହୋ ହୋ ।୨ଥର

ଧାନ ଭୁଗାକେ ହଲଦି ଚନ୍ଦନେ

ନୁକୋକରି ଦେମା ଲେପି

ଶୁଭ ବେଲା ଦେଖି ଧାନ ବୁନି ଯିମା

ହୁଲାହୁଲି ଶଁଖ ଫୁକି...ହୋ ।୨ଥର

ଐଶାନ କୁନାଥି ଧାନ ଭୁଗା ରଖି

ଭାବେ ମାଏଟ ମାଁ ଡାକି

ସଏଲତା ଜାଲି ପୂଜାକରି ଦେମା

ଘି ଗୁରସ ଫୁଲ ରୁକି...ହୋ ।୨ଥର

ମାଏଟ ମାଆକେ ଗୁହାରି କରମା...୨ଥର

ସୁନା ଫସଲ ଦିଅ ପାଟି...ହୋ

ଚାଷୀ କୁଲର ଗହଁକି ଦେଖ

ଧରବା ବଲି ଅଖିମୁଠି...ହୋ ହୋ ।୨ଥର

ଇଦିନେ ବାବୁ ଭୁଲି ନାଇଁ ଯିବୁ

ଗରିବକେ ଦେବୁ ଦାନ

ତାର ପୁଇନ ଫଲ ପାଏବୁ ଦିନେ ଗା

ବଢିଯିବା ଯଶମାନ ...ହୋ ।୨ଥର

ଆଖିତୁରତିଆ ଲଗନ ଦେଖି ଗା

କରିଥିବୁ ଶୁଭ କାମ

ପୁଥିପାଞ୍ଜି କେଭେଁ ନୁରା ନାଇଁ ପଡେ

ପୁରାହେବା ସବୁ କାମ...ହୋ ।୨ଥର

ବାଁକବିହାରୀର ପାଦ ଦେଖି ଯିମା...୨ଥର

ସକାଲୁ ସକାଲୁ ଉଠି ହୋ

ଚାଷୀ କୁଲର ଗହଁକି ଦେଖ

ଧରବା ବଲି ଅଖିମୁଠି ...ହୋ ହୋ ।

ବଏଶାଖ ମାସ ଉକିଆଁ ପଖର

ତୁରତିଆ ଆଏ ତିଥି ...ହୋ ହୋ ।୨ ଥର

ଶିକ୍ଷକ,କପସିଲା(ତୁଷୁରା)ବଲାଙ୍ଗିର

ମୋନଂ-୯୯୩୮୮୧୯୪୧୨

କୃଷିପର୍ବ ଅକ୍ଷୟ ତୃତୀୟା

ଚନ୍ଦ୍ରକଳା ଦେବୀ

ବଇଶାଖ ଶୁକ୍ଳ ତୃତୀୟା ତିଥିରେ

ଅକ୍ଷି ତୃତୀୟା ପାଳିତ,

ଏହି ଦିବସରେ ଦାନପୁଣ୍ୟ କଲେ

ପୁଣ୍ୟଫଳ ହୁଏ ପ୍ରାପ୍ତ l

ଗ୍ରହ ଚକ୍ରରେଯେ ଏହି ଦିବସଟି

ଅତ୍ୟନ୍ତ ଶୁଭ ଅଟଇ,

ଗୃହାରମ୍ଭ ଗୃହପ୍ରବେଶ ବିବାହ

ଏହିଦିନ କରାଯାଇ l

ଅକ୍ଷି ତୃତୀୟାକୁ କୃଷକ ଭାଇଟି

ବହୁଦିନୁ ଚାହିଁଥାଇ,

ନୂଆ ଵେତୁଲିରେ ଶସ୍ୟକୁ ପୁରାଏ

ଅକ୍ଷି ଅନୁକୂଳ ପାଇଁ l

ଭୂଇଁ ଖଜୁରୀ ଆଉ ଭଇଁଚ କୋଳି

ପିଠା,କ୍ଷୀର ରଖିଥାଇ,

ଧୂପ ଦୀପ ସୁନା ଫୁଲ ଓ ଚନ୍ଦନ

ବେତୁଲିରେ ସେ ଭରଇ l

ଶଙ୍ଖ ହୁଳହୁଳି ଦେଖାଇ ଦୀପାଳି

କ୍ଷେତକୁ ପଠାଏ ପୁଣି,

ଲକ୍ଷ୍ମୀ ଠାକୁରାଣୀ ସୁମରଣା କରି

ମନରେ କରେ ଦାୟିନୀ,

ବରଷକ ପାଇଁ ଖାଦ୍ୟଭାବ ଦୂର

କର ମା ଅନ୍ନଦାୟିନୀ l

କୃଷକ ଭାଇଟି କ୍ଷେତକୁ ଯାଇଣ

ପୂଜେ ଲକ୍ଷ୍ମୀ ଠାକୁରାଣୀ,

ହଳ ଅନୁକୂଳ କରିଣ ଐଷାନ୍ୟ

ଶସ୍ୟକୁ ଦିଅଇ ବୁଣି l

ହିନ୍ଦୁ ମାନଙ୍କର ପବିତ୍ର ପରବ

ହୁଏ ଅକ୍ଷି ଅନୁକୂଳ,

ଭକ୍ତିପୂତ ମନେ ପୂଜା ତାଙ୍କୁକଲେ

ହୁଅଇ ସର୍ବ ମଙ୍ଗଳ l

ବନ୍ଧୁଗାଁ,କୋରାପୁଟ l

ମା

ଚନ୍ଦ୍ରକଳାଦେବୀ, କୋରାପୁଟ

ସରଗଠୁ ବଡ଼ ସବୁଠୁ ନିଜର

ମମତାମୟୀ ମୋ ମାଆ,

ସ୍ନେହ ମମତାର ଜୀବନ୍ତ ପ୍ରତୀକ

ସିଏ ମୋର ଅଟେ ସାହା ||

ଯାହାର କୋଳରେ ଜନମ ଲଭିଲି

ଦେଖିଲି ଏଇ ସଂସାର,

ଲାଳନ ପାଳ6ନ ଛୋଟୁ ବଡ଼ହେଲି

ପାଇ ସନେହ ଆଦର ||

କଥାଯେ ତାହ|ର ମଧୁ ପରି ମିଠା

ଫୁଲଠୁ କୋମଳମୟ,

ମାଆର ପଣତ ଶ୍ରୀମନ୍ଦିର ନେତ

ନାହିଁ ଡର ନାହିଁ ଭୟ ||

ସରଗଠୁ ବଳି ସିନା ସୁଖ ସ୍ଥଳୀ

ଜନନୀଙ୍କ ଅଙ୍କ ସ୍ଥଳ,

ବସିଥିଲେ ଯହିଁ ଭୋକ ଶୋଷ ନାହିଁ

ନ ଲାଗେ ସଂସାର ଡୋର ||

ମାଆ ସେନେହର ମୂଲ କିଏ ଦେବ

ମୂଲ ତା ଅମୁଲ ମୂଲ,

ବ|ତ୍ସଲ୍ୟ ମମତା ଶ୍ରଦ୍ଧା ପ୍ରେମ ଡୋ6ର

କେହି ନୁହେଁ ସମତୁଲ ||

ଆଜି ମୋର ମାଆ ନାହାଁନ୍ତି ଜଗତେ

ତାଙ୍କ ସ୍ମୃତି ଜାଗରିତ,

ଯେଉଁଠାରେ ଅଛ ସେହିଠାରେ ଥାଇ

କର ମୋତେ ଆଶୀର୍ବାଦ ||

(((ମାଆ)))

କିଶୋର ଚନ୍ଦ୍ର ତ୍ରିପାଠୀ,୯୪୩୭୦୪୧୦୧୮

-----------------------

ମାଆର ସମାନ ହୋଇ ପାରିବ କି

ଦୁନିଆରେ ଆଉ କିଏ,

ମାଆର ସେନେହ ଯିଏ ପାଇଅଛି

ଭୁଲି କି ପାରିବ ସିଏ ।୧

ସମସ୍ତଙ୍କ ମାଆ ଅତି ଆପଣାର

ମାଆ ପରି କିଏ ନାହିଁ,

କେତେବେଳେ ପୁଅ ଆସିବ ବୋଲିକି

ବସିଥାଏ ପଥ ଚାହିଁ ।୨

ମାଆ ଯାହା କହେ ସବୁ ମିଠା ଲାଗେ

ବାତ୍ସଲ୍ଯ ମମତା ଭରା,

ତାହାରି ପରଶ ପାଇଲେ ହରଷ

ସେନେହ ଜୀବନ ସାରା ।୩

ମାଆରି ହାତରୁ ଯିଏ ଖାଇଥିବ

ସିଏ ଜାଣେ ତାର ସ୍ବାଦ,

ମାଆରି କୋଳରେ ଯିଏ ଶୋଇଥିବ

ହୋଇଥାଏ ଭଲ ନିଦ ।୪

ମାଆରି ପଣତ ତଳେ ଆଶ୍ରା ନେବା

ସମସ୍ତଙ୍କ ଭାଗ୍ଯେ ମିଳେ,

ସବୁ ଭୂଲିଯିବ ଆନନ୍ଦ ମିଳିବ

ଯଦି ଥିବ ମାଆ କୋଳେ ।୫

ପୁତ୍ର କନ୍ଯାଙ୍କର ସବୁ ଜଞ୍ଜାଳକୁ

ଆଦରି ନେଇଛି ସହି,

ସମର୍ପିତ ସଦା ସନ୍ତାନଙ୍କ ପାଇଁ

ତା'ପରି ହୋଇବ କେହି ।୬

ମାତୃଦେବୋ ଭବ ଆଦରିବା ଯଦି

ନିଶ୍ଚିତ ହୋଇବ ଭଲ,

ଆଶୀର୍ବାଦ ଆଉ କଲ୍ଯାଣ ମିଳିବ

ସୁଖେ ରହିବେ ସକଳ ।୭

¤¤¤¤¤¤¤¤¤¤¤¤¤¤¤¤¤¤¤¤¤

କିଛି ଗୋଟେ କର

ହେ!ପ୍ରଭୁ କେଉଁଠି ଅଛ ଥରେ ଦେଖ

ମର୍ତ୍ତ୍ୟେ କି ଲୀଳା ଚାଲିଛି

ସତ୍ୟ ପଥେ ଜନ ଅସହାୟ ହୋଇ

ଆଖିର ଲୁହକୁ ପିଉଛି ।।

ମାନବିକତାର ମୂଲ୍ୟ ନାହିଁ ଏଠି

ଚତୁର୍ଦ୍ଦିଗ ବ୍ୟଭିଚାର

ପଶୁତ୍ୱର ଗୁଣ ତେଜିଆନ ହୁଏ

ବୃଦ୍ଧି ପାଏ ଅହଙ୍କାର ।।

ହତ୍ୟାକାରୀ ଏଠି ନିତି ହସୁଥାଏ

ମୃତ୍ୟୁର ତାଣ୍ଡବ ରଚି

ମଥାନତ କରି ସହୁଛି ନୀରିହ

ପ୍ରାଣ ଦେଉଥାଏ ଯାଚି ।।

ବାନ୍ଧି ରହିଥିଲେ ନ୍ୟାୟ ନୀତି ମଧ୍ୟେ

ଶତ୍ରୁତା କରୁଛି ଛାଇ

ପାଟି ଫିଟାଇଲେ ଅତ୍ୟାଚାର ଦେଖି

ମୃତ୍ୟୁ ମିଳେ ପ୍ରାଣ ଥାଇ ।।

ଦିନ ମଧ୍ୟେ ଧରେ ହାତେ ତରବାରୀ

ହୃଦୟେ ନଥାଏ ଭୟ

ଛାତି ପିଟି କଥା କହୁଛି ଯେମିତି

ମୃତ୍ୟୁକୁ କରିଛି ଜୟ ।।

ସୃଷ୍ଟି ରକ୍ଷା ପାଇଁ ଅବତରି ଆସ

ତ୍ରାହି ତ୍ରାହି ଡାକେ ଧରା

ସୂଚନା ଦିଅଇ ସୂର୍ଯ୍ୟୋଦୟ ହେବ

ପାହାନ୍ତି ଆକାଶ ତାରା ।।

ମଣିଷ ଖାଉଛି ମଣିଷର ମାଂସ

ଭୁଲିଛି ଆପଣା ପର

ଅର୍ଥ ପାଇଁ ରକ୍ତେ ଖେଳୁଅଛି ହୋଲି

ପ୍ରଭୁ କିଛି ଗୋଟେ କର ।।

ସୃଷ୍ଟି କରାଇଲ ସର୍ବଶ୍ରେଷ୍ଠ ପ୍ରାଣୀ

ମଣିଷର ଜନ୍ମ ଯେଣୁ

ଶ୍ରେଷ୍ଠ ହେବାକୁ ଯେ ନିଶା ଘାରିଅଛି

ବିପଦକୁ ଡାକେ ତେଣୁ ।।

ତୁମ୍ଭରି ସୃଷ୍ଟିକୁ ରକ୍ଷା କର ଆଜି

କିଛି ହେଲେ ଗୋଟେ କରି

ନହେଲେ ସୃଷ୍ଟିର ସଂଗ୍ରଚନା ତତ୍ତ୍ଵ

ଆଶା ଦିଅ ସବୁ ତରି ।।

-----#-----

ନିକୁଞ୍ଜ କୁମାର ଘୋଷ ।

ସା-ମାଧଵପୁର ପୋ-ଲକ୍ଷ୍ମଣନାଥ ଥାନା-ଜଳେଶ୍ୱର ଜି-ଵାଲେଶ୍ୱର ଓଡିଶା ପିନ୍ -୭୫୬୦୮୭.ମୋ-8093630756

ଗାରେ ସିନ୍ଦୂର

କବିତା ସାହୁ ଜୟପୁର

ଗାରେ ସିନ୍ଦୂର

ଦିଏ ପରିଚୟ ସଧବା ସ୍ତ୍ରୀ ର

ଲାଲ ରଙ୍ଗରେ ଭରା ମଥା ତାର

ଅମୁଲ ମୁଲ ଅଟଇ

ସେ ସିନ୍ଦୂର ତାର

୨- କୁଆଁରୀ ଝିଅର ମନେ କେତେ ଭାବନା

ଗାରେ ସିନ୍ଦୂର ପାଇଁ ଦେଖେ କେତେ ସପନ

ଦଶଦିଗ ପାଳ ଦେବାଦେବୀଙ୍କୁ ସାକ୍ଷୀ ରଖିଣ

ସ୍ବାମୀଙ୍କ ହାତରୁ ପିନ୍ଧି ସିନ୍ଦୂର ଟୋପା

ସ୍ତ୍ରୀ ରୂପେ ହୁଏ ପରିଚିତା

୩- ଗାରେ ସିନ୍ଦୂର ଦିଏ ନାରୀକୁ ସୁରକ୍ଷା

ସିନ୍ଥିରେ ନାଲି ସିନ୍ଦୂର ହୋଇ ଶୋଭିତା

ମାନ ମର୍ଯ୍ୟାଦା ରଖଇ ପତିବ୍ରତା

୪-

ପର ପୁଅ ଆସି ବେଦୀରେ ବସି କନ୍ୟା ମଥାରେ ଦିଏ ସିନ୍ଦୂର ହସି

ସବୁଦିନ ପାଇଁ କରି ନିଏ ନିଜର

ଟୋପାଏ ସିନ୍ଦୂର ସୁହାଗ ତା'ର

୫- ଟୋପାଏ ସିନ୍ଦୂର କରଇ ପର

ବାପା ମାଆ ଭାଇ ଭଉଣୀ ମୋର

ପର ପୁଅ ହୁଏ ସାତ ଜନ୍ମର

ଭୁଲାଇ ଦିଏ ଗାରେ ସିନ୍ଦୂର।

ସପନ ଦେଖ

ଶୁନଶାନ୍ ରେଳ ଷ୍ଟେସନ୍ ।

ଦିନର ଶେଷ ଟ୍ରେନ୍ ଟି ପ୍ଲାଟଫର୍ମ ଛାଡିଦେଇଥିଲା ​​|

ଜଣେ ବୃଦ୍ଧ ମହିଳା ଏକା ଏକା ବସିଛନ୍ତି। ପରଦିନ ଟ୍ରେନ୍ ଆସିବ ବୋଲି ସେ ଜାଣି ନଥିଲେ | ଜଣେ ଗାର୍ଡ ତାଙ୍କୁ ଦେଖିଲେ।

- ମା'ଜି, ତୁମେ କୁଆଡେ ଯିବ?

- ବାପା, ମୁଁ ମୋ ପୁଅ ପାଖକୁ ଦିଲ୍ଲୀ ଯିବି |

- ଆଜି କୌଣସି ଟ୍ରେନ୍ ନାହିଁ, ମା'ଜି |

ବୃଦ୍ଧା ଜଣକ ଅସହାୟ ଭାବେ ଗାର୍ଡଙ୍କୁ ଚାହିଁଲେ | ଗାର୍ଡ ବୋଧହୁଏ ଦୟାଳୁ ଥିଲେ |

- ମା'ଜି, ମୋ ସାଂଗରେ ଆସ। ଅପେକ୍ଷା କକ୍ଷରେ ବସିବ।

- ହଉ ଚାଲ, ବାପା | ଆଉ କଣ କରିବା!

- ମା'ଜି ଆପଣଙ୍କ ପୁଅ ଦିଲ୍ଲୀରେ ରୁହନ୍ତି କି?

- ହଁରେ, ବାପା

- କି କାମ କରନ୍ତି?

- ଏଇ ରେଳରେ କାମ କରନ୍ତି।

- କଣ!!!

- ମୋତେ ନାମ କୁହ |

ତାଙ୍କ ସହ ଯୋଗାଯୋଗ ହୋଇପାରିବ କି ନାହିଁ ଦେଖିବା |

- ମୁଁ ତାକୁ ଲାଲ୍ ଡାକେ |

ଅନ୍ୟ ସମସ୍ତେ ତାକୁ ଲାଲ ବାହାଦୂର ଶାସ୍ତ୍ରୀ ବୋଲି ଡାକନ୍ତି |

(ଲାଲ ବାହାଦୂର ଶାସ୍ତ୍ରୀ, ସେତେବେଳେ ଭାରତୀୟ ରେଳ ବିଭାଗର କ୍ୟାବିନେଟ ମନ୍ତ୍ରୀ ଥିଲେ।)

ଗାର୍ଡ ଷ୍ଟେସନ ମାଷ୍ଟ୍ରଙ୍କ ପାଖକୁ ତାଙ୍କୁ ନେଇଗଲେ। ଷ୍ଟେସନମାଷ୍ଟ୍ର ଶାସ୍ତ୍ରୀଙ୍କ ଏକ ଫଟୋ ଦେଖାଇ ମହିଳା ତାଙ୍କ ମା'ବୋଲି ନିଶ୍ଚିତ ହେଲେ।

ପର ମୁହୂର୍ତ୍ତରେ ପୁରା ଷ୍ଟେସନ ରେ ମୃଦୁ କୋଳାହଳ ହେଲା | କିଛି ସମୟ ପରେ ସେଲୁନ୍ କାର ଆସିଲା | ତାଙ୍କୁ ସସମ୍ମାନେ ସେଥିରେ ବସିବାକୁ କୁହାଗଲା।

ବୁଦ୍ଧା ଆଶ୍ଚର୍ଯ୍ୟ ହୋଇଗଲେ। ତାଙ୍କ ପୁଅର କ'ଣ ଏତେ ଶକ୍ତି ଅଛି!!!! ୟେ ସବୁ ପାଠପଢ଼ା ର କମାଲ।

ଲାଲ ବାହାଦୂର ଏ ବିଷୟରେ କିଛି ଜାଣି ନଥିଲେ। ସମସ୍ତ କାର୍ଯ୍ୟ ଭାରତୀୟ ରେଳବାଇ ଦ୍ୱାରା ଆୟୋଜିତ ହୋଇଥିଲା |

ଶେଷରେ, ଯେତେବେଳେ ମା ପୁଅ ଙ୍କ ମିଳନ ହେଲା।

ମା ପଚାରିଲେ - "ପୁଅ, ତୁ କେଉଁ ରେଲଗାଡିରେ କାମ କରୁଛୁ? ମୁଁ ଏହି ବ୍ୟକ୍ତିଙ୍କୁ ପଚାରିଲି, ସେ ହସିକି କହିଲେ,"ମୁଁ କିଛି କହି ପାରିବି ନାହିଁ। ଆପଣ ନିଜ ପୁଅକୁ ପଚାରିବେ।"

ଶାସ୍ତ୍ରୀ ଉତ୍ତର ଦେଲେ- " ବହୁତ ଛୋଟ କାମ କରୁଛି ମା। ରେଲଗାଡିରେ କାମ କରିବାକୁ ଆହୁରି ପାଠ ଓ ଦେହରେ ଅଧିକ ଶକ୍ତି ଦରକାର। ସେଥିପାଇଁ ଯେଉଁମାନେ କାମ କରୁଛନ୍ତି ତାଙ୍କ ଖାଇବା-ପିଇବା ଓ ହିସାବ ପତ୍ର ବୁଝୁଛି।"

-ହେଲେ ପୁଅ ତୋ'ର ବହୁତ ଖାତିର ଏଠି।

-ନା'ମା କି ଖାତିର? ମୁଁ ଯେମିତି ତୋତେ ଭଲପାଏ ଏମାନେ ସେମିତି ମୋତେ ଭଲ ପାଆନ୍ତି।

ଏହିପରି ନେତାମାନେ ବର୍ତ୍ତମାନ ବିରଳ, ସେମାନେ କେବେ କ୍ଷମତା ପାଇଁ ଲାଳାୟିତ ହୋଇ ନାହାଁନ୍ତି। ସେମାନେ କେବଳ ପଦବୀର ଶୋଭା ବଢ଼ାଇଛନ୍ତି।

🙏🙏🙏

ନମ୍ରତା ହିଁ ମନୁଷ୍ୟ ର ଶ୍ରେଷ୍ଠ ପରିଚୟ।

ଏଇ ଜୀବନଟା ଏକ ବୁଝାମଣା

-ମନ୍ଦାକିନୀ ପାଢ଼ୀ

ଜୀବନଟା ଅଟଇ ଯେ ଫୁଲଝରି

ଅବା ଖୋଲା ଛାତପରି

ଦେଖି ଚଳିଲେ ସେଭାରି ସୁଆଦିଆ

ନ'ଜଗିଲେ ଖସଡ଼ିଆ ।।

ଏଇ ଜୀବନଟା ଏକ ବୁଝାମଣା

ଉତ୍ତପ୍ତ ଲୁହରେ ବନ୍ଧା

ମିଛିମିଛିକା ସପନର ବାଲିଘର

ନିତି ହୋଇଥାଏ ତୋଳା ।।

ଦୁଇଟି ହୃଦୟ କୁଟା କାଟି ଆଣି

ତୋଳି ଥାନ୍ତି ଏକ ନୀଡ଼

କେବେ ଅମାନିଆ ଝଡ଼ ଆସିଥାଏ

ଭାଙ୍ଗେ ପ୍ରେମର ନଅର ।।

ଜୀବନଟା ସତେ ଫୁଲର ପାଖୁଡ଼ା

କଣ୍ଟା। ଧରିଦେଲେ ଦିନେ

ହୁଏ ଜୀବନ ରକ୍ତାକ୍ତ ଅସଜଡ଼ା

ସଂପର୍କ ବୁନିଆଦିରେ ।।

ପ୍ରୀତି ପାଉଥିଲେ ସୁଖେଯାଏ ଚାଲି

ପ୍ରବଞ୍ଚନାରେ ଯାଏ ଝୁଲି

ଜୀବନଟା ଏକ ସମୟର ନଈ

ସାରା ଜୀବନ ଯାଏ ବହି ।।

ଶତ ଅନୁଭୂତି ର ପୋଥିକୁ ଧରି

ବାଟ ଚାଲିବାକୁ ହୁଏ

ଜୀବନର ମୋହ ସରିସରି ଯାଏ

ଆୟୁଷ ଦୀପଟି ଲିଭେ ।।

ରାଜନୀତି ବିଜ୍ଞାନ ଅଧ୍ୟାପିକା

ପଦ୍ମପୁର ବରଗଡ଼

ଶାନ୍ତିସ୍ତୁପ ଗାଏ ବୁଦ୍ଧଙ୍କ ଗୀତି

- ଡ଼. ପ୍ରିୟମ୍ବଦା ସାମଲ

ଅଳିକ ସଂସାର ମୋହ ଭରପୁର

ଅଶାନ୍ତ ମନରେ ଶାନ୍ତି

ରାଜପୁତ୍ର ସିଦ୍ଧାର୍ଥ ନଗର ଭ୍ରମଣେ

ବୈରାଗ୍ୟ ଭାବ ଉତ୍ପତ୍ତି।

ସୁନ୍ଦର ଶରୀର ଗ୍ରାସିତ ରୋଗରେ

ଜରାତ୍ଵ ଆସିବ ଦିନେ

ଜୀବନ ଶେଷ ଦିନ ମୃତ୍ୟୁ ଅଧୀନ

ଶାନ୍ତି ପଥ ଅନ୍ଵେଷଣେ।

ଦୁଃଖ ଜଞ୍ଜାଳ ପରିପୂର୍ଣ୍ଣ ଜୀବନ

ଶାନ୍ତି ମୁକତି ବା କାହିଁ

ମୋହ ମାୟା ଭରା ବନ୍ଧନରୁ ମୁକ୍ତି

ମାର୍ଗ ବିଶ୍ଳେଷଣ ପାଇଁ।

ହୋଇ ଚିନ୍ତାଗ୍ରସ୍ତ ତ୍ୟାଗୀଣ ଗୃହସ୍ଥ

ଅରଣ୍ୟେ ତପସ୍ୟା ରତ

ଗଭୀର ବିଶ୍ୱାସ ନିଷ୍ଠାରେ ଆଶ୍ବସ୍ତ

ମହାଜ୍ଞାନର ପ୍ରାପତ।

ସଂସାରରୁ ଦୁଃଖ ଶୋକ ତାପ ରକ୍ଷା

ପାଇବାର ଜ୍ଞାନବାଣୀ

ସ୍ନେହ ଶାନ୍ତି ପ୍ରେମ ଅହିଂସା ମନ୍ତ୍ରରେ

ବୌଦ୍ଧ ଧର୍ମ ବିବରଣୀ।

ହିଂସା ଦ୍ୱେଷ ଘୃଣା ତ୍ୟାଗେ ଦୂରୀଭୂତ

ମନୁଷ୍ୟ ମନ ଅଶାନ୍ତି

ତ୍ରିପିଟକ ଗ୍ରନ୍ଥେ ବର୍ଣ୍ଣନା ରହିଛି

ଜୀବନର ଶାନ୍ତି ମୁକ୍ତି।

କାମନା ବିନାଶେ ଦୁଃଖର ବିନାଶ

ଅହିଂସା ପରମ ଧର୍ମ

ଶାନ୍ତି ସ୍ତୁପ ଗାଏ ବୁଦ୍ଧଙ୍କର ଗୀତି

ସତ୍ ମାର୍ଗଟିର ମର୍ମ।

ଦୟାନଦୀ କୂଳେ ଧଉଳି ପାହାଡ଼

ଶୀର୍ଷରେ ଶାନ୍ତିର ସ୍ତୁପ

ଚଣ୍ଡାଶୋକ ଧର୍ମାଶୋକ ରୂପାନ୍ତର

ବୌଦ୍ଧ ଧର୍ମେ ପ୍ରଭାବିତ।

ଅସ୍ତ୍ର ତ୍ୟାଗୀ ଶାନ୍ତି ମନ୍ତ୍ରରେ ଦୀକ୍ଷିତ

ପରାକ୍ରମୀ ଚଣ୍ଡାଶୋକ

ଧଉଳି ଗିରିର ଶୁଭ୍ର ଶାନ୍ତି ସ୍ତୁପ

ଅହିଂସା ଧର୍ମ ସନ୍ତକ।

ଭୁବନେଶ୍ୱର।

ହଳେ ଆଖି

***

ତା' ହଳେ ଆଖି ଭିତରେ

ମୁଁ ଦେଖୁଥିଲି ପ୍ରଗଳ୍ଭ ସମୁଦ୍ର,

ତା' ଆଖି ପଟଳରେ

ଗୋଧୂଳିର ଅସ୍ତରାଗ !

ହଳେ ଭୃଲତା ତଳେ

ପ୍ରକୃତିର ଅପୂର୍ବ ବର୍ଣ୍ଣରାଗ ।

ତା' ଭାବପ୍ରବଣତାର

ରିକ୍ତ ଆଞ୍ଜୁଳାରେ

ଅସହାୟତାର ଅମାପ ମୋକ୍ଷ,

ପାଇବା ଆଉ ହରେଇବା ଭିତରେ

ଜଡ ସବୁ ଜୀବନ୍ୟାସ ପ୍ରତ୍ୟକ୍ଷ ।

ସେ' ସ୍ୱପ୍ନାଦେଖେ ଅହର୍ନିଶ

ନୂତନ ପୃଥିବୀର !

ସେ' ଆଖି ଖୋଲିଲେ

ସକାଳ ହୁଏ ଆଉ ମୁଦିଲେ ସଞ୍ଜ ବି !!

ସେଇ ହଳେ ଆଖି ଭିତରେ

ମୁଁ ଦେଖେ,

ନିଦରେ ଗାଢତା

ସ୍ବପ୍ନର ବାସ୍ତବତା

ପ୍ରେମର ପବିତ୍ରତା

ମମତାର ମଧୁରତା

ହୃଦୟର ସରଳତା

ଦୁଃଖର ସହନଶୀଳତା

ଆଉ ଲୁହର ଚିରସ୍ରୋତା ।

ସେ' ଆଖିର ସହରରେ

ମାଟିରୁ ଆକାଶ ଛନ୍ଦାୟିତ,

ଅନ୍ଧକାରରୁ ଆଲୋକ ପରିବ୍ୟାପ୍ତ

କୋହ ଆଉ ମୋହ ଲୁକ୍କାୟିତ ।

ସେଇ ହଳେ ଆଖି,

ରାତିକୁ ସ୍ୱପ୍ନ ଦେଖାଏ

ନିଦକୁ ହଜାଇ ନିଏ

ଚାହାଣି ଭିତରେ କାହାଣୀ କୁହେ ।

ଗରମ ନିଶ୍ୱାସକୁ

କ୍ଷଣିକରେ ନରମ କରେ,

ତା' ଦୃଶ୍ୟ, ଦର୍ଶନରେ ।

ସେ ଆଖିରେ

ବିଭୋର ସବୁ ସ୍ବର୍ଣ୍ଣିମ ସକାଳ !

ମୁଁ କିନ୍ତୁ,

ନିର୍ବାସନ ଭୋଗୁଥାଏ ଚିରକାଳ ।।

-ଶୁଭେନ୍ଦୁ ମେହେର

ଯାଲୋଏ, ସୁବର୍ଣ୍ଣପୁର

ସୁନା ହରିଣୀ

****ନିର୍ଜନ ଜହ୍ନ ରାତିର ଛାତି ଚିରି

ପ୍ରଲୁବ୍ଧ ଆଲୁଅର ଅସ୍ତରାଗେ

ଆସୁଥିଲା ସେ' ହଲିଝୁଲି ।

ସ୍ବପ୍ନମୟ ଜୀବନର

ଅଙ୍ଗେ ତା'ର ଶିହରଣ ଭରି

ସବୁଜ ଲତାର ସତେଜ ପଣକୁ

ସ୍ପର୍ଶ କରି,

ସିନ୍ଦୁରା ଫଟେଇ

ଗହଳ ପତ୍ରରାଜିର ସନ୍ଧିରୁ

ଆଗେଇ ଚାଲିଥିଲା ତା'ର କୋମଳ ପାଦ

ଆଗକୁ ଆଗକୁ ।

ଅନିନ୍ଦ୍ୟା ସୁନ୍ଦରୀର

ପାଦ ସ୍ପର୍ଶରେ,

ବିଭୋର ହୁଏ ମର୍ତ୍ତ୍ୟପୁରୀ

ତଲ୍ଲୀନ ହୁଏ ବନ ଗିରି

ବିମୁଗ୍ଧ ପ୍ରାୟ ପାହାଡ଼ ଝରଣା

ବୈଶାଖୀ ଝାଞ୍ଜି ବି' ହୁଏ ବାଟବଣା ।

ତା' ଆଖିର

ନିରୀହ ଚାହାଣୀ

ହୃଦ ସହରରେ ନିଆଁ ଲଗାଏ

ଜାଳିଦିଏ ଚଳଚଞ୍ଚଳ ମନ

ବାସ୍ନାୟିତ ହୁଏ ମୋ' ସମଗ୍ର ବନ।

ସେ' କେଉଁ ସୁନା ହରିଣୀ !

ରୂପ ସୁଷମାର ଦିବ୍ୟ ଜ୍ୟୋତିରେ

ଯୌବନର ଉଦ୍ଧାମତାରେ

ପର୍ଣ୍ଣ କୁଟୀର ଦ୍ୱାରେ

କସ୍ତୁରୀ ସୁଗନ୍ଧେ

ଗନ୍ଧମୟ କରେ ମୋ'ର

ପାଷାଣ ହୃଦୟ ।।

-ଶୁଭେନ୍ଦୁ ମେହେର

ଯାଲୋଏ, ସୁବର୍ଣ୍ଣପୁର।