82 . ଆଣ୍ଠୁ ତେଲ

***

ମୋହ ପରି ଜଣେ

ବୟସ୍କ ମଣିଷ

ଆଣ୍ଠୁ କଷ୍ଟ ପାଉଥିଲେ

ନିଜ ଘରେ ସିଏ

ଚଉକିରେ ବସି

ନିଇକ୍ୟାପ୍ ବାନ୍ଧୁଥିଲେ।

ଭାରିଜା ତାଙ୍କର

ପଚାରିଲେ ତାଙ୍କୁ

"ଡାକ୍ତର ପାଖକୁ ଗଲ?

ଡାକ୍ତର ତୁମକୁ

କଅଣ କହିଲେ

କିଛି ବି ନାହିଁ କହିଲ।"

ଉତ୍ତରରେ ସ୍ୱାମୀ

କହିଥିଲେ ତାଙ୍କୁ,

"ଆଣ୍ଠୁରୁ ଶୁଖିଛି ତେଲ

ସେଇଥିପାଇଁ ତ

ଦିନ ରାତି ମୁହିଁ

ହେଉଅଛି କଲବଲ।

ପେଟ୍ରୋଲ ପମ୍ପ

ଯାଇଥିଲି ମୁହିଁ

ଗାଡ଼ିରେ ଭରିଲି ତେଲ

ପିଲାକୁ କହିଲି,

"ସିରିଞ୍ଜ ସହିତ

ଆଣ୍ଠୁ ତେଲ ଶହେ ଦେଲ।"

ପିଲାଟିକହିଲା,

"ଆଣ୍ଠୁ ତେଲ ଆଉ

ସିରିଞ୍ଜ ଆମର ନାହିଁ"

ନମ୍ବରଟା ଦେଇ

କହିଲି ତାହାକୁ

"ଆସିଲେ ଦେବୁ ତୁ କହି।"

ଭାରି ଭଲ ପିଲା

କହିଛି ସେ ମୋତେ,

ନିଶ୍ଚୟ କରିବ ଫୋନ୍

ଫେଏଁ କରି ପତ୍ନୀ

ହସି ଦେଇଥିଲେ

ବୁଝିଲାନି ତାଙ୍କ ମନ।

ପଚାରିଲେ ପତ୍ନୀ

"କିତେଲଦେବ ସେ

ଆଣ୍ଠୁରେ ଭରିବ ତାକୁ

କେତେ ବଡ ଟାଙ୍କି

ଆଣ୍ଠୁରେ ରହିଛି

ସିରିଞ୍ଜରେ ଭରିବାକୁ?"

ସେହିଠାରେ ମୁହିଁ

ଠିଆ ହୋଇଥିଲି

କଥା ତାଙ୍କ ଶୁଣୁଥିଲି

କେଉଁ ଡାକ୍ତରଙ୍କୁ

ଦେଖାଇଲେ ସିଏ

ଜାଣିବାକୁ ଚାହିଁ ଥିଲି।

****

ଅକ୍ଷୟ ମହାନ୍ତି

୯୯୩୭୪୬୨୫୦୭

83........... ଆଖିର ସପନ ବାକିରେରହେ.........

ଆଖିର ସପନ ବାକିରେ ରଖିକି

ନିଦ ଫେରିଗଲା ବାଟୁ

ରାତି ସରିଗଲା ପହର ସରେଇ

ଆଉଜା ଦୂଆର ପଟୁ ।।

ନିଶ୍ଵାସ ଉଡେଇ ଚାଲିଲା କାନିକି

ବିଶ୍ଵାସ ହଜିଲେ ଛାଏଁ

ଘରପଶା ଦୁଃଖ ଅଣ୍ଟା ପାଣି କଲେ

ଆଖିର ଲୁଣିଆ ଲୁହେ ।।

ଅଙ୍ଗାର ରଙ୍ଗର ଅନ୍ଧାର ବୁଲିଲା

ମାରଣା ମଇଁଷି ପରି

ଅପବାଦ ଡରେ ଆକାଶ ରହିଲା

ପଛକୁ ପାହୁଣ୍ଡେ ଫେରି ।।

ପୂନେଇଁ ବାରିଲା ଜହ୍ନକୁ ଅଚିହ୍ନା

ତିଥି ର ଠିକଣା ଖୋଜି

ସିନ୍ଦୁର ବିଶ୍ଵାସେ କାଚକୁ ନବାକୁ

ନକ୍ଷତ୍ର ହେଲାନି ରାଜି ।।

ମନର କଥାକୁ ଓଠ ଲୁଚେଇଲା

ଅଧାରୁ ଢୋକିକି ଢୋକ

କାକର ଧୋଇଲା ସକାଳ ପିଠିରୁ

କୁହୁଳା କୋହର ଛାପ ।।

ମହେନ୍ଦ୍ର ନନ୍ଦ

ହିଲ୍ ଟାଉନ୍, ଭବାନୀପାଟଣା

୮୨୪୯୪୧୧୩୬୭

84. ଜୟ ଜଗନ୍ନାଥ କୁହ

------------------

ଓଡ଼ିଶା ରାଜ୍ୟ ର ଓଡ଼ିଆ କହିବା

କାହାକୁ ହେଉଛି ମନା

ଓଡ଼ିଆ କହିବା କେତେ କଷ୍ଟକର

ଏ କଥା ସଭିଙ୍କୁ ଜଣା (୧

ମୁଁ ବି କହିବି ପୁଅ ବି କହି ବ

ନାତି ବି ଓଡିଆ କହୁ

ଯାହା ବି ପଢୁଛ ତୁମେ ପଢିପାର

ଘରେ ଓଡ଼ିଆଣୀ ଥାଉ (୨

ଚପରାଶି ଠାରୁ ମନ୍ତ୍ରୀ ହେବା ଯାଏ

ସମସ୍ତେ ଓଡ଼ିଆ କୁହ

ତେବେ ଯାଇ ଆମ ଓଡିଶା ରାଜ୍ୟର

ହୋଇବ ଓଡ଼ିଆ ପୁଅ (୩

ରାଷ୍ଟ୍ରଭାଷା ହିନ୍ଦି ତାକୁ ଭଲ ପାଅ

ଓଡିଆରେ କଥା କୁହ

ତଳୁ ଉପରକୁ ଯାହା କରୁଅଛି

ଓଡିଆରେ ଲେଖୁଥାଅ (୪

ମଧୂବର୍ଣ୍ଣବୋଧ ଛାଡି ଯା ପଢିବ

ସେଥିରେ ଓଡ଼ିଆ ନାହଁ

ଉତ୍କଳ ରାଜ୍ୟରେ ଯେଉଁ ପୁଅ ଜନ୍ମ

ଓଡିଆ କୁ ଛାଡ଼େ ନାହିଁ (୫

ଉତ୍କଳ ଦିବସ ମାନି ବା କାହିଁକି

ଓଡ଼ିଆକୁ ଭୂଲି ଯାଇ

ବୃଥା ପ୍ରହସନ କରିବାର ନାହିଁ

ମିଛ କଥା କହି କହି (୬

ଆମ କଥା ଆମେ ରଖି ନ ପାରିଲେ

କିଏ ଆସି ରଖି ଦେବ

ମୁଣ୍ଡରେ ଓଢ଼ଣୀ ଲୋଗା ନ ପିନ୍ଧି ଲେ

ଓଡ଼ିଆ ବୋହୂ କି ହେବ(୭

ବାର ମାସେ ତେର ପରବ ମାନିବା

ଆମ ଓଡିଆର ପ୍ରଥା

ତାକୁ ନ ମାନିକି ଯେତେ ଯାହା କର

ସବୁ ହୋଇ ଯିବ ବୃଥା (୮

79.ଗରିମାମୟ ଉତ୍କଳ

ବିପିନ ବିହାରୀ ବାରିକ

ଉତ୍କର୍ଷ କଳାର ଦେଶ ଏ ଉତ୍କଳ

କଳା ଯା ବିଶ୍ୱ ବିଦିତ

ପୁଣ୍ୟ ଆର୍ଯ୍ୟାବର୍ତ୍ତ ମହୋଦଧି କୋଳେ

ବିକଚ ରାଜୀବ ସେତ Il

ବିଶ୍ୱେ ଅଦ୍ୱିତୀୟ ସପ୍ତ ଆଶ୍ଚର୍ଯ୍ୟରେ

ଗଣା ତା କୋଣାର୍କ କଳା

ପତିତ ପାବନ ଉଡେ ଶ୍ରୀମନ୍ଦିରେ

ପ୍ରଭୁତାର ଚକା ଡୋଳା ll

ଏ ଜାତି ବିଜୟ ବୈଜୟନ୍ତୀ ଦିନେ

ଗଙ୍ଗା ଠାରୁ ଗୋଦାବରୀ

ଉଡ଼ାଇଲେ ଐର ଖାରବେଳ ବୀର

କହ କିଏ ତାଙ୍କ ସରି ll

ପୁରୁଷୋତ୍ତମଙ୍କ କାଞ୍ଚି ବିଜୟ ଓ

ପଦ୍ମାବତୀଙ୍କର ଗାଥା

କଳା ଧଳା ଘୋଡା ଜଗା ଓ ବଳିଆ

ଅବିସ୍ମର ଲୋକ କଥା ll

ଶାନ୍ତି ଅହିଂସାର ଏ ବୀର ମାଟିରେ

ଚଣ୍ଡାଶୋକ ଧର୍ମାଶୋକ

ଭଗ୍ନ ବାରବାଟୀ ଯା'ଶୌର୍ଯ୍ୟ ଐତିହ୍ୟ

ଖ୍ୟାତ ଯଶ ଯା ପାଇକ ll

ଜାଭା ବୋରନୀୟ ସୁମାତ୍ରା ବାଲିରେ

ଭାସେ ସାଧବ ବୋଇତ

ପଠାଣି ସାମନ୍ତ ସିଦ୍ଧାନ୍ତ ଦର୍ପଣ

ଅଦ୍ୱିତୀୟ ଜ୍ୟୋତି ଶାସ୍ତ୍ର ll

ଏ ଜାତିର ସନ୍ଥ ଅନ୍ଧ ଭୀମ ଭୋଇ

ବିଶ୍ୱେ ଦେଖାଏ ଆଲୋକ

ଜଗତ ଉଦ୍ଧାର ହେଉ ମୋ ଜୀବନ

ପଡିଥାଉ ପଛେ ନର୍କ ll

ଜୟଦେବ ଗୀତ ଗୋବିନ୍ଦର ନାଦ

ପଡୋଶୀଙ୍କୁ କଲା ବାଇ

ନ ହୋଇ ତାଙ୍କର ଦାବୀ କଲେ ତାଙ୍କ

ନେବା ପାଇଁ ଆପଣାଇ ll

ଶାରଳା ଦାସଙ୍କ ସହ ପଞ୍ଚସଖା

ସାହିତ୍ୟ ରଥୀ ଅମର

ଉପଇନ୍ଦ୍ରଭଞ୍ଜ କବିକୁଳ ସୂର୍ଯ୍ୟ

ରାଧାନାଥ ଗଙ୍ଗାଧର ll

ଦେଶ ପାଇଁ ନିଜ ଜୀବନକୁ ବାଜି

ରଖିଲା ବାଳୁତ ବାଜି

ବlରଶ ବଢ଼େଇ ଦାୟୀ ଧର୍ମପଦ

ସାଗରରେ ଗଲା ହଜି ll

ଜୟୀରାଜଗୁରୁ ରଘୁ ଦିବାକର

ଲକ୍ଷ୍ମଣ ସୁରେନ୍ଦ୍ର ସାଏ

ସ୍ୱାଧୀନ ସେନାନୀ ବକ୍ସି,ବିର୍ସାମୁଣ୍ଡl

ଯଶ ଦେଶ ଗାଉଥାଏ ll

କାଳେ ବିଖଣ୍ଡିତ ହୋଇ ଥିଲା ରାଜ୍ୟ

ହଜାଇ ତାହାର ଶିରି

ଓଡ଼ିଆ ସ୍ୱତନ୍ତ୍ର ଭାଷା ନୁହେଁ ବିଦ୍ଧେ

ଜାତି ପ୍ରାଣ ବର୍ଚ୍ଛା ପରି ll

ଭାଷା ଆନ୍ଦୋଳନ ସୁଦୃଢ କରିଲା

ଜାତି ଭାଷା ସାହିତ୍ୟର

ଭିତ୍ତିଭୂମି ଥିଲା ଭାଷା ଆନ୍ଦୋଳନ

ଭାଷା ଭିତ୍ତିକ ରାଜ୍ୟର ll

ସ୍ୱତନ୍ତ ମୋ ରାଜ୍ୟ,ଶାସ୍ତ୍ରୀୟ ମୋ ଭାଷା

ଏ ଗର୍ବ ଦାନ ଯାହାର

କୃଷ୍ଣ ଓ ଫକୀର, ମଧୁ ,ଗୋପବନ୍ଧୁ

ଏ ଜାତିର ପ୍ରାତଃ ସ୍ମର l

ମୋର ପ୍ରତିରକ୍ତ ବିନ୍ଦୁ ପରା ଅଟେ

ଦାନ ମୋ ମାଟି ମାଆର

ସୁଜଳା ସୁଫଳା,ବନରାଜି ମାଳା

ଶୋଭିତ ଅଙ୍ଗରେ ତାର ll

ତୋ ସେବାରେ ମୋର ଯାଉ ମା' ଜୀବନ

ତୋ ହିତ ଜୀବନ ବ୍ରତ

ରତ୍ନଗର୍ଭI ବୀର ପ୍ରସବିନୀ ମାତ

କରେ କୋଟି ପ୍ରଣିପାତ ll

ଯେବେବି ଲଭିବି ଜନମ ଧରାରେ

ଜନ୍ମିବି ତୋ କୋଳେ ମୁହିଁ

ଶେଷ ଇଚ୍ଛା ମୋର ମୋ ଓଡିଆ ମାଟି

ନେବୁଲୋ ମୋତେ କୋଳାଇ ll

ଗୋବିନ୍ଦ ନିତ୍ୟାନନ୍ଦ ନିଳୟ, ବାଲେଶ୍ୱର

80.ଝରକା କବାଟ, କଲା ଭେଟଘାଟ

ଜୟ କୁମାର ମିଶ୍ର, ବୁଦୁରା, ଗଜପତି

ଝରକା କବାଟ , କଲା ଭେଟଘାଟ

ପୀରତି, ସନ୍ଦେଶ ଦେଇ,

ନବୀନ ବୟସୀ, ସୁଠାମ ସୁକେଶୀ

କଲା ମତୁଆଲା ସେହି ll(1)

ପଡୋଶୀ ଜେମାଟି, କରୁ ଥାଏ ଖଟି

ପ୍ରକୋଷ୍ଟ, ଝରକା ଖୋଲି,

ସୁନ୍ଦର ବଦନ, ଛନଛନ ମନ

ସ୍ମିତ ହସଟିଏ ଢ଼ାଳି ll(2)

ଝରକା ସେ ପଟ, ପଢିବା ପ୍ରକୋଷ୍ଟ

ଘରଛାତ ପରେ ତାହା,

ପଢିବା ବାହାନା, ମଉକାଟି ସିନା

ନିରେଖି, ନିରେଖି ଚାହାଁ ll(3)

ମୋର ହାବଭାବ, ପ୍ରତିଟି ସ୍ଵଭାଵ

ସାଥୀଙ୍କୁ ପଚାରି ବୁଝେ,

ପ୍ରତି ଗତିଵିଧି, ଶିକ୍ଷାଦୀକ୍ଷା, ନିଧି

ନିରତେ ବହୁତ ଖୋଜେ ll(4)

ଘେନି ଅଙ୍ଗଭାଷା,ଇସାରା ପରସା

ଆଖି, ଓଠ, ପତା ଠାରେ,

ବୁଝାଇ ସେ କୁହେ, ମନ ମୋହି ନିଏ

ପ୍ରିୟତମା ନିରନ୍ତରେ ll(5)

ପାଉଁଜି ସବଦ, କରୁ ଥାଏ ନାଦ

ସ୍ୱାଗତ ସଂଗୀତ ଗାଇ,

ତା' ହାତ ହଲାଇ, କରେ ହାଇ ବାଇ

କରି ନିମନ୍ତ୍ରଣ ସେହି ll(6)

ମୋ ଗୀତ ଗୁଞ୍ଜନ, ସୁମଧୁର ସ୍ଵନ

ଅନୁରୂପ କଥା କୁହେ,

କରଇ ତଲ୍ଲୀନ, ଭାବରେ ମଗନ

ଅସ୍ଥିରଟି କରୁ ଥାଏ ll(7)

ବୟସଟି ଛୋଟ, ପ୍ରେମ ତୀର ମୋଟ

କନ୍ଦର୍ପ, ପୀଡ଼ାର ଜ୍ୱାଳା,

କରେ ଆନମନା, ମିଳନ ବାସନା

ଶରୀରେ ବିଜୁଳି ଖେଳା ll(8)

ଦିନେ ହୋଟେଲରେ, ଭୋଜନଟି ପାରେ

ବସିଥିଲି ଏକା ଏକା,

ଆସି ସେହି ଵାଳା,ମୋ ପାଦ ମନ୍ଥିଲା

ସବୁଜ ସଂକେତ ରଖା ll(9)

ନିରେଖି ଚାହିଁଲା, ଆଖି ଠାର ଦେଲା

ପାଶ ଆସନକୁ ନେଲା,

ଆନନ୍ଦେ ଭୁଞ୍ଜିଲା, ମନ ଖୋଲି ଦେଲା

ପ୍ରୀତି ନିବେଦନ କଲା ll(10)

ଉଭୟ ସାହସ, ତାର ରୂପ ଭାଷ

ମୁକ୍ତ ବିହଙ୍ଗଟି ହେଲା,

ମନ ଆକାଶରେ, ଡେଣା ମେଲି ଘୁରେ

ଦିଗନ୍ତକୁ ଛୁଇଁ ଗଲା ll(11)

ଛକ ବଜାରରେ, ଅପେକ୍ଷାଟି କରେ

ଟିଉସନ ଯିବି କହି,

କରେ ଗପସପ, କାଢ଼ଇ ବହପ

ରୂପ ସମ୍ଭାରକୁ ଥୋଇ ll (12)

ଦାନ୍ତ କଟମଟ, କରଇ ଆକଟ

ହେଲେ ଅମାନିଆ ମୁହିଁ,

ପକାଇ ସେ ରାଣ, ମୁହଁ ଫଣ ଫଣ

ତାଗିଦ ଆଳାପ କହି ll(13)

ବାଇକ ପଛରେ, ଏଣେ ତେଣେ ଘୁରେ

କରେ ଅଳି ଜେମାଦେଇ,

ଦାମୀ ଉପହାର, ଦୋକାନେ ନଜର

କିଣେ ଅଝଟିଆ ହୋଇ ll(14)

ମଉନ ସମ୍ମତି, ହୋଇଗଲେ ଅତି

ଆନନ୍ଦେ ଅଧିରା ହୁଏ,

ସରିସମ ପୁଷି, ଦେହେ ଦେହ ଘସି

ଗେଲ୍ହେଇ, ଫୁଲେଇ ହୁଏ ll(15)

ବଳେ ଭିଡିଧରି, କଥାର ଚାତୁରୀ

ପେଢ଼ି ଖୋଲେ ପ୍ରିୟତମା,

ହକ ଅଧିକାର, ହୁକୁମର ସ୍ୱର

ଡିଏଁ ଆକଟର ସୀମା ll(16)

କାହାର ନଜର, ପଡିଗଲେ ଘୋର

ବେଦନାରେ ଜର ଜର,

ହିଂସ୍ର ବାଘୁଣୀଟି, ହୁଏ ଛାଟିପିଟି

(ଦିଏ)ପ୍ରଳୟ ସୂଚନା ତାର ll(17)

ପଡି ତା'ପ୍ରେମରେ, ସମୟଟି ସରେ

ଭୁଲି ଭବିଷ୍ୟତ କଥା,

ଭୁଲେ କାଳବେଳ, ଭୁଲେ ଜାତି, କୂଳ

ନିକଟ ହେବାର ଚିନ୍ତା ll(18)

ଶୟନେ , ସପନେ,ଅବା ଜଗରଣେ

ମନ ମୁକୁରରେ ଦେଖେ,

ରୂପ ଜଳଛବି, କଳ୍ପନାରେ ଦେଖି

ଯୋଜନା ବହୁତ ରଖେ ll(19)

ପଡିଗଲେ ମନ, କରୁଥାଏ ଫୋନ

ସମୟ ଜ୍ଞାନକୁ ଭୁଲି,

ତାର ମଧୁ ଗାଳି, ଆକଟ ବୋବାଳି

କର୍ପୁର, ଚନ୍ଦନ ଭାଳି ll(20)

ଝରକା ସେପଟ, କବାଟର ଫାଟ

ଦିଅଇ ସୁଯୋଗ ବେଶି,

କରେ ସଂଦର୍ଶନ, ତାହାର ବଦନ

ତାରା ମେଳେ ଗୋଟେ ଶଶୀ ll(21)

ମହୁ ବୋଳା କଥା, ଅଝଟ ତିକ୍ତତା

କରେ ମତୁଆଲା ମୋତେ,

ମନ ନିଏ ଟାଣି, ହେଉ ଥାଏ ଗୁଣି

ଅନୁକ୍ଷଣେ ଦିବା ରାତ୍ରେ ll(22)

ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା

ଡାକ-ଗରିବନ୍ଧା, ମାଧ୍ୟମ-କାଶୀନଗର, ଜିଲ୍ଲା-ଗଜପତି, ଓଡିଶା, 761206,ଯୋଗାଯୋଗ-6372127449

81.ମହରଗ

ଲତା ବେହେରା ।

ଏଇ ଦୁନିଆରେ ସ୍ବାର୍ଥଟି ଅଧିକ

ସ୍ନେହ ମହରଗ ଥାଏ

ସ୍ବାର୍ଥ ନିକଟରେ ସମ୍ପର୍କର ଡୋର

ଆପେ ସିଏ ଛିଣ୍ଡି ଯାଏ ।

ଭଲ ବନ୍ଧୁଟିଏ ମହରଗ ଏଠି

ଛଳନା ଅଧିକ ଥାଏ

ନିଷ୍କପଟ ସାଙ୍ଗ ମିଳିବାଟା କଷ୍ଟ

ଆଖି ବେଶୀ ଧୋକା ଖାଏ ।

ସ୍ନେହ ମମତାଟା ମହରଗ ଏଠି

ଯନ୍ତ୍ରଣାଟା ଭରା ଥାଏ

ଆନ୍ତରିକତାଟା ହୁଏ ମହରଗ

ଘୃଣା ବସା ବାନ୍ଧି ଥାଏ ।

ଭଲ ମଣିଷଟେ ମହରଗ ଏଠି

ମନ୍ଦଟି ଅଧିକ ହୁଏ

ସମ୍ପର୍କ ରଖିବା ବଡ ମହରଗ

ସ୍ବାର୍ଥରେ ସେ ଚାଲି ଥାଏ ।

ନିଷ୍କପଟ ମନ ଅଟଇ ସପନ

ସ୍ବଚ୍ଛ ମହରଗ ଥାଏ

ମିଥ୍ୟାରେ ଚାଲଇ ଜୀବନ ନଉକା

ସତ ମହରଗ ହୁଏ ।

ବିଶ୍ବାସ ଏଇଠି ବଡ ମହରଗ

ଅବିଶ୍ବାସ ଖେଳ ହୁଏ

ଖୋଲା ହୃଦୟଟେ ମିଳିବାଟା କଷ୍ଟ

ସନ୍ଦେହ ଅଧିକ ଥାଏ ।

ମହରଗ ମହରଗ ଏଠି ସବୁ

ସବୁ ମହରଗ ହୁଏ

ମହରଗ ଭିତରେ ମିଛ ଅଭିନୟ

ଛଳନା ସତ୍ୟତା ଥାଏ ।

ଲତା ବେହେରା ।

ଜକା, ଢେଙ୍କାନାଳ

76.ଭାଇ ଓ ଭଉଣୀ

✍️ବ୍ରଜ ସୁନ୍ଦର ସାହୁ✍️

ଗୁଟଖା ଖଇନି

ଭାଇ ଓ ଭଉଣୀ

ତମାଖୁ ଭିତରେ ମଣି

ତାକୁ ଯେ ଖାଇଛି

ତା'ସାଥେ ମଜ୍ଜିଛି

ହୋଇଥାନ୍ତି ସିଏ ଋଣୀ

ଦୁନିଆଁ ଭିତରେ

ପବିତ୍ର ଖାଦ୍ୟରେ

ଚାହିଦା ସଂସାରେ ପୁଣି

ଜନମେ ମରଣେ

ନାହିଁ କଟକଣା

ମନ୍ଦିରେ ଅବା ମଶାଣି

ଦୋକାନ ଭିତରେ

ଗୁଟଖା ହାରରେ

ମନ୍ଦ ମନ୍ଦ ତା'ର ଠାଣି

ଖାଇବା ଲୋକର

ମନ ମୋହି ନେଇ

ପଇସା ନିଅଇ ଛାଣି

ଖଇନି ଡିବାରେ

ଦିଶଇ ସୁନ୍ଦରୀ

ସତେକି ସହଧର୍ମିଣୀ

ଖାଇବା ଲୋକର

ଆଖି ମିଶିଗଲେ

ହୋଇଯାଏ ସେ ଡାହାଣୀ

ତମାଖୁ ସେବନ

କରେ ଯେଉଁ ଜନ

ଶରୀରକୁ କ୍ଷତି ଜାଣି

ଛୋଟିଆରେ ନୁହେଁ

ବଡ଼ ରୋଗ ହୋଇ

ସ୍ବାସ୍ଥ୍ୟ ଖାଇଥାଏ ଝୁଣି

ଈଶ୍ଵର ସେ ପାଇଁ

ଖୁସି ହୋଇ ଯାଇ

ଆଗେ ନେଇଥାନ୍ତି ଟାଣି

ମୁକ୍ତି ଦେଇଥାନ୍ତି

ବିଷମ ଜଞ୍ଜାଳୁ

ବୟସ ନ ଥାନ୍ତି ଗଣି

🙏ଜୟ ଜଗନ୍ନାଥ🙏

ଶ୍ରୀ ଜଗନ୍ନାଥ କ୍ରିଏସନ

ପଟ୍ଟାମୁଣ୍ଡାଇ,କେନ୍ଦ୍ରାପଡ଼ା

77.ଫଗୁଣ ମୁରୁକି ହସିଲାଣି

ଅପର୍ତ୍ତି ସେଠୀ*

ଶୀତ ବାରିପଟେ ଖ‌ସିଲାଣି,

ମଳୟ ପବନ ବାସିଲାଣି,

ଦକ୍ଷିଣଦିଗରୁ ସୁଲୁ ସୁଲୁ ବାଆ

ଦେହ ଶିହରାଇ କହିଲାଣି,

ଦେଖ ଫଗୁଣ ମୁରୁକି ହସିଲାଣି।୧।

ଗଛରୁ ପତର‌ ଝଡିଲାଣି‌,

ପୁଣି,ପଲ୍ଲବିତ ହୋଇ ଉଠିଲାଣି,

ଆମ୍ବ ଡାଳିଆରେ ଦେଖ ପେନ୍ଥିପେନ୍ଥି

ବ‌ଉଳ ମନକୁ ମୋହିଲାଣି,

ଦେଖ ଫଗୁଣ ମୁରୁକି ହସିଲାଣି।୨।

କୋଇଲି ତୋଟାରେ‌ ବସିଲାଣି,

କୁହୁ କୁହୁ‌ ଗୀତ ଗାଇଲାଣି,

କୁଆଁରୀ ଓଠରେ ମିଠା ମିଠା ହସ

କାହିଁକି କେଜାଣି ଫୁଟିଲାଣି,

ଦେଖ ଫଗୁଣ ମୁରୁକି ହସିଲାଣି।୩।

ଅଗିରା‌ ପୁନେଇଁ ଦିଶିଲାଣି,

ଜାଗର ଯାତରା‌ ଆସିଲାଣି,

ପୁଣି,ଫଗୁ ଦୋଳ କଥା ଉଠିଲାଣି,

ଦୋଳ ବିମାନରେ ରାଇ ଦାମୋଦର

ବସିବାକୁ ସଜ‌ ହୋଇଲେଣି,

ଦେଖ ଫଗୁଣ ମୁରୁକି ହସିଲାଣି।୪।

ବସନ୍ତର ଚିଠି ଆସିଲାଣି,

ଫଗୁଣ ଲାଜେଇ ବସିଲାଣି,

ଚୋରା ଚ‌ଇତାଳୀ ମନଟାକୁ ମୋର

ଚୋରୀ କରିନେବ କହିଲାଣି,

ଦେଖ ଫଗୁଣ ମୁରୁକି ହସିଲାଣି।୫।

ହୃଦ ସରେ ଢେଉ ଖେଳିଲାଣି,

ପ୍ରେମରେ ତ ରଙ୍ଗଲାଗିଲାଣି,

ଗୋଲାପି ଓଠକୁ ଗୋଲାପ ଭାବିକି

ଭ୍ରମର ବି ବାଈ ହୋଇଲାଣି,

ଦେଖ ଫଗୁଣ ମୁରୁକି ହସିଲାଣି।୬।

ମଳୟ ଛିଟା ବି ମାରିଲାଣି,

ପ୍ରେମ ଗୀତ ପୁଣି ଶୁଭିଲାଣି,

ପଳାଶ ରଙ୍ଗରୁ ରଙ୍ଗ ତୋଳି କିଏ

ଆଖିରେ କଜଳ ମାଖି‌ଲାଣି,

ଦେଖ ଫଗୁଣ ମୁରୁକି ହସିଲାଣି।୭।

ବସନ୍ତ ବି ଆଖି ମାରିଲାଣି,

କୁଆଁରୀ ମନକୁ ମୋହିଲାଣି,

ମଞ୍ଜୁଶ୍ରୀ ନୟନେ ହଜାରେ ସପନ

ନିରୁପମା ପ୍ରେମେ ହଜିଲାଣି,

ଶୋଭାମୟୀ,ପୁଷ୍ପା,ରସ୍ମିତା‌,କବିତା

ଫୁସୁରୁ ଫାସର‌ ହୋଇଲେଣି‌,

ଦେଖ ଫଗୁଣ ମୁରୁକି ହସିଲାଣି।୮।

ପ୍ରେମ ଲତା ସାଙ୍ଗ ଖୋଜିଲାଣି,

ରଙ୍ଗଲତା ପାଖେ ବସିଲାଣି,

ସୁପ୍ରିୟା ସସ୍ମିତା ଗୀତା ମୋନାଲିସା

ବ‌ଉଳଙ୍କ ଭିଡ଼ ଜମିଲାଣି,

ଦେଖ ଫଗୁଣ ମୁରୁକି ହସିଲାଣି।୯।

ପ୍ରେମ ହାଟ ପୁଣି ବସିଲାଣି,

ସିନିହ ଶରଧା ମିଳିଲାଣି,

ଦରଦି କବିଟି ଲେଖନୀକୁ ଧରି

ପ୍ରେମ ଗୀତ କେତେ ଲେଖିଲାଣି,

ଦେଖ ଫଗୁଣ ମୁରୁକି ହସିଲାଣି।୧୦।

(ପାଳକଣା‌, କୋରୋ‌, କେନ୍ଦ୍ରାପଡ଼ା,

ମୋ- ୭୮୯୪୩୯୮୫୦୦)

78.ପୁଣ୍ଯ ଚନ୍ଦ୍ରଭାଗା

ସନାତନ ଧର୍ମ କହେ କର କର୍ମ

ଈଶ୍ବର ଚିନ୍ତନ ସାଥେ ,

ସେ ପାଇଁ ଖଂଜିଛି କେତେ ପୂଜା ପର୍ବ

ସ୍ନାନ ଯୋଗ ବିଧିମତେ ।

ମାଘ ସପ୍ତମୀରେ ଚନ୍ଦ୍ରଭାଗା ସ୍ନାନ

ଅଟଇ ଗଣା ପୁଣ୍ଯରେ ,

ପାତକ ସକଳ ହୋଇଯାଏ କ୍ଷୟ

ସ୍ନାନ କରିଲେ ସେଠାରେ ।

ସ୍ବର୍ଗେ ପ୍ରବାହିତ ସରସ୍ବତୀ ମର୍ତ୍ତ୍ଯେ

ପ୍ରାଚୀ ଚିତ୍ରୋତ୍ପଳା ହୋଇ ,

କୋଣାର୍କ ନିକଟେ ସାଗରରେ ମିଶେ

ଚନ୍ଦ୍ରଭାଗା ନାମ ବହି ।

ଅର୍କକ୍ଷେତ୍ର ଏହି କୋଣାର୍କର କ୍ଷେତ୍ର

ବିଭାକର ପ୍ରିୟ ସ୍ଥାନ ,

ଦାନବ ଅର୍କକୁ ମାରି ଆଜ ଦିନେ

କରିଥିଲେ ତପ ଜାଣ ।

ଦେବ ଦେବ ମହାଦେବ ବ୍ରହ୍ମ ହତ୍ଯା

ପାପ ମୋଚନ ପାଇଁକି ,

କରିଥିଲେ ତପସ୍ଯା ଏହି ସ୍ଥାନରେ

ପାଇଥିଲେ ଶାପୁ୍ଁ ମୁକ୍ତି ।

ଚନ୍ଦ୍ରଭାଗା ଠାରେ ସାଗରରୁ ଉଠି

ବାଳସୂର୍ଯ୍ଯ ଅରୁଣରେ ,

ପହିଲି କିରଣ ବିଞ୍ଚିଥାନ୍ତି ତହିଁ

ଦୃଶ୍ଯ ସର୍ବମନ ହରେ।

କୋଣାର୍କ ମନ୍ଦିର ମୁଣ୍ଡି ମାରି ଏଥେ

ଧରମା ଡେଇଁଲା ଜଳେ ,

ବାରଶ ବଢ଼େଇ ନାମକୁ ରଖିଣ

ମିଶିଗଲା ସିନ୍ଧୁନୀରେ ।

ଅର୍କ କ୍ଷେତ୍ରେ ସ୍ନାନ ସୂର୍ଯ୍ଯେ ଜଳଦାନ

ନବଗ୍ରହ ପୂଜା କରି ,

ଭକତେ ଆନନ୍ଦେ ଫେରନ୍ତି ସ୍ବଗୃହେ

ଭକ୍ତିଭାବ ମନେ ଧରି ।

ଜୟ ଶ୍ରୀଜଗନ୍ନାଥ।

ତରୁଣ କୁମାର ମିଶ୍ର ।

ଖଣ୍ଡଗିରି ,ଭୁବନେଶ୍ବର ।

ମୋ-9853310292

73.ଶେଷ ଉପହାର ବୃଦ୍ଧାଶ୍ରମ

ମା' ଏକ ଐଶରିକ ନାମ

ଯେଉଁ ନାମରେ ଅମୃତ ହିଁ ଅମୃତ

ଭରି ରହିଥାଏ ସେହିଁ ମା।

ସାରା ଜୀବନ ଉତ୍ସର୍ଗୀକୃତ ଜୀବନଟିଏ।

ତାର ପତି ତାର ପରିବାର ପାଇଁ।

ଶେଷରେ ପରିବାର ପାଇଁ

ଅଲୋଡା ଅଖୋଜା ହୋଇଯାଏ।

ମା' କିିଛି କୁହେ ନାହିଁ ମା ଖାଲି ସହେ

ମନ୍ଦ ବୁଦ୍ଧି ଧସେଇ ପଶେ

ଆଉ କେବେ ସ୍ବାର୍ଥନ୍ବେଷୀ ମନ

ଏକ କଳଙ୍କିତ ମୂହୁର୍ତ୍ତକୁ ଜନ୍ମ ଦିଏ।

ପୁଅ ଭଲ ମଣିଷ ହେଉ

ମା ହିଁ ଚିନ୍ତା କରିଥାଏ

ଶାନ୍ତିରେ ଜିଇଁବାକୁ

ମା ହିଁ ଦିନ ରାତି ଚିନ୍ତା କରେ ।

ହେଲେ ପୁଅ କଣ କରୁଛି ?

ମା ଦାନର ପ୍ରତିବାଦରେ

ଯେଉଁ ସମୟରେ ସନ୍ତାନ ମାନଙ୍କ ଆବଶ୍ୟକ

ସେହି ସମୟରେ ପୁଅ ଦେଉଛି

ବୃଦ୍ଧାଶ୍ରମ ଉପହାର ।

ମା' ପିଲାମାନଙ୍କ ଭାବପ୍ରବଣତାକୁ

ସମ୍ମାନ ଜଣାଇ ତୁନି ରହୁଛି

ନା କରୁଛି ପ୍ରତିବାଦ ନା ଉଠାଉଛି ସ୍ୱର

ସର୍ବଂସହା ଧରିତ୍ରୀ ପରି ପଡି ରହିଛି

ନା ଝରୁଛି ଲୁହ ନା ଝରାଉଛି ଲହୁ ।

ତଥାପି ମା' ହସୁଛି ଶୁଭ ମନାସୁଛି।

ତା ପିଲାମାନଙ୍କର।

ବଟକୃଷ୍ଣ ପଣ୍ଡା,ଭେରୁଣିଆ, ଢେଙ୍କାନାଳ

74.ଚଳନ୍ତି ଠାକୁର ବାପା

ଲତା ବେହେରା ।

ଚଳନ୍ତି ଠାକୁର ବାପା ତ ଅଟନ୍ତି

ସାକ୍ଷାତ୍ ପରମେଶ୍ଵର

ସିଏ ସାଥେ ଥିଲେ ଏଇ ଦୁନିଆରେ

କାହାକୁ ନ ଥାଏ ଡର ।

ହାତ ଧରି ବାଟ ଚଲେଇ ଶିଖାନ୍ତି

ଦିଅନ୍ତି ଆଶିଷ କର

ସୁଖରେ ଦୁଃଖରେ ହସରେ ଖୁସିରେ

ଚଳାନ୍ତି ସିଏ ସଂସାର ।

ସନ୍ତାନଟି ତାଙ୍କ ଭଲରେ ରହିବ

କରନ୍ତି ସଦା ବିଚାର

ଦୁଃଖର ସୁଖର ସାଥି ହେଇ ସିଏ

ବୁଝନ୍ତି ସବୁ ଖବର ।

ଦାୟିତ୍ଵ ନିଅନ୍ତି କର୍ତ୍ତବ୍ୟ କରନ୍ତି

କରନ୍ତି ନି ହତାଦାର

ବାପା ପାଖେ ଥିଲେ ଶହେ ବଳ ଆସେ

ହସଟି ଥାଏ ଅଧର ।

ଦିନ ରାତି ପରିଶ୍ରମ କରି ବାପା

କରିଥାନ୍ତି ରୋଜଗାର

ସେଇ ଟଙ୍କା ଆମ ପାଇଁ ଖର୍ଚ୍ଚ ହୁଏ

ଆମେ କହୁ ବାପା ମୋର ।

ପାଠକୁ ପଢେଇ ମଣିଷ କରାନ୍ତି

କରାନ୍ତି ବି ବିଭାଘର

ସେଇ ବାପା ଯେବେ ବୃଦ୍ଧ ହୋଇଥାଏ

ପାଖରୁ ହୁଅନ୍ତି ଦୂର ।

ଗାଇବାକୁ ମୁଠେ ନ ଦେଇ ବାପାଙ୍କୁ

ଢାଳନ୍ତି ନେଇ ପଥର

ଛଟପଟ ହୋଇ ଓପାସରେ ମରେ

ଏଠି ଜୀବନ୍ତ ଠାକୁର ।

ଯେଉଁ ବାପା ଦିନେ ଚଳନ୍ତି ଠାକୁର

ଦେଖୁଛି ଘୃଣା ନଜର

ଏଡେ ସ୍ବାର୍ଥପର ଏଇ ତା ସନ୍ତାନ

କରୁଛି ଘରୁ ବାହାର ।

ବାପାଙ୍କ ଅଶାନ୍ତି ନାହିଁ ଜମା ମୁକ୍ତି

ଝରେ ଯଦି ଲୁହ ଧାର

ତିନି କୁଳେ ସ୍ଥାନ ମିଳେ ନାହିଁ ତାଙ୍କୁ

ନିଶ୍ଚେ ପରାଜୟ ତାର ।

ସ୍ବର୍ଗ ଠାରୁ ବଡ ଆକାଶୁ ବିଶାଳ

ବାପା ଚଳନ୍ତି ଠାକୁର

ହୃଦୟରେ ପୂଜି ପ୍ରଣିପାତ କଲେ

ହସେ ତା ସୁଖ ସଂସାର ।

ଲତା ବେହେରା ।

ଜକା, ଢେଙ୍କାନାଳ ।

75.ଶୀର୍ଷକ - ଅଶରୀରୀ

ଏବେ ବି ଘୁରି ବୁଲୁଛି

ସେ ଅଶରୀରୀ ଟା

ଅତୃପ୍ତ ହୋଇ

ତୁମ ହୃଦୟ ଗଳିରେ

ଗୁମୁରି ଗୁମୁରି କାନ୍ଦୁଛି

ତୁମ ବିରହର କ୍ଷତ ଛାତିରେ ବୋହି

ଆଖିରୁ

ଲୁହ ବଦଳରେ ଲହୁ ଝରୁଛି

କେଜାଣି କେତେ ବେଳେ

ତୁମର ଭାବନା ଗୁଡ଼ାକ

ତା ସହ ବଳାତ୍କାର କଲେ

ବିଚାରି

ଝୁଣିଗଲେ ତା ଶରୀର

କିଛି ଅପଶବ୍ଦ ର ହାତ

କିଛି କାମନା

କିଛି

ବଡ଼ ପଣିଆର ସ୍ବଭାବ

ଆଉ କିଛି ତୁମ ଅପବାଦର କଳଙ୍କ

ଏସବୁ ଭାଙ୍ଗି ପକୋଉଛି

ଶବଟାକୁ ଶହ ଶହ ଖଣ୍ଡରେ

ବୋଧହୁଏ ରାମଙ୍କ ପାଦ ବେଙ୍ଗ ଉପରେ।।

ସୌଦାଗର ବିଶ୍ବାଳ

ସୌଦାଗର ବିଶ୍ବାଳ

70.ଅଛୁଆଁ

ମୋ ପାଇଁ ଅଛୁଆଁ ଛୁଇଁନାହିଁ କେବେ

ରାତି ସାରା ଗଲା ପାହି

ନିଦରେ ନିଦରେ ଆଳାପ ଜମିଲା

ମୋ ପାଖେ ନାହାନ୍ତି କେହି॥

କେତେ ଆପଣାର ଭାବନାରେ ଭୋଳ

ଶରୀରଟା କାହା ପାଇଁ

ଦେହଟା ନିମିତ୍ତ ହୃଦୟର ଭୋଗ

କାନ୍ଦୁଥିଲି କଇଁ କଇଁ॥

ହେ କଳାମାଣିକ ହୃଦୟର ରତ୍ନ

ରାଧା ଚାହେଁନାହିଁ କିଛି

ଚାହିଁଲା ମାତ୍ରକେ ଆସ ମୋର ପାଶ

.ଏତିକି ଅଳି କରୁଛି॥

ଏ ଦେହ ତୁମର ଆତ୍ମା ନିରନ୍ତର

ଭୋଗରେ ମୋ ତୃପ୍ତି ନାହିଁ

ସମର୍ପଣ ଭାବ ଝୁରେ ନିରନ୍ତର

ମିଳନ ସମ୍ଭାର ଯହିଁ॥

କର୍ମ ସଙ୍ଗେ ଭାଗ୍ଯ ଲାଲଟ ଲିଖନ

ଜନ୍ମ ଏକା ତୁମ ପାଇଁ

କଠୋର ଶାସନ ରୋକି କେ ପାରିବ

ରାଧା ଆସିଅଛି ଧାଇଁ॥

ଯମୁନାର ଜଳ ସାକ୍ଷୀ ବୃନ୍ଦାବନ

ଡାକୁଛି ସେ ହାତ ଠାରି

ପାଖରେ ମୋ ବସ ଦେଖି ତୁମ ହସ

ତରି ଯିବି ଆରପାରି॥

ବସନ୍ତ କୁମାର ସାହୁ

ଦେଉଳି

ଖୋର୍ଦ୍ଧା

71.ଉତ୍କଳଗୌରବ ମଧୁସୂଦନ

କଟକ ଜିଲ୍ଲାର ସତ୍ୟଭାମା ପୁରେ

ଜନମ ହୋଇଲ ଦିନେ ।

ଉତ୍କଳ ରାଇଜ ଗଢିବା ପାଇଁକି

ଶପଥ କରିଲ ମନେ ।।1

ସେହି ସମୟରେ ଓଡିଶା ରାଇଜ

ନଥିଲା ସ୍ୱତନ୍ତ୍ର ହୋଇ ।

ବିହାରରେ କିଛି ମାନ୍ଦ୍ରାଜରେ କିଛି

ବଙ୍ଗଦେଶେ ଥିଲା ରହି ।।2

ଚାରି ଆଡ଼େ ସଭା ସମିତି ଡକାଇ

ଓଡ଼ିଆ ଏକାଠି କରି ।

ସ୍ୱତନ୍ତ୍ର ଉତ୍କଳ ଗଢ଼ିଦେଇ ତୁମେ

ବଢ଼ାଇଛ ଜାତି ଶିରୀ ।।3

ଓଡିଶା ରାଇଜ ନାଆଁ ରଖିଥିଲ

ଓକିଲାତି କରି ପରା ।

ତୁମ ବୁଦ୍ଧି ଦେଖି ଛାନିଆଁ ହୋଇଲେ

ଯେତେ ଥିଲେ ତହିଁ ଗୋରା ।।4

ତୁମ ଉତ୍ସ।ହରେ ରୁପା ତାରକସି

ବିଶ୍ୱରେ ଅର୍ଜିଛି ଖ୍ୟାତି ।

କଳା କାରିଗରୀ ବିଭବ ବିକାଶେ

ପ୍ରକାଶେ ତୁମର ସ୍ମୃତି ।।5

ଉତ୍କଳ ଟ୍ୟାନେରୀ ନାମେ ଗଢ଼ିଥିଲ

ଜୋତା କାରଖାନା ଟିଏ ।

ଭାବିଥିଲ ଦିନେ ଉତ୍କଳ ରାଇଜ

ସୁନାମ ରଖିବ ସିଏ ।।6

ତୁମେପରା ଦିନେ ଓଡିଶା ବାସୀଙ୍କୁ

କହୁଥିଲ ଆଲୋ ସଖି ।

ସଦା ସରବଦା କାମ କରୁଥିବୁ

ଆପଣା ମହତ ରଖି ।।7

ଜାତି ନନ୍ଦିଘୋଷ ଜାତୀୟତା ଭାବ

ତୁମେତ ଶିଖାଇ ଗଲ ।

ସ୍ୱାର୍ଥ ତ୍ୟାଗ କଲେ ଜାତିର ଉନ୍ନତି

ହେବ ବୋଲି କହୁଥିଲ ।।8

ମାଆ କହୁଥିଲା ପିଲାକୁ ବୁଝାଇ

କାଳିଆ ଘୋଡାରେ ଚଢିବୁ ।

ଓକିଲାତି କରି ମଧୁ ବାରିଷ୍ଟର

ସହିତ ଦିନେତୁ ଲଢ଼ିବୁ ।।9

ଖଣ୍ଡ ବିଖଣ୍ଡିତ ଉତ୍କଳକୁ ଦିନେ

ତୁମେତ ଏକାଠି କଲ ।

ବଟିଶ ଶାସନ ଅକାଟ୍ୟ ଯୁକ୍ତିକୁ

ଦିନେ ପରା କାଟିଥିଲ ।।10

ତୁମପରି ଭଲ ବକ୍ତାଟିଏ ଆଜି

କେଉଁଠି ମିଳିବେ ନାହିଁ ।

ନିଜ କଥା ଭୁଲି ଦେଶ ସେବାକରି

ହୋଇ ଅଛ କାଳଜୟୀ ।।11

ଉତ୍କଳ ଗୌରବ ହେ ମଧୁସୁଦନ

ତୁମେ ସିନା ଗଲ ଚାଲି ।

ତୁମ ଅବଦାନ ଓଡିଶା ରାଇଜ

ପାରିବ ନି କେବେ ଭୁଲି ।।12

ସୁଶାନ୍ତ କୁମାର ଦାଶ ଦକ୍ଷିଣ ଦିଆ

ପଟ୍ଟାମୁଣ୍ଡାଇ।କେନ୍ଦ୍ରାପଡ଼ା ।

9438475703 ।

72.ଆମ ପରିବାର

ରାଗ।। ଖଣ୍ଡ,କୁମ୍ଭ କାମୋଦୀ।।

ଆମ ପରିବାର ଛୋଟିଆ ସଂସାର

ସ୍ନେହ ଆଦର ,

ପରସ୍ପର ମଧ୍ୟେ ରହିଛୁ ସାନିଧ୍ୟେ

ରଖି ଖବର।୧।

ଜଣେ ଅନ୍ୟ ଜଣେ ସ୍ନେହ ପ୍ରେମ ପଣେ

ଆପଣା ପରି

ଆଦର କରନ୍ତି ପ୍ରାଣ ଢ଼ାଳି ଥାନ୍ତି

ନିଜେହିଁ ମରି।୨।

ମଣିଷ ବ୍ୟତୀତ ଅନ୍ୟର ସହିତ

ଇତର ଜୀବ,

ବାସ କରିିଅଛୁ ଦୁନିଆଁ ଦେଖୁଛୁ

ସର୍ବେ ସଜୀବ। ୩।

ସେହି ଜୀବ ମଧ୍ୟେ ବିଲେଇ କୁକୁର

ଶୁଆ ସାରିକା,

କୁକୁଡ଼ା ଘୋଟକ ଗାଈ ଗୋରୁ ଛେଳି

ପଶୁ ଭଳିକା,।୪।

ଗୋଟିଏ ସଂସାରେ ଶ୍ରଦ୍ଧା ପରି ବାରେ

ଗୃହ ପାଳିତ,

ପ୍ରାଣୀଏ ରହିଛୁ ଆଦର ଦେଇଛୁ

ଅନୁବନ୍ଧିତ।୫।

ନାଲିଆ ବାଛୁରୀ କୁଦା ମାରି ମାରି

ଅଗଣା ପରେ,

ଘେରା ଘେରା ବୁଲି ମିଲି ଚୁଲ ବୁଲି

ଖୁସି ହସରେ।୬।

ଏମିତି ସୁନ୍ଦର ସୁଖୀ ପରିବାର

ଛୋଟ ଦୁନିଆଁ,

ତହିଁ ରହିଅଛି ଟିକି ବିଲେଇ ଟି

ହୋଇ କୁଣିଆଁ।୭।

ଆମ ସବୁ ଘରେ ଆନନ୍ଦେ ବିହରେ

ବିଲେଇ ନାନୀ,

ଲୁଚି ବସିଥାଏ ମୂଷା ଖାଇ ଯାଏ

ନିର୍ଦେଶ ମାନୀ।୮।

ବିଲେଇ ସୁନ୍ଦରୀ ଅନ୍ଧାରେ ବିହରୀ

ପିଅଇ ଦୁଧ,

ମାଛ ମାଂସ ପିଠା ଖାଇ କରେ ସିଠା

ଚାଉଳ କ୍ଷୁଦ।୯।

କୁଡିଆ ଭିତରେ କୁକୁର ଆଦରେ

ଖାଏ ମାଉଁସ ,

ଦୁଧ ପିଇ ଥାଏ ଭାତ ଖାଇ ଯାଏ

ପାଏ ଆଉଁସ।୧୦।

ଘର ଜଗିଥାଏ ବନ୍ଧା ହୋଇ ଥାଏ

ଧରଇ ଚୋର,

ମୁନିଆଁ ଦାନ୍ତରେ କାମୁଡି କୁଟୀ ରେ

ବସାଏ କ୍ଷୁର।୧୧।

ଗୋରୁ ଗାଈ ଛେଳି ମେଣ୍ଢା ଓ କୁକୁଡ଼ା

ଆମ କୁଟୀରେ,

ଆନନ୍ଦ ମନରେ ବାଛୁରୀ ବଳଦ

ଆମ ଭିତରେ।୧୨।

ଆମ ପରିବାରେ ପିଲାଏ ସଂସାରେ

ଥାଉ ଖୁସିରେ,

ଆମେ ଭୂଲି ଯାଉ ଯିଏ ଯହିଁ ଥାଉ

ଦିବ୍ୟ ମନ୍ଦିରେ।୧୩।

ଦୁନିଆଁ ଆଖିରେ ଲୁହରେ ଲୁହରେ

ସଭିଁଏ ଥାଉ,

ସଭିଙ୍କ ଦୁଃଖରେ ମଣିଷ ମନରେ

ଦେଖାଉ ଭାଉ।୧୪।

ସମାପ୍ତ

ଶ୍ରୀ ବିଦ୍ୟାଧର ମହାନ୍ତ, ତମ୍ବାହରା,

ହରି ଚନ୍ଦନ ପୁର କେନ୍ଦୁଝର ଓଡ଼ିଶା

ମୋ ନ 7848000030

67.ଅନୁଭୂତି ଦିଏ ଜୀବନେ ଶିକ୍ଷା

ତୁମେ କୁହ ବର୍ଷା ଲାଗେ ମତେ ଭଳ

ବର୍ଷିଲେ ଅଧିକ ଝଡ ବୋଲ।

ଉପଯୋଗ କରି ତୁମେ ଜାଣ ନାହିଁ

ବର୍ଷା ହେଲେ ଛାତ କାହିଁ ଖୋଳ।

ସୂର୍ଯ୍ୟ ଭଳ ଲାଗେ ବୋଲି ତୁମେ କୁହ

କରମ ସଂଗ୍ରାମ କର ନାହିଁ।

ନୀରସ ଭାବରେ ଅଳସୁଆ ହୋଇ

ଖରା ଆସିଲେ ତ ଖୋଜ ଛାଇ ।

ବାୟୁ ଯେବେ ଚାହ ନିଜ ଖୁସି ପାଇଁ

ଆସି ହୃଦ ମନ ଯାଏ ଛୁଇଁ।

ବାଆ ବତାସ କୁ ଭୟ ଲାଗେ ବୋଲି

ଝରକା ଟି ବନ୍ଦ କର କାହିଁ।

ତୁମେ କୁହ ତୁମେ ମତେ ଭଳ ଲାଗ

ଡର ଲାଗେ କି କହିବା ପାଇଁ।

ଡରି ଡରି ତୁମେ କଥା ହେଉଥାଅ

ଅନ୍ତରେ ପ୍ରେମ ସଙ୍ଗୀତ ଗାଇ।

ସ୍ଥିର ନାହିଁ ମନ ପ୍ରେମ କିଛି କ୍ଷଣ

ଜଡ଼ି ଥାଇ ପୁଣି ବୀରହିତ।

କ୍ଷଣ କ୍ଷଣେ ଆନ ନିଜର ଭାବନ

ଜିଜ୍ଞାସା ରେ ଯାହା ସଂଗୃହିତ।

ଅନୁଭୂତି ଏକ ସ୍ୱପନ କୁହୁକ

କେତେ ରହେ ସ୍ମୃତି କେତେ ନାହିଁ।

ଗଡି ଚାଲିଯାଏ ଦିବସ ଗୁଡ଼ିକ

ବୟସ କେବେ ଅଟକେ ନାହିଁ।

ବୟସ ପ୍ରଭାବେ ଚେତନା ଉଦ୍ଭବ

ମନ ପ୍ରାଣେ ସୁଖ ଦୁଃଖ ଜାତ।

ଦୁଃଖ ସୁଖ ଯାକ କ୍ଷଣକ ହୁହୁକ

ନିଶି ଅନ୍ଧାର ଯେହ୍ନେ ପ୍ରଭାତ।

କରମ ଜୀବନ ସଂଗ୍ରାମ ମରମ

ତୃଷ୍ଣା ମୃଗ ମରୀଚିକା ପରି।

ଦୂରରୁ ଦେଖିଲେ ଯେତିକି ସୁନ୍ଦର

ପାଖରେ ଦେଖିଲେ ଯାଏ ଡରି।

ଅନୁଭୂତି ମନ ଶିକ୍ଷାର ବିଜ୍ଞାନ

ବିଶାଳ ସାଗର ର ଚୈତନ୍ୟ।

କରିଛି ଯେ ଜନ ସେ ସାଗରେ ସ୍ନାନ

କୁମ୍ଭ ବୁଡ ଯେହ୍ନେ ଲଭେ ପୁଣ୍ୟ।

ଅନୁଭୂତି ଜ୍ଞାନେ ସଜ୍ଜନ ନିର୍ମାଣ

ଯାର ଥାଏ ଚିତ୍ତ ବିବର୍ତ୍ତନ।

ନ ଚାହିଁଲେ ମନ ହୁଏ ସେ ଅଧମ

ରୂପାନ୍ତର ନାହିଁ ମନ ପ୍ରାଣ।

ଶ୍ରୀବତ୍ସ ମେହେର, ମାନେଶ୍ୱର, ସମ୍ବଲପୁର

68.ମାଟି ଯେବେ ଓଦା ହୁଏ

ମାଟି ଯେବେ ଓଦା ହୁଏ

ଆକାଶର ଶିଶିର ବୁନ୍ଦାରେ,

ଲଜ୍ଜାରେ ଝାଉଁଳି ଯାଏ

ଭାବେ କିଏ ଦେଖେ ଗୋପନରେ।।

ଓଦା ତା' ପଣତ କାନି

ଶୁଖିବାକୁ କିରଣକୁ ଖୋଜେ,

ସୂରୁଜ ଆସଇ ଧିରେ

ମଥା ତାର ପାତିଥାଏ ଲାଜେ।।

ବିଛାଇ ସହସ୍ର କର

ଲଜ୍ଜାସବୁ କରେସେ ହରଣ,

ଆଶ୍ୱସ୍ତିରେ ହସିଦିଏ

ଇଚ୍ଛା କରେ କରିବ ବରଣ।।

ଶକତିର ପରୀକ୍ଷାରେ

ଜୟ ଲାଭ ହୁଏ ଯାହା ତା'ର

ଗୋଟାପଣେ ବନିଯାଏ

ବିନା ଦ୍ୱନ୍ଦେ କରେ ଅଙ୍ଗୀକାର।।

ଏଇତ ମାଟିର ଇଚ୍ଛା

ପରଶ ପାଇବ ସୂରୁଜର,

ଆକାଶବି ଲୋଡ଼ାପଡେ

ଉପୁଜିବ ଶସ୍ୟ ଯେବେ ତାର।।

ହସିବ ଧରଣୀ ମାତା

ପୂର୍ଣ୍ଣ ଯେବେ ହେବ ତାର କୋଳ,

ଶିଶିର ମୁକୁଟ ପିନ୍ଧି

ଅଜାଡ଼ିବ ତା' ଦେହର ଫଳ।।

ରିକ୍ତ କରି ପରଷିବ

ଯେତେ ଶସ୍ୟ ତାର ଦେହେ ଥିବ,

ନିଃସ୍ଵ ସିନା ନିଜେ ହେବ

ବିଭୋରସେ ପ୍ରାଣେ ହେଉଥିବ।।

।। ଚିତ୍ରା ରାଣୀ ପାତ୍ର।।

।।ବାଲେଶ୍ଵର।।

69.ଅସମାହିତ ପ୍ରଶ୍ନବାଚୀ

ଶୀତ ସିକ୍ତ ପାହାନ୍ତିର ପରେ

ଘନ କୁହୁଡ଼ିର ସ୍ଵଚ୍ଛ ପଟଳରେ

କାକରର ଶୀତଳ ସ୍ପର୍ଶରେ

ତୁମ ଆଗମନ ହେମନ୍ତ ନାଆଁରେ।

ଘାସ ଗାଲିଚାର ଶିଶିର ବିନ୍ଦୁରେ

ପଦ୍ମ ପତ୍ରେ ଢଳ ଢଳ ବୁନ୍ଦା ବୁନ୍ଦା ନୀରେ

ସୂରୁଜ କିରଣେ ମୁକ୍ତା ରୂପ ଧରେ

ତୁମ ହୃଦୟର ଅଜ୍ଞାତ କୋଣରେ।

ଆବୃତ୍ତ କୁହୁଡିର ପ୍ରହେଳିକା ପରି

ସାରୁ ପତ୍ରେ ସୁଢଳ ଜଳକଣା ସରି

ସ୍ବର୍ଣ୍ଣାଭ କିରଣ ଅସୁମାରୀ

ଭାବନାର ଦିଗନ୍ତ ବିସ୍ତାରି।

ତୁମ ପ୍ରେମ ସୂକ୍ଷ୍ମ ଗଣିତର

ମିଶାଣ ଫେଡାଣ ଗୁଣନ ହରଣର

ବିଭାଜିତ ଭାଗଫଳ ହିସାବର

ଅଭିଭାଜ୍ୟ ଭାଗଶେଷର ।

ସଫଳ କି ଅସଫଳତାର

ଜୁଡୁ ବୁଡୁ ପ୍ରେମ ପରାଗର

ଅସମାହିତ ମନ ଜର ଜର

ପ୍ରତିଧ୍ଵନି ଶୁଣେ ବାରମ୍ବାର।

ବିଦଗ୍ଧ ବିଧୂର ପ୍ରାଣର

ସଞ୍ଜାହୀନ ଅବଚେତନର

ବିବେକର ବିଦ୍ରୁପ ଫୁତ୍କାର

ଭୁଲ ଏଠି କା‌ହାର ପଚାର

କବି ହୃଷିକେଶ ପ୍ରଧାନ

ନୟାଗଡ଼

64.ଟାକି ଟାକି ରହି

ବିପିନ ବିହାରୀ ବାରିକ

କେବେ ବୁଲିବ ସେ ବlରହାତି ଖଣ୍ଡା

ମ୍ଲେଚ୍ଛ ସଂହାରଣ ପାଇଁ

ମ୍ଲେଚ୍ଛଙ୍କ ଡରରେ ଲାଗେ କଳ୍କୀଦେବ

ନିଜେ ଲୁଚିଲେଣି କାହିଁ ll

ପାପୀ ଭାର ବୋହି ଧରଣୀ ଫାଟଇ

ଉଠେନା ଶହସ୍ର ଭୁଜା

ସତ ଶୋଇ ଅଛି କୁମ୍ଭକର୍ଣ୍ଣନିଦେ

ଚାଲିଛି ମିଛର ପୂଜା ll

ପ୍ରତି କ୍ଷଣେ ଗ୍ଲାନି ଘଟୁଛି ଧର୍ମର

ସାଧୁ ପରିତ୍ରାଣ ପାଇଁ

ଚାହିଁ ଚାହିଁ ଆଖି ପାଣି ମରିଲାଣି

"ସମ୍ଭବ "ହୁଏ କେ କାହିଁ ???

ଭୀମ ଦୁଃଶାସନ କୋଳାକୋଳି ଏଠି

ଅବନ୍ଧା ଦ୍ରୌପଦୀ କେଶ

କୋଟି ବସ୍ତ୍ର ଦୂରେ, ଦିନ ଦ୍ୱିପହରେ

କ୍ରିଷ୍ଣାର ତୁଟୁଛି ଶ୍ୱାସ ll

ମଣିଷ ଯନ୍ତ୍ରଣା କଉଣପୁ ବଳେ

ଧରଣୀ ବିକଳେ ସହେ

କଂସ ଭାର ଭରା ଲାଘବ ପାଇଁକି

କାହିଁ କୃଷ୍ଣ ଜନ୍ମ ନିଏ ?

ନରକକୁ ଠେଲି ସାରା ଜଗତକୁ

ନିଜ ସ୍ୱାର୍ଥ ସାଧେ ନର

ଜଗତ ଉଦ୍ଧାର ନିଜେ ଯାଇ ନର୍କେ

କାହିଁବା ଚେତନା କାର !

ତଵ ବାଣୀ ମାନି ଆହେ ସନ୍ଥ ଭୀମ

ଚିନ୍ତି ବିଶ୍ୱର ମଙ୍ଗଳ

ଟାକି ଟାକି ରହି ଅଗତକୁ ଚାହିଁ

କେତେବା କାଟିବୁ କାଳ ???????

ଗୋବିନ୍ଦ ନିତ୍ୟାନନ୍ଦ ନୀଳୟ,, ବାଲେଶ୍ୱର

65.ଯେତେବେଳେ

ଯେତେବେଳେ ବନ୍ଧୁ ଅନୁଭବ କର

ତୁମ ସଙ୍ଗେ ହେଲା ଛଳ

ଆପଣା ବାଟକୁ ବାଛି ନିଅ ଥରେ

ନଦେଖାଇ ତର୍କ ବଳ ।

ଯେତେବେଳେ ଦେଖ ଶ୍ଵଶୁର ଘରରେ

ଜ୍ୱାଇଁକୁ ନାହିଁ ସମ୍ମାନ

ଚିନ୍ତା ନକରିଣ ‌ ତୁରନ୍ତ କରିବ

ସେ ଘର ଦ୍ଵାର ବର୍ଜନ ।

ଯେତେବେଳେ ପୁଅ ସ୍ତ୍ରୀ କଥା ଶୁଣି

ପିତାମାତା ନଦେଖଇ

ସେ ପୁତ୍ରକୁ ଆଉ ଆଶା କର ନାହିଁ

ଜଳି ଯାଉ ପଛେ ଜୁଇ ।

ଯେତେବେଳେ ଝିଅ ବାହା ହେବ ବୋଲି

ମୁହଁ ଖୋଲି କହି ଦେବ

ତା ପସନ୍ଦ ଜାଣି ବିଭା କରି ଦିଅ

ପାଦରେ ବେଡି ନଦେବ ।

ଯେତେବେଳେ ଦେଖ ବନ୍ଧୁ କଥା ଦେଇ

ଭୂଲାଉଛି ଗୋଳ କରି

ସମୟ ହାତରେ ଛାଡି ଦେବ ସବୁ

ପୂର୍ବ କଥା ନବିଚାରି ।

ଯେତେବେଳେ ଦେଖ ମିଠା କଥା କହି

ମିଛେ କରୁଛି ପ୍ରଶଂସା

ବୁଝିକି ଚଳିବ ଆଗକୁ ଖାଲ ଯେ

ପଡ଼ି ହେବ ଲୋକହସା ।

ଯେତେବେଳେ ଦେଖ ପର ପୁରୁଷର

ଗୁଣ ଗାଉ ଅଛି ନାରୀ

ଆପଣା ଚରିତ୍ର ସଜାଡିବ ଆଗେ

ତାପରେ ଯିବଟି ମାରି ।

ଯେତେବେଳେ ଭାଇ ପାଦ ଭୂଲି ଯାଏ

ମନେ ନାହିଁ ଭଗ୍ନୀ ଘର

ସେ ଦିନୁ ଗଣିବ ଓଲଟା ଗଣିତ

କିଏ ପର ଆପଣାର ।

ଯେତେବେଳେ ଦେଖ ବନ୍ଧୁ ଘରେ ଯାଇ

ମୁହଁରେ ନାହିଁ ଯେ ସୁଖ

ଆଉ ନକରିବ ମନ ସେହି ଠାରେ

ଆସୁ ଯେତେ ଝଡ ଦୁଃଖ ।

ଯେତେବେଳେ ଦେଖ କାହା ଦୁଆରରୁ

ଭିକାରି ଯାଉଛି ଫେରି

ତୁମକୁ ହକାରି ଶରଧାରେ ଦେଲେ

ଖାଅନା ସେ ଘରେ ଖିରି ।

ଶ୍ରୀମତୀ ପ୍ରଭାତୀ ପଣ୍ଡା

ନରସିଂହପୁର କଟକ

66.ଆମକୁ ଭତ୍ତା କେବେ

ଅପର୍ତ୍ତି ସେଠୀ

(ରମ୍ୟ ରଚନା)

ଆମରି ଗାଆଁ ପଦିଆ ସ୍ତ୍ରୀ

ମଲାଣି‌ ବର୍ଷେ ହେଲା,

ସ୍ତ୍ରୀ ମରିବା ପରେ ପଦିଆ

ବହୁ ଦୁଃଖିତ ଥିଲା।

ସେଦିନ ଭତ୍ତା ବଣ୍ଟା କେନ୍ଦ୍ରରେ

ପହଞ୍ଚିଗଲା‌ ଯାଇ,

କ୍ରୋଧରେ ଅଫିସରଙ୍କ ସହ

ଝଗଡ଼ା କଲା ସେହି।

କମ୍ପେଇ ପାଟି ଗୋଟିଏ ଦାବୀ

କରେ ସେ ବାରମ୍ବାର,

ଭତ୍ତା ପାଇବା ପାଇଁବି ଆମେ

ନୁହଁ କି ହକଦାର?

ସ୍ଵାମୀ ମରିଲେ ବିଧବା ଭତ୍ତା

ସ୍ତ୍ରୀକୁ ମିଳୁଥାଇ,

ସ୍ତ୍ରୀ ମରିଲେ ସ୍ଵାମୀକୁ ଭତ୍ତା

କାହିଁକି ମିଳୁନାହିଁ?

ଭୋଅଟ୍‌ କ'ଣ ସ୍ତ୍ରୀ ଦେଉଛି

ଆମେ କି ଦେଉ ନାହୁଁ,

ଆମକୁ ଭତ୍ତା ନ ଦେବ ଯଦି

ଭୋଟ୍‌ ଦେବୁନି‌ ଆଉ।

ସ୍ତ୍ରୀ ତାହାର ମହିଳା ଗୋଷ୍ଠୀ

ସଭାନେତ୍ରୀଟି ଥିଲା,

ପିଲା କାଖେଇ ରୋଷେଇ କରି

ପଦିଆ‌ ଦିନ ଗଲା‌।

ସ୍ତ୍ରୀ ମରିବା ପରେ ପଦିଆ

କ୍ଷୋଭ ପ୍ରକାଶ କରି,

ବି-ପତ୍ନୀକ ଲୋକଙ୍କୁ ନେଇ

ସଂଘଟି ଦେଲା ଗଢି‌।

ସଭା ଡକାଇ ମିଡ଼ିଆ ଡାକି

ପଦିଆ‌ ବହୁଥର ,

ସୁଫଳ କିଛି ମିଳିନି‌ ବୋଲି

ହେଲା ସେ କ୍ରୋଧଭର।

ସଶକ୍ତିକରଣ ସ୍ତ୍ରୀ ହୋଇଲେ

ପୁରୁଷ ଶକ୍ତିହୀନ,

ନାରୀ ପାଇଲେ ସମ୍ମାନ ଯେତେ

ପୁରୁଷ ଅପମାନ।

ମିଶନ ଶକ୍ତି ନାଆଁ ନେଇକି

ଯୋଜନା ଦିଅ ବାଣ୍ଟି,

ସ୍କୁଟି ଓ ରୁଟି,ଶାଢ଼ୀ ଯୋଜନା

ଏ ବୋଧେ ଫାଇଭ୍‌ ଟି?

ପୁଣି ଶୁଭଦ୍ରା ଟଙ୍କା ପାଇକି‌

ନାରୀ ଫୁଲେଇ ହୋଇ,

ବେଣୀ ଛାଟିକି‌ ଚାଲୁଛି ତଳେ

ଗୋଡ ତା'‌ ଲାଗୁନାହିଁ।

ପଦିଆ‌ କୁହେ କେଉଁ ଉନ୍ନତି

କରୁଛି ଏଠି ନାରୀ,

କେତେକ ସ୍ବାବଲମ୍ବୀ ବଦଳେ

ହୁଅନ୍ତି ସ୍ଵେଚ୍ଛାଚାରୀ‌ ।

ନାରୀ ପୁରୁଷ ଯଦି ସମାନ‌

ଡିଣ୍ଡିମ‌ ପିଟୁ ଅଛ,

ପୁରୁଷଟିକୁ କାହିଁକି ତମେ

ହୀନସ୍ତା‌ କରୁଅଛ?

ସ୍ଵାମୀ ମରିଲେ ବିଧବା ଭତ୍ତା

ସ୍ତ୍ରୀଟି ଯଦି ପାଏ,

ସ୍ତ୍ରୀ ମରିଲେ ସ୍ଵାମୀଟି‌ କାହିଁ

ଆଁ କରିକି ଚାହେଁ ?

ଭାରିଜା‌ ହୀନ ଗେରସ୍ତ ମନ

କେ ଥରେ ବୁଝିଛକି,

ଏମିତି କେତେ ଗରୀବ ଲୋକ

ସ୍ତ୍ରୀ ହରାଇଛନ୍ତି।

ପୁରୁଷ ଯେଉଁ କାମ କରୁଛି

ସ୍ତ୍ରୀ ବି କରୁଅଛି‌,

ସ୍ତ୍ରୀ ପୁରୁଷ ଭିତରେ କେଉଁ

ଫରକ କିବା ଅଛି?

କେଉଁ ପୁରୁଷ ଅଛି ବେକାର

କେଉଁ ସ୍ତ୍ରୀ ରୋଜଗାରୀ‌,

ସବୁ ପୁରୁଷ ସ୍ତ୍ରୀ ନୁହଁନ୍ତି

ଏଠାରେ ଏକାପରି‌।

ତେଣୁ ସର୍କାର ଦିଅ ଉତ୍ତର

ବିଧବା ଭତ୍ତା ଭଳି,

ପ୍ରତି ମାସିକ ସ୍ତ୍ରୀହୀନ ଭତ୍ତା

ଦିଅ ମଞ୍ଜୁର କରି।

ବାପ ସମ୍ପତ୍ତି ଉପରେ ଯଦି

ସମାନ ଦାବୀ ଅଛି,

ପୁଅ ଓ ଝିଅ ସମାନ ତେଣୁ

ପ୍ରାର୍ଥକ୍ଯ‌ ନାହିଁ କିଛି।

ଏମିତି ଝିଅ ଉଭୟ ପାର୍ଶ୍ବ

ସମ୍ପତ୍ତି ଅଧିକାରୀ,

ବାପ ଓ ସ୍ଵାମୀ ସମ୍ପତ୍ତି ନେଇ

ପାରେ ସେ ବାଣ୍ଟିକରି‌।

ଗୋଟିଏ ଛାଡ଼ପତ୍ର ବିଚାର

ଆଖିରେ ପଡିଥିଲା,

ସ୍ୱାମୀକୁ ମଧ୍ଯ ସ୍ତ୍ରୀ ମାସିକ

ପୋଷଣ‌ ଭତ୍ତା ଦେଲା।

ତେଣୁ ଏହାର କର ବିଚାର

ଆହେ ସର୍କାର‌ ବାବୁ,

ଆମକୁ ଭତ୍ତା ନ ଦେବ ଯଦି

ବିଧାନ‌ ସଭା ଯିବୁ‌।

ସହଜେ ଦିଅ ହଜାର ଭତ୍ତା

ସେତକ ଆମ ନାହିଁ,

ଅନ୍ଯ ରାଇଜ ଚଳେ‌ କେମିତି

ଅଧିକ ଭତ୍ତା ଦେଇ?

ପଦିଆ‌ କଥା ଧରିବ ନାହିଁ

ନାରୀ ପୁରୁଷଗଣ,

ଯାହା ଦେଖିଲା ତାହା କହିଲା

ସେଇଟା ମୂର୍ଖ ଜାଣ।

(ପାଳକଣା‌, କୋରୋ‌, କେନ୍ଦ୍ରାପଡ଼ା

ମୋ - ୭୮୯୪୩୯୮୫୦୦

61.ବଡଜ୍ଞାନୀ ବୋଲି କହି ବୋଲୁଥାଏ

ବଡ ଜ୍ଞାନୀ ବୋଲି କହି ବୋଲୁଥାଏ

ଦେହରେ ନଥାଏ ବୋଧ

ନିଶାର୍ଦ୍ଧେ ଲୋଡଇ ଯୁବତୀ ଶରୀର

ଭକ୍ଷି ଥାଏ ମାଂସ ମଦ ।

କବି ହୋଇ ଗୀତ ରଚନା କରଇ

ଗାଇଥାଏ ନାନା ଭଙ୍ଗେ

ଅତି ଶରଧାରେ ସ୍ୱର ଲୟ ତାଳେ

କଥା କହେ ନାନା ରଙ୍ଗେ।

ବେଶ ଭୂଷା ହୋଇ ପ୍ରବଚନ ଦ୍ୟନ୍ତି

ହସ୍ତରେ ବିଭୁତି ଧରି

ମଧୁର ମଧୁର ବଚନ ବୋଲନ୍ତି

ଗଳାରେ ଲମ୍ବାଇ ମାଳି।

ଧରି ଝୁଲାମାଳି ଯୋଗି ବୋଲାଅନ୍ତି

ସାଧୁ ସନ୍ଥ କହି ବୋଲି

ଲୋକଙ୍କୁ ଭଣ୍ଡାଇ ମଉଜ କରନ୍ତି

ଆପଣା ଝୁଲାକୁ ଭରି।

କହୁଥିବା କଥା ପାଳନ ନକରି

ପରକୁ ଶିକ୍ଷା ଦିଅନ୍ତି

ନିଜ ଦୋଷ କେବେ ନିଜକୁ ନଦିଶେ

ପରନିନ୍ଦା ବଖାଣନ୍ତି।

ଉଇ ଠାରେ ପକ୍ଷ ଲାଗିଯାଏ ଯେବେ

ଘନ ଘନ ଉଡୁଥାଏ

କ୍ଷଣିକ ଭିତରେ ଡେଣା ଝଡ଼ିଯାଇ

କଚାଡି ମରଇ ସିଏ।

ପିମ୍ପୁଡି ରୁଖାର ଉପରେ ଚଢିଲେ

ସ୍ୱର୍ଗ ବୋଲି ମଣିଥାଏ

ନୀଚ ଲୋକ ଯଦି ଉଚ୍ଚ ହୋଇଯାଏ

ଗୋଡ ତା ତଳେ ନରୁହେ।

ପର ଧନେ ଲୋଭ ରଖ ନାହିଁ କେବେ

ଲଜ୍ଜା ସମ୍ପଦ ନଭାବେ।

ଅଳୀକ ସ୍ନେହକୁ କଳପିବ ଯେବେ

ଦୁଃଖ ପାଇବ ଏ ଭବେ ।

ବଟକୃଷ୍ଣ ପଣ୍ଡା ,ଭେରୁଣିଆ,ଢେଙ୍କାନାଳ

62.ତୁମେ ହିଁ ତୁମେ

(( ବେଣୁଧର ସୂତାର ))

କେବେ ତୁମେ ଶାନ୍ତ

କେବେ ସୈାମ୍ୟକାନ୍ତ

ଅବା ବୈଶାଖୀର ତାତି

ଶ୍ରାବଣୀ ଧାରାର ରିମ୍ ଝିମ୍ ସୁରେ

ଭୂମି ଓ ଭୂମାର ପ୍ରୀତି

ଚୋରା ଚଇତିର ଚାରୁ ମହକରେ

ଫୁଲ ଫଗୁଣର ଗୀତି ।।

ତୁମେ ଶାରଦୀୟ

ରୁପା ଜୋଛନାରେ

କାଶ କୁହୁକର ଭାଷା

ହିମ ଶିଶିରର ମୁକୁତା ମୋତିରେ

ମଗୁଶିର ମାଣବସା

ପଉଷ ଖଳାର ଐଶ୍ୱର୍ଯ୍ୟ ମାଳାର

ସ୍ଵର୍ଣ୍ଣମୟ ଦିବ୍ୟ ଦ୍ୟୁତି

ଫୁଲ ଫଗୁଣର ଗୀତି ।।

ତୁମେ ପ୍ରଭାତର ପ୍ରାଚୀଲଲାଟରେ

ମାଦକିତ ମୃଦୁ ହାସ

ଭିଜା ଅସ୍ତରାଗ ସୁବର୍ଣ୍ଣ ଢେଉର

ଉପମା ଲଳିତ ଲାସ୍ୟ

ଚାରୁ ଜୋଛନାର ଭରା ଅନୁରାଗ

ଝରା ଶେଫାଳିର ସ୍ମୃତି

ଫୁଲ ଫଗୁଣର ଗୀତି ।।

ତୁମେତ ଗଢିଛ ଏଇ ଧରାବୁକେ

ଐଶ୍ୱର୍ଯ୍ୟର ନିକେତନ

ରେଣୁରେରେଣୁରେ ଭରିଦେଇଅଛ

ଜୀବନର ଉପାଦାନ

ତୁମେ ପ୍ରକୃତିର ପ୍ରୀତି ପ୍ରଶାନ୍ତିର

ପ୍ରାଣମୟ ଅନୁଭୂତି

ଫୁଲ ଫଗୁଣର ଗୀତି ।।

ତୁମେ ତ ଭରିଛ ପ୍ରାଣର ପୁଲକ

ଏଦେହର ପ୍ରତି ଲୋମେ

ଜୀବନ ଯଜ୍ଞର ପ୍ରତିଟି ବିନ୍ଦୁରେ

କେବଳ ତୁମେ ହିଁ ତୁମେ

ତୁମେ ଅନ୍ତଃସ୍ଵର ନିଖିଳ ପ୍ରାଣର

ଅଖଣ୍ଡ ଭାବର ଜ୍ୟୋତି

ଫୁଲ ଫଗୁଣର ଗୀତି ।।

କେଶଦୁରାପାଳ କେନ୍ଦୁଝର

ଦୂରଭାଷ -୯୧୭୮୫୬୮୨୪୬

63.ତୁମେ କେମିତିକା ଝିଅ

ତୁମେ କେମିତିକା ଝିଅ

ଆଧୁନିକା ବୋଲି କୁହ

ଲାଜ ସରମ କୁ ପୋଡିକି ଖାଇଲ

ଦେଖେଇ ବୁଲୁଛ ଦେହ!!

ଦିନ ଥିଲା ଦିନେବଢିଲା ଝିଅ ର

ଦେଖନ୍ତିନି କେହି ମୁହଁ

ଘରକୁ କୁଣିଆ ଆସିଲେ ଲୁଚେ ସେ

ଲାଜେ ଦେଖାଏ ନା ମୁହଁ !!

ପଦାକୁ ଗଲେସେ ପାଦ ଠାରୁ ମୁଣ୍ଡ

ଲୁଚେଇ ରଖେ ସେ ନିଜକୁ

ବଗ ପରି ବେକ ଭାଙ୍ଗି ଚାଲିଥାଏ

ଦେଖେଇ ହୁଏନା କାହାକୁ !!

ଆଜିକାଲି ଝିଅ ଷଷ୍ଟରୁ ତ ତୁମେ

ଓଟ ପରି ସଣ୍ଢା ଟେକ

ଅନାବୃତ୍ତ ଦେହ ଦେଖେଇ ଚାଲୁ ଛ

ସଭିଙ୍କୁ କହୁଛ ଦେଖ !!

ଅଚିହ୍ନା ଚିହ୍ନା ଙ୍କୁ କଥା ହେବା ପାଇଁ

ସେବେଳରେ ଥିଲା ଡର

ଆଜି କାଲି ଝିଅ ଓପର ରେ ପଡି.

କଥା ହୁଅ ତର ତର!!

ଶିକ୍ଷିତା ହେବାକୁ ମନା କରୁନାହୁ

ସଭ୍ୟତା କୁ ଜଗି ଚଳ

ନାରୀ ଅଗ୍ରପୂଜ୍ୟା ନାରୀ ସମ୍ମାନିୟା

ସମ୍ମାନ କୁ ରକ୍ଷା କର !!

ଜଗିଲା ଘର କୁ ଚୋର ପଶିବନି

ବଢିବନି ବ୍ୟଭି ଚାର

ସାତ ସତୀ ମଧ୍ୟ ଗଣା ହେବ ଦିନେ

ତୁମେ ପୁଣି ଅତୀତ ର !!

ଭାଗବତ ସାହୁ, ଆଶୁକବି, ନାଟ୍ୟକାର

ମା ବୀଣାପାଣି ସାହିତ୍ୟ କୁଟୀର

ଦୋଳପ ଦୀ, ବନ୍ତ, ଭଦ୍ରକ,

ମୋ =9437713276

58.ପ୍ରତିଶୃତି

ପ୍ରତିଶୃତି ଦିନେ ଦେଇଥିଲ ତୁମେ,

କବରୀରେ ଫୁଲ ଖୋସି,

ଚାନ୍ଦ ଦେଇଥିଲ ପାପୁଲିରେ ମୋର,

ହେବି ବୋଲି ଟିକେ ଖୁସି।।

ପାଦ ଥାପି ଥିଲି ତୁମ ପାଦ ପରେ,

ବେଳାଭୂମି ପରେ ଚାଲି,

ପ୍ରୀତିର ଝରଣା ଝରି ପଡିଥିଲା,

କୋଳ ପରେ କେଶ ଖୋଲି।।

ସେ କେଉଁ ମୁହୂର୍ତ୍ତ କଟି ଥିଲା କେତେ,

ଜୋଛନାରେ ଭିଜି ଭିଜି,

ସପନ ରାଇଜେ ବୁଲୁଥିଲୁ ଆମେ,

ଭାବନାରେ ଥିଲୁ ହଜି।।

ତୁମେ ରଚିଥିଲ ଫୁଲ ଘର ଏକ,

ସପନ ରେ ମାତି ମାତି,

ଆନନ୍ଦର ଏକ ଫୁଆରା ସତେକି,

ଛୁଇଁ ଯାଉଥିଲା ଛାତି।।

ଶ୍ରାବଣ ରାତିରେ ନିଝୁମ ପ୍ରହରେ,

ଆସୁଥିଲ ଲୁଚି ଲୁଚି,

ଖେଳାଇ ମହକ ପବନ ସାଥିରେ

ଖେଳୁଥିଲ ଘୁଞ୍ଚି ଘୁଞ୍ଚି।।

ନା ନା କହି ଛପି ଯାଉଥିଲି,

ଗଛ ଉହାଡରେ ଯେବେ,

କାନି ମୋର ଧରି ଆଣୁଥିଲ ଟାଣି

ଅତି ସରାଗ ରେ ତେବେ।।

ମନେ କି ପଡେନା ପିଛିଲା ଦିନର,

ପହିଲି ଛୁଆଁ ର କଥା?,

ନିଦ ଭାଙ୍ଗି ଅଧ ରାତିରେ ଚମକି

ଦେଉଥିଲା କେତେ ବ୍ୟଥା?।।

ସମୟ ସୁଅରେ ପତର ପରିକା,

ସ୍ମୃତି ସବୁ ଭାସି ଯାଏ,

ଗଭୀର ବେଦନା ଜଗାଇ ପ୍ରାଣରେ

ମରମକୁ ଦହୁ ଥାଏ।।

।।ଚିତ୍ରା ରାଣୀ ପାତ୍ର। ।ବାଲେଶ୍ଵର।

59.ତୁଛାକୁ ଏତେ ମୂଦୀ ନାହି

ଗୋଡ଼ କଚାଦୁ କେତେ।।

ରାଗ।। ଆଷାଢ଼ ଶୁକ୍ଳ ବାଣୀ।।

ମଣିଷ ପ୍ରକୃତି ଦେଖେଇ ହେବା,

ଶସ୍ତାରେ ଲୋକେ ବାହାବା ନେବା,

ନକଲି ଦାନ୍ତରେ ସୁନା ଲଗେଇ

ପଚିଶି ଲୋକରେ ହେବା ଦେଖେଇ,

ଅନେକ ବଡେଇ,

ଗୁଣର ଅଟନ୍ତି ବଡିମା ସେଇ।୧।

ନଥାଉ ପଛକେ ନିଜର ଗୁଣ

ବାଛି ବସିଥାନ୍ତି ଅନ୍ୟର ଖୁଣ

ଅନ୍ୟର ଦୋଷ ତ୍ରୁଟିକୁ ବାଛନ୍ତି,

ନିଜେ ପଛେ ନର୍କ ମାର୍ଗେ ଗମନ୍ତି,

ସମୟ ମହିମା

ହୋଇ ଥାଉ ପଛେ ବଡ଼ କାଳିମା।୨।

ନ ଥାଉ ପଛକେ ଗୋଡ଼ରେ ମୂଦି

ଗୋଡ଼କୁ କଚାଡି ଦିଅନ୍ତି ବୁଦ୍ଧି,

ନିଜେ ଲୋକହସା ହେଲେବି ଜନେ

ଭଲେଇ ହୁଅନ୍ତି ବଡ଼ିମା ପଣେ,

କଦର୍ଯ୍ୟ ପ୍ରକୃତି,

ମନରେ ଭରନ୍ତି ଚାରୁ ଆକୃତି।୩।

ଗୋଡ଼ରେ ନ ଥାଉ ମୂଦିି କଙ୍କଣ,

ଦାଣ୍ଡରେ ଚାଲନ୍ତି ଦେଖି ଫେଶନ,

ଦୁନିଆଁ ଏପରି ଦେଖେଇ ହେବା

ଦୁନିଆଁ ଆଖିରେ ବାହାବା ନେବା,

ନିଜ ପ୍ରାଣ ପାଇଁ

ଇତରେ ମାରନ୍ତି ସଦା ଗୋଡ଼ାଇ।୪।

କିଏ କିସ କହୁ ଶୁଣନ୍ତି ନାହିଁ

ସମାଜ ଆଖିରେ ହୋଇ ଭଲାଇ

କୁକୁର ପ୍ରକୃତି ନିଜର ଗୁଣ,

ସମାଜେ ଅଟଇ ତାଙ୍କ ଏ ଖୁଣ

ସମାଜ ଆଖିରେ

ଭଲେଇ ହୁଅନ୍ତି ଦେଖ ସଖିରେ।୫।

ସମାଜ ଦଉଡେ ଏ ରୂପ ନେଇ

ପଛକୁ ଚାହାଁନ୍ତି ନାହିଁ କହ୍ନେଇ,

ନିଜର ସମ୍ମାନ ଦିନେ ଜଣାଇ

ଅପ୍ରିୟ ହୁଅନ୍ତି ରୂପ ଦେଖାଇ,

ଢଗ ଢମାଳିରେ

କବିଏ ଦେଖନ୍ତି ନେତ୍ର ଜାଳିରେ।୬।

ଶ୍ରୀ ବିଦ୍ୟାଧର ମହାନ୍ତ, ତମ୍ବାହରା

ହରି ଚନ୍ଦନ ପୁର, କେନ୍ଦୁଝର ଓଡ଼ିଶା

ମୋ ନ 7848000030.

60.ରାଗ କଳ ହଂସ କେଦାର

ସଂସାର ଲୋକ ଚାହେଁ

ସକଳ ଶସ୍ତା ,

ହୋଇ ଯାଆନ୍ତୁ ପଛେ

ଚିଜେ ହିନସ୍ଥା।୧।

ଶସ୍ତା ପାଇଲେ ଲୋକ

ପିଚୁ ଗିଳଇ,

ସର୍ପ ବିଷକୁ ନେଇ

ଭାଣ୍ଡେ ରଖଇ ।୨।

ଦୁନିଆଁ ମଧ୍ୟେ ଅମୂଲ୍ୟ

ମଣିଷ ପ୍ରେମ,

ଶସ୍ତା ମଧ୍ୟରେ ଦାମୀ

ଅମୂଲ୍ୟ ହେମ।୩।

ଶସ୍ତା ମଧ୍ୟରେ ଦାମୀ

ବିଶ୍ଵ ବିକାଶ,

ପାଣି ପବନ ନିଆଁ

ଜ୍ଞାନ ପ୍ରକାଶ।୪।

ବିଶ୍ବରେ ଶସ୍ତା ଘର

ମଣିଷ ପାଇଁ,

ଖାଦ୍ୟ ପାନୀୟ ବସ୍ତ୍ର

କଳ୍ପନା ନାହିଁ।୫।

ଶସ୍ତା ବୋଲି ଭାବୁଛ

ତାହା ଦାମିକା

ଜାଣି ନ ଜାଣିବ ତା

କରେ ଭେଲକା।୬।

ଦାମୀ ଦିନେ ପାଲଟେ

ଅତ୍ୟନ୍ତ ଶସ୍ତା

ଶସ୍ତା ପାଲଟି ଦିଏ

ଜନେ ଅବସ୍ଥା।୭।

ଉଲଟି ଯାଏ ଅନ୍ୟ

ଅପେକ୍ଷା ଶସ୍ତା,

ଶସ୍ତା ମଧ୍ୟ ପାଲଟେ

ସୁନା ଅବସ୍ଥା।୮।

କିଛି କରି ନୁହଁଇ

ବୃଥା କଳ୍ପନା,

ତୁଛାବି ହୋଇ ଥାଏ

ଦୁଃଖ ଭାବନା।୯।

ଶସ୍ତା ବୋଲି ଭାବିବା

ନୁହେଁ ଉଚିତ,

ତାହା ମଧ୍ୟ ଦୁର୍ମୂଲ୍ୟ

କଷ୍ଟୋପାର୍ଜିତ।୧୦।

ଆବଶ୍ୟକ ପଡିଲେ

ଶସ୍ତା ଜିନିଷ,

ଉପାର୍ଯ୍ୟନ ପାଇଁକି

କଷ୍ଟ ମଣିଷ।୧୧।

ଶସ୍ତା ବିତ ହିନସ୍ଥା

ହେଲେ ଦୁର୍ଭାଗ୍ୟ,

ତା ହା ପାଇଁ ଯନ୍ତ୍ରଣା

ମିଳଇ ଆଗ।୧୨।

ଶ୍ରୀ ବିଦ୍ୟାଧର ମହାନ୍ତ, ତମ୍ବା ହ ରା,

ହରି ଚନ୍ଦନ ପୁର, କେନ୍ଦୁଝର, ଓଡ଼ିଶା ମୋ ନ 7848000030,

55.ଜନଶ୍ରୁତି

ବିପିନ ବିହାରୀ ବାରିକ

ଇତିହାସେ ନୁହେଁ ଯା ପ୍ରମାଣ ସିଦ୍ଧ

ପ୍ରତ୍ୟକ୍ଷ ଦର୍ଶୀ ଯା ନାହିଁ

କଳାନ୍ତରୁ ଶ୍ରୁତ ଜନୁ ଜନ ମୁଖେ

ଜନଶ୍ରୁତି ତାରେ କହି ll

ଖୋଜି ନାହିଁ କେହି, ଚାହିଁ ନାହିଁ କେହି

ଜାଣି ବାକୁ ମିଛ ସତ

ଜନ ଜୀବନେ ତା ଲଭିଛି ଅଦୃତି

ନୋହି କାଳ ଗର୍ଭେ ଲୁପ୍ତ ll

କବି ଭାବୁକଙ୍କ ମନେ ଜନଶ୍ରୁତି

କେବେ କରିନିଏ ଘର

କବିତା ଗଙ୍ଗୋତ୍ରୀ ହୁଏ ପ୍ରବାହିତ

ସତ୍ୟଠୁଁ ପ୍ରତେ ସୁନ୍ଦର ll

ଲୋକକଥା, କିମ୍ବଦନ୍ତୀ ରୂପେ ଶ୍ରୁତି

କାଳୁ କାଳ ଚଳୁ ଅଛି

କାଳୀଜାଈ କଥା ଅନ୍ତର ଥରାଏ

ସତ ମିଛ କେ ଜାଣିଛି ?

ସମାଜେ ସୁବର୍ତ୍ତା ଦିଏ ଜନ ଶ୍ରୁତି

ବଉଳା ଗାଈଟେ ହୋଇ

କହି ଥିଲେ ଜେଜ ଶୁଣି ଥିଲେ ବାପା

ମୋ ପୁଏ କହୁଛି ମୁହିଁ ll

ଗାଁ ଶ୍ମଶାନରେ ଆଗେ ଚିରିଗୁଣୀ

ସେକୁ ଥିଲେ ତାଙ୍କ ଛୁଆ

ନଦେଖି ଆଖିରେ କାନୁ କାନ ଶୁଣି

ମନରେ ପଶେ ଛାନିଆ ll

କେତେ ଦେବ ଦେବୀ କେତେ ରାଜାରାଣୀ

ପକ୍ଷୀରାଜ ଘୋଡା କଥା

ସାତ ସାଧବଣୀ ତ'ପୋଇ କାହାଣୀ

ରାଜ କୁମାରୀର ବ୍ୟଥା ll

କେତେ ଶୂନ୍ୟ ବାଣୀ ଗୁଣି ଓ ଗାରେଡି

ଗଛ ଚଳାଇବା ପୁଣି

ଏ ଗଛୁ ସେ ଗଛ ବାବନା ଭୂତର

ଗୋଡ଼ ଲମ୍ବାର କାହାଣୀ ll

କେତେ ଯେ ପୂରାଣ କେତେ ପୁଣ୍ୟ ଜ୍ଞାନ

ମୂଳଦୁଆ ଜନଶ୍ରୁତି

ବିଶ୍ୱ ସାହିତ୍ୟର ଚେର ମୂଳେ ଦେଖ

କେତେ ସୁଦୃଢ ତା ସ୍ଥିତି ll

ଗୋବିନ୍ଦ ନିତ୍ୟାନନ୍ଦ ନିଳୟ, ବାଲେଶ୍ୱର

56.ଧରଣୀ କୋଳରେ ଅରଣ୍ୟ ର ଶୋଭା

ଧରଣୀ କୋଳରେ ପ୍ରାଣୀ ଜଗତର

ଅଦ୍ଭୁତ ଅନନ୍ୟ ସୃଷ୍ଟି।

ତରୁ ଲତା ତୃଣ ସୁସଜ୍ଜ ଉଦ୍ଭିନ୍ନ

ଉଦାର ରହିଛି ଦୃଷ୍ଟି।

ଅପରୂପ ଶୋଭା ବକୁଳ ର ଗଭା

ପୁଷ୍ପ ଆମୋଦ ମହକ।

କଲ୍ଲୋଳିନୀ ଗୀତ ପବନ ସଙ୍ଗୀତ

ଖଗ କାକଳି ପଲକ।

କେଡେ ସୁମଧୁର ବିହଙ୍ଗର ସୁର

ପରସର ତାର ସ୍ପର୍ଶ।

ବ୍ୟାକୁଳ ପ୍ରାଣ ରେ ଉନ୍ମାଦନା କରେ

ଦେଖି ପ୍ରକୃତି ର ଦୃଶ୍ୟ।

ଏ ଦେଶ ଭାରତ ବିଜ୍ଞାନେ ମହତ

ବକ୍ଷେ ଚାରୁ ଚରାଚର।

ପଶୁ ପକ୍ଷୀ କୀଟ ପତଙ୍ଗ ମାନବ

ମାଟି ଅରଣ୍ୟ ସମ୍ଭାର।

ବିଭିନ୍ନ ସ୍ଥାନିତ ପ୍ରାଣୀ ଓ ଉଦ୍ଭିଦ

ଆନନ୍ଦରେ ଥାନ୍ତି ରହି।

ଭୂ ଚଳାଚଳ ର ଭିନ୍ନ ମାଟି ଜଳେ

ଅକାରଣେ ଯାନ୍ତି ସହି।

ଆଲୋକ ଉତ୍ତାପ ପରିମାଣ ମାପ

ଖାଦ୍ୟ ପ୍ରସ୍ତୁତି ରେ ରତ।

ଉତ୍ଥାନ ପତ୍ତନ ସାଗର ସଙ୍ଗୀତେ

ପ୍ରକୃତି ହୁଏ ଜାଗୃତ।

ଜଳ ସ୍ଥଳ ବନ ପାହାଡ ପର୍ବତ

ତରୁ ଲତା ଘନେ ଜାତ।

ଅମ୍ଳଜାନ ମାନ କରେ ବୃଦ୍ଧିମାନ

ସୃଷ୍ଟି ହୁଏ ବୃଷ୍ଟିପାତ।

କଣ୍ଟା ବୁଦା ଗୁଳ୍ମ ଚିର ହର ରଣ୍ୟ

ପର୍ଣ୍ଣ ମୋଚୀ ଗିରି ଗଭା।

ମର୍କତ ବଦନେ ଗଗନ ପବନେ

ଦିଶୁଥାଏ ରମ୍ୟ ଶୋଭା।

ଜୁଆର ଅରଣ୍ୟେ ତରୁ ଲତା ପର୍ଣ୍ଣେ

ଗଢ଼ି ଉଠେ ନଦୀ କୂଳେ।

ଜନ ବସତିରେ ସୁ ଚାଷ କରନ୍ତି

ଚାରୁ ପ୍ରକୃତି ଛବିଳେ।

ପ୍ରକୃତି ଉଦ୍ଭିଦ ଜୀବନୀ ଐଶ୍ୱର୍ଯ୍ୟ

ଜନ ହିତ ଉପକାରୀ।

ପରିସଂସ୍ଥାନରେ କରେ ସନ୍ତୁଳନ

ମୁଖ୍ୟ ଭୂମିକା କାହାରି ।

ଖାଦ୍ୟ ,ବସ୍ତ୍ର, ବାସ ଗୃହ ସରଞ୍ଜାମ

ଭେଷଜ ଥାଏ ଯୋଗାଇ।

ଅଙ୍ଗାରକାମ୍ଳ କୁ ସେ କରେ ଗ୍ରହଣ

ଅମ୍ଳଜାନ ବିଶ୍ଵେ ଦେଇ।

ମୃତ୍ତିକା କ୍ଷୟ କୁ ରକ୍ଷା କରିଥାଏ

ସୁରକ୍ଷା ବଳୟେ ବାନ୍ଧି।

ଜଳ ବାୟୁ ପାଗ କରି ନିୟନ୍ତ୍ରଣ

ହୁଏ ପ୍ରକୃତି ରେ ଛନ୍ଦି।

ଶିଳ୍ପକୁ ସମୃଦ୍ଧ ଅମୂଲ୍ୟ ସମ୍ପଦ

ଦେଶ କୁ କରି ଉନ୍ନତ।

ଉନ୍ନତିରେ ଜାତ ରପ୍ତାନୀ ଜନିତ

କଞ୍ଚାମାଲେ ଯାହା ପ୍ରାପ୍ତ।

ବାଉଁଶେ କାଗଜ କାଠୁ ଦିଆସିଲି

ଯୋଗାଏ ଜାଳେଣୀ କାଠ।

କାଠ ର ସାମଗ୍ରୀ ବିଭିନ୍ନ ତିଆରି

ଜନ କରେ ବ୍ୟବହୃତ।

ମହୁଲ ରବର ଲାଖ ଓ ରେଶମ

ମହୁ ଝୁଣା କେନ୍ଦୁ ପତ୍ର।

ଅସଂଖ୍ୟ ଅବ୍ୟକ୍ତ ପ୍ରକୃତି ର ଦତ୍ତ

ଅନୁପମ ଯାର ନେତ୍ର।

ପ୍ରକୃତି ଶୋଭନ ଚିତ୍ତ ବିନୋଦନ

ପ୍ରାଣୀଙ୍କ ବିଳାସ ଭୁଇଁ।

ପଶୁ ପକ୍ଷୀ ଙ୍କର ବାସସ୍ଥାନ ଯହିଁ

ପ୍ରାଣ କୁ ଯାଏ ସେ ଛୁଇଁ।

ଅମୂଲ୍ୟ ସମ୍ପଦ ଦେଶର ସମୃଦ୍ଧ

ଅରଣ୍ୟ ମହା ରତନ।

ଧନ୍ୟ ହେ ପ୍ରକୃତି ଉଦାର କିରତୀ

ପ୍ରାଣୀ ର ତୁହି ଜୀବନ।

ଶ୍ରୀବତ୍ସ ମେହେର, ମାନେଶ୍ୱର, ସମ୍ବଲପୁର

57.କୁକୁଡ଼ା ଡାକ

ରାଗ।। ନଟ ବାଣୀ।।

କେତେ ଉପକାରୀ କୁକୁଡ଼ା ଆମର

ପ୍ରତି ଦିନ ଡାକେ ଉଠ ନାରୀ ନର।୧

ପାହାନ୍ତିଆ ତାରା ଉଇଁଲେ ଆକାଶେ

ପୂର୍ବ ଦିଗେ ସୂର୍ଯ୍ୟ କିରଣ ପ୍ରକାଶେ।

ସୁଲୁ ସୁଲୁ ବହେ ମଳୟ ପବନ

ପୃଥିବୀକୁ କରେ ତାପ ସଞ୍ଚାଳନ।

ସମଗ୍ର ବିଶ୍ବକୁ ତାପ ଆସେ ମାଡ଼ି,

ପ୍ରାଣିଏ ଚଳାନ୍ତି ସାଂସାରିକ ଗାଡ଼ି।

ପ୍ରାତଃ ମୁହୂର୍ତ୍ତରେ ଶୀତଳ ସମୀର

ଜଗତେ ଵହଇ ହୋଇ ଧୀର ଧୀର।

ବିଧିର ବିଧାନ ଅଟଇ ବିଚିତ୍ର,

କ୍ଷଣେ କରେ ଧରା କିରଣେ ସଚିତ୍ର।

ବିଧିର ବିଧାନ ବଡ଼ ସମ୍ବିଧାନ

କୁକୁଡ଼ା ଡାକିବା ଅଟେ ପ୍ରାବଧାନ।

ପ୍ରଭାତ ସମୟ ଆପେ ଜାଣି ପାରି,

ଘରେ ଡାକେ ପାଦାୟୁଧ ବନେ ସାରୀ।

ପ୍ରକୃତି ସୁନ୍ଦରୀ କୁକୁଡ଼ାଙ୍କୁ ଧରି

ଉଛୁଳାଏ ଧରା ଭାବ ଅନୁସରି।

କୁକୁଡ଼ା ଡାକରେ ଶଯ୍ୟା ତ୍ୟାଗକଲେ,

ସ୍ବାସ୍ଥ୍ୟବାନ ହେବ ନରେ ମର୍ତ୍ତ୍ୟେଭଲେ

କୁକୁଡ଼ା ଡାକରେ ପ୍ରାତଃ ପରିକ୍ରମା,

ନରଙ୍କୁ କରାଏ ମାନବେ ଉତ୍ତମା।

ଶରୀର ନିରୋଗ ବଳିଷ୍ଠ ସବଳ,

ଶିଶୁ ଠାରୁ ବୃଦ୍ଧେ ଦେଇ ଥାଏ ବଳ।

ଗୃହର ଗୃହିଣୀ ପ୍ରାତଃ କର୍ମ ସାରି,

ପିଲାଙ୍କୁ କର୍ମରେ ଲଗାନ୍ତି ନିଠାରି।

କେତେ ଉପଦେଶ କେତେ କର୍ମ କାଣ୍ଡ,

ପିଲାଙ୍କୁ ବୁଝାନ୍ତି ସଂସାର ବ୍ରହ୍ମାଣ୍ତ।

କେତେ ବିଜ୍ଞ ସତେ ପାଦାୟୁଧ ବର,

ସେ ରଖଇ ସାରା ବିଶ୍ବର ଖବର।

ପ୍ରକୃତି ରୂପରେ ପ୍ରକୃତି ସୁନ୍ଦରୀ

ସକାଳୁ ସକାଳୁ ପ୍ରାତଃ ବର୍ଣି କରି।

କୁକୁଡ଼ା ଡାକରେ କହେ କାନେ କାନେ,

ଉଠ ଉଠ ଆଶୁ ବିଶ୍ଵ ପ୍ରାବଧାନେ।

କୁକୁଡ଼ା ଡାକରେ ଉଠିଲେ ମଣିଷ,

ସହଜେ ଲଭିବ ପ୍ରଭୁଙ୍କ ଆଶିଷ।

କୋଟି କୋଟି ବର୍ଷ କୁକୁଡ଼ା ଡାକଇ

ପ୍ରକୃତି ବଶତଃ ପ୍ରାତେ ରହି ରହି।

ଏତେ ଉପକାରୀ କୁକୁଡ଼ା ଆମର,

ତଥାପି ବଧଇ ତାକୁ କ୍ରୋର ନର।

ମଣିଷ ପାଲଟେ ଅମଣିଷ ଦିନେ,

ମାଂସ ଲୋଭେ ବଧେ ସୁଜ୍ଞାନ ବିହିନେ।

ଶ୍ରୀ ବିଦ୍ୟାଧର ମହାନ୍ତ, ତମ୍ବାହରା

ହରି ଚନ୍ଦନ ପୁର କେନ୍ଦୁଝର ଓଡ଼ିଶା

ମୋ ନ 7848000030.

52.ହାଏରେ କଳିଯୁଗୀ ମଣିଷ

ହାଏରେ କଳିଯୁଗୀ ମଣିଷ

ସତ୍ୟ ଧର୍ମ କର୍ମ ଛାଡି ହେଲୁ ଅମଣିଷ

ନିଜକୁ ବଡ ମଣିଲୁ ଖାଇ ଖାଇ ବିଷ ।।

ଧରାକୁ ମଣିଲୁ ସରା ହୋଇଲୁଣି ମତିହରା

ସ୍ୱାର୍ଥ ପଛେ ଧାଇଁ ଧାଇଁ ସମୟ ସାରିଲୁ ପରା

କଖାରୁକୁ ଭାବିଲୁଣି ପଣସ

ସତ୍ୟ ଧର୍ମ କର୍ମ ଛାଡି ହେଲୁ ଅମଣିଷ।।

ଶୋଇଲେ ଦେଖୁ ସପନ କେଉଁଠୁ ଆସିବ ଧନ

ଖଳ ବୁଦ୍ଧି କାଢି କାଢି ହୋଇଲୁ ପରା ଅଜ୍ଞାନ

ମରୀଚିକା ପଛେ ଧାଇଁ ହତାଶ

ସତ୍ୟ ଧର୍ମ କର୍ମ ଛାଡି ହେଲୁ ଅମଣିଷ।।

ନିଆଁ ସଂଗେ ଖେଲିଲୁ ନାରୀ ପଛେ ଧାଇଁଲୁ

ମଦ ମାଂସ ଖାଇଲୁ ଜୁଆ ପାଲି ଖେଳିଲୁ

ସମୟ ଯାଉଛି ହେବୁ ପାଉଁଶ

ସତ୍ୟ ଧର୍ମ କର୍ମ ଛାଡି ହେଲୁ ଅମଣିଷ।।

ପିଲା ବେଳେ ଖେଳୁ ଥିଲୁ ଭଲ ମନ୍ଦ ନ ଜାଣିଲୁ

ବଡ ହୋଇ ଜ୍ଞାନ ପାଇ ଭୁଲର ପଥ ଧରିଲୁ

ବାପା ମାଆଙ୍କୁ କଲୁ ହତାଶ

ସତ୍ୟ ଧର୍ମ କର୍ମ ଛାଡି ହେଲୁ ଅମଣିଷ।।

ବଡ ସାନ ନ ମାନିଲୁ ବଡ଼ଙ୍କୁ ହେୟ ମଣିଲୁ

ଗୁରୁ ଗୁରୁଜନ କଥା ହସରେ ଉଡାଇଦେଲୁ

ଦେଖ ଆସି ଟପିଲାଣି ପଚାଶ

ସତ୍ୟ ଧର୍ମ କର୍ମ ଛାଡି ହେଲୁ ଅମଣିଷ।।

ବୟସ ଯାଉଛି ଗଡି ପାଚିଲାଣି ନିଶ ଦାଢ଼ି

ଅଣଚାଶ ଆସେ ମାଡି ଅଦିନେ ଦେଖ କୁହୁଡି

ବେଳ ଥାଉଁ ହୋଇ ଥାରେ ସତର୍କ

ସତ୍ୟ ଧର୍ମ କର୍ମ ଛାଡି ହେଲୁ ଅମଣିଷ।।

ହେମନ୍ତ କୁମାର ସାହୁ। ମାହାଙ୍ଗା।

53.ସଞ୍ଜ ଆସେ ନଇଁ ନଇଁ

ଏବେ ଦିନମଣି ଅସ୍ତାଚଳଗାମୀ

ସଞ୍ଜ ଆସେ ନଇଁ ନଇଁ ,

ଜୀବଜନ୍ତୁଗଣ ହୋଇ ଘରମୁହାଁ

ଫେରୁଛନ୍ତି ବ୍ଯସ୍ତ ହୋଇ ।

ବିହଙ୍ଗ ଫେରନ୍ତି ଆଧାର ଧରିକି

ଶାବକ ପାଇଁ ନୀଡ଼କୁ ,

ଧେନୁ ଫେରୁଛନ୍ତି ଛାଡ଼ି ହମା ରଡ଼ି

ଧୂଳି ଉଡ଼ାଇ ଗୋଠକୁ ।

ଦିନଯାକ ପରିଶ୍ରମ କରି ଚାଷୀ

ଫେରଇ ଘରକୁ ଶେଷେ ,

ଶ୍ରମିକ ଫେରଇ ଶ୍ରମ ଅର୍ଥ ଧରି

ବିଶ୍ରାମ ନେବାର ଆଶେ ।

ଚଉଁରା ମୂଳରେ କୁଳ ଭୂଆଷୁଣୀ

ସଞ୍ଜବତୀ ଜାଳି ଡାକେ ,

ମାଆ ବୃନ୍ଦାବତୀ ସାହା ହୁଅ ମୋର

ପରିବାର ଦୁଃଖେ ସୁଖେ ।

ସଞ୍ଜ ଆସିଗଲେ ଗ୍ରାମ ଦେବାଳୟେ

ଶୁଭେ ଘଣ୍ଟ ଘଣ୍ଟା ନାଦ ,

ଗୀତା ଭାଗବତ ଶ୍ରବଣେ ପଠନେ

ହୁଅନ୍ତି ଜନେ ଆନନ୍ଦ ।

ଛାତ୍ର ଛାତ୍ରୀ ପ୍ରାର୍ଥନା ସାରି ବସନ୍ତି

ପାଠ ପଢ଼ିବାର ପାଇଁ ,

ଅନ୍ଧାର ଘୋଟଇ ଆକାଶର ବକ୍ଷେ

ତାରକା ଆସନ୍ତି ଉଇଁ ।

ଆସ୍ତେ ଆସ୍ତେ ବଢ଼େ ନିଶା ନିସ୍ତବ୍ଧତା

ବିଶ୍ରାମ ନେବାର ବେଳ ,

ସଞ୍ଜ ଯାଏ ଗଡ଼ି ରାତି ଆସେ ବଢ଼ି

କମିଯାଏ କୋଳାହଳ ।

ଜୟ ଶ୍ରୀଜଗନ୍ନାଥ।

ତରୁଣ କୁମାର ମିଶ୍ର ।

ଖଣ୍ଡଗିରି ,ଭୁବନେଶ୍ବର ।

ମୋ-9853310292

54.ରାଗ ରସ କୂଲ୍ୟା

ବାଧ୍ୟ କଲେ ନର ହୁଏ ବିଫଳ

ପ୍ରତ୍ୟେକ କାମରେ ବଢ଼େ ଦୁର୍ବଳ,

ଯେତେ ଯାହା କଲେମନ ଦୁର୍ବଳ

ଭଙ୍ଗା ମନ ଭାଙ୍ଗେ ତାର କେବଳ

ଦୁର୍ବଳର ଯେତେ ବଳ ଯେ

ଦିନେ ନାଶ ହୁଏ ମନ ହୃଦୟରୁ

ଦେହ ହୁଏ ଟଳମଳ ଯେ।୧।

ବାଧ୍ୟ ବାଧକତା ବିଫଳ କାମ,

ବାଧ୍ୟରେ କରିଲେ ଦୂର୍ଗତି ଆମ,

ସଫଳ ମଣିଷ ନୁହେଁ ସକ୍ଷମ

ବିଫଳ ମଧ୍ୟରେ ସଫଳ ଧର୍ମ,

ବାଧ୍ୟ ବାଧକତା କର୍ମ ଯେ

ଅମଣିଷ ଫଳ ହୋଇଲେ ବିଫଳ

ନାଶ ଯାଏ ସତ୍ୟ ଧର୍ମ ଯେ।୨।

ବାଧ୍ୟ ହୋଇ କଲେ ଜନ୍ମ ବିଫଳ,

ଧିକ୍କାର କରନ୍ତି ବଳିଷ୍ଠ ବଳ,

ଥଟା ତାମ ସାରେ ହୁଏ ଲଜ୍ଜିତ

ବାହାରି ନ ପାରେ ହୁଏ ଦୁଃଖିତ,

ଲୋକେ ହୁଏ ବରଜିତ ଯେ

ଅଯଥାରେ ଦିନେ ହୋଇ ଥାଏ ମର୍ତ୍ତ୍ୟେ

ସାଧୁ ମଧ୍ୟ ବିବର୍ଜିତ ଯେ।୩।

ବାଧ୍ୟରେ ନ ହୁଏ ସୁନ୍ଦର କାମ

ବାଧ୍ୟରେ ବ ବଢ଼େ ମଣିଷ ଆମ,

ବାଧ୍ୟ ବାଧକ ତା କୁପରି ଣାମ

ବାଧ୍ୟରେ କରିଲେ ଭାଇଗ ବାମ

ତେଣୁ ନ କରିବ ବାଧ୍ୟ ଯେ

ତେବେ ଯାଇ ହେବ ସକଳ କରମ

କାଲିକି ସହଜ ସାଧ୍ୟ ଯେ।୪।

ସଫଳ ବିଫଳ ବାଧ୍ୟ କରମ,

ମଣିଷର ନୁହେଁ ସାର ମରମ,

ତେଣୁ ବାଧ୍ୟ କରି କିଛି ନ କର

ଗୀତେବୋଲେ ଆଜି ବିଦିଆ ଧର

ବାଧ୍ୟତା ମୂଳକ କାମ ଯେ

ନ କରିବ କେବେ ଜୀଇଁ ଥିବ ଯେବେ

ନୋହିଲେ ଲଲାଟ ବାମ ଯେ।୫।

ଶ୍ରୀ ବିଦ୍ୟାଧର ମହାନ୍ତ , ତମ୍ବାହରା

ହରି ଚନ୍ଦନ ପୁର କେନ୍ଦୁଝର ଓଡ଼ିଶା

ମୋ ନ 7848000030.

49.ତାହାର ହୁଅଇ ଜିତ୍

ଲତା ବେହେରା ।

ସତ୍ୟ ଧର୍ମ ନ୍ୟାୟ ପଥେ ରହି ଯିଏ

ଦୁଃଖ କଷ୍ଟ ସହୁ ଥାଏ

ତାହାର ହୁଅଇ ଜିତ୍ ଦୁନିଆରେ

ଏକଥା ମିଛ ନ ହୁଏ ।

ପରୋପକାରଟି କରେ ଯେଉଁ ନର

ମନରେ ସ୍ବାର୍ଥ ନ ଥାଏ

ଯେତେ ଧୋକା ଆସୁ ଜୀବନେ ତାହାର

ଶେଷରେ ଜିତଇ ସିଏ ।

ଛଳନା କପଟ ଅହଂକାର ଠାରୁ

ଦୂରେ ରହି ଥାଏ ଯିଏ

ଅନ୍ୟ ଖୁସି ପାଇଁ ନିଜ ଖୁସି ତ୍ୟାଗ

କରୁଥାଏ ଜିତେ ସିଏ ।

ଦୟା କ୍ଷମା ମନୋଭାବ ଯାର ଥାଏ

ନିର୍ମଳ ହୃଦୟ ଥାଏ

ପବିତ୍ର ମନଟି ଶୁଭକାମନାଟି

କରେ ଯିଏ ଜିତେ ସିଏ ।

ମିଛ ବଡପଣ ମନ୍ଦ ଭାବ ଗୁଣ

ହୃଦୟେ ଯାର ନ ଥାଏ

ବିଶ୍ୱାସରେ ବିଷ ଭରି ଯେ ନ ଥାଏ

ଦୁନିଆରେ ଜିତେ ସିଏ ।

ଅନ୍ୟ ପାଇଁ ଯାର ଜୀବନ ଉତ୍ସର୍ଗ

ଅନ୍ୟ ଦୁଃଖେ ଦୁଃଖୀ ହୁଏ

ଅନ୍ୟ ସୁଖେ ଦିଏ ନିଜେ କଷ୍ଟ ସହେ

ସିଏ ହିଁ ତ ଜିତି ଥାଏ ।

ବିଶ୍ୱାସନିୟଟି ରହିଥାଏ ଯିଏ

ଭରସା ଭାଙ୍ଗି ନ ଥାଏ

ବେଇମାନୀ ଯିଏ କରି ତ ନଥାଏ

ଦୁନିଆରେ ଜିତେ ସିଏ ।

କଥା ଦେଇ ଯିଏ କଥା ରଖି ଥାଏ

ପଥଭ୍ରଷ୍ଟଟି ନ ହୁଏ

କାହାର ଭାବନା ସାଥେ ଯେ ଖେଳେନି

ସଂସାରେ ଜିତଇ ସିଏ ।

ଭଗବାନଙ୍କ ପାଖେ ନିଜକୁ ସମର୍ପି

ଦେଇଥାଏ ଜାଣ ଯିଏ

ପ୍ରଭୁଙ୍କ ଆଶିଷେ ଜୀବନ ତା ହସେ

ସିଏ ହିଁ ତ ଜିତି ଥାଏ

ଲତା ବେହେରା ।

ଜକା, ଢେଙ୍କାନାଳ

50.ମରାଳ ବାହିନୀ

ବସନ୍ତ ଋତୁ କୁ ସାଥିରେ ଆଣି ତୋ

ବସନ୍ତ ପଞ୍ଚମୀ ପୂଜା

ଜ୍ଞାନ ଦାତ୍ରୀ ବିଦ୍ୟlଦାତ୍ରୀ ବାକ ଦାତ୍ରୀ

ସଂସାରେ ଉଡେ ତୋ ଧ୍ବଜା l

ଶୁଭ୍ରା ବସ୍ତ୍ରାବୃତl ମରାଳ ବାହିନୀ

ବିଷ୍ଣୁଙ୍କ ଘରଣୀ ମାଆ

ମୂର୍ଖ କୁ ପଣ୍ଡିତ କରିପାରୁ ତୁହି

ସଂସାରେ ଖ୍ୟାତ ତୋ ନାଁ l

ମାଘମାସ ପୁଣ୍ୟ ମାସେ ଆଗମନ ଶୋଭିନୀୟ କରି ଧରା

ଘରଘରେ ପୂଜା ପାଉଥାଉ ତୁହି

ସକଳେ ତୋର ଆସରା l

ମହାମୂର୍ଖ କାଳି ଦାସ ତୋ ପ୍ରସନେ

ହେଲେ କବି ଅଗ୍ରଗନ୍ୟ

ତୋର ଦୟା ବଳେ ଅଜ୍ଞାନ ଦୁରେଇ

ସର୍ବେ ହେବେ ଜ୍ଞାନବାନ l

ଘୋର ବିପତ୍ତି ଏ ସଂସାରେ ଘୋଟିଛି

ବାରେ ପରିତ୍ରାଣ କର

ସଭିଙ୍କ ହୃଦୟେ ଜ୍ଞାନାଲୋକ ଜାଳି

ପୃଥିବୀ କୁ ଥୟ କର l

ବିଷ୍ଣୁପ୍ରିୟା ପଣ୍ଡା

ପହଂଗା, ନିଆଳି, କଟକ

51.ମଧୁ ବର୍ଣ୍ଣବୋଧ

ଡ ପଦ୍ମଲୋଚନ ରାଉତ

ଓଡ଼ିଶାରେ ଆଜି ଓଡ଼ିଆ କାହାଁନ୍ତି

ସକଳେ ସ୍ୱାର୍ଥପର

ମଧୁ ବର୍ଣ୍ଣବୋଧରୁ ମଧୁ ନାମ

ହଟାଇଲା ସରକାର

ଶୋଇଛି ଓଡ଼ିଆ ଜାତି

ଜାତି ଦ୍ରୋହୀର ଦେଖି କରାମତି

ଗରବରେ ଫୁଲେ ଛାତି ? ୧

ସ୍ରଷ୍ଟା ବିନା ସୃଷ୍ଟି ହୋଇଛି ସମ୍ଭବ

କହି କି ପାରିବ କିଏ

ବରପୁତ୍ରଙ୍କୁ ଅପମାନ କରି

ଜାତି କି ମହାନ୍ ହୁଏ

ନୀତି ନୈତିକତା ଭୁଲି

କ୍ଷମତା ବଳରେ ଭସ୍ମାସୁର ହେଲେ

ରଙ୍ଗ ବଦଳିବ ଖାଲି । ୨

ରଙ୍ଗ ବଦଳିଲା ଛବି ବଦଳିଲା

କଟିଲା ସ୍ରଷ୍ଟାଙ୍କ ନାଆଁ

ସତେକି ଶୃଗାଳ ଓଡ଼ିଆ ଜାତି ଟା

କହିବାକୁ ଡରେ କିଆଁ ?

ମୁହଁରେ ପକାଇ ତାଲା

ବରଷା ଯୁଆଡେ ଛତା ସିଆଡେ

ରାଇଜେ ଲାଗିଚି ପାଲା । ୩

ଉତ୍କଳ ସମାଜ ଉତ୍ କଳ ସମ୍ମିଳନୀ

ଶୋଇଛି ନିଘୋଡ଼ ନିଦେ

କର୍ପୂର ଉଡ଼ିଚି କନା ପଡ଼ିଅଛି

ଓଡ଼ିଆ ଭାବୁଚି ହୃଦେ

କଥା କୁହେ କୁହାଳିଆ

କାହିଁ ପ୍ରତିବାଦ କାହିଁ ଯେ ବିରୋଧ

ସବୁ ଏଠି ବାହାପିଆ । ୪

ଭକ୍ତକବିଙ୍କ ନାମ କାଟି ଦେଇ

ହରଷେ ମାରୁଚ ତାଳି

ସାହିତ୍ୟିକ ଯେତେ ଅଛନ୍ତି ରାଇଜେ

ମାନପତ୍ରେ କୋଳା କୋଳି

ରାଇଜକୁ କେତୁ ଦଶା

ଭାଷା ଦ୍ରୋହୀ ଏଠି ଭାଷଣ ମାରୁଚି

ରାଜ୍ୟ ହୁଏ ଲୋକହସା । ୫

ମଧୁ ବର୍ଣ୍ଣବୋଧ ମଧୁର କୀର୍ତ୍ତି

ଓଡ଼ିଆର ସ୍ବାଭିମାନ

ଭଣ୍ଡ ସରକାର ବରପୁତ୍ର ଙ୍କୁ

କରୁଅଛି ଅପମାନ

କହରେ ଓଡ଼ିଆ ଭାଇ

ଭୁଲିଗଲୁକି ରେ ଜାତି ସ୍ବାଭିମାନ

ସ୍ୱାର୍ଥରେ ବାଇ ହୋଇ ? ୬

ଜାଣିଛ କି ତମେ ଜାତି ଇତିହାସ

ବର୍ଣ୍ଣବୋଧ ଜନ୍ମ କଥା

କାନ୍ତିଲାଲ ପରା ଗାଦିରେ ବସିଚି

ଲାଜେ ନଇଁ ଯାଏ ମଥା

ଜାଗରେ ଓଡ଼ିଆ ଭାଇ

ଜାତି ଦ୍ରୋହୀ ନର କବର ନ ନେଲେ

ମୁକତି ମିଳିବ ନାହିଁ ! ୭

ଭେଦ ଭାବ ଭୁଲି ରାଜ ରାସ୍ତାରେ

କର ଆଜି ପ୍ରତିବାଦ

ଜାତିପ୍ରେମ ବହ୍ନି ଆଉ ଥରେ ଜଳୁ

ଭଙ୍ଗୁ ଏ ଦ୍ରୋହୀ ର ଗର୍ବ

ହେ ସ୍ଵାଭିମାନୀ ବୀର

ଦେଖି କି ପାରୁନ ରଙ୍ଗ ବଦଳାରେ

ମାତିଛି ଏ ସରକାର।

46.ବାପୁଜୀ

ଗୁଜୁରାଟର ପୋରବନ୍ଦରଠାରେ

ଜନମ ଲଭିଲ ଦିନେ ।

ଫିରିଙ୍ଗି ଶାସନ ହଟାଇବା ପାଇଁ

ସଂକଳ୍ପ କରିଲ ମନେ ।।1

ସତ୍ୟ ଅହିଂସାର ତୁମେତ ପୂଜାରୀ

ବନ୍ଦୀ କାରାଗାରେ ରହି ।

ଅହିଂସାର ମନ୍ତ୍ର ଶିଖାଇଲ ତୁମେ

ଏ ଦେଶ ବାସୀଙ୍କୁ ଯାଇ ।।2

ସ୍ୱାଧୀନତାପାଇଁ କେତେ ଦେଶବାସୀ

ଆଗେଇ ଆସିଲେ ଦିନେ ।

ଫିରିଙ୍ଗିର ତୋପ କମାଣ ଆଗରେ

ଜୀବନ ଦେଲେ ସେମାନେ ।।3

କେତେ ଲହୁଲୁହ ପ୍ରତିଦାନେ ଆଜି

ସ୍ୱାଧୀନ ଆମ ଏ ଦେଶ ।

କେତେ ବୀର ନିଜ ପ୍ରାଣ ବଳିଦେଇ

ରଖିଲେ କୀରତି ଯଶ ।।4

ତୁମରି ଅହିଂସା ଡ଼ାକରାରେ ଦିନେ

ଏ ଦେଶ ହେଲା ସ୍ୱାଧୀନ ।

ନିଜ ପରାଜୟ ସ୍ବୀକାରକରି

ଫେରିଲେ ଫିରିଙ୍ଗି ସୈନ୍ୟ ।।5

ଉଣେଇଶ ଷଡ଼ଚାଳିଶ ମସିହା

ଅଗଷ୍ଟ ପନ୍ଦର ଦିନ ।

ସ୍ୱାଧୀନ ହୋଇଲା ଆମ ଏ ଭାରତ

ହୋଇଲୁ ଆମେ ସ୍ୱାଧୀନ ।।6

କାଳର କରାଳେ ତୁମେ ଚାଲିଗଲ

ଝୁରୁଛି ଆଜି ଏ ଦେଶ ।

ଅହିଂସା ନୀତିକୁ ନବୁଝି ମଣିଷ

ଦେଉଛି ତୁମକୁ ଦୋଷ ।।7

କାହିଁ ଅଛ ବାପୁ ଏ ଧରା ଧାମକୁ

ଆସ ତୁମେ ଅଵତରି ।

ଅହିଂସାର ଭାଵ ଭରି ଦିଅମନେ

ହିଂସା ଯାଉ ଅପସରି ।।8

ତୁମେପରା ଦିନେ ଦେଖିଥିଲ ସ୍ୱପ୍ନ

ଗଢି ବାକୁ ରାମରାଜ୍ୟ ।

ସେ ରାଇଜେ ଆଜି ଦେଖିଯାଅ ବାପୁ

ଚାଲଇ କେତେ ଅରାଜ ।।9

ତୁମରି ଆଶୀଷେ ଦେଶ ବାସୀ ମନେ

ଜାଗୁ ଏକତାର ଭାଵ ।

ଛାଡି ହିଂସା ଦ୍ୱେଷ ସଭିଙ୍କ ମଧ୍ୟରେ

ଫେରୁ ଶାନ୍ତି ସଦଦ୍ଭାବ ।।10

ସତ୍ୟ ଧର୍ମ ନ୍ୟାୟ ପଥକୁ ସଭିଏଁ

କରନ୍ତୁ ଅନୁକରଣ ।

ତେବେଯାଇ ତୁମ ଅତୀତ ସ୍ବପନ

ଦିନେ ହୋଇବ ପୂରଣ ।।11

ସତ୍ୟ ଶାନ୍ତି ଦୟା କ୍ଷମାର ଆଦର୍ଶ

ତୁମେତ ଶିଖାଇଗଲ ।

ଜାତିର ଜନକ ଭାବରେ ଏଦେଶେ

ତୁମେ ପରିଚିତ ହେଲ ।।12

ସୁଶାନ୍ତ କୁମାର ଦାଶ ଦକ୍ଷଣ ଦିଆ

ମହିଳା ମହାବିଦ୍ୟାଳୟ ପାଖ

କେନାଲ ରୋଡ଼ ପଟ୍ଟାମୁଣ୍ଡାଇ ।

9438475703 ।

47.ଅବସର ର ବିନୋଦନ

ବାସର ରାତ୍ରିର ଗୋଲାପ କଢି ମୁଁ

ସକାଳେ ଡଷ୍ଟବିନ ରେ ରହି,

ସ୍ୱର ଅଳଙ୍କାର ମାହେନ୍ଦ୍ର ବେଳାର

କିଆଁ ହେଲା ବାଳୁଙ୍ଗା ଅଗାଡି??

ଥିଲା ଦିନ ଏକ ଭ୍ରମି ପଞ୍ଚତୀର୍ଥ..

ଗୋବର୍ଦ୍ଧନ ପୁରୀରେ ବସିଲି,

ପଞ୍ଚତିନ୍ସ ବର୍ଷ ସେବକ ସାଜିଲି,

ଗୋଧନ କଲ୍ୟାଣେ ଜୀବ ଶେଷ ll

କହିଥିଲେ ପିତା, ତୁଇ ମୋର ଏକା

ନିଜ ପରିଚୟ ନ ରଖିବୁ,

ଜୀଵନ ଜନମ ଛାଡ଼ିଦେବୁ ବାବୁ,

ନନ୍ଦ ଘରକୁ ନ ଫେରିବୁ ll

କରୁଛୁ ଅର୍ଜିଛୁ ପ୍ରାରବ୍ଧରୁ ଆଜ

ଗଣିବୁ ବାବୁ ଅଙ୍ଗୁଳ ଗାରେ..

ଅର୍ପଣ ତୋହର ଟଙ୍କାରେ ସୁଉକେ,

ପାପାର୍ଜନ ଅଣେ କୁ ଷୋଳଣେ..

ଦେଇଦେ ପାଇଏ, ପାଇବୁ ଗାଈଂଏ

ଅଙ୍ଗୁଳ ଟିପ୍ପରେ ଗଣୁଥିବୁ,

କହିଲା ହାଡ଼ି, ସାଙ୍ଗେ ଧରି ଖଡ଼ି,

ଦିଜ ହୋଇଲେ ବୈକୁଣ୍ଠ ବସିବୁ... ll

କର୍ମଯୋଗୀ ହୋଇ ସାଜି କର୍ମଯୋଗୀ

ସଦଗୁରୁଙ୍କ ଜ୍ଞାନ ବାଣ୍ଟିବୁ,

ଖୋଜୁଥିବୁ ନିତି ହୋଇ କର୍ମଯୋଗୀ

ଦ୍ଵାରକା ଦ୍ୱାରରେ ଯଗିବୁ,

ଯୋଗୀ ହୋଇଥିଲେ ବୃନ୍ଦାବନେ ଝୁଲି,

ଶବର ଶରରେ ମୁକ୍ତ ହେବୁ.. ll

ବୋପା ଦେଇଥିଲା ନିଶକୁ ଦେଖେଇ,

ଆଉ ହୁଅନା ତୁ ଛନଛନ,

ମଶାରୀ ଟାଙ୍ଗିଛି ସ୍ୱାରୋଜଗାରରେ

ବାଏ ବାଏ ବାବୁ.. ଆସିଲା ଅବସର ବେଳ..

ଆରେ ବାଇଆ କିଆଁ ଛାନିଆ,

ବାକି ପାଉଣା ତୋ ଦେଇଛୁ କି??

କହିବ କରମ ପଞ୍ଜିକା ତୋ'ର

ରହ ପେଚା ଏବେ ସଞ୍ଜ ହୋଇଛି..

ଅଅଧ ରାତିରେ ଖାଇବା ଭୁଲିଯା,

ଦିନରେ କୁକୁର ହୋଇବୁ,

ତେବେ ମନେ ହେଜିବୁ ଅବସର କେଡେ ମଜ୍ଜା ll

ନା ଏକ ସଜ୍ଜା?????

ମୃତ୍ୟୁଞ୍ଜୟ ଦାସ, ଶ୍ରୀକ୍ଷେତ୍ର ପୁରୀ,

c(@)-7205016505

48.ମାନ ତେଜ ମାନମୟୀ

ଆଗୋ ମୋର ପ୍ରାଣ ସହୀ

ଆଗୋ ରାଧାରାଣୀ ପ୍ରେମ ପାଗଳିନୀ

ଅଭିମାନ ମନୁ ତେଜ

କଥାଦେଇ ମୁହିଁ ଆସି ପାରିଲିନି

କ୍ଷମାକର ମୋତେ ଆଜ।

କ'ଣ ବା କରିବି ଯେତେ ଚେଷ୍ଟା କଲି

ଆସିବା ପାଇଁ କି ପାଶ

ଲଳିତା ବିଶାଖା କଲେ ପଥରୋଧ

କରିବି ମୁଁ କୁହ କିସ।

ଆସୁ ଆସୁ ଛପି ବିତିଗଲା ରାତି

ଭାବୁଥିଲି ମନେମନେ

କେମିତି ଭେଟିବି ହୃଦୟେଶ୍ବରୀକୁ

ବସିଥିବ ସେ ଗୁମାନେ।

ମାନ ଅଭିମାନ ତେଜ କର ମନୁ

କ୍ଷମା କରିଦିଅ ମୋତେ

ଆଉ କେବେ ଥରେ ହେବ ନାହିଁ ତ୍ରୁଟି

କଥା ଦେଉ ଅଛି ତୋତେ।

ଆସିବା ବେଳରେ ଅଷ୍ଟସଖୀ ମିଶି

ଘେରିଗଲେ ମୋତେ ଆସି

ସେଥିପାଇଁ ମୋର ହୋଇଗଲା ଡେରି

କିମ୍ପାଇଁ କରୁଛ ଦୋଷୀ।

କରିଦିଅ କ୍ଷମା ବୃଷଭାନୁ ଜେମା,

କରନାହିଁ ଆଉ ରୋଷ

ଦଣ୍ଡିଲେ ଦଣ୍ଡିବ କରିବିନି କ୍ଷୋଭ,

ତୁମେ ରାଣୀ ମୁହିଁ ଦାସ।

ମନୁମାନ ତେଜ ଆଗୋ ପ୍ରାଣସହୀ

ମନରୁ ଗୁମାନ ତେଜ

ଦଗାଦିଆ ମୁହିଁ ନୁହେଁ ମାନମୟୀ

ମନରେ ଟିକିଏ ହେଜ।

ରବିନ୍ଦ୍ରନାଥ ବାହିନୀପତି

ରାଇଘର

43.ଚିର ରହସ୍ୟମୟୀ

(( ବେଣୁଧର ସୂତାର ))

ମନ୍ଦ ସମୀରେ ଗନ୍ଧ ବିଛାଇ

ରଜନୀଗନ୍ଧା ର ନିଶି

ଚନ୍ଦ୍ର ରଜନୀରେ ଚକୋର ପିଉଛି

ଶୀତଳ ଜ୍ୟୋତ୍ସ୍ନା ରାଶି ।

ଚାନ୍ଦିନୀ ଦେହେ ବନ୍ଦିନୀ ଅବା

ସୃଷ୍ଟିର ଚାରୁ ଧାରା

ଅଳସୀ ରାତି ସ୍ଵପ୍ନରେ ମାତି

ହସାଏ ମର୍ତ୍ତ୍ୟ ସାରା ।

ତନ୍ଦ୍ରା ଅଧୀରେ ପ୍ରୀତି ମଧୁରେ

ନିଶୀଥ ସ୍ଵପ୍ନ ଆଙ୍କେ

ମିଥୁନ ମନ ପ୍ରୀତି ମଗନ

ମୁଗ୍ଧ ବୟସ ଫାଙ୍କେ ।

ଦିବସ ନିଶି ଉଷା ଉଷସୀ

ବାଢଇ ପୁଷ୍ପାଞ୍ଜଳି

ନିଃସର୍ଗ ତୋରା ଜୀବନ ଧାରା

ମମତା ସୁଧାବୋଳି ।

ମାଧୁର୍ଯ୍ୟ ମୟ ପ୍ରୀତି ପ୍ରତ୍ୟୟ

ତନୁ ବଲ୍ଲରୀ ଶିରୀ

ଛନ୍ଦ ମଧୁରେ ଜ୍ୟୋତ୍ସ୍ନା ଜୁଆରେ

ତନ୍ମୟୀ ବିଭାବରୀ ।

ନିଖିଳ ପ୍ରାଣ ଭାବପ୍ରବଣ

ଅମୃତ ଆସ୍ଵାଦନ

ଅବର୍ଣ୍ଣନୀୟ ମାଧୁର୍ଯ୍ୟମୟ

ଐଶ୍ୱର୍ଯ୍ୟ ନିକେତନ ‌।

ପ୍ରୀତିର ଫୁଲ ମମତା ମୂଲ

ନିଖିଳ ବିଶ୍ଵ ଭରା

ନାଭିରୁ ନଭ ଦିବ୍ୟ ଦୁର୍ଲଭ

ପ୍ରଶାନ୍ତି ଫଲ୍ଗୁ ଧାରା ।

ଭାବ ବିଭୋର ତୃପ୍ତି ମଧୁର

ନିଖିଳ ଅନ୍ତଃସ୍ଵର

ଜୋଛନା ରାତି ଅୟି ପ୍ରକୃତି

ଅନନ୍ତ ଶୋଭା ସାର ।

ପ୍ରକୃତି କୋଳ ସ୍ଵପ୍ନ ଭୂଗୋଳ

ମଧୁର ମାଦକତା

କୋଟି କଳ୍ପର ଭାବ ନିର୍ଝର

ସୃଷ୍ଟିର ବାସ୍ତବତା ।

ବିବିଧ ବର୍ଣ୍ଣା ଆବେଗପୂର୍ଣ୍ଣା

ସୃଷ୍ଟିର ଚାରୁକଳା

ସୁଧା ପସରା ମମତା ଧାରା

ଭାବ ଐଶ୍ୱର୍ଯ୍ୟମାଳା ।

ସପନ ମଗ୍ନା ଅମୃତ ଲଗ୍ନା

ଚିର ମଞ୍ଜୁଳ ପ୍ରୀତି

ସେ ଅନ୍ନପୂର୍ଣ୍ଣା ସ୍ଵୟଂ ସମ୍ପୁର୍ଣ୍ଣା

ଉଦାର ବସୁମତୀ ।

ସମ୍ମୋହ ଭରା ମମତା ଧାରା

ସୃଷ୍ଟି ମଙ୍ଗଳ ପାଇଁ

ଦିବ୍ୟ ବସୁଧା ଜୀବନ ସୁଧା

ଚିର ରହସ୍ୟମୟୀ ।

କେଶଦୁରାପାଳ କେନ୍ଦୁଝର

ମୋ-୯୧୭୮୫୬୮୨୪୬

44.ଝଡାପତର

ଜୀବନ ଗଛର ଆୟୁଷ ପତର

ଜନମିଲା ବେଳେ କଅଁଳ

କ୍ରମ ଅନୁସାରେ ଦିନୁ ଦିନ ବଢ଼ି

ହୋଇଥାଏ ସେହି ପାକଳ !!

ଗଛର ଯେମିତି ସବୁଜ ପତର

ପାଚିଲେ ହଳଦୀ ରଙ୍ଗର

ଦମକା ପଵନେ ଝଡି ଯାଇଥାଏ

ବସନ୍ତର ଆଗମନର !!

ଜୀବନ ସେମିତି ପାକଳ ହୋଇଲେ

ନଇଁ ଯାଇଥାଏ କମର

କଳା ବାଳ ସବୁ ଧଳା ହୋଇଯାଏ

ଲୋଚା କୋଚା ହୁଏ ଶରୀର !!

ସବୁ ଇନ୍ଦ୍ରିୟତ ଅକାମି ହୁଅନ୍ତି

କରନ୍ତିନି ଚଳ ପ୍ରଚଳ

ନା ନା ରୋଗ ବ୍ୟାଧି ଆସି ଘୋଟିଥାଏ

ଦିନ ରାତି ବିତେ ଶେଜ ର !!

ଆହାର ମୈଥୁନ ନିଦ୍ରା ହଜିଯାଏ

ବଞ୍ଚିବା କୁ ଲାଗେ ବିକଳ

ଅଟକିତ ଯାଏ ଅଣ ଚାଷ ବାଆ

ହୋଇଯାଏ ସ୍ଥିର ନିଶ୍ଚଳ!!

ଜୀବନ ଗଛ ଟା ମରିଗଲା ବୋଲି

ପଡ଼େ ଚାରିଆଡେ ଚହଳ

ସଂସାର ହାଟରୁ ସଉଦା ସରଇ

ଦେହ ମିଶେ ମାଟି ନିଆଁ ର ¡¡

ଭାଗବତ ସାହୁ, ଆଶୁ କବି, ନାଟ୍ୟକାର

ମା ବୀଣାପାଣି ସାହିତ୍ୟ କୁଟୀର

ଦୋଳପଦୀ, ବନ୍ତ, ଭଦ୍ରକ,

Mo=9437713276

45.ପରିତୃପ୍ତି

ବିପିନ ବିହାରୀ ବାରିକ

ସ୍ୱକୀୟ ସୁକର୍ମ ସାଧନ ପ୍ରସାଦ

ପ୍ରାଣେ ଦିଏ ଯେଉଁ ଶାନ୍ତି

କଷ୍ଟ ଲବ୍ଧ ସେହି ମଧୁ ସମ୍ମୋହନ

ଅନୁଭବ ପରିତୃପ୍ତି !!

ତପସ୍ୱିର ତୃପ୍ତି ଆତ୍ମ ସଂଦର୍ଶନେ

ତା ତପସ୍ୟା ପୂଣ୍ୟ ଫଳ

ପାଇ ମଣେ ଧନ୍ୟ ଜୀବନ ତାହାର

ଲଙ୍ଘି ଭବ ସିନ୍ଧୁ କୂଳ ll

ଇନ୍ଦ୍ରିୟ ଆଶକ୍ତ ପ୍ରାଣ ଲଭେ ତୃପ୍ତି

ପଞ୍ଚ ଇନ୍ଦ୍ରିୟ ତୃପ୍ତିରେ

ନାଶା,କର୍ଣ୍ଣ, ଚକ୍ଷୁ, ଜିହ୍ୱା, ଚର୍ମ ସର୍ବେ

ତୃପ୍ତ ଆପଣା ସେବାରେ ll

କଵିଟିର ତୃପ୍ତି ତା ସୃଷ୍ଟି ସମ୍ଭାରେ

ବିଶ୍ୱହିତେ ନିବେଦିତ

ଅମା ଅନ୍ଧାରରେ ଆଲୋକ ପ୍ରଦୀପ

ଯାହାର ଜୀବନ ବ୍ରତ ll

ସୁପୁତ୍ରର ତୃପ୍ତି ପିତୃ ମାତୃ ସେବା

ଜୀବନ ବ୍ରତ ପରମ

ସହି ସର୍ବ କଷ୍ଟ ସମର୍ପିତ ପ୍ରାଣ

ମଣି ପରମ ଧରମ ll

ବିଦ୍ୟାର୍ଥୀର ତୃପ୍ତି ଜ୍ଞାନ ଆହାରଣେ

ଗୁରୁଙ୍କର ବିଦ୍ୟାଦାନେ

ପିତା ମାତା ତୃପ୍ତି ସନ୍ତାନ ସୁଖରେ

ହୋଇଲେ ପଣରେ ଜଣେ ll

ତୃପ୍ତି ପରା ଏକ ହୃଦୟାନୁଭବ

ବ୍ୟକ୍ତିର ଚରିତ୍ର ଗୁଣେ

କୃତିତ୍ୱ ଅର୍ଜ୍ଜନ ଭରଇ ଆନନ୍ଦ

ହୃଦୟର ପ୍ରତି କୋଣେ ll

ପ୍ରାପ୍ତି ଦିଏ ତୃପ୍ତି, ଅପ୍ରାପ୍ତେ ଅତୃପ୍ତି

ପ୍ରାଣେ ଭରିଥାଏ ଦୁଃଖ

ପ୍ରାପ୍ତି ଅପ୍ରାପ୍ତିରେ ସମଦର୍ଶୀ ଜନ

ଅବିଚଳେ ଲଭେ ସୁଖ ll

ଗୋବିନ୍ଦ ନିତ୍ୟାନନ୍ଦ ନିଳୟ, ବାଲେଶ୍ୱର

40.ଭାରତ ଶ୍ରମିକ

ଲତା ବେହେରା ।

କୃଷି ଭିତ୍ତିକଟି ଏଇ ଆମ ଦେଶ

ଗର୍ବ ଓ ଗୌରବ ଇଏ

କେତେ ଯେ ଶ୍ରମିକ କର୍ମେ ଥାନ୍ତି ରତ

କର୍ମଟି ଜୀବନ ଥାଏ ।

ଦିନ ରାତି ଶ୍ରମ କରିଣ ଶ୍ରମିକ

ପେଟ ତାର ପୋଷୁ ଥାଏ

ଥକି ସେ ପଡେନି ପାଦ ଅଟକେନି

କରେ ପରିଶ୍ରମ ସିଏ ।

ପରିଶ୍ରମେ ତାର ପରିବାର ଚଳେ

ନୁହେଁ ଅଳସୁଆ ସିଏ

ଖରା ବର୍ଷା ଶୀତ ଡରି ସେ ଯାଏନି

କର୍ମେ ସଦା ରତ ଥାଏ ।

ପଖାଳ କଂସାଟି ଜୀବନ ତାହାର

ବଳ ଯୋଗାଇ ସେ ଥାଏ

ସକାଳରୁ ସଞ୍ଜ ଖଟେ ସେ ଏମିତି

ହାଲିଆ ନା କେବେ ହୁଏ ।

ଭାରତ ଶ୍ରମିକ ଅଟଇ ନୀର୍ଭୀକ

ଶ୍ରମକୁ ନା ଡରେ ସିଏ

ବୀର ଦର୍ପ ପରି ଶ୍ରମ ଯାଏ କରି

ଶ୍ରମେ ଆଗୁସାର ହୁଏ ।

ସତ୍ୟ ସଚ୍ଚୋଟରେ ମାଟିରେ ମାଟି ସେ

ହେଇ କର୍ମ କରି ଯାଏ

ଶ୍ରମିକ ବୋଲି ସେ ମନେ ଗର୍ବ ବହି

କର୍ମ କରି ଚାଲେ ସିଏ ।

ଏ ଶ୍ରମିକ ପାଇଁ ଏଇ ଆମ ଦେଶ

ଉନ୍ନତିଟି କରି ଥାଏ

ହେଲେ ଏ ଶ୍ରମିକ ଅନ୍ତର ଦୁଃଖକୁ

ବୁଝି ବା ପାରିଛି କିଏ ?

ଶ୍ରମିକଙ୍କ ଶ୍ରମେ ଆହାର ପାଉଛେ

ଜୀବନ ଦିଅନ୍ତି ସିଏ

କେମିତି ଜୀବନେ ରହିଛନ୍ତି ସିଏ

ନା ଆମେ ପଚାରି ଥାଏ ।

ଆମରି ଶ୍ରମିକ ଆମ ପାଇଁ ଗର୍ବ

ତାଙ୍କ ପାଦେ ମଥା ନୁଏଁ

ଆମରି ଦେଶରେ ଆମର ଶ୍ରମିକ

ଆମ ପାଇଁ ବଡ ସିଏ ।

ଲତା ବେହେରା ।

ଜକା, ଢେଙ୍କାନାଳ ।

41.ଝଡ଼

ଝଡ଼ର ସ୍ୱରୂପ କିପରି ଅଟଇ

ଭଲ କରି ଜାଣେନାହିଁ,

ଯେତିକି ଦେଖିଛି ପାଖରୁ ମୋହରି

ଭଲ କରି ବୁଝି ନାହିଁ।।

ବିନା ବାତ୍ୟାରେ ଝଡ଼ ଯେବେ ଉଠେ

ଗହନ ହୃଦୟ ଭେଦି,

ଭାଙ୍ଗି ଉଡିଯାଏ ମନର ଘରଟା

ଅସ୍ତିତ୍ବକୁ ଦିଏ ଛେଦି।।

କିଲାଭ ମିଳଇ ଦଗାବାଜି ଦେଇ

କେତେ ଆତ୍ମ ତୃପ୍ତି ମିଳେ?,

ଆନନ୍ଦ ସାଗରେ ଉବୁଟୁବୁ ହୋଇ

ମନ ଭଉଁରୀରେ ଖେଳେ।।

ଆଖିର ପଲକେ କାହାକୁ ବସାଏ

ସେଇ ସିନା ଏକା ଜାଣେ,

ପ୍ରତାରଣା ଏକ ସପନର ଖେଳ

ଭାବୁଥାଏ ମନେ ମନେ।।

ସତ ଫିଟି ପଡେ ଯେତେ ଲୁଚାଇଲେ

ହାତ ଗୋଡ ଦିଶୁଥାଏ,

ସତର ତାକତ କେତେ ଶକ୍ତିଶାଳୀ

ତା' ଆଗରେ ମଥା ନୁଏଁ।।

।। ଚିତ୍ରା ରାଣୀ ପାତ୍ର।।

।।ବାଲେଶ୍ଵର।।

42.ଅଭିଜ୍ଞତା

ଅନ୍ତୁଡ଼ିରୁ ଜୁଇ ଜୀବନେ ଆମର

ଉପଲବ୍ଧ ଅନୁଭୂତି ,

ଦେଇଥାଏ ଶିକ୍ଷା ପ୍ରତି ପଦକ୍ଷେପେ

ଗାଇ ଅଭିଜ୍ଞତା ଗୀତି ।

ତେଜିବାକୁ ଭୁଲପଥ ଅଭିଜ୍ଞତା

କରେ ଆମକୁ ସତର୍କ ,

ଗୁରୁ ଗୁରୁଜନଙ୍କର ଉପଦେଶ

ଅଭିଜ୍ଞତାର ସନ୍ତକ ।

ଜୀବନ କାଳରେ କର୍ତ୍ତବ୍ଯର ଧାରା

ଦେଇଥାଏ ଅନୁଭବ ,

ସେହି ଅନୁଭବ ଦିଏ ଯେଉଁ ଶିକ୍ଷା

ଅଭିଜ୍ଞତାର ପ୍ରଭାବ ।

ସୁଖ ଦୁଃଖ ଘୁରେ ସମୟ ଚକରେ

ଦେଇଥାଏ କେତେ ଶିକ୍ଷା ,

ସେହି ଶିକ୍ଷାଲବ୍ଧ ଘଟଣା ପ୍ରବାହ

ଅଟେ ପରା ଅଭିଜ୍ଞତା ।

ଜୀବନର ଚଲାପଥେ ହିଁ ଭରିଛି

ଅଭିଜ୍ଞତା ଅନୁଭୂତି ।

କେବେ ସେ ଚଖାଏ ବନ୍ଯାର ତାଣ୍ଡବ

କେବେ ମରୁଡ଼ିର ସ୍ଥିତି ।

କର୍ତ୍ତବ୍ଯ ପଥରେ ରହି ନିର୍ବିକାର

ପରିସ୍ଥିତି ସାମନାରେ ,

ଅଭିଜ୍ଞତା ଆପଣାଇଲେ ଜୀବନେ

ସଫଳତା ମିଳିବରେ ।

ଗୋଳିପାଣି କେବେ ବହଇ ନଦୀରେ

କେବେ କାଚକେନ୍ଦୁ ଜଳ ,

ହେଲେ ନଦୀ ଧାର ରହେ ନିର୍ବିକାର

ବହି ସେ ଉପରୁ ତଳ ।

ସେହିପରି ଆମ ଜୀବନେ ଆସିବ

ଉତ୍ଥାନ ପତନ କେତେ ,

ଅଭିଜ୍ଞତା ଅନୁସରି ସେ କର୍ତ୍ତବ୍ଯ

କରିଯିବା ବିଧିମତେ ।

ମାନବ ଜୀବନ ପାଇ ଅଛେ ଆମେ

ବିଶ୍ବମଙ୍ଗଳ ଚିନ୍ତନ ,

କରି ଚାଲିଥିବା ରଖିଣ ସନ୍ତକ

ଅଭିଜ୍ଞତାର ସ୍ପର୍ଶନ ।

ଜୟ ଶ୍ରୀଜଗନ୍ନାଥ ।

ତରୁଣ କୁମାର ମିଶ୍ର ।

ଖଣ୍ଡଗିରି ,ଭୁବନେଶ୍ବର ।

ମୋ-9853310292

37.ଭାରି ମନେ ପଡ଼େ

ଶୀତ ସକାଳର ଗାଁ ଦାଣ୍ଡେ ଧୂନି

ଚୁଗୁଳିଆ ଗପ ଆସର,

ଭାରିମନେପଡ଼େ କୁହୁଡି ଭିଜାରେ

ମଜା ପୂଜା ପାର୍ବଣର l

ଭାରି ମନେପଡ଼େ ପିଲାଦିନର ସେ

ଧୂଳି ଖେଳ ବାଲିଖେଳ,

ମାଆର ଆକଟ ତେନ୍ତୁଳି ଛାଟ ଓ

ଜେଜିମା କୋଳର ଗେଲ l

ମାଖୁନାରେ ଭାଇଭଉଣୀଙ୍କ ସହ

କଳି ଆଉ ମାଡଗୋଳ,

ବସ୍ତାନି କାନ୍ଧେଇ ଇସ୍କୁଲ ବାଟରେ

ଲୁଚି ଲୁଚି ଗୁଲିଖେଲ l

ଭାରି ମନେପଡ଼େ ଗୁରୁଜୀଙ୍କ ଦଣ୍ଡ

କାନଧରି ଉଠାଵସା,

ବଡ଼ ଟାଉଁସିଆ ଲାଗଇ ଦେହକୁ

ସାଙ୍ଗଙ୍କ ମୁରୁକି ହସା l

ଝାଞ୍ଜି ଖରାଟାରେ ବୁଲି ବୁଲି ଦେହ

ପଡିଯାଏ କଳାକାଠ,

ପୋଖରୀ ତୁଠରେ ପିତାତରଡି ରେ

ଘଷି ହେଉ ମୁହଁ ହାତ l

ଝିପି ଝିପି ମେଘେ ଚହଲା ପାଣିରେ

ଭସାଉ କାଗଜ ଡ଼ଙ୍ଗା,

ଭାଡିରୁ କାକୁଡି ଚୋରେଇ ଖାଇଲେ

ଅଜାଙ୍କ ହାତର ଠେଙ୍ଗା l

ଭାରି ମନେପଡ଼େ ବିତା ସମୟର

ଉଜ୍ବଳ ସ୍ମୃତିର ଗାର,

ଫେରି ଆସନ୍ତା କି ଅଲିଭା ଅତିତୁ

କ୍ଷଣଟେ ମୋ ପିଲା ଦିନର l

ଜୟ ଜଗନ୍ନାଥ

ଶୋଭାମୟୀ ପତ୍ରୀ, ତୁଳସୀକ୍ଷେତ୍ର, କେନ୍ଦ୍ରାପଡ଼ା

38.ବିଶ୍ଵାସର କଳ୍ପବୃକ୍ଷ

(( ବେଣୁଧର ସୂତାର ))

ଦିବସ ଦୀପ୍ତ ଦର୍ପଣେ

ତମସା ତୀର୍ଥ ତର୍ପଣେ

ଆକାଂକ୍ଷାର ଅନ୍ତଃସ୍ଵର ନେଇ

ଅମାପ ଆତୁର ପଣେ

ହୃଦୟର ଅନୁକୋଣେ

ଅସୁମାରୀ ଆଶା ଯାଏ ଛୁଇଁ ।।

ଏମନ ମରୁରେ ସିନା

ଉଠେ ପବିତ୍ର ମୂର୍ଚ୍ଛନା

ପ୍ରାଣର ବିକୃତ ତୃଷ୍ଣା ହରେ

କର୍ମର ତପସ୍ୱୀ ସାଜି

ଧର୍ମ ପଥେ ଯାଏ ମଜ୍ଜି

କାମନାର ବିତୃଷ୍ଣା ବିକାରେ ।।

ଏ ଧରାରେ ଦେହବହି

ପରିତ୍ରାଣ ଆଶା ନେଇ

ଲୋଡ଼େ ମୁକ୍ତି ତୀର୍ଥ ସଞ୍ଜୀବନୀ

ହୃଦ ପରିସୀମା ଡେଇଁ

ମାନବତା ଉଠେ ଚେଇଁ

ଦେହାତୀତ ଶିହରଣ ଘେନି ।।

ଜୀବନର ଚଲାପଥେ

ବିଶ୍ଵ କଲ୍ୟାଣର ଅର୍ଥେ

ଆଚରଇ ମହତ ସାଧନା

ପୁଲକି ଉଠଇ ପ୍ରାଣ

ଭରେ ମୁଗ୍ଧ ଶିହରଣ

ସତ୍ୟ ଶିବ ସୁନ୍ଦର ଅର୍ଚ୍ଚନା ।।

ପ୍ରଶାନ୍ତି ପୀୟୂଷ ଧାରା

ମନ କରେ ଆତ୍ମହରା

ଶାଶ୍ଵତ ପ୍ରେମରେ ମଗ୍ନ ଚିତ୍ତ

କରୁଣାର ରେଣୁ କଣା

ଜୀବନେ ନହୁଏ ଊଣା

ଝରିପଡେ ଆଶିଷର ସ୍ରୋତ ।।

ପ୍ରଶାନ୍ତି ସାଗର ତୀରେ

ଅମୃତ ଆବେଗ ସୁରେ

ମଙ୍ଗଳର ଗୀତି ଗାଇ ଗାଇ

ନାଚଇ ହୃଦୟ କନ୍ଦ

ଲୋଡ଼େ ଚରଣାରବିନ୍ଦ

ଭବ ମାୟା ଅନ୍ତରୁ ଦୂରେଇ ।।

ଅମୃତମୟ ସେ ଭାବ

ପୁଲକିତ ଅନୁଭବ

ବିଶ୍ଵାସର ଦିବ୍ୟ କଳ୍ପତରୁ

ତୁଟି ଯାଏ ମାୟ ମୋହ

ଦୟା କଲେ ଦୟାମୟ

ମୋକ୍ଷମୁକ୍ତି ମିଳେ ଏସଂସାରୁ ।।

ପ୍ରତୀକ୍ଷିତ ଆତ୍ମା ପୁରେ

ପ୍ରାପ୍ତିର ପୁଲକ ଭରେ

ଗାଏ ପୁଣ୍ୟ ମୁକ୍ତିର ସଙ୍ଗୀତ

ଲଳିତ ମୋହନ ଛବି

ହୃଦ ମଧ୍ୟେ ଅନୁଭବି

ଲୋଡ଼େ ପ୍ରାଣ ପାବନ ଅମୃତ ।।

କେଶଦୁରାପାଳ କେନ୍ଦୁଝର

ଦୂରଭାଷ-୯୧୭୮୫୬୮୨୪୬

39.କମ୍ଵଳ କହୁଛି ରେଜେଇକୁ

ଅପର୍ତ୍ତି ସେଠୀ

(ରମ୍ୟ ରଚନା)

କମ୍ଵଳ କହେ ରେଜେଇ ଭାଇ

ଚାଲ୍‌ ପଡ଼ିବା ଶୋଇ,

ଶୀତ ତ ନାହିଁ ଆମଠିଁ ଆଉ

କାର୍ଯ୍ୟ ବି କିଛି ନାହିଁ।

ହେଁସ ମ‌ଉସା ଭିଡିକି‌ କଚ୍ଛା‌

କେବେଠୁଁ ଖସିଲାଣି‌,

ଏ ପରଯନ୍ତ‌ ଶୀତର ସ୍ପର୍ଶ

ଦେହରେ ବାଜିଲାନି।

ମଣିଷ ଭାଇ ଖୋଜିଲା ନାହିଁ

ବାକ୍ସରେ ଆମେ ଥାଇ‌,

ଆରାମ କରି ପଡ଼ିବା ଶୋଇ

ତ କିଛି ଦିନ ପାଇଁ।

ଫ୍ଯାନ୍‌,କୁଲର,ଏସି‌ ଖଟନ୍ତୁ

ଆମର ମିଳୁ ରେଷ୍ଟ‌୍,

ସବୁ ଜିନିଷ ଭଳି ଏ ଶୀତ

ହେଲାଣି ଡୁପ୍‌ଲିକେଟ୍‌।

କହେ ରେଜେଇ କମ୍ଵଳ ଭାଇ

ଯାହା କହିଲୁ ସତ,

ଏ ସବୁ ପାଇଁ ମଣିଷ ଦାୟୀ

ନାହିଁ ଏଥିରେ ମିଛ।

କାଟିଲା‌ ଗଛ ଜଙ୍ଗଲ ନଷ୍ଟ,

ଗଢି‌ଲା କାରଖାନା,

ଦୂଷିତ ଜଳ କରେ ବିଷାକ୍ତ

ପ୍ରକୃତି ଆନମନା।

ଗାଡି ମଟର ବିଷାକ୍ତ ଧୂଆଁ

ବାୟୂର ପ୍ରଦୂଷଣ,

ତେଣୁ ହରାଏ ପ୍ରକୃତି ରାଣୀ

ଆପଣା ସନ୍ତୁଳନ।

ପାଚିଲା ଧାନ ଆଜି ଉଜୁଡେ

ମାଡ଼ି ଆସୁଛି ବାତ୍ୟା,

ଅଦିନେ ଲଘୁଚାପ ସୁନାମି

ଉଡୁଛି ଭାଗ୍ୟ ଛତା।

ଏହି ଶୀତୁଆ ଦିନିଆ କଥା

ମନେ ପଡୁଛି ଭାଇ,

ହେଁସ ,କତରା‌ ,କନ୍ଥା,କମଳ,

ଶୀତ ସମ୍ଭାଳେ ନାହିଁ।

ଓଠରେ‌ ଓଠ ଦାନ୍ତରେ‌ ଦାନ୍ତ

ହୁଅଇ‌ ଠକଠକ‌,

ବୁଢ଼ା ବୁଢିଏ‌ ଡାକୁଥାଆନ୍ତି‌

ରଖ‌ ହେ ପ୍ରଭୁ ରଖ‌।

ସକାଳେ ଏଇ ଛୁଆଙ୍କ ବେକେ

ଲୁଙ୍ଗିକି ବାନ୍ଧେ ମାଆ,

କହିବ ପୁଅ ଠୋଲା‌ ଜାଳିକି

ନିଆଁ ପାଇବୁ ଯାଆ‌।

କଙ୍କଡ଼ା ଛେରା ରକଟା‌ ମାଟି

ଧାନକଟାର‌ ବେଳ,

କୋହଲା ବାଆ‌ ସୁଲୁସୁଲୁଆ

କଣ୍ଟେଇକୋଳି‌ ତୋଳ ।

ପୋଖରୀ ଜଳ ଦେଖିଲେ‌ ଡର

ଗାଧୁଆ ବେଳେ‌ କାନ୍ଦ,

ପିଲାଙ୍କ ପାଇଁ ସେବେଳେ କିନ୍ତୁ

ଶୀତ ଲାଗ‌ଇ ମନ୍ଦ।

ପୁଷୁମାସିଆ ଶୀତଟା ଟାଣ

ଚମ ଫଟାଇ ଦିଏ,

ମାଘମାସିଆ ବାଘୁଆ ଶୀତ

ଭାରି ଡର‌ଉ ଥାଏ‌।

ସେ କଥା କିନ୍ତୁ ଛବି ବହିରେ

ଲୁଚିଛପିକି ଅଛି ,

ମାଘମାସିଆ‌ ଶୀତ ଆଜି ତ

କୁଆଡେ ଉଭେଇଛି‌।

ତଥାପି ଶୀତ ପ୍ରକୃତ ମିତ

ଦେହକୁ ରଖେ ସୁସ୍ଥ,

କମ୍ଵଳ ଆଉ ରେଜେଇ ବାଣୀ

ଶୁଣି ମୁଁ ଆନନ୍ଦିତ‌।

(ପାଳକଣା‌, କୋରୋ‌, କେନ୍ଦ୍ରାପଡ଼ା

ମୋ - ୭୮୯୪୩୯୮୫୦୦)

34.ଶୀର୍ଷକ-ମାଆଙ୍କ ଆଶିଷ

ପ୍ରଜ୍ଞାଲୀନ ସାହୁ

ଜିତିଗଲି ମୁହିଁ ଜୀବନ ପଥରେ

ପାଇଲି ଯେବେ ଆଶିଷ

ସେ ଆଶିଷ ଅଟେ ମାଆ ଆଶୀର୍ବାଦ

ନିଃସ୍ୱାର୍ଥ ସ୍ନେହର ବାସ ||

ମୋହର ମାୟାରେ ଭୁଲିଥିଲି ବାଟ

ଅହଂର ପାଇକି ସ୍ପର୍ଶ

ଯେବେ ସରିଗଲା ଧନ ଭଣ୍ଡାରରୁ

ବନ୍ଦ କରାଗଲା ଶ୍ୱାସ ||

ନିଃଶ୍ୱାସ ରୁଦ୍ଧରେ ବିଶ୍ୱାସ ହାରିଲା

ଖୁଁ ଖୁଁ ହୋଇ ଶ୍ୱାସ କାଶ

ନିଃସ୍ୱାର୍ଥ'ର ମାଆ ବଢ଼ାଇଲେ ହାତ

ଦେଇକି ଅମୃତ ସ୍ପର୍ଶ ||

ମିଳିଗଲା ଆସ୍ଥା ଜୀବନ ପ୍ରାଣକୁ

ଏହି ରାସ୍ତା ନୁହେଁ ଶେଷ

ମଞ୍ଜୁ ରୂପବନ ଗୋଲାପର ଫୁଲ

ଖିଲି ଖିଲି ଦେଖ ହସ ||

ନିସ୍ପନ୍ଦ ମଞ୍ଜି ସେ ସବୁଜ ଖେଳାଏ

ଫୁଲ ଫଳ ପତ୍ର ବାସ

ପଡିକି ଉଠିବା ଜୀବନର ନାଵ

ହାରିବାନି ସ୍ୱ ବିଶ୍ୱାସ ||

ଶୁଣିକରି ଗାଥା ଜିଣିଲା ସ୍ପନ୍ଦନ

ଜୀବନର ଲକ୍ଷ୍ୟ ଶୀର୍ଷ

ହାରିନାହିଁ ଯିଏ ଅନୁଭବୀ ନୁହେଁ

ଜିତିବାର ସେବା ବାସ||

ଜଗତସିଂହପୁର

35.ଆପଣା ଅର୍ଜିତ କରମ

ଲୋଭରେ ପଡିଛୁ ବାଇଆ ମନ ରେ

ମୋହରେ ପଡିଛୁ ତୁହି

ଦିନ ଟେ ଆସିବ ଉଡ଼ି ଯିବ ନିଶ୍ଚେ

ମନ ପରାଣ ଚଢ଼େଇ।।

ତୁ କିଛି ନେଇ ଯିବୁ ନାହିଁ

ଆସିଛୁ ଲଙ୍ଗଳା ଯିବୁରେ ଲଙ୍ଗଳା

ସାକ୍ଷୀ ଥିବ କାଠ ଜୁଇ।।

ସଭିଙ୍କୁ କହୁଛୁ ମୋ'ର ମୋ'ର ବୋଲି

ଛଡାଉ ଆନର ଦାନା

ହତ୍ୟା ଡ଼କାୟତି ପୀଡନ ଶୋଷଣ

ପାଲଟେ ତୋର ଗହଣା

ହେଲା ତୋର ପାପ ଭରଣା

ଏତେ ପାପ ଭାର ସହେ ନାହିଁ ଧର୍ମ

ମୃତ୍ୟୁ,ବିନା ପଇସାରେ କିଣା।।

ପୁଅ ଝିଅ ସ୍ତ୍ରୀ ନାତି କି ନାତୁଣୀ

କେହି ଯିବେ ନାହିଁ ସଙ୍ଗେ

ଦଶ ବାର ଦିନ ପାଳୁଥିବେ ଶୋକ

ପଡ଼ିଶା ହସିବେ ବ୍ୟଙ୍ଗେ।।

ବୋଲୁ ଥିବେ ସଙ୍ଗେ ସଙ୍ଗେ

ଗଲାନି ଯେ ଗୋଟେ ଭେଡା ଚାଲିଗଲା

ମୁହଁ ଝାଡ଼ି ନାନା ବାଗେ।।

ଗୁଣ ଯଶ ଖ୍ୟାତି ସବୁ ସରିଯିବ

ଅପଯଶ ମୁଣ୍ଡେ ନେବୁ

ମଲା ଗାତରେ ତୋ ଅସ୍ଥି ବାହୁନିବ

କେତେ ଯେ ହିନସ୍ଥା ହେବୁ

ଦୋଷ ବା କାହାର ଦେବୁ

ଆପଣା ଅର୍ଜିତ କରମ ତୋହର

ଫଳ ତୁହି ଭୁଞ୍ଜୁଥିବୁ।।

ଏ ହାତର ପାପ ସେ ହାତ ନ ନେବ

କେହି କହିବେନି ଆହାଃ

ଦାନ ଧର୍ମ ବଳ ସାଥିରେ ଥିଲେ ହେଁ

ଈଶ୍ୱର କରିବେ ଦୟା।।

ଆରେ ରେ ଆରେ ରେ ବାୟା

ତୁ ଯେମିତିକା ସରବେ ସେମିତି

ଦୁନିଆ ହିଁ ଦୁଇ ନିଆଁ।।

ସୌଦାଗର ବିଶ୍ବାଳ

36.କବିତାର ଶୀର୍ଷକ ଯେସାକୁ ତେସା

ରଚନା —କ୍ଷୀରୋଦ କୁମାର ଦାଶ

ଶୁଣ ରେ ମୋର ଭାଇ ଭଉଣୀ

ଶୁଣ ମୋହର କଥା

ସ୍ୱାଭିମାନରେ ବଞ୍ଚିବା ଶିଖ

ନହୋଇ ପଦ ଚଟା ।।

ହେଲେ ସରଳ ଜାଣ ମରିଲ

କଳି ଯୁଗର ନୀତି

ଯେସାକୁ ତେସା ନହେବ ଯଦି

ନିଶ୍ଚେ ସହିବ କ୍ଷତି ।।

ଶତ୍ରୁକୁ ଯେବେ ଦୟା କରିବ

ହୋଇବ ହଟ ହଟା

ମୁଳୁ ମାରିଲେ ଯିବରେ ସରି

ଆଉ ନଥିବ ଚିନ୍ତା ।।

ଶତ୍ରୁ କେବେବି ହେବନି ମିତ୍ର

ଯେତେ ଛଳନା କଲେ

ସୁଯୋଗ ଦେଖି ଚିପିବ ତଣ୍ଟି

ପକାଇ ମାୟା ଜାଲେ ।।

ଚାଷୀକୁ ଦେଖ ବାଳୁଙ୍ଗା ଗଛ

କ୍ଷେତୁ ଓପାଡି ଦେଇ

ହିଡ ଉପରେ ଫୋପାଡି ଦିଏ

ଭଲ ଅମଳ ପାଇଁ ।।

ମୂଳୁ ମାରିଲେ ଯିବରେ ସରି

ବାଳୁଙ୍ଗା ଭୟ ନାହିଁ

ବାଳୁଙ୍ଗା ପ୍ରୀତି ରଖିଲେ ଚାଷୀ

ଚାଷୀରେ ଗଣା ନୋହି ।।

ଅଣ୍ଟିରେ ନିଆଁ ରଖିଲେ ଭରି

ଅଣ୍ଟି ଯିବରେ ଜଳି

ନିଆଁକୁ ଦେଖି ପ୍ରିତି ନରଖି

ପାଣି ଦେବରେ ଢ଼ାଳି ।।

ସର୍ପର ଧର୍ମ ଅଟେ ଦଂଶନ

ତା’ର ସ୍ଵଭାବ ଏହି

ସର୍ପ ସହିତ ବାନ୍ଧିଲେ ମିତ୍ର

ଦଂଶିବ ଆନ ନୋହି ।।

ଯିଏ ହୋଇଲା ପ୍ରାଣ ବଇରୀ

ଦିଅ ମୂଳରୁ ମାରି

ରହିଲେ ସିନା ଦାଉ ସାଧିବ

କାୟା ବିସ୍ତାର କରି ।।

ସୁବାସ ବୋଷ ନୀତି ଆଦର୍ଶ

ତାଙ୍କ ତେଜସ୍ଵୀ ବାଣୀ

ଇଟା ଜବାବ ଦିଅ ପଥରେ

ଆଣ ଇଜ୍ଜତ ଟାଣି ।।

ଯେସାକୁ ତେସା ନୀତିକୁ ଧର

ନେତାଜୀ ନୀତି ମାନି

ସମ୍ମାନ ସହ ସଂସାରେ ରୁହ

ହୋଇକି ସ୍ଵାଭିମାନୀ ।।

ଯେସାକୁ ତେସା କଠୋର ଧର୍ମ

ଜୀବନେ ବ୍ରତ କଲେ

ଏ କଳି କାଳେ ଚଳିବ ଭଲେ

ସମ୍ମାନ ସହକାରେ ।।

କ୍ଷୀରୋଦ କୁମର ଦାଶ

ମାଟିଆ, ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡା

31.ଶୀତ ଯାଏ ଅପସରି

ଶୀତ ଏବେ ତାର ମେଲାଣି ମାଗୁଛି

ଥିରି ଥିରି ଅପସରି,

କାକର ବିନ୍ଦୁବି ପଡୁନାହିଁ ବେଶି

ଫୁଲ ଦେହେ ଆଗପରି।।

ଶୀତ ରାତି ଏବେ ଅଥୟ କରୁନି

ଜାଡରେ ଥରୁନି ଦେହ,

କମ୍ବଳ ପରଶ ଦୂରେଇ ଯାଇଛି

ନାହିଁ ହାଡ଼ ଥରା ଭୟ।।

ବସନ୍ତ ବାରତା ଆଣିଲାଣି ପିକ

ଆମ୍ବ ପତ୍ର ଗହଳରେ,

ବକୁଳ ଚାମର ବିଞ୍ଚି ଦେଉଅଛି

ବିନା ମଳୟ ବୁହାରେ।।

ଫଗୁଣ ଫୁଲେଇ ଆସିବାକୁ କେତେ

ରଙ୍ଗ ଭରି ବସିଅଛି,

ପ୍ରତୀକ୍ଷା ତାହର ସରି ଆସୁଅଛି

ଉଲ୍ଲସିତ ହେଉଅଛି।।

ଫୁଟିଯିବ ଏବେ ମାଳତୀ ମାଧବୀ

ଚମ୍ପା ରଜନୀଗନ୍ଧା,

କେତେ କେତେ ପ୍ରେମୀ ବାଇୟା ହୋଇବେ

ମନ ପଡ଼ିଯିବ ବନ୍ଧା।।

ବସନ୍ତ ତାହର ପସରା ମେଲାଇ

ଚତୁର୍ଦ୍ଦିଗ ମହକିବ,

ହଳଦୀ ବସନ୍ତ ଡେଣା ଝାଡ଼ିଦେଇ

ଡାଳେ ଡାଳେ ଉଡିଯିବ।।

ମଳୟ ବାଆରେ ମତୁଆଲା ହେଇ

ମଲ୍ଲି ବାସ ବିତରିବ,

ଅନୁଢ଼ା କିଶୋରୀ ନୂଆ ନୂଆ କରି

ରଙ୍ଗ ମନେ ଭରୁଥିବ।।

ପେନ୍ଥା ପେନ୍ଥା ଫୁଲ ମାଳତୀ ଝରାରେ

ଗଭାକୁ ସଜାଇ କରି,

ନୂଆ ବୋହୂଟିଏ ଆସିବ ଲଜ୍ଜାରେ

ମୁହଁକୁତା' ପୋତି କରି।।

ବାସ ଚନ୍ଦନରେ ପ୍ରଲେପ ଲଗାଇ

ଦେହକୁ ଶୀତଳ କରି,

ଝାଞ୍ଜି ପବନକୁ ଦୂରେଇ ରଖିବ

ଦେହେ ବାଜିବାକୁ ଥିରି।।

ଶୀତ ଓ ବସନ୍ତ ଆଗପଛ ହୋଇ

ଆସନ୍ତି ଧରାକୁ ଯେବେ,

ବର୍ଣ୍ଣ ମହୋତ୍ସବ ଧରାରେ ହୁଅଇ

ପୁଲକ ମନରେ ଜାଗେ ।।

।। ଚିତ୍ରା ରାଣୀ ପାତ୍ର।।

।। ବାଲେଶ୍ୱର।।

32.ପାପ

ରଶ୍ମିତା ନାୟକ

ସୃଷ୍ଟି ଆରମ୍ଭରୁ ସଂସାରୀ ଭୋଗଇ

କେତେ ଦୁଃଖ କେତେ ସୁଖ

କିଏ ପୂଣ୍ୟ କରେ କିଏ ପାପ କରେ

କୁଭାଷା ର୍ନିଗତ ମୁଖ ll

ମନର ଆୟତ୍ତ ଆମରି ଶରୀର

କାର୍ଯ୍ୟ କରେ ମନମାନି

ମନ ସଂଯମରେ ବିବେକ ବୋଲରେ

ଜନ ହୁଏ ଆତ୍ମଜ୍ଞାନୀ ll

ସ୍ୱୟଂ ମନ ଗୁରୁ ସୂଚାଇ ଦିଅଇ

କର୍ମ, କର୍ତ୍ତବ୍ୟର ପାପ

ପାପୀଟିଏ ବୋଲି ଘୃଣାକରି ଲୋକେ

ପାପୀକୁ ଫିଙ୍ଗନ୍ତି ଛେପ ll

ମନ ପ୍ରବର୍ତ୍ତାଏ ପାପ କରିବାକୁ

ଶରୀର ପୀଡା ଭୋଗଇ

କିମ୍ପାଇଁ ଏମିତି ନିୟମ କରିଛି

ମୁଁ ବିଶ୍ୱବ୍ରହ୍ମ୍ଲାଣ୍ଡ ସାଇଁ ll

ସୃଷ୍ଟି ସମ୍ବିଧାନ ପାପ ପାଇଁ ପୂଣ୍ୟ

ପର ଉପକାରୀ ଜନ

ବେଦ,ଶାସ୍ତ୍ର, ନାମ,ତପସ୍ୟା ଓ ଯଜ୍ଞ

ରଚିଛି ମୁଁ ସମାଧାନ ll

ପଞ୍ଚତୀର୍ଥ ଜଳେ ଶରୀର ବୁଡ଼ଇ

ସେ କାଳେ ମନ ଅସ୍ଥିର

ନିଜ ସୁଖ ପାଇଁ ଚିନ୍ତା କରୁଥାଇ

ବୁଲୁଥାଇ ତିନିପୁର ll

ତମସ୍ୱିନୀ ପାଇଁ ଦିବସ ଦ୍ୟୁତିର

ସୌନ୍ଦର୍ଯ୍ୟ ପ୍ରାଣୀ ଆଦରେ

ସତ୍ୟବାଦୀ, ଆତ୍ମ ସଂଯମୀ, ଧାର୍ମିକ

ତରନ୍ତି ମୋ ପୃଥିବୀରେ ll

ସତ୍ୟ ଯୁଗେ ତପ ତ୍ରେତୟାରେ ଯଜ୍ଞ

କଳିରେ ନାମ ଜପରେ

ପାପୀ ମହାପାପୀ ମୁକତି ଲଭିବେ

ଏଇ ମୋର ପୃଥିବୀରେ ll

ଜଗତସିଂହପୁର

33.ସଞ୍ଜ ଆସେ ନଇଁ ନଇଁ

ସୁନ୍ଦର ସଂସାର ଶ୍ରୀ ହରି ବିହାର

ସୁବାସ ଚନ୍ଦନ ଭରା,

ବହେ ମନ୍ଦ ମନ୍ଦ ମଧୁ ମକରନ୍ଦ

ସୁବାସିତ ମଞ୍ଜୁ ଧରା।୧।

ବନ ଉପବନ ମଳୟ ପବନ

ପକ୍ଷୀ କୀଟ ପ୍ରଜାପତି,

ସଦା ମୁଖରିତ ସୁଧା ବିଛୁରିତ

ଅନ୍ଧାର ଆଲୋକ ବତି।୨।

ହୃଦୟ ନିର୍ମଳ କରେ କଳ କଳ

ଆକାଶୁୁ ପଡ଼ଇ ଝରି,

ମଧୁର ସୁନ୍ଦର ମୁଗ୍ଧ ରତ୍ନାକର

ବିଶ୍ଵ ଆସେ ନିତ୍ୟଭରି।୩।

ଶୀତଳ କିରଣ ଉତ୍ତାପ ପବନ

କୁଞ୍ଜେ କୁଞ୍ଜେ ରମ୍ୟ ଫୁଲ,

କରେ ଝଲମଲ ହସେ ଖଳ ଖଳ

ପ୍ରକୃତି ଅମୂଲ ମୂଲ।୪।

ପ୍ରକୃତି ସୁନ୍ଦରୀ ପ୍ରାତଃ ବିଭାବରୀ

ସନ୍ଧ୍ୟା କାଳ ବଦଳାଏ ,

ବିଧିର ସର୍ଜନା ଅଦ୍ଭୁତ କଳ୍ପନା

ଗଢ଼ଇ ଆପଣା ଛାଏଁ।୫।

ସକାଳ ସନ୍ଧ୍ୟାରେ ପକ୍ଷୀଏ ସୁଖରେ

କରିଥାନ୍ତି କଳ ରବ,

ବିଶ୍ବର ବିଭିନ୍ନ ମନ୍ଦିର ପ୍ରାଙ୍ଗଣ

ଶୁଭେ ଘଣ୍ଟ ଘଣ୍ଟା ରଵ।୬।

ଶଙ୍ଖ ହୁଳହୁଳି ଜନ କରତାଳି

ଓମଙ୍କାର ମନ୍ତ୍ର ଧ୍ଵନି,

ହୁଏ ନିନାଦିତ ସଦା ସମ୍ପାଦିତ

ବିଶ୍ଵ ସାରା ହୋଇ ବୁଣି।୭।

ପୂରୁବ ଦିଗରେ ଉତ୍ତୁଙ୍ଗ ଶିଖରେ

ସୂର୍ଯ୍ୟ ଦେବ ଉଇଁ ଆସେ ,

ସୁନ୍ଦର ଆକାଶେ ମେଘମାଳା ଭାସେ

ବିଧିର ନବ ପ୍ରକାଶେ।୮।

ଶିଖରୀ ଶିଖରୁ ବର୍ଷା ଆରମ୍ଭରୁ

ଦେଖାଏ ନବୀନ ଦୃଶ୍ୟ,

କେତେବେଳେ କରେ ରସାଳ ସଂସାରେ

ପରିସ୍ଥିତି କରି କୃଶ୍ୟ।୯।

ଏହି ପରିସ୍ଥିତ ହେଲେ ଅବଗତି

ସନ୍ଧ୍ୟା ଯେବେ ଆସେ ନଇଁ ,

ପ୍ରକୃତି ସୁନ୍ଦରୀ ନବ ରୂପ ଧରି

କାଳସ୍ରୋତେ ଆସେବହି।୧୦।

ବିଧିର ବିଧାନ ବଡ଼ ସମ୍ବିଧାନ

ଅସମ୍ଭବ ସୃଷ୍ଟି ହୁଏ,

ସନ୍ଧ୍ୟାଯେବେ ଧୀରେ ସମଗ୍ର ମର୍ତ୍ତ୍ୟରେ

ପ୍ରକୃତି କଳ୍ପନା ଛୁଏଁ।୧୧।

ନବ ରୂପ ଧରି ମାତା ବସୁନ୍ଧରୀ

ସଞ୍ଜ ଆସେ ନଇଁ ନଇଁ

ବନେବନେ ଫୁଟେ ଫୁଲ ବାସ ଛୁଟେ

ସରୋବରେ ଫୁଟେ କଇଁ।୧୨।

ସୂର୍ଯ୍ୟ ଅସ୍ତହେଲେ ଜଗତରେ ଭଲେ

ସଞ୍ଜ ଆସେ ନଇଁ ନଇଁ,

ସାରା ଜଗତର ରୂପର ସମ୍ଭାର

ପ୍ରକୃତି ଯାଉଛି କହି।୧୩।

ପ୍ରକୃତି କଳ୍ପନା ଦିବ୍ୟ ସମ୍ଭାବନା

ତାହା ବିଶ୍ଵ ପାଇଁ ଜଣା,

ପ୍ରକୃତି କରଇ ଯେତେ ଯେତେ ମହୀ

ନରେ କରେ ଉଚ୍ଚମନା।୧୪।

ସମାପ୍ତ

ଶ୍ରୀ ବିଦ୍ୟାଧର ମହାନ୍ତ, ତମ୍ବାହରା,

ହରି ଚନ୍ଦନ ପୁର କେନ୍ଦୁଝର ଓଡ଼ିଶା

ମୋ ନ 7848000030.

28.ସେଚେତନର ବେଳ(ଜୟ କୁମାର ମିଶ୍ର )

ସରି ଆସେ ଶୀତ, ମନେ ଭାରି ଭିତ

ଅସହ୍ୟ ଉତ୍ତାପ ତାତି,

ଧରଣୀ ଜଳିବ, ପ୍ରଳୟ ରଚିବ

ଦେଉଛି ସଂକେତ ନିତି ll(1)

ଦିନ ଦଶ ଘଡି, ହୋଇଗଲେ ଛାଡି

ଦାଣ୍ଡମୁଣ୍ଡ ଖାଆଁ, ଖାଆଁ,

ଡହଳ, ବିକଳ, ମନ ବେଳୁବେଳ

ଗରମ ଝାଞ୍ଜିର ବାଆ ll (2)

ଉତ୍ତାପ ବବିବ,ମୁହଁ ସିଝାଇବ,

ଜାଳିପୋଡି କଳା କାଠ,

ସୁନ୍ଦର ବଦନ,ରୂପଟି ବିବର୍ଣ୍ଣ,

ଅଳସୁଆ ମନ ମଠ ll(3)

ପାଖାଳ ପିଆଜ, ଶନ୍ତୁଳା, ଶାଗକୁ

ଦହିମିଶା ଭାତ ଲୋଡ଼ା,

କରିବ, ଅଥୟ, ଦାହ ଅହରହ

ଦେହେ ଝାଳ ବହି ଛିଡା ll(4)

ପାମ୍ପଡ, ଆଚାର, ମଞ୍ଜିବଡି ସହ

କାଞ୍ଜି, ଆମ୍ବିଳାରେ ମନ,

କାକୁଡି ସlଲାଟ, ତରଭୁଜ ଖଣ୍ଡ

ସେତ ରୁଚିକର ଜାଣ ll(5)

ଘେନି ଚଲ୍ହା ପାଣି, ଲଙ୍କା, ଲୁଣ ବୁଣି

ବାସି ଖଟା ତୋରାଣିଟି,

ଲାଗେ ରୁଚିକର, ତୃଷା କରେ ଦୂର

ମାଗି ମାଗି ପିଏ ପାଟି ll(6)

ପାଦରେ ଚପଲ, ହାତରେ ବୋତଲ

ପିଇବାକୁ ସଫା ପାଣି,

ଧରିଥିବ ଛତା, ଚାଲୁଥିବ ରାସ୍ତା

ଯାଉଥିବ ପାଦ ଗଣି ll(7)

ଦେଖି ଗଛ ଛାଇ, କ୍ଲାନ୍ତକୁ ମେଣ୍ଟାଇ

ବିଶ୍ରାମ ଘେନିବା ଭଲ,

ମସଲା, ଆମିଷ, ରାଗ, ଲୁଣ, ନିଶା

ସାଥେ କମାଇବ ତେଲ ll(8)

ପୁଡିଆର ପୁଡା, ଗୁଡାଖୁଟି କଡା

ସେହି ପରା ହିତଶତ୍ରୁ,

ଦୂରରୁ ଜୁହାର, କର ନାରୀ, ନର

ସଞ୍ଜମେ , ସମୟ ବିତୁ ll(9)

ଅତି ଆବଶ୍ୟକ, ବ୍ୟବହାର ସୁଖ,

ପଙ୍ଖା ସହ, ଶୀତତାପ,

ଅନାବଶ୍ୟକରେ, କଲେ ବ୍ୟବହାର

ହେବ ଖରଚ ଅମାପ ll (10)

ନଈ କୂଳ ବାଆ, ତୋଟାମାଳ ସାହା

ଝଙ୍କାଳିଆ ତରୁ ତାଳ,

ଶୀତଳ ସମିର, ଅତି ହିତକର

ପୋଛି ନେବ ଦେହ ଝାଳ ll(11)

କଲେ ସୁରାପାନ, ଉତ୍ତେଜଟି ମନ

ରକତ ଚାପଟି ବଢ଼େ,

ପ୍ରଚଣ୍ଡ ଖରାରେ, ଅସହ୍ୟ ତାତିରେ

ହିତାହିତ ଜ୍ଞାନ ଉଡେ ll(12)

ବେଳ ଯିବ ସରି, କାଳ ଦେବ ହୁରି

ବତାଶେ ଜୀବନ ବତୀ,

କୁଟୁମ୍ବ, ମାଇପ, ହିନସ୍ଥାର ରୂପ

ଭୋଳା ମନ, ଭାଳୁ ନିତି ll(13)

ଅଂଶୁଘାତ ଭୟ, ସାବଧାନେ ରୁହ

ହୁସିଆର ହେବା କଥା,

ହେଲେ ଅମାନିଆଁ, ଛାଡ଼ିବ ଦୁନିଆଁ

ବଳେ ଘେନିଯିବ କାଳ ll(14)

ଆମ୍ବ ଓ ପଣସ, ଖଜୁରୀ, ସପୁରି

ବହୁ ପରିମାଣେ ମିଳେ,

ଖାଇଲେ ଅଧିକେ, ହୃଦେ, କ୍ଳେଶ ଦୁଃଖେ

ବଥ, ଘାଆ, ବ୍ରଣ ଫଳେ,ll (15)

ଯୁବକ, ହୂବତୀ, ଉଦ୍ଧତରେ ମାତି

ସଉକ, ବିଳାସ ମନ,

ଭୁଲି ବେଳ କାଳ, ବୁଲନ୍ତି ପ୍ରବଳ

ଏଣେ ତେଣେ ଘନ ଘନ,ll(16)

ହୋଟେଲରେ ଖାନା, ଭୋଜିଭାତ ଦାନା

ପାଟିକୁ ଲାଗିବ ରୁଚି,

ଗରିଷ୍ଟ ଆହାର, ଆଜିର୍ଣ୍ଣଟି ଘୋର

ପେଟ ରୋଗ ଆଣେ ବାଛି ll(17)

ସ୍ୱାସ୍ଥ୍ୟ ଅଧୋଗତି, କରେ ରୋଗ ପ୍ରୀତି

ଦେଇ ପୀଡା କଲବଲ,

କାମଳର ବ୍ୟାଧି, ଦେହେ ହେବ ଖୁନ୍ଦି

ଯକୃତ କରି ଅଚଳ ll(18)

ମେଘ ଘଡଘଡି, ସାଥେ ଚଡଚଡି

ଅଦିନ ବଉଦ ସାଥେ,

ରଚିବ ପ୍ରଳୟ, ଅସ୍ଥିର ଅଥୟ

ଜୀବନ, ଜୀବିକା ପଥେ ll(19)

ଘେନି ମନବଳ, ସଚେତନ ବେଳ

ଜଗି ରଖି ଚଳୁ ଥିବ,

ହୋଇଲେ ଉଦଣ୍ଡ ଭେଟ ବଡ଼ ଗଣ୍ଡ

ପଶୁପତି ଡାକି ନେବ ll(20)

ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା

ଡାକ-ଗୋରିବନ୍ଧା, ମାଧ୍ୟମ-କାଶୀନଗର, ଜିଲ୍ଲା-ଗଜପତି, ଓଡିଶା, 761206,ଯୋଗାଯୋଗ-6372127449

29.ତୁମେଇ କୁହତ

ଅତୀତର ସ୍ମୃତି ତୁହାଇ ତୁହାଇ

ମନେ ପଡୁଅଛି ଆଜି,

ମୋ ' ଜୀବନେ କେବେ ଆସିଥିଲ ତୁମେ

ସ୍ମୃତି କାନେ କହେ ହେଜି।।୧।।

ତୁମେଇ କୁହତ ପ୍ରଥମ ଦେଖାର

ତିଥି ବାର ମନେ ଅଛି?,

ବିସ୍ମୃତିର ସେଇ ଅତଳ ଗହ୍ଵରୁ

ପୁରୁଣାକୁ ଖୋଜୁଅଛି।।୨।।

ରୋମାଞ୍ଚରେ ଭରା ବିଗତ ଦିନର

ମିଠା ମିଠା କଥା ଯେତେ,

ଆଜିବି ଅଭୁଲା ଅଲିଭା ରହିଛି

ମନ ଗହନରେ ସତେ।।୩।।

ଜ୍ୟୋସ୍ନା ବିଧଉତ ରଜନୀରେ କେତେ

ସ୍ମୃତିରେ ପଖଳା ଚିହ୍ନ,

ଆଙ୍କିଥିଲା ମୋର ଆଦ୍ୟ ଯଉବନେ

ରଙ୍ଗୀନ ସଉଧ ମାନ।।୪।।

ନୂଆ ନୂଆ କରି ବୁଝି ପାରୁଥିଲି

ପ୍ରେମର ରୋଷଣୀ ଭାଷା,

ତୁମେ ଦେଇଥିବା କେତେ ପ୍ରତିଶ୍ରୁତି

ମଧୁର ପ୍ରଣୟ ଆଶା।।୫।।

ତୁମେଇ କୁହତ ସେଗୁଡାକି ଖାଲି

ମିଛି ମିଛି କଥା ଥିଲା?,

ଅସୁମାରୀ ସ୍ବପ୍ନ ବୁଣିଦେଇ ମନେ

ପ୍ରତାରଣା ଭରା ଥିଲା?।।୬।।

ଅବିଶ୍ବାସ ମିଶା ପିଛିଲା ସ୍ମୃତିକୁ

ଏବେବି ଜୀବନ୍ତ ଲାଗେ,

କେବେ କେବେ ମୋର ନିଦ ଭାଜି ଯାଏ

ରାତି ଅଧିଆରେ ଯେବେ।।

ଆସନ୍ତକି ଫେରି ଆଉଥରେ ତୁମେ

ଆଗସେ ପ୍ରେମିକ ପରି,

ପଣତକୁ ମୋର ପୁରାଇ ଦିଅନ୍ତ

ସୋହାଗ କଥାରେ ଭରି।।

।। ଚିତ୍ରା ରାଣୀ ପାତ୍ର।।

।।ବାଲେଶ୍ଵର।।

30.ଶୀର୍ଷକ-ଅବୁଝା ପ୍ରେମିକା

ପ୍ରଜ୍ଞାଲୀନ ସାହୁ

ଅବୁଝା ପ୍ରେମିକା

ମାନିନୀ ମୋ ଏକା

ଫୁଲେଇ ରାଣୀ ଶାମୁକା

ରାଗିଗଲେ ସିଏ ଫୁଲ ମଉଳଇ

ପାଇ ଭ୍ରମର'ର ଧୋକା ||

ତ୍ରିପୁର ସୁନ୍ଦରୀ

ତାନ୍ତ୍ରିକର ପୁରୀ

ହଳଦି ରଙ୍ଗ ମୋ ପରୀ

ତା'ର ବିନା ମୁଁ ଯେ ଶୁଖିଲାର ନଈ

ସେ ଝରଣା ଉତ୍ସ ବାରି ||

ଚଗଲୀ ବଗୁଲି

ଖୋସିଥାଏ ମଲ୍ଲୀ

ତା ଗାଆଁ'ର ସିଏ ଗେହ୍ଲି

କଥା କହୁଥିବ ତୁନି ତୁନି ଶବ୍ଦେ

ଲାଜେ ମୁହଁ ଖିଲି ଖିଲି ||

ମଳୟର ବାସ୍ନା

କୋଇଲିର ଗାନା

ସଜାଏ ମୋତେ ଦିୱାନା

ଯାହାପାଇଁ ମୁହିଁ ସାଜିଛି ପ୍ରେମିକ

ହୋଇକରି ବାଟବଣା ||

ଜହ୍ନ ରାଇଜରେ

ତାହାରି ପ୍ରେମରେ

ଗାଉଅଛି ଗୀତ ସୁରେ

ଆସ ମୋର ପ୍ରିୟା ପ୍ରୀତି କଉଶଳା

ରହିବା ଏହି ପୁରରେ ||

ଘର ମୁଁ ତୋଳିଛି

ଜହ୍ନ ସାଇତିଛି

ଅପେକ୍ଷାରେ ମୁହିଁ ଅଛି

ତୁମେ ଆସିଗଲେ ହସାଇବି ତାରା

କହି ଭଲ ମୁଁ ପାଉଛି ||

କରିବନି ଡେରି

ପ୍ରେମିଣୀସ୍ତ୍ରୀ ମୋ'ରି

ନିଃଶ୍ୱାସ ବିଶ୍ୱାସ ପରୀ

ତୁମ ବିନା ମୋର ଅଲୋଡ଼ା ଜୀବନ

ଦେବନି ସ୍ପନ୍ଦନ ମାରି ||

ଜଗତସିଂହପୁର

25.ଶହେ ଜନମ

ଶହେ ଜନମର ପ୍ରାରବ୍ଧ ର ଭାଗ୍ଯ

ଭୋଗୁଛି ଆଜି ହେ କୃଷ୍ଣ ମୋହନ

ଭଲ ପାଇବାର ଉପବିତ ଧରି

କୋଟି ଯଜ୍ଞ ଫଳ ଅର୍ଜନେ ଧନ॥

ତୁମରି ଆଶ୍ରୟେ ଆଶ୍ରିତ ହୋଇଛି

କେଡେ ଭାଗ୍ୟବତୀ ନିଜେ ମଣୁଛି

ସରଗର ଚାନ୍ଦ ପଡିଛି ହାତରେ

ଛୁଇଁବାକୁ ତାକୁ ମନା ହୋଇଛି॥

ତଥାପି ହେ ଶ୍ୟାମ ଶ୍ୟାମ ରେ ରଞ୍ଜିତ

ଶ୍ୟାମଳ ବର୍ଣ୍ଣ ଟା କରେ ବାଉଳି

ଦେଖି ଅପରୂପ ମେଘ ବର୍ଣ୍ଣ ରୂପ

ମେଘ ଘଡଘଡି ମାରେ ବିଜୁଳି॥

ଯେତେ କଳା ଚିହ୍ନ ହୁଏ ବିମୋହିତ

କଜ୍ଜଳ ର ଗାର ଡରାଏ ନିତି

କଳାମେଘୀ ପାଟ ପିନ୍ଧିବାକୁ ମନା

କଳା ରଙ୍ଗ ମିଶି ଯାଏ ଯେମିତି॥

ଏମନ ସେମନ ହୁଏ ଏକାକାର

କି ଦେଖିଲା ଆଜ ବେନି ନୟନ

ପାଖରେ ପାଇଲେ ରାଧାକୃଷ୍ଣ ଯୋଡି

ପ୍ରୀତି ମହାକୁମ୍ଭ ଜଳେ ବୁଡିଣ॥

ଯମୁନାର ଜଳ ମଥାପିଟି କୂଳ

ସ୍ବାଗତ କରିଲା ହେଲା ପ୍ରବଳ

ବୋଲେ ଋତୁ ରାଜ ଦେଖହେ ସଙ୍ଗାତ

ବିଧାତା କରିଛି କେମିତି ମେଳ॥

ବସନ୍ତ କୁମାର ସାହୁ

ଦେଉଳି

ଖୋର୍ଦ୍ଧା

26.ଭୁଲିଯାଅ ଅତୀତର ବିଫଳତା

ଜୀବନରେ ସମସ୍ତେ ଚାହାନ୍ତି

ସଫଳ ହେବା ପାଇଁ

କିନ୍ତୁ ଅସଫଳତାର ଅଜଣା ଭୟ

ଭୟଭିତ କରି ଚାଲିଥାଏ ।

ବିଫଳତା ଭୟରେ

ଜୀବନର ସ୍ୱାଦ ଚାଖି ହୁଏନା ।

ସୁନ୍ଦର କୁସୁମ ଟିଏ

ବାସି ହେବା ପରେବି

ତାର ବାସ ମହକର ମହତ୍ତ୍ୱ

ଜଗତ ଅନୁଭବ କରେ।

ଫୁଟିବା ଆଗରୁ ସେ କଣ ଜାଣିଥିଲା

ନା ତାକୁ ଜଣା ଥିଲା

ତାର ସ୍ଥାନ କେଉଁଠି ?

ସେ କେଉଁଠିକି ଯିବ ?

ଦେବତାର ଗଳା

ନା' ଦାରୀର ଗଭା

ମାଳା ହୋଇ ନେତାର ଗଳାକୁ ?

ନା ଶବର ହେବ ସେ' ତାର ସ୍ଥିତି କଣ ?

ହେଲେ ମଣିଷ ?

ମର ଶରୀର କିନ୍ତୁ ବିଚାର ଆମର

ନିଜ ଜୀବନର ଭବିଷ୍ୟତ ନିଜେ ଗଢିବା।

ଜୀବନ ପାଣି ଫୋଟକା

ନୋହେ କ୍ଷଣ ସ୍ଥାଇ ।

ନିଜର ଭାଗ୍ଯ ନିଜେ ତିଆରି କର ।

ଯାର ମନ ଯେମିତି ତାର କାମ ସେମିତି

କାମ ଯେମିତି ଫଳ ସେମିତି।

ସଜଳ ଆଖି କମ୍ପିତ ହୃଦୟ ଧଇର୍ଯ୍ୟ ଶୂନ

ଉଚ୍ଚବୁଦ୍ଧି ସମ୍ପନ୍ନ ସବଳ

ଉନ୍ନତ ମସ୍ତିଷ୍କଧାରୀ ବିଚାରବନ୍ତ ମଣିଷ

ଅସଫଳତା ଚାହେଁ ନାହିଁ।

ନିଜକୁ ଦୃଢ ମଜଭୁତ କର

ସୁସ୍ଥ ମସ୍ତିଷ୍କରେ ବିଚାର କର

ଶାରୀରିକ, ବୈଦ୍ଧିକ ଆଧ୍ୟାତ୍ମିକ

ବାତାବରଣର ବିଚାରରେ

ସଫଳତା ଆସିଯିବ ।

ଭୁଲିଯାଅ ଅତୀତର ବିଫଳତାକୁ

ମାନସିକ ଶୃଙ୍ଖଳାରେ ବାନ୍ଧି ପକାଅ

ନିଜର ମନକୁ

ସଫଳତା ଆସି ଆପେ ଧରାଦେବ

ବଟକୃଷ୍ଣ ପଣ୍ଡା ,ଭେରୁଣିଆ ,ଢେଙ୍କାନାଳ

27.ରାଗ।। ଚିନ୍ତା ଦେଶାକ୍ଷ।।

ରମଣୀୟ ବସୁନ୍ଧରା

ସଦା ସୁନ୍ଦର

ତହିଁ ନର ମନ ମୀନ

ଆକର୍ଷ କର,

ଆନନ୍ଦେ ବଢ଼ାଏ ସୁଖ

ବର୍ଦ୍ଧନ କର

କି ସୁନ୍ଦର ଆହା ଦୁଃଖ

ହରଣ ହର।୧।

ଜନ ହରାଇଲେ କେବେ

ନିଜର ଦିଶା

ତାର ଉଦ୍ଧାରଣେ ଆପେ

ବଢ଼ଇ ନିଶା,

ମଣିଷର ସୁଖ ଶାନ୍ତି

ବଢ଼େ ଜିଗିଶା

ସୁଖ ଦୁଃଖ କଷ୍ଟ କରେ

ନିତ୍ୟ ଅନିଶା।୨।

ଦିଶା ହରା ହେଲେ ଲୋକ

କୁମାର୍ଗେ ଯାଏ,

ସୁପଥ ଆଣିବା କଷ୍ଟ

ସେ ମାଡ଼ ଖାଏ,

ଠିକ୍ ଥିଲେ ମଣିଷର

ମାର୍ଗ ଦର୍ଶନ,

ଉତ୍ତମ ପଥକୁ ନର

କରେ ଦର୍ଶନ।୩।

ଦିଶା ଯଦି ହୁଏ ଭଲ

ନିରା ପଦରେ,

ମଣିଷ ଚାଲଇ ପଥେ

ନିର୍ବି ବାଦରେ,

ପଥେ କଣ୍ଟା ଝଣ୍ଟା ଆପେ

ବିନାଶ ହୁଏ

ସୁମନ ଫୁଟଇ ସଦା

ଚରଣ ଛୁଏଁ।୪।

ଦିଶା ସ୍ୱଚ୍ଛ ଓ ନିର୍ମଳ

ଯାହାର ଥାଏ,

ସେ ନିଜର ସ୍ୱଚ୍ଛ ମାର୍ଗେ

ଆଗେଇ ଯାଏ,

ପରଶିି ନ ପାରେ ଦୁଃଖ

ଜଞ୍ଜାଳ ମାନ,

ଦିି ଶା ମୁକ୍ତ ହେଲେ ଲୋକ

ପାଏ ସୁଜ୍ଞାନ।୫।

ଦିଶା କଲେ ନରନାରୀ

ଅନୁ ସରଣ,

ତାଙ୍କ ପଥ ହୁଏ ଦିନେ

ସୌର୍ଯ୍ୟବରଣ,

ପଥେ ବିକଶିତ ହୁଏ

ଚମ୍ପା ସୁମନ

ତାର ବାସେ ନାଶ ହୁଏ

ଦିଶା କିରଣ।୬।

ସମାପ୍ତ*

ଶ୍ରୀ ବିଦ୍ୟାଧର ମହାନ୍ତ, ତମ୍ବାହରା

ହରି ଚନ୍ଦନ ପୁର କେନ୍ଦୁଝର ଓଡ଼ିଶା

ମୋ ନ 7848000030

22.ଛୋଟ ମୋର ଗାଆଁଟି

ସହରଠୁ ଦୂରେ ଛୋଟ ଗାଆଁ ମୋର

ନାମ ଛଞ୍ଚାଣିଆପଲ୍ଲୀ

ସବୁଜ ବନାନୀ ଗାଆଁ ଚାରି ପାଖ

ସୌନ୍ଦର୍ଯ୍ଯର ପେଣ୍ଠସ୍ଥଳି

ପୁରୁବ ଦିଗରେ ସୁରୁଜ ଉଁଇଲେ

ଶୁଭେ ଶଙ୍ଖ ଘଣ୍ଟ ଧ୍ବନୀ

ଚଉଁରା ମୂଳରେ ଧୂପ ଦୀପ ବାସେ

ସୁନ୍ଦର ଦିଶେ ଅବନୀ

ପ୍ରଭୁ ରଘୁନାଥ ପଶ୍ଚିମ ଦିଗରେ

ଗ୍ରାମ ଦେବୀ ଗ୍ରାମ ଶେଷେ

ଘଣ୍ଟ ଘୋଡେଇକି ରଖନ୍ତି ସଭିଙ୍କୁ

ତାଙ୍କରି ଶୁଭ ଆଶିଷେ

ପଦ୍ମ ପୁଷ୍କରିଣୀ ବାଟ ତଡେ ରହି

ମୋହେ ବାଟୋଇର ମନ

ମନ ଆନନ୍ଦିତ ହୋଇଥାଏ ଦେଖି

ବହେ ଶୀତଳ ପବନ

ତାପାଖେ ରହିଛି ସରକାରଙ୍କର

ସୁନ୍ଦର ବିଦ୍ଯାଭବନ

କୁନା କୁନି ଭାଇ ଭଉଣୀ ଶିଖନ୍ତି

ଗୁରୁଜୀଙ୍କ ଠାରୁ ଜ୍ଞାନ

ସେଇ ଜ୍ଞାନ ବଳେ ସଂସାରେ ଆମକୁ

ମିଳଇ କେତେ ସମ୍ମାନ

ସୁନ୍ଦର ପ୍ରକୃତି କୋଳରେ ମୋ ଗାଆଁ

ଲାଗଇ ସରଗ ସମ

ପ୍ରେମ କବି ଜଗବନ୍ଧୁ ସାହୁ

ଛଞ୍ଚାଣିଆ ପଲ୍ଲୀ : ଗଞ୍ଜାମ

23.ପୁତ୍ର ସନ୍ତାନ

ଜାନକୀ ମହାନ୍ତ

ପୁତ୍ର କନ୍ୟା ସମ ଲେଖା ଅଛି ଆମ

ଭାରତୀୟ ସମ୍ବିଧାନେ,

ଆଣ ଦିଗ୍ ଦର୍ଶନ ଦୂର ହେଉ ଭ୍ରମ

ସମାଜ ଲୋକଙ୍କ ମନେ ।।

କାଲି ର ଜଗତେ ପୁତ୍ର ପ୍ରାପ୍ତ ଏକ

ଥିଲା ଆଶୀର୍ବାଦ ଜାଣ,

ଆଜି କିନ୍ତୁ ପାଏ ପୁତ୍ର କେତେ ଦୁଃଖ

ଶୁଣ ଆହେ ସୁଧିଜନ।।

କନ୍ୟା ଆରକ୍ଷଣ ସବୁ କ୍ଷେତ୍ରେ ଆଜି

ପୁତ୍ରକୁ ପଡ଼େ ଭାଳେଣି,

ନିର୍ଦ୍ଦୋଷ ନିରୀହ ଧକ୍କା ଖାଏ ହୋଇ

ସୁବୁଦ୍ଧି ସୁଜ୍ଞାନୀ ପୁଣି ।।

ମାତା ପିତା ତା'ର ମୁଣ୍ଡେ ଦେଇ ହାତ

କରନ୍ତି ଅଶ୍ରୁ ମୋଚନ,

ଚାକିରି ପାଇଁ ଯେ ତାଙ୍କ ଯୋଗ୍ୟ ସୁତ

ହନ୍ତସନ୍ତ ହୁଏ ପ୍ରାଣ ।।

ଯୋଗ୍ୟତା ଭିିତ୍ତିରେ ହେଉ ଯେ ଚୟନ

ଜ୍ଞାନ ହେଉ ମାପକାଠି,

ପୁଅ ଝିଅ ମଧ୍ୟେ ଅନ୍ତର ପାତର

ନକର ସୁଜନେ ଏଠି।।

ପୁତ୍ର ପାଏ ଆଜି ଯାତନା ଅନେକ

ସହେ ନାନା ଅତ୍ୟାଚାର,

ଯୋଗ୍ୟତମ ସୁତ ପାଉ ଯଥା ମାନ

ନ କର‌ ହେ ବ୍ୟଭିଚାର ।।

ପୁତ୍ର କନ୍ୟା ଦୁହେଁ ଅଟନ୍ତି ସମାନ

କନ୍ୟା ଦିବସ କାହିଁକି?

କନ୍ୟା ଦିବସକୁ ଯଦି ପାଳୁଅଛ

ପୁତ୍ର ଦିବସ ନାହିଁ କି?

ଈଶ୍ବର ସୃଷ୍ଟିରେ ଦୁହେଁ ତ ଅନନ୍ୟ

ଶାଶ୍ୱତ ଓ ଚିରନ୍ତନ,

ପୁତ୍ରକୁ ସମ୍ମାନ ଦିଅ ଆହେ ଜନ

ନିରୀହର ଆତ୍ମା ଶୁଣ।।

ପୁତ୍ର କନ୍ୟା ପରା ମୁଦ୍ରା ଦୁଇ ପାର୍ଶ୍ଵ

ଦୁହେଁ ଅଟନ୍ତି ସମାନ,

ସ୍ୱାବଲମ୍ବୀ କରି ବଢ଼ାଇ ସାହସ

ରଖିବା ତା' ସ୍ୱାଭିମାନ ।।

ପୁତ୍ର ବିନା କେବେ ସୃଷ୍ଟି କି ସମ୍ଭବ

ସଂସାର ପାରେ କି ତିଷ୍ଠି ?

କରେ ପିଣ୍ଡ ଦାନ ପିତୃପୁରୁଷଙ୍କୁ

ପୁତ୍ର ସୁଧା କରି ବୃଷ୍ଟି।।

କୁଳ ଚାନ୍ଦ ସେହି କୁଳ ରକ୍ଷା କରି

ରଖେ ଗୃହର ଅସ୍ମିତା,

ପୋଷେ ପିତା ମାତା ବୃଦ୍ଧ ଅବସ୍ଥାରେ

ସାହାରା ଦିଅଇ ଯଥା।।

ପୁତ୍ରର ମର୍ଯ୍ୟାଦା ପୁତ୍ର ର ସମ୍ମାନ

ରଖ ଆହେ ସାଧୁଜନେ,

ବୁଝି ତା ମହତ୍ତ୍ଵ ଦିଅ ଆଶୀର୍ବାଦ

ନବ କଳି ହସୁ କ୍ଷଣେ ।।

ରାଜ୍ୟ ଉପ ସଭାପତି

ଓଡ଼ିଶା ସାହିତ୍ୟିକ ସଂଗଠନ

ଭୁବନେଶ୍ଵର ଓଡ଼ିଶା

ବେଙ୍ଗାଲୁରୁ

@Copy Right reserved

24.କଳ୍ପନାର ପୋତ

ତୁମ ଶରୀର ଟା କେଉଁଥିରେ ଗଢା

ଆଦି ଅନ୍ତ ପାଏ ନାହିଁ

ନାରୀ ମନ ଅଟେ ଲହୁଣୀ ସମାନ

ରାଧା ପରି ପ୍ରେମୀ କାହିଁ॥

ଗଲି ବୃନ୍ଦାବନ ଗଲି କାଶୀ ଧାମ

ଦେଶ ବିଦେଶ ବୁଲିଲି

ଖୋଜି ପାଇଲିନି ରାଧାକୃଷ୍ଣ ପରି

ଅଣ୍ଡାଳି ହାଲିଆ ହେଲି॥

ଆଖି ଆଗେ ଯାହା ଦେଖଇ ବନ୍ଧୁ ହେ

ଏ କଥା ନିରାଟ ସତ

ରାତି ସାରା ବସି କଳ୍ପନାରେ ମାତି

ଭାବନାରେ ହେଲି ମତ॥

ପାଣି ପବନରେ କେବେ ଅନ୍ତରୀକ୍ଷେ

ଛୁଇଁଦେଲେ କଥା ଶେଷ

ଭୂତ ଭବିଷ୍ୟତେ ତୁମର ହୋଇବି

ବଢିଯିବ କାଳେ କ୍ଳେଶ ॥

ଅଦେଖାରେ ଦେଖା ସ୍ବପ୍ନ ପରିକା

ଉ ହୁଁ କରୁଥିବ ରହି

କଥା ଚାଲିଥିବ ବସି ଭାବୁଥିବା

ପାଖରେ ନଥିବେ କେହି॥

କି ଭାଗ୍ଯ ମୋହର କଳ୍ପନାର ପୋତ

ସାକ୍ଷାତେ ମଣିବି ପୁଣ୍ଯ

ଯମୁନାର ଜଳ ସାଗର ସମାନ

ଲାଗିଲେ ହୋଇବି ଧନ୍ଯ॥

ବସନ୍ତ କୁମାର ସାହୁ

ଦେଉଳି

ଖୋର୍ଦ୍ଧା

19.ଅସମାହିତ ପ୍ରଶ୍ନବାଚୀ

ଶୀତ ସିକ୍ତ ପାହାନ୍ତିର ପରେ

ଘନ କୁହୁଡ଼ିର ସ୍ଵଚ୍ଛ ପଟଳରେ

କାକରର ଶୀତଳ ସ୍ପର୍ଶରେ

ତୁମ ଆଗମନ ହେମନ୍ତ ନାଆଁରେ।

ଘାସ ଗାଲିଚାର ଶିଶିର ବିନ୍ଦୁରେ

ପଦ୍ମ ପତ୍ରେ ଢଳ ଢଳ ବୁନ୍ଦା ବୁନ୍ଦା ନୀରେ

ସୂରୁଜ କିରଣେ ମୁକ୍ତା ରୂପ ଧରେ

ତୁମ ହୃଦୟର ଅଜ୍ଞାତ କୋଣରେ।

ଆବୃତ୍ତ କୁହୁଡିର ପ୍ରହେଳିକା ପରି

ସାରୁ ପତ୍ରେ ସୁଢଳ ଜଳକଣା ସରି

ସ୍ବର୍ଣ୍ଣାଭ କିରଣ ଅସୁମାରୀ

ଭାବନାର ଦିଗନ୍ତ ବିସ୍ତାରି।

ତୁମ ପ୍ରେମ ସୂକ୍ଷ୍ମ ଗଣିତର

ମିଶାଣ ଫେଡାଣ ଗୁଣନ ହରଣର

ବିଭାଜିତ ଭାଗଫଳ ହିସାବର

ଅଭିଭାଜ୍ୟ ଭାଗଶେଷର ।

ସଫଳ କି ଅସଫଳତାର

ଜୁଡୁ ବୁଡୁ ପ୍ରେମ ପରାଗର

ଅସମାହିତ ମନ ଜର ଜର

ପ୍ରତିଧ୍ଵନି ଶୁଣେ ବାରମ୍ବାର।

ବିଦଗ୍ଧ ବିଧୂର ପ୍ରାଣର

ସଞ୍ଜାହୀନ ଅବଚେତନର

ବିବେକର ବିଦ୍ରୁପ ଫୁତ୍କାର

ଭୁଲ ଏଠି କା‌ହାର ପଚାର

କବି ହୃଷିକେଶ ପ୍ରଧାନ

ନୟାଗଡ଼।

20.ଗ୍ରିଟିନ୍ସ୍ ପ୍ରେମ

ଅପର୍ତ୍ତି ସେଠୀ

(ରମ୍ୟ ରଚନା)

ଆଜି କାହିଁ ସେହି ପୁରୁଣା ସ୍ମୃତିଟି

ମନେ ପଡ଼ିଯାଏ ମୋର,

ଭାବିଲି ଦି'ଧାଡି କବିତା ଲେଖିବି

ସାଇତିଛି ହୃଦୟର‌।

ତୁମକୁ ସପନ ଦେଖିଥିଲି ଯେବେ

ଜୀବନେ ଆସି ନ ଥିଲ,

ଯେବେ ଆସିଥିଲ ଜୀବନେ ମୋହର

ନିଦ ମୋ ଚୋରାଇ ନେଲ।

ଚିଠିରେଚିଠିରେ ଢଗ ଲେଖି କେତେ

ହେଉଥିଲେ ଦିଆନିଆ,

ଆଜି ସେଇ କଥା ମନେପଡେ ତୁମେ

ଚାଲିଗଲା ପରେ ପ୍ରିୟା।

"ଗାଈ ଭଲପାଏ ଘାସକୁ ଗୋ ପ୍ରିୟା

ଛେଳି ଭଲ ପାଏ‌ ପତ୍ର,

ମୂଷା ଭଲ ପାଏ ଧାନକୁ ଗୋ ସାଥୀ

ତୁମେ ମୋ ଡାଲମା ଭାତ।

*ରାଜା ପାଇଁ ରାଣୀ ଖଞ୍ଜିଛି ବିଧାତା

ଶୋଷ ପାଇଁ ପୁଣି ପାଣି,

ଚାନ୍ଦିନୀ ପାଇଁ କି ରାତି ଯେଉଁଭଳି

ମୋ ପାଇଁ ତୁମେ ବାୟାଣୀ।

*ଓ୍ଵାନ୍ ଓ୍ଵାନ୍ ଟୁ ମିଶିଲେ ଉତ୍ତର

ହେବ ଆଇ ଲଭ୍ ଇୟୁ,

ଟୁ ଟୁ ଫୋର୍ ତୁମେ ଖାଲି ମୋର

ହିରୋଇନ୍ ମୋର ଇୟୂ।

*ଟେବୁଲ୍ ଉପରେ କଳାଜିରା ସାଙ୍ଗ

ତୁମେ ମୋର ଖାଣ୍ଟି ହୀରା,

ଟେବୁଲ୍ ଉପରେ ରସଗୋଲା ସାଙ୍ଗ

ହେଲଣି ଚଗଲା ପରା‌।

ଗ୍ରିଟିନ୍ସ ଲେଖିଲି ରାତିରେ ମୁଁ ଯେବେ

ତେଲ ସରିଲା ବତୀରେ,

ଅକ୍ଷର ମୋହର ଛଟା ପୁଣି ସାଙ୍ଗ,

ଥଟ୍ଟା କରିବନି ଥରେ।

*କଳାଜିରା ନୁହେଁ ପାନମଧୁରୀ ମୋ

ସାଙ୍ଗ ମନ କଲ ଚୋରୀ,

ନୀଳ କିରୋସିନି କଣ୍ଟ୍ରୋଲ ଚିନି ମୁଁ

ପାରୁ ନାହିଁ ଧୈର୍ଯ୍ୟ ଧରି।

*ପଙ୍କରେ ପଦୁଅଁ ବଣରେ ମଲ୍ଲୀ ହେ

ମୋତେ ତ ଯିବନି ଭୁଲି।

ଗଛରେ ଗୋଲାପ ଜଳରେ କ‌ଇଁହେ,

ସାଙ୍ଗ ଦେଖା ହେବା କାଲି‌।

ଅରୁଆ ଚାଉଳ କାନ୍ଥରେ ଚିତା ହେ

ତୁମେ ମୋର ମିଠା

ଯୋଉଠି ବସିଲେ ତୁମରି ଚିନ୍ତା ହେ

ତୁମେ ମୋ ପ୍ରେମ କବିତା।

*ଉଡିଯାଏ ଯେବେ ଏରୋପ୍ଲେନଟିଏ

ଛାଇ ତାର ପଡେନାହିଁ,

ତୁମେ ମୋତେପଛେ ଭୁଲିଯାଅ ପ୍ରିୟା

ମୁଁ ଭୁଲି ପାରିବି ନାହିଁ।

ପର୍ବତ ଉପରେ ନାଲି ମନ୍ଦାର ଲୋ,

ସାଙ୍ଗ ମୋ ଭାରି ସୁନ୍ଦର,

ପର୍ବତ ଉପରେ ଲଙ୍କା ମରିଚ ଲୋ,

(ସାଙ୍ଗ) କାହାକୁ ଲାଇନ୍ ମାର ?

ସାଇକେଲ ମୋର ପେଲୁପେଲୁ‌ ପୁଣି

ଫାଟିଗଲା ତା'ର ଟିଉ‌,

କହୁ କହୁ ସାଙ୍ଗ କହି ଦେଲି ମୁହିଁ

ଆ....ଇ ଲଭ୍ ଇୟୁ। ୍

"ନୁହେଁ ମୁଁ ଲେଖକ ନୁହେଁ ମୁଁହି କବି

ବଞ୍ଚି ମରେ ଭାବିଭାବି,

ଭଲ ପାଏ ବୋଲି ତୁମକୁ କେବଳ

ଏତିକି ଖାଲି କହିବି।"

ଏମିତି ଅନେକ ଅର୍ଥହୀନ କଥା

ଦେଉଛି ମୋ ମନେ ବ୍ଯଥା,

ଭାବିଦେଲେ ଲୁହ ମୋଆଖିମାନେନା

ଘୂରିଯାଏ‌ ମୋର ମଥା‌।

ଫେରି ଆସନ୍ତା କି ସେହି ସବୁ ଦିନ

ପୁଣି ଚିଠି ଲେଖୁଥାନ୍ତି,

ଗ୍ରିଟିନ୍ସ ଦିଅନ୍ତି ଢଗଢମାଳିରେ

ତୁମକୁ ଭଲ ପାଆନ୍ତି।

ହଜିଗଲା ମୋର ପିଲାଦିନ ଆଜି

କିଏ ବା ଫେରାଇ ଦେବ,

ନିର୍ଦ୍ଦୟ ସମୟ ମନେ ଦେଇ ଭୟ

ଅନ୍ତରେ ପୋଡ଼ି ମାରିବ।

(ପାଳକଣା‌, କୋରୋ‌, କେନ୍ଦ୍ରାପଡ଼ା

ମୋ- ୭୮୯୪୩୯୮୫୦୦),

21.ଆଜିର ଶବ୍ଦ ଯେସାକୁ ତେସା

ରାଗ।। ଚକ୍ର କେଳି।।

ଯାର ଯାହା ନିତି ନେତ୍ରେ ଦେଖିବ,

ତାହାକୁ ସେପରି ସଦା କରିବ।୧।

ହଠାତ୍ କାହାରି କିଛି ନ କର,

ଧୀର ସ୍ଥିର ଚିନ୍ତା ନିଜେ ଆଚର।୨।

ଯିଏ ପାଞ୍ଚେ ସଦା ଅନ୍ୟ ଅନିଷ୍ଟ,

ଦିନେ ପାଏ ସିଏ ପ୍ରବଳ କ୍ଳିଷ୍ଟ।୩।

ଗାନ୍ଧୀ ନୀତି ଯିଏ କରେ ପାଳନ,

ସହଜେ ତାହାର ହୁଏ ମରଣ।୪।

ଗାନ୍ଧୀ ମୂର୍ତ୍ତୀ ଧରି ଚାଲିଲେ ନର,

ମାଡ଼ ଖାଇ ଯିବ ଯମ ନଗର।୫।

ଆଉ ଚଳିବନି ଗାନ୍ଧୀଙ୍କ ନୀତି,

ଦୁଷ୍ଟ ବଢ଼ି ଯିବେ ହେବ ଦୁର୍ନୀତି।୬।

ସରଳ ହୋଇଲେ ଖାଇବ ମାଡ଼

ଶେଷରେ ଭାଙ୍ଗିବ ତୁମ୍ଭର ହାଡ଼।୭।

ସତ୍ୟ ଶାନ୍ତି ନ୍ୟାୟ ଧର୍ମ ପଥରେ,

ଅନେକ ବିପଦ ମାଡ଼ଇ ନରେ।୮।

ତେଣୁ ଯେଉଁ ପରି କରିବ କାମ,

ତାକୁ ସେହି ପରି ସାଜିବ ବାମ।୯।

ଯେସାକୁ ତେସା କରିବ ଯେବେ,

ସମ୍ମୁଖ ବିପଦୁ ତରିବ ତେବେ।୧୦।

ଯେସାକୁ ତେସାର ଧରିଲେ ନୀତି,

ଡରି ଯିବେ ଦୁଷ୍ଟ ଭାବି ଦୁର୍ନୀତି।୧୧।

ଯେସାକୁ ତେସା ନୀତି ସଦା ପାଳି,

ଚାଲିବ ସର୍ବଦା ପ୍ରାଣ ସଙ୍ଖାଳି।୧୨।

ବିପଦେ ସମ୍ପଦେ ସାହସ କଲେ,

ସ୍ଵସ୍ଥରେ ରହିବ ସକଳେ ଭଲେ।୧୩

ଅସତ୍ୟ ବିରୁଦ୍ଧ ପାଇଁ ସଂଗ୍ରାମ,

ଉପରକୁ ଯିବ ହେବ ସୁନାମ।୧୩।

ସତ୍ୟ ଧର୍ମ କର୍ମ ପାଇଁ ମାନବ,

ଚାଲିବ ସର୍ବଦା ହେବ ଗୌରବ।୧୪।

ଜାତିର ଉନ୍ନତି ଦେଶ ଦେଖିବ,

ନିଜର ସମ୍ମାନ ଦିନେ ବଢ଼ିବ।୧୫।

ସମାପ୍ତ

ଶ୍ରୀ ବିଦ୍ୟାଧର ମହାନ୍ତ, ତମ୍ବାହରା,

ହରି ଚନ୍ଦନ ପୁର କେନ୍ଦୁଝର ଓଡ଼ିଶା

ମୋ ନ 7848000030.

16.ଶୀତ

ଆକାଶ ନଈ କୂଳେ " ହିମ ସକାଳେ "

କାକରେ ଶୀତ ରାଣୀ" ତନୁ ପଖାଳେ"

ମୁକୁଳା କରିଛି ତା " ସିକ୍ତ କବରୀ "

ସତେ କି ମୁକ୍ତା ବିନ୍ଦୁ " ପଡୁଛି ଝରି " ।।

ଶିଶିର ରାସେ ରତ " ମଗ୍ନ ଆକାଶ "

ସୁଷମା ବିମଣ୍ଡିତା " ଧରଣୀ ହସ "

ନହୁଲୀ ଶୀତ ରାଣୀ " ଜାଡ ସକାଳ "

ବିମୁଗ୍ଧ ପ୍ରକୃତିର " ରୂପ ଛବିଳ " ।।

ପହିଲି ଶୀତ ଭାରି " କନକନିଆ "

ତନୁ ମନରେ ତା'ର " ଚଗଲି ଛୁଆଁ "

ମେଘ ମୁକ୍ତ ଆକାଶେ " ହସିଲେ ଜହ୍ନ "

ସଂଜ ସକାଳ ନିଆଁ " ମିଠା ଦହନ " ।।

ଅଗଣାରେ ଖୋଲିଛି " ଫୁଲ ବଜାର "

ସେ ଶୋଭା ଦରଶନେ " ମନ ବିଭୋର "

ଉତ୍ତରା ବାତେ ନାଚେ " ସୋରିଷ କ୍ଷେତ "

ସୁଶ୍ରୀ ଧରଣୀ ଗାଏ " ଶୀତ ସଂଗୀତ " ।।

ଶୀତ ରାଣୀ ଶୋଇଛି " ମାଟି କୋଳରେ "

ଘର ପ୍ରାଙ୍ଗଣେ ଡାକେ " ଉଠ ଧନରେ "

ଆଳସ୍ଯ ତେଜି ଦେଖ " ସୁନେଲୀ ରବି "

ଉପହାର ପସରା " ତମକୁ ଦେବି "

କର୍ଷକ ଖଳା ପୁର୍ଣ୍ଣ " ସ୍ବର୍ଣ୍ଣ କାଣ୍ଡିରେ "

କର୍ଷକ ନାରୀ ପୂଜେ " ଲକ୍ଷ୍ମୀ ପୟରେ "

କ୍ଷେତ , ପାଟ,ବାରିରେ ' ଖାଦ୍ୟ ଭଣ୍ଡାର "

ଆନନ୍ଦେ ପୁରି ଉଠେ " ଜନ ମନର "

ସାୟନ୍ତନ ଥରାଏ " ଶୀର୍ଣ୍ଣ ଶରୀର "

ଉହ୍ମେଇ ଆଲିଙ୍ଗନ " ଲୋଡା ତନୁର "

ଶିଶିର ସାଥେ ଝରେ " ପଦୁଅଁ ଲୁହ "

ହିମ ଆଘାତେ ଗୁପ୍ତ " ନିଃସ୍ବର କୋହ " ।।

ନଭେ ବିଦେଶୀ ପକ୍ଷୀ " ମଧୁର ରାଗ "

ସାରସ କ୍ରୀଡା ପ୍ରୀତ " ସରସୀ ଅଙ୍ଗ"

ସୌନ୍ଦର୍ଯ୍ଯମୟୀ ରୂପେ " ଉଭା ଧରଣୀ "

ଭ୍ରମଣ ପ୍ରିୟ ମନ " ନିଅଇ ଟାଣି "

ତୁଳୀତଳ୍ପ ଶେଯରେ " ଦେହ ଉଷ୍ମାନ "

ସିଆଁ ପଣତ ତଳେ " ଦଗ୍ଧ ପରାଣ "

ଦାରିଦ୍ର୍ୟ ପଙ୍କ ମଧ୍ଯେ " ହଜେ ଜୀବନ "

କୁହୁଡ଼ି ଘେରା ଗାଁ ର" ଭଙ୍ଗା ସପନ " ।।

ବୟସ ସାୟାହ୍ନରେ " ମ୍ଳାନ ଆୟୁଷ "

ସବୁ ସ୍ମ୍ରୁତି ଝାପସା " ଧୂମ୍ର ପାଉଁଶ "

ସୁଖ ଦୁଃଖ ପସରା " ଋତୁ ହେମନ୍ତ "

ହସାଏ କନ୍ଦାଏ ସେ " ଜୀବ ଜଗତ "

ଅମରାନନ୍ଦ ନାୟକ କାନପୁର କଟକ ।

17.କବିତା ଆସର ଶୀର୍ଷକ:-

ମନମୋହନ

ଲତା ବେହେରା ।

ମନମୋହନ ତୁ ମୋ ଚକାନୟନ

ତୁ ମୋ ଜୀବ ଜୀବନ

ତୁ ଥିଲେ ମୋର କିଛି ଲୋଡା ନାହିଁ

ନାହିଁ କିଛି ପ୍ରୟୋଜନ ।

ତୋ ପାଇଁରେ ଆଜି ଚାଲି ମୁଁ ଶିଖିଛି

କହୁଛି ଏଇ ବଚନ

କେତେବେଳେ ରାତି ପାହି ଯାଇ ହୁଏ

ଜାଣି ପାରୁନି ମୁଁ ଦିନ ।

ନିରାଶା ଜୀବନେ ଆଶାର ଫଗୁଣ

ଆଣିଛୁ ରଙ୍କ ରତନ

ତୋ ପାଇଁରେ ଆଜି ଦୁନିଆ ଦେଖୁଛି

ପାଇଛି ନୂଆ ଜୀବନ ।

ଦୁଃଖ ନାହିଁ ମୋର ଜୀବନରେ ଆସୁ

ଯେତେରେ ଝଡ ତୋଫାନ

ଫଗୁଣେ ଶ୍ରାବଣ ଆସି ଯାଉ ମୋର

ମିଳୁ ଯେତେ ଅପମାନ ।

ତଥାପି କାଳିଆ ତୋତେ ଡାକୁଥିବ

ଖୋଜୁ ଥିବ ଏଇ ମନ

ତୋତେ ଦେଖି ଦେଲେ ସତରେ କାଳିଆ

ଭୁଲି ଯିବି ଅପମାନ ।

ତୁ ସାଥେ ଥିଲେ ହାତ ଧରିଥିଲେ

ଆସୁରେ ଯେତେ କଷଣ

ହସି ହସି ସବୁ ସହି ଯିବି ମୁହିଁ

ଦେଖି ତୋ କଳା ବଦନ ।

ତୋତେ ଦେଖି ଦେଲେ ପବିତ୍ର ହୋଇବ

ଏଇ ମୋ ଦୁଇ ନୟନ

ଶେଷ ସମୟରେ ଏତିକି ମାଗୁଣି

ଦେବୁ ତୁ ମୋତେ ଦର୍ଶନ ।

ତୋର ମୋର ଭାବ କେତେରେ ନିବିଡ

ଜାଣିଛୁ କାଳିଆ ଧନ

ତୋ କର ଲାଗିବ ମଥାରେ ମୋହର

କୋକେଇ ଯିବ ଶ୍ମଶାନ ।

ଧରିବୁନି ଦୋଷ ଆହେ ପୀତବାସ

ପାଦରେ ଦେବୁ ଶରଣ

ଭୁଲେଇ ଦେବୁନି ଭୁଲି ତୁ ଯିବୁନି

ତୋତେ ମୋ ରହିଲା ରାଣ

ଲତା ବେହେରା ।

ଜକା, ଢେଙ୍କାନାଳ

18.ଟୁସୁ କିଏ

ଜାନକୀ ମହାନ୍ତ

"ଟୁସୁ" କୁହ ଅବା "ଟୁସୁମିନି"କୁହ

କୁଡୁମି ନାରୀ ଅସ୍ମିତା,

ନିଜ ପ୍ରାଣ ଦେଇ ନାରୀର ସତୀତ୍ଵ

ରଖିଥିଲା ସେହି କଦା ।।

ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା

ଏମାନଙ୍କ ମୂଳ ଘର,

ସବୁଜିଲ୍ଲା ଆଉ ସବୁ ସବୁ ଅଞ୍ଚଳରେ

ରହୁଛନ୍ତି ଓଡ଼ିଶାର ।।

କୁଡୁମି ଅଟଇ ରାଜା ଛତ୍ରପତି

ଶିବାଜୀଙ୍କ ବଂଶଧର,

ମରାଠା ରାଜ୍ୟରୁ ଆସିଥିଲେ ସେହି

ଦେହେ କ୍ଷତ୍ରୀୟ ରୁଧିର ।।

ଶିବାଜୀଙ୍କ ପରେ ତାଙ୍କ ବଂଶଧର

ଥିଲେ ଯେ ଦୂର୍ବଳ ରାଜା,

ଔରଙ୍ଗଜେବ ଯେ ଆକ୍ରମଣ କରି

ଉଡ଼ାଏ ନିଜର ଧ୍ୱଜା ।।

ସେହି ସମୟରେ ରାଜ୍ୟ ଛାଡି ଆସି

ଖାଇବର୍ ଗିରିପଥେ,

ମହାରାଷ୍ଟ୍ର ଠାରୁ ବିହାରରେ ଆସି

ପହଞ୍ଚିଲେ ନର କେତେ ।।

ତହୁଁ ଆସି ଧୀରେ ପଶି ଓଡ଼ିଶାରେ

ପହଞ୍ଚିଲେ ଉତ୍ତର ରେ,

କେନ୍ଦୁଝର ଆଉ ମୟୂରଭଞ୍ଜ ରେ

ନିଜ ଆତ୍ମ ଗୋପନରେ।।

ସେଠାରେ ଦେଖିଲେ ସାନ୍ତାଳ ମାନେ ଯେ'

ମଦ ମାଂସ ଭୋଜି କରେ,

ମାଦଳ ବଜାଇ ନାଚି ଗୀତ ଗାଇ

ମଜ୍ଜି ଥିଲେ ଆନନ୍ଦରେ ।।

ଅପର ପକ୍ଷରେ ମୁସଲମାନ ସୈନ୍ୟ

ଆକ୍ରମଣ କରି ଆସେ,

ପ୍ରାଣର ବିକଳେ ନାରୀ ରକ୍ଷା ପାଇଁ

ତାଙ୍କୁ ଅନୁସରୀ ବସେ ।।

ଏମନ୍ତ ଅବସ୍ଥା ଦେଖି ସୈନ୍ୟମାନେ

ଭାବନ୍ତି ଏ କ୍ଷୁଦ୍ର ଜନ,

ତାଙ୍କୁ ଛାଡ଼ି ସୈନ୍ୟ ଫେରସ୍ତ ଯାଆନ୍ତି

ନକରିଣ ଆକ୍ରମଣ ।।

କିନ୍ତୁ ରାଜକନ୍ୟା "ଟୁସୁ" ରହେ ଏକା

ଉଚ୍ଚ ରାଜ ଉଆସରେ,

ତା ପାଖକୁ ସୈନ୍ୟ ଆଣି ଗଲାବେଳେ

ଡେଇଁ ନିଜ ପ୍ରାଣ ହାରେ ।।

ସୁନ୍ଦରୀ ଟୁସୁ ଯେ ପ୍ରାଣବଳି ଦେଇ

ରଖେ ନାରୀର ମର୍ଯ୍ୟାଦା,

ତା'ଶରୀର ସ୍ପର୍ଶ କରିବା ଆଗରୁ

ନେଇ ଗଲା ସିଏ ବିଦା ।।

ଏହି କାହାଣୀକୁ ତା' ବଳିଦାନକୁ

ମନେ ପକାନ୍ତି ମକରେ,

ନାରୀ ମାନେ ଗ୍ରାମ ଗ୍ରାମ ବୁଲି ଟୁସୁ

ବୁଲନ୍ତି ଧରି ସାଙ୍ଗରେ ।।

ଚାଷ ଅମଳର ପର୍ବ ଅଟେ ଆମ

ସ୍ନେହ ଭାତୃତ୍ବ ଭାବର,

ନାରୀର ସୁରକ୍ଷା ସତୀତ୍ଵର ରକ୍ଷା

ମୂଳ ଉଦ୍ଦେଶ୍ୟ ଏହାର ।।

ବିହାର ଆସାମ ଉତ୍ତର ପ୍ରଦେଶ

ଝାଡ଼ଖଣ୍ଡ ମହାରାଷ୍ଟ୍ର,

ପଶ୍ଚିମବଙ୍ଗ ଓ ଓଡ଼ିଶା ପଞ୍ଜାବେ

ଘର କୁର୍ମି କ୍ଷତ୍ରୀୟର ।।

କି ଅବହେଳିତ ଅବସ୍ଥାରେ ଆଜି

କୁଡୁମି ଯେ ଓଡ଼ିଶାର,

ଆରକ୍ଷଣ ପାଇଁ ଅସ୍ତବ୍ୟସ୍ତ ହୋଇ

କହେ ଆଦିବାସୀ କର।।

ଶିବାଜୀଙ୍କ ରାଜ୍ୟ ଥିଲା ଯେ ବିଶାଳ

ସେ ଅତୀତ ସମୟରେ,

କଳିଙ୍ଗ ରାଜ୍ୟଟି ମଧ୍ୟ ରହିଥିଲା

ଶିବାଜୀଙ୍କ ଅଧୀନରେ ।।

ପାଇକ ବିଦ୍ରୋହ ସମୟରେ ମଧ୍ୟ

କୁଡୁମି ବୀର ଯୁଦ୍ଧରେ,

କେତେ ବୀର ନର ପ୍ରାଣବଳି ଦେଲେ

ଲେଖା ଯେ' ଇତିହାସରେ ।।

ଶିବାଜୀ ଥିଲେ ଯେ ସୂର୍ଯ୍ୟ ବଂଶ ରାଜା

ଶ୍ରୀରାମଙ୍କ ବଂଶଧର,

ସେହି କୁଳେ ମୁହିଁ ଜନମ ଲଭିଛି

ତେଣୁ ଉଚ୍ଚ କୁଳ ମୋର ।।

ଆଦିବାସୀ କୋଟା ପାଇଁ ଜାତି କେବେ

ତଳେ ପକାଇବି ନାହିଁ,

ପରିଶ୍ରମ ବଳେ ପିଲା ହେବେ ବଡ଼

ଏଥିରେ ସନ୍ଦେହ ନାହିଁ ।।

ଆମର ସଂସ୍କୃତି ଆମ ପରମ୍ପରା

ରଖିଥିବା ସବୁଦିନେ,

ମକର ପାଳିବା ଟୁସୁ ବୁଲାଇବା

ସ୍ନେହ ଶ୍ରଦ୍ଧା ପ୍ରୀତିଦାନେ ।।

*ବି:ଦ୍ର: ବହୁ ଐତିହାସିକ ଗବେଷଣା ପରେ

କୁର୍ମି କ୍ଷତ୍ରୀୟ ମାନପତ୍ର ସହିତ ସତ୍ୟ ଘଟଣାଟି

ପୋଷ୍ଟ କରିଛି । ପୁରୀ ଶ୍ରୀମନ୍ଦିରରେ ଥିବା

ମୁକ୍ତିମଣ୍ଡପରେ ରହିଥିବା ଜାତି ର ତାଲିକାର

ଫଟୋ କପି ମଧ୍ୟ ମୋ' ପାଖରେ ଅଛି ।ମୋ

ବାପାଙ୍କୁ ପୁରୀର ଜଣେ ଶଙ୍କରାଚାର୍ଯ୍ୟ ପ୍ରଦାନ

କରିଛନ୍ତିି।ସେ ଆମ ଗାଆଁ ମନ୍ଦିର ପ୍ରତିଷ୍ଠା

ସମୟରେ ଆସିଥିଲେ ଏବଂ ମୋ' କକା

ତ୍ରିଲୋଚନ ମହାନ୍ତ ଙ୍କ

ଘରେ ଖିଆପିଆ କରିଥିଲେ ଏବଂ ଦୁଇ ଦିନ

ରହି ଥିଲେ ।।ମୋ ବାପା ହେଉଛନ୍ତି ଅନଗୁଳ

ଜିଲ୍ଲାର ମହାନ୍ତ ସମାଜର ପୂର୍ବତନ ସଭାପତି* ।

ଟୁସୁ କିଏ?

*ଟୁସୁ ହେଉଛି ଜଣେ କୁର୍ମି ରାଜାଙ୍କର କନ୍ୟା।

ତା'ର ଅପୂର୍ବ ଲାବଣ୍ୟମୟୀ ରୂପଶୋଭା ତା'ର

ମୃତ୍ୟୁ ର କାରଣ ହୋଇଥିଲା।

ଔରଙ୍ଗଜେବ୍ ଆକ୍ରମଣ ସମୟରେ ଟୁସୁ

ରାଜମହଲ ର ଉପର ମହଲାରୁ ପଛପଟେ ଥିବା

ଜଳରାଶିରେ ଡେଇଁ ପଡ଼ି ପ୍ରାଣତ୍ୟାଗ କରିଥିଲା ।

ନିଜ ର ସତୀତ୍ୱ ନିଜର ଅସ୍ମିତା ରକ୍ଷା କରିଥିଲା।

ସେଥିପାଇଁ ମକର ସଂକ୍ରାନ୍ତି ସମୟରେ କେଉଁଝର

ଓ ମୟୂରଭଞ୍ଜ ରେ ସାଧାରଣତଃ ଟୁସୁମେଳା

ହୁଏ । ଗାଁ ଗାଁରେ ମହିଳା ମାନେ ଟୁସୁ ବୁଲାନ୍ତି

ଆଉ ଶେଷରେ ପାଖରେ ଥିବା ନଦୀ ଓ ସମୁଦ୍ରରେ

ଟୁସୁ ବିସର୍ଜନ କରାଯାଏ।*

ରାଜ୍ୟ ଉପ ସଭାପତି

ଓଡ଼ିଶା ସାହିତ୍ୟିକ ସଂଗଠନ

ଭୁବନେଶ୍ଵର, ଓଡ଼ିଶା

ବେଙ୍ଗାଲୁରୁ

@Copy Right reserved

13.ଶୀର୍ଷକ-ରାତି

ପ୍ରଜ୍ଞାଲୀନ ସାହୁ

ରାତି ରୂପବତୀ ଢାଳେ ସିଏ ପ୍ରୀତି

ଅବସାଦ ହରିବାକୁ

ମଧୁ ଝରା କଥା ମାଦକତା ମହୁ

ନିଅଇ ତାର କୋଳକୁ ||

ଅପ୍ରତିମ କାୟା ବଶୀଭୂତ କରେ

ନିଃସ୍ୱାର୍ଥର ପ୍ରେମ ଢାଳି

ଦାଗର କଳଙ୍କ ନିଜ ଦେହେ ବୋଳି

ପିନ୍ଧାଏ ଆଭାର ମାଳି ||

ଯନ୍ତ୍ରଣାର ଜ୍ୱାଳା ଲୁଚାଇକି ହୃଦେ

ସଜ ଇନ୍ଦ୍ରଧନୁ ରଙ୍ଗେ

କେକିନୀ ହୋଇକି ନାଚଇ ପୁରରେ

ଜହ୍ନ ବର୍ଷା ପ୍ରୀତି ସଙ୍ଗେ ||

ପ୍ରୀତିର ଆନନେ ଦେଖିଦେଲେ ତୃପ୍ତି

ହସିଦିଏ ସ୍ୱ'କୁ ଦେଖି

ନିଜ ସ୍ୱପ୍ନ ଭାଙ୍ଗି ସଜାଏ ସ୍ୱପ୍ନକୁ

ଦେବାକୁ ଭେଟିର ସଖି ||

ଅଭିଶପ୍ତ କନ୍ୟା ଦୀର୍ଘତୃଷ୍ଣା ଆଭା

ଅପେକ୍ଷା ପୁଣ୍ୟର ଟିକା

କର୍ମ ହିଁ ଜୀବନ ଧରମ ହିଁ ସେବା

ଯାହା ପରିଚୟ ଏକା ||

ନିଶବ୍ଦ କୋଠରୀ ପାପର ନାଟକ

ସର୍ବ ତାର କାୟା'ପରେ

ନିରୁପାୟ ପଥ ଅପବିତ୍ରୀକୃତ

ମୂଲ୍ୟାୟନ ତା ନାମରେ ||

ତଥାପି ହସଇ ହସାଇବା ପାଇଁ

ଲଗାଇ ପୁରରେ ବତୀ

ନିଜେ ଜଳିକରି ଦିଅଇ ଉଷ୍ଣତା

କୋଳକୁ ଦେବାକୁ ପ୍ରୀତି ||

ଜଗତସିଂହପୁର

14.ଶବ୍ଦଭାଗ୍ୟ

ରାଗ।। ନଟ ବାଣୀ।।

ଭାଗ୍ୟ ଯାର ଭଲ ଜୀବନ କାଳରେ,

ନପଡ଼େ ବିପଦେସୌଭାଗ୍ୟବଳରେ।

ତା ଜୀବନେ ଯେତେ ଆସଇ ବିପଦ,

ଭାଗ୍ୟବଳେ ତାହା ପାଲଟେ ସମ୍ପଦ।

ଅନ୍ଧାର ବିନାଶ ଦିବସ ଆଗମ,

ଭାଗ୍ୟେଫୁଟେ ତାରାହୋଇଣସୁଗମ।

ଯେତେ ଯାହା ଦୁଃଖ ଯାଏ ଅପସରି,

ଭଗ୍ୟାକାଶ ତାର ଉଠଇ ଉଜ୍ଜଳି।

ଭାଗ୍ୟବାନ ଭାଗ୍ୟ ପତର ତଳରେ

ହତଭାଗ୍ୟ ରହେ କଠିନ ପଥରେ।

ଥରେ ଚାପି ହେଲେଉଠି ନ ପାରଇ

ସୁନ୍ଦର ଶରୀର ମାଟିରେ ମିଶଇ।

ଭାଗ୍ୟଶାଳୀଯାହା ସ୍ପର୍ଶକରେ ହାତେ

ମଲ୍ଲିହୋଇଯାଏଆପେସାଥେ ସାଥେ

ଭାଗ୍ୟବାନଯାହା ପରଶେ ସୁମନ,

ପାଲଟି ଯାଏତା' ବିକଚ ସୁମନ।

ଭାଗ୍ୟ ବଳେ ନର ପାଏ ସୁଧା ଧାରା

ଦୁର୍ଭାଗ୍ୟରେ ଯାଏ ଅନ୍ଧକାର କାରା।

ଭାଗ୍ୟ ବଳେ ମିଳେ ହରି ଦରଶନ,

ହତଭାଗ୍ୟକରେ ନରକ ଗମନ।

ଭାଗ୍ୟ ଶାଳୀ ପଦେ ପଦ୍ମ ଫୁଟି ଥାଏ

ହାତଭାଗ୍ୟ ପଦେ କଣ୍ଟା ଫୁଟି ଯାଏ।

ଭାଗ୍ୟ ଭଲ ଥିଲେ ଆଗକୁ ବଢ଼ଇ,

ହତଭାଗ୍ୟ ଆପେ ପଥରେ ଛିଡଇ।

ଭାଗ୍ୟ ଶାଳୀ କର୍ମ ସବୁଜ ସୁନ୍ଦର,

ହତଭାଗ୍ୟଯାଏ ଦୁଃଖର ସାଗର।

ଯାହାଇଚ୍ଛାକଲେ ଖୋଲଇପାଖୁଡ଼ା

ନ ହେଲେ ହୁଅଇ ସବୁହିଁ ଉଜୁଡ଼ା।

ଯାକୁ ଭାଗ୍ୟଦିଏ ଚଲାପଥେ ସାଥ

ଭାଗ୍ୟଲକ୍ଷ୍ମୀ ପଡ଼େ ତାର ଦିବ୍ୟହାତ।

ମଣିଷ ଜୀବନ ଭାଗ୍ୟ ହାତେ ଥାଏ,

ନ ମରଣ ଆପେ ଆପେ ଆସିଥାଏ।

ଭାଗ୍ୟହାତେ ସଦା ଭାଗ୍ୟଲକ୍ଷ୍ମୀ ଥାଏ

ଭାଗ୍ୟବାନ ସଦା ସ୍ଵଗ୍ୟ ପୁର ଯାଏ।

।। ସମାପ୍ତ।।

ଶ୍ରୀ ବିଦ୍ୟାଧର ମହାନ୍ତ, ତମ୍ବାହରା,

ହରି ଚନ୍ଦନ ପୁର କେନ୍ଦୁଝର ଓଡ଼ିଶା

ମୋ ନ 7848000030.

****

15.ଅଶୁଭ ସ୍ଵପ୍ନର ରାତି

(( ବେଣୁଧର ସୂତାର ))

ତରଳ ତାରୁଣ୍ୟ ଆବେଗରେ ମଗ୍ନ

ସପନ ଭଉଁରୀ କୋଳେ

ନୀଳ ନୟନରେ ମଧୁର ତୃପ୍ତିରେ

ମହୁଆ ଚମକ ଖେଳେ ।।

ନିଝୁମ ରାତିର ଚିତ୍ର ପୁରୀ ମାୟା

ପ୍ରଣୟ ଆତୁର କ୍ଷୁଧା

ଅଙ୍ଗେଅଙ୍ଗେଭରା ପ୍ରୀତିର ପିପାସା

କଳାବତୀ ପ୍ରେମ ସୁଧା ।।

ସପନର ଫାଙ୍କେ ପ୍ରୀତିଛବି ଆଙ୍କେ

ଛନ୍ଦ ମଗ୍ନା ରୂପ ରାଣୀ

ସରମରେ ଭିଜା ନୟନ ଚାହାଣୀ

ରୂପସୀ ରସାଳ ଠାଣି ।।

ଅଳ୍ପତନ୍ଦ୍ରା ଭିଜା ତନୁତଳ୍ପ ତା,ର

ରାଜହଂସୀ ସୁର ବାଳା

ରାସ ଶୃଙ୍ଗାରେ ତନୁ କୁ ସଜାଏ

ପ୍ରଣୟର ମଧୁଶାଳା ।।

ତନ୍ଦ୍ରା ତାମସୀ ସେ ତୃଷ୍ଣା ରୂପସୀ

ରଙ୍ଗ ଅଧର ପାତ୍ରେ

ପିଆଇ ଦେଇଛି ପ୍ରଣୟ ମଦିରା

ଘନ ଅନ୍ଧାର ରାତ୍ରେ ।।

ତନୁ ଅଳସୀର ତନ୍ମୟ ଛନ୍ଦର

ଲାବଣ୍ୟ ଶୃଙ୍ଗାର ତୀରେ

ଚୋରା ଚଇତିର ଚାରୁ ଚୁମ୍ଵନରେ

ପ୍ରୀତି ପଦ୍ମ ରାଗ ଝରେ ।।

ଆଲୁଳାୟିତ ତା କବରୀ କୁଞ୍ଜରେ

ସଜ ମଲ୍ଲୀକାର ବାସ

ତନୁ ଶ୍ରୀ ଅଧରୁ ଝରିପଡୁଥିଲା

ପଦ୍ମ ପଲାଶର ହସ ।।

ସ୍ଵପ୍ନ ଚାଲି ଗଲା ଅଜଣା ରାଇଜେ

କରି ମୋତେ ଏକା ଏକା

ଯାହା ପାଇଁ ମୁହିଁ ଲଙ୍ଘିଲି ନିଶୀଥେ

ନିଷିଦ୍ଧ ଲକ୍ଷ୍ମଣ ରେଖା ।।

ଭଗ୍ନ ହୃଦୟ ବିରହୀ ଟିଏ ମୁଁ

ମଗ୍ନ ମଦିରା ପାନେ

ମଧୁଶାଳା ସାକୀ ଯୈାବନ ଲୁଟିଲା

ବସନ୍ତର ବାତାୟନେ ।।

ପ୍ରେମ ପ୍ରଣୟର ଭ୍ରମିତ ସ୍ଵପ୍ନରେ

ହୋଇଥିଲି ଦିଶାହରା

ସେସ୍ବପ୍ନ ସତେ ମୋ

ଭାଗ୍ୟକାଶେ ଥଲା

ଅଶୁଭ ଲଗ୍ନର ତାରା ।।

ସପନ ବେଦିର ପ୍ରତିଶ୍ରୁତି ସବୁ

ରହିଗଲା ଅଧା ଅଧା

ପ୍ରତୀକ୍ଷାହିଁ ମୋର ପ୍ରାରବ୍ଧପ୍ରାଚୀର

ଫେରିବକି ସ୍ଵପ୍ନ ରାଧା ।।

କେଶଦୁରାପାଳ କେନ୍ଦୁଝର

ଦୂର ଭାଷ -୯୧୭୮୫୬୮୨୪୬

10.ଜୀବନ ଯୁଦ୍ଧ

ଜୀବନ ଯୁଦ୍ଧରେ ହାରି ମୁଁ ଯାଇଛି

ଭରି ଯାଇଛି ମୋ ଆଖି l

ବିଜନ ବେଳାରେ ସପନ ଖଳାରେ

ଖୋଜୁଛି ଜୀବନ ବାକି l

ଏନ୍ତୁଡ଼ିରୁ ଉଠି ପେଟେଇ ଆଣ୍ଠେଇ

ଚାଲିଛି ମୁଁ ପଡି ଉଠି l

କୈଶୋର ଯୌବନ ଅତିକ୍ରମି ଆଜି

ହାତରେ ଧରିଛି ଲାଠି l

ଅଛି ସମୟଟା ମୁକ ସାକ୍ଷୀ l

କେତେ ସୁଖ କେତେ ଦୁଃଖ ସାଉଁଟିଛି

ରଖିନି କାହିଁ ମୁଁ ଲେଖି l

ପ୍ରାରବ୍ଧ ଯା ସାଥେ ଧରି ଆସିଥିଲି

ଆଜିବି ଚାଲିଛି ଭୋଗି l

କର୍ମଫଳ କେତେ ଅଣ୍ଟିରେ ଭରିଛି

ମୋ ଆର ଜନମ ଲାଗି l

ମୁଁ'ତ ଜାଣିନି ମହା ପାତକୀ l

ତଥାପି କରୁଛି ପାପ ଏ ପୃଥୀରେ

ନିଜେ ମୁଁ ପାରୁନି ଦେଖି l

ଚାଲି ଆସିଛି ମୁଁ ବାଟ ବହୁ ଦୂର

ଆଜି ବେଳାରେ ଏକାକୀ l

ଖୋଜୁଛି ମୋର ସେ ଅତୀତ ସ୍ମୃତିକୁ

ମାନସ ପଟ୍ଟରେ ଆଙ୍କି l

ହେଲେ ପାଦ ମୋ ଯାଇଛି ଥକି l

ସାୟାହ୍ନରେ ବସି ପାରୁନି ଭରସି

ଝୁରୁଛି ମୋ ପ୍ରାଣ ପକ୍ଷୀ l ଅରବିନ୍ଦ l

ଓସ୍ତପୁର,କେନ୍ଦ୍ରାପଡା l 9937641849 l

11.ଶିଶୁ କବିତା

ମା ସରସ୍ଵତୀ

ବାବାଜୀ ଚରଣ ଦାସ

ଜ୍ଞାନ ବୁଦ୍ଧି ବିଦ୍ଯା ଦିଅନ୍ତି ଯିଏ

ମା ସରସ୍ବତୀ ଅଟନ୍ତି ସିଏ।

ବସନ୍ତ ଋତୁର ପବିତ୍ର ଅତି

ମାଘ ମାସ ଶୁକ୍ଳ ପଞ୍ଚମୀ ତିଥି।

ବୀଣାପାଣି ହଂସ ବାହିନୀ ପୂଜା

ବିଦ୍ଯାଳୟେ ହୁଅଇ ସାଜସଜ୍ଜା।

ଜଗନ୍ନାଥ ପଞ୍ଚପଲ୍ଲବ ପାଇଁ

ରଥ କାଠ ଅନୁକୂଳ ହୁଅଇ।

ତିନି ରଥ ପାଇଁ ତିନି କାଠରେ

ନୃସିଂହଙ୍କ ମୂର୍ତ୍ତି ଖୋଦେଇ ପରେ।

ପୁରପଲ୍ଲୀ ଠାରୁ ଶିକ୍ଷାନୁଷ୍ଠାନ

ପୂଜାର୍ଚ୍ଚନା ହୁଏ ସବୁରି ସ୍ଥାନ।

ମଙ୍ଗଳ କାରିଣୀ ମା ସରସ୍ଵତୀ

ପୁଷ୍ପାଞ୍ଜଳି ସହ ଘେନ ପ୍ରଣତି।

ମହାଶକ୍ତି ମାତା ଦେବୀ ଶାରଦା

ପ୍ରାର୍ଥନା କରୁଛି ଦିଅ ମା ବିଦ୍ଯା।

ପଞ୍ଚସଖା ନଗର, ଡୁମୁଡୁମା, ଭୁବନେଶ୍ବର।

ବର୍ତ୍ତମାନ ନୋଇଡା ରେ।

12.ପ୍ରଶ୍ନ କିଛି

ପ୍ରଶ୍ନବାଚୀଙ୍କର................

ଫେରିଯିବା ଲୋକ ଡରିବ କାହିଁକି

ବାଟର ଅନ୍ଧାର ଦେଖି

ହାରିଯିବା ଲୋକ ଚିରିବ କାହିଁକି

ରାତିର ଠିକଣା ଲେଖି ।।

ଭୁଲିଯିବା ଲୋକ ପଢିବ କାହିଁକି

ପଛର ଗପକୁ ଖୋଜି

ଛାଡ଼ିଯିବା ଲୋକ କହିବ କାହିଁକି

କାହାଣୀ ରହିଛି ବାକି ।।

ଡ଼ରିଯିବା ଲୋକ ମାପିବ କାହିଁକି

ଲୁଚେଇ ଭୟର ଛାଇ

ହଜିଯିବା ଲୋକ ଭାବିବ କାହିଁକି

ଖୋଜିବା ପ୍ରଶ୍ନକୁ ନେଇ ।।

ନେଇଯିବା ଲୋକ ଦେଖିବ କାହିଁକ

ପଛକୁ ଲେଉଟି ଫେରି

ଶୋଇଯିବା ଲୋକ ବୁଝିବ କାହିଁ

ନିଦକୁ କାଳି କି ଗୋରୀ ।।

ଦେଖିଯିବା ଲୋକ ବିକିବ କାହିଁକି

ନିଜକୁ ନିଲାମେ ଡାକି

ମାଗିଯିବା ଲୋକ ବାଛିବ କାହିଁକି

ଚିଠାକୁ ମିଳେଇ ଦେଖି ।।

ମହେନ୍ଦ୍ର ନନ୍ଦ

ହିଲ୍ ଟାଉନ୍, ଭବାନୀପାଟଣା

୮୨୪୯୪୧୧୩୬୭

7.ସ୍ଵପ୍ନ

ଅପର୍ତ୍ତି ସେଠୀ

(ରୋମାଣ୍ଟିକ)

ସ୍ଵପ୍ନ ତୁମେ....

ଆସ କେବେ ,

ଅନ୍ଧାରୀ ରାତ୍ରୀରେ,

ନିରୋଳା ମୁହୂର୍ତ୍ତେ ପୁଣି

ନିଃଶବ୍ଦ ପ୍ରହରେ।

କେବେ ପୁଣି ମୁଦାଥିବା

ଆଖି ପଲକରେ।

କେବେ ପଶି ଯାଅ ହୃଦ

ଦରଜା ଫାଙ୍କରେ।

ସ୍ଵପ୍ନ ତୁମେ......

ନିଃସଙ୍ଗର

ସୁନ୍ଦରୀ ନାୟୀକା,

କେବେ ବିଷାଦ କାହାଣୀ

କେବେ ପୁଣି ଧୋକା।

କେବେ ପରି ରାଇଜର

ପ୍ରୀତି ମନ୍ଦାକିନୀ,

କେବେ ସରଗ ଅପ୍ଶରୀ

ପ୍ରଣୟ ନନ୍ଦିନୀ।

ସ୍ଵପ୍ନ ତୁମେ......

ଚୂନା ଚୂନା

ଅନାବନା ଫୁଲ,

ଫଗୁଣ ଲଗନେ ପୁଣି

ପ୍ରତୀକ୍ଷାର ମୂଲ।

କେବେ ଚଗଲି ଝରଣା

କେବେ ସ୍ରୋତସ୍ଵିନୀ,

କେବେ ସୁନାଫୁଲ ପୁଣି

କେବେ ଅଭିମାନୀ।

ସ୍ଵପ୍ନ ତୁମେ......

କେବେ ପୁଣି

ସପନ ବଣିକ,

ସାଗର ବେଳାରେ କେବେ

ଶାମୁକା ଖୋଜୁଛ।

କେବେ ଅଭୁଲା ସ୍ମୃତିଟି

କେବେ ବିସ୍ମରଣ,

କେବେ ଅନୁଭୂତି ପୁଣି

କେବେ ଜାଗରଣ।

ସ୍ଵପ୍ନ ତୁମେ....

ଆକାଶର

ରୂପାଜହ୍ନଟିଏ,

ହୃଦ ଗହନ କାନନେ

ସୁଗନ୍ଧ ପରାୟେ।

କେବେ ପୁଣି ଅଲିଅଳୀ

ରାଜଯେମାଟିଏ,

କେବେ ଶ୍ରାବଣର ଧାରା

ଲୁହରୁ ମେଞ୍ଚାଏ

ସ୍ଵପ୍ନ ତୁମେ.....

ନିଦାଘର

ତାତି ଡହ ଡହ,

କେବେ ଚ‌ଇତାଳୀ ବାଆ

କେବେ ତ ମଳୟ।

କେବେ ମୁଦ୍ରିତ ଆଖିରେ

ଅସମ୍ପୂର୍ଣ୍ଣ ଛବି,

କେବେ ଲେଖନୀକୁଧରି

ସାଜିଅଛ କବି।

ସ୍ଵପ୍ନ ତୁମେ....

ଅଙ୍କାବଙ୍କା

ପାହାଡିଆ ରାସ୍ତା,

କେଉଁ ସିମନ୍ତିନୀ ହାତେ

ଦୁଇପଟ ଶଙ୍ଖା।

କେବେ ଦରଦି ମନର

ମଧୁର ଅପେକ୍ଷା,

କେବେ ମଧୁର ମିଳନ

କେବେ ପୁଣି ଧୋକା।

ସ୍ଵପ୍ନ ତୁମେ.....

କ‌ଅଁଳିଆ

ଶିଶୁ ଓଠ ହସ,

କେବେ ପଶ୍ଚାତାପ ପୁଣି

କେବେ ତ ସାହସ।

କେବେ ରୁଦ୍ଧଦ୍ଵାରେ ତୁମେ

ଜାଗ୍ରତ ପ୍ରହରୀ,

କେବେ ପୁରୁଷ ସାଜୁଛ

କେବେ ପୁଣି ନାରୀ।

ସ୍ଵପ୍ନ ତୁମେ......

ସମ୍ପର୍କର

ସମ୍ବନ୍ଧ ସମୀକ୍ଷା,

ସ୍ଵପ୍ନ ତୁମେ ବିଚ୍ଛେଦ

ଧୃତ କୁହେଳିକା।

ସ୍ଵପ୍ନ ତୁମେ ଜୀବନର

ଅନ୍ତିମ ସ୍ଵାକ୍ଷର,

ଶେଷ ଗୀତ ରାମ ନାମ

ତୁମେ ମୁକ୍ତିଦ୍ଵାର।

(ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡ଼ା,

ମୋ-୭୮୯୪୩୯୮୫୦୦)

8.ଜୀବନ ଗୁଡ଼ି

ଜାନକୀ ମହାନ୍ତ

ଉଡ଼ି ଉଡ଼ି ଯା' ମୋ' ଜୀବନ ଗୁଡ଼ି

ଶ୍ରୀକ୍ଷେତ୍ରରେ ଯାଇ ପହଞ୍ଚୁ ଉଡ଼ି

ଯିବୁ ନାହିଁ ଜମା ତୁ' ପଥହୁଡି

ମନରେ ଉଠିବ ଖୁସି ଲହଡ଼ି ସେ'

ଅରୁଣସ୍ତମ୍ଭ କୁ ଭିଡ଼ି ଯେ,

ଭିତରକୁ ଯାଇ ଦୁଃଖ ଦେବୁ କହି

ଗରୁଡ଼ସ୍ତମ୍ଭ ଜାବୁଡ଼ି ଯେ ।।

ମୁକ୍ତ ଗଗନରେ ଧନ ରେ ଉଡ଼

ପରଶ୍ରୀକାତର ଈର୍ଷ୍ୟାକୁ ଛାଡ଼

ରଖିବୁ ମନ ତୋ' ନିର୍ମଳ ଦୃଢ଼

ନରେନ୍ଦ୍ର ଜଳରେ ପାରିବୁ ବୁଡ଼ ସେ'

ଅହଙ୍କାର ମଳି କାଢ଼ ଯେ,

କରିବୁ ଦର୍ଶନ ମୁରାରି ମୋହନ

ଦୁଃଖ କରି ଯିବ ଆଡ଼ ଯେ ।।

ରତନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତି

ଦର୍ଶନେ ମିଳିବ ଆତ୍ମାରେ ତୃପ୍ତି

ଚାରି ଡୋଳା ମିଶି ଆନନ୍ଦ ଅତି

ମକର ସଂକ୍ରାନ୍ତି ପୁଣ୍ୟର ତିଥି ସେ'

ଦରଶନେ ଦିବ୍ୟଜ୍ୟୋତି ଯେ,

ମକର ଚାଉଳ ଗୁଡ଼ ଲଡୁ ତିଳ

ପ୍ରସାଦରେ ହେବୁ ଶାନ୍ତି ଯେ ।।

ରଜ୍ଜୁରେ ସଦା ତୁ ରହିବୁ ବାନ୍ଧି

ଅଖଣ୍ଡ ବିଶ୍ବାସେ ହୋଇଣ ବନ୍ଦୀ

ଛନ୍ଦା ଚରଣରେ ମଧୁରେ ଛନ୍ଦି

ଉଡ଼ାଏ କଟାଏ ପ୍ରଭୁ ଅନାଦି ସେ'

ରାଧାକୃଷ୍ଣ ଯୁଗଳବନ୍ଦୀ ଯେ,

ଚାଲୁ ଚାଲୁ ଏକା ନ ପଡ଼ିବୁ ଥକି

ସାହା ଖଗପତି ଆଦି ଯେ ।।

ସେ'ରେଶମୀ ଡୋରୀ ଯେବେ ଛିଡ଼ିବ

ପ୍ରାଣବାୟୁ ତେବେ ବାହୁଡ଼ି ଯିବ

ହା' କୃଷ୍ଣ ହା' କୃଷ୍ଣ ମୋ' ଲବେ ଥିବ

ସ୍ୱର୍ଗଦ୍ୱାରେ ମୋକ୍ଷ ଦେବ ମାଧବ ସେ'

ଶ୍ରୀକ୍ଷେତ୍ରେ ନୀଳମାଧବ ଯେ,

ଆତ୍ମା ପରମାତ୍ମା ହେବ ଏକାକାର

ସ୍ୱର୍ଗଦ୍ୱାରେ ହେ କେଶବ ଯେ ।।

ରାଜ୍ୟ ଉପ ସଭାପତି

ଓଡ଼ିଶା ସାହିତ୍ୟିକ ସଂଗଠନ

ଭୁବନେଶ୍ୱର ଓଡ଼ିଶା

ବେଙ୍ଗାଲୁରୁ

@Copy Right reserved

9.ଦୁବ

ବିପିନ ବିହାରୀ ବାରିକ

ମାଟିପରେ ନିଶ୍ଚିନ୍ତରେ ଦୁବ ଥିଲା ଶୋଇ

ମୃଦୁ ମରୁତ ଥିଲାତା ପତ୍ର ଦୋହଲାଇ

କାହୁଁ ବଣିଟିଏ କେତେ ଦୂରୁ ଉଡି ଆସି

ବସିଗଲା ଦୁବ ପରେ ଟିକେ ସ୍ମିତ ହସି ll

ଅଣ୍ଡାଳୁ ଆଣ୍ଡଳୁ ପୋକ ତାର ପେଟପାଇଁ

ପଚରିଲା କଥାଟିଏ ଦୁବ ମୁହଁ ଚାହିଁ,

""ଲଙ୍ଗଳ ମୁନରେ ଚାଷୀ ଉପାଡଇ ତୋତେ

ହତ ଶିରି ହେଉ ପୁଣି ତୁହି ସୂର୍ଯ୍ୟାଘାତେ ll

କିବା ଅଟେ କହ ତୋର ଜୀବନ ରହସ୍ୟ

ଯେମିତି ସେମିତି ଅଛୁ ସହସ୍ର ବରଷ

ତୋ ସାଥିରେ କେତେ ଜୀବ ଗଲେଣି ଉଭାଇ

କେମିତି ରହିଛୁ ଚିରଂଜିବୀ ଟିଏ ହୋଇ?

ବାତ୍ୟାଘାତେ ମହାଦ୍ରୁମେ ଲୋଟେ ମହୀପର

ଉପୁଡି ଗଡ଼ଇ ତଳେ ମୂଳ ସହିତର

ତିଳେ ବାଆ ବତାସକୁ ନ ଥାଏ ତୋ ଡର

ବିଗାଡି ପାରେନି କିଆଁ କେହି କିଛି ତୋର? ""

ନଜାଣଇ ଆନ ମାଟି ମାଆ ବିନା ମୁଁହିଁ

କି ଦୁଃଖ ମୋହର ମାଆ କୋଳେ ସଦା ଥାଇ

ଜାଳେ ସୂର୍ଯ୍ୟ ଚାଷୀ ଉପାଡଇ ମୋର ଚେର

ଡାକେ ବର୍ଷା,ମାଆ ଦୁଃଖେ ହୋଇ ମୋ କାତର ll

ମୁଶଳ ଧାର ବର୍ଷାର ଅମୃତମୟ ନିର

ସଂଚାର କରଇ ପୁନଃ ପ୍ରାଣ ମୋ ଶରୀର

ପୂର୍ବ ଶ୍ୟାମରାଗୁ ବଳି ଦିଗୁଣ ରାଗରେ

ଖେଳେ ମୁଁହିଁ ସୁଖେ ପୁଣି ମୋ ମାଆ କୋଳରେ ll

ମାଆ କୋଳ ଛାଡି ସ୍ୱର୍ଗ ଛୁଇଁବାର ପାଇଁ

ମହୀରୁହ ସମ କେବେ ସ୍ପଦ୍ଧା କରିନାହିଁ

ତାର ସ୍ପର୍ଦ୍ଧlହୁଏ ତାର ବିନାଶ କାରଣ

ପରିଶେଷେ ଲୋଡ଼ି ଥାଏ ମାଆର ଚରଣ ll

ସଭିଙ୍କ ଶେଷ ଆଶ୍ରୟ ଯେଉଁ ମାଆ କୋଳ

ସେ କୋଳେ ଆଶ୍ରୟ ମୋର ପରା ଚିର କାଳ

ସମ୍ପଦ ଲୋଡ଼ିନି କେବେ ଜୀବନରେ ମୁଁହିଁ

ତେଣୁ ଜୀବନେ ବିପଦ କିବା ନ ଜାଣଇ lll

ଥାଏ ଯେ ଉପରେ ସିନା ଲୋଟେ ମାଟି ପରେ

ମୋର କିବା ଭୟ, ଥାଇ ମାଟିର କୋଳରେ

ମାଟି ମାଆ କୋଳ ମୋର ଅଭୟ ଆଶ୍ରୟ

ତେଣୁ ମଣିନି ଜୀବନେ କେବେ ଅସହାୟ ll

ଏ ଅଟଇ ବଣି ! ମୋର ଜୀଵନ ରହସ୍ୟ

କେହି କରି ନାହିଁ ମୋର ବିନାଶ ସାହସ

ରହି ଅଛି ରହି ଥିବି ଯୁଗାନ୍ତର ମୁହିଁ

ନିଶ୍ଚିନ୍ତରେ ମୋର ମାଟି ମାଆ କୋଳେ ଶୋଇ ll

ବୃଦ୍ଧି ସିନା ଅଛି ଯାର ରହି ଥାଏ କ୍ଷୟ

ବିଜୟୀ ଆଶାର ମୂଳେ ପରାଜୟ ଭୟ

ଏ ସବୁର ଦୂରେ ବଣି ମୋର ପରିଚୟ

ମାଟି ମୋ ଜୀବନ ଗାଏ ମୋ ମାଟିର ଜୟ

ନିତ୍ୟାନନ୍ଦ ଗୋବିନ୍ଦ ନୀଳୟ, ସହଦେଵଖୁଣ୍ଟା, ବାଲେଶ୍ୱର

4. ଶବଦ ଫୁଲ

କବିତା ସବୁର ଶବଦ ଗୁଡ଼ାକ

ଫୁଲ ପରି ଝରିପଡେ,

ଉପମା ଯେତେକ ପ୍ରତିଟି ପଂକ୍ତିର

ତାରା ଭଳି ଖସିପଡେ।।

କେମିତି ଲେଖଯେ ଲେଖାଗୁଡ଼ା ତୁମ

ହୃଦ ଛୁଇଁ ଛୁଇଁ ଯାଏ,

ଉଦାସ ମନେମୋ' ସଞ୍ଚାରିତ କର

ପ୍ରେମର ମଳୟ ବହେ।।

ଶବଦ ଗୁମ୍ଫନ କଳାରେ ତୁମର

ଦେଖି ଯାଦୁକରୀ ଶକ୍ତି,

ଅଭିଭୂତ ହୁଏ ବୁଝି ମୁଁ ପାରେନା

ବେଳେ ବେଳେ ଜାଗେ ଭୀତି ।।

ଆଉ କାହାପାଇଁ ଲେଖୁଥିବ ଭାବି

ପଢ଼େ ନୟନ ନୀରରେ,

ଅଳସ ଵେଳାରେ ଭାବିବସେ ମୁଁ ଯେ

ନାୟିକା ସଜାଅ କା'ରେ।।

କାହିଁକି ଏପରି ଲାଗେ କହିବକି

କବିଟିଏ ତୁମେ ପରା,

ମନ ଭିତରର କଥା ପଢ଼ିପାର

ଭାଵରେ ଦିଅ ଈଶାରା।।।pl

ତୁମେ ଯଦି ମୋର ପାଶରେ ଥାଆନ୍ତ

ଏପରିକି ଭାବି ଥାନ୍ତି?,

ତମ ଚାରିପଟେ ଘୂରି ଘୂରି ମୋର

ସମୟକୁ ଦେଇଥାନ୍ତି।।

।। ଚିତ୍ରା ରାଣୀ ପାତ୍ର।।

।।ବାଲେଶ୍ଵର।।

5.ମୋ ଦୃଷ୍ଟିରେ ଗାନ୍ଧୀ

ଜଗତ ଯାକରେ ହୁରି ପଡିଅଛି

କେମିତିକା ଲୋକ ଜଣେ

ନେକେଡ ଫକିର ଫୁଙ୍ଗୁଳା ଶରୀର

ଚାଲିଗଲ ଗାନ୍ଧୀ କେଣେ॥

ଦୁଇ ଖଣ୍ଡ ଖଦି ଦେହରେ ଗୁଡାଇ

ଜୀର୍ଣ୍ଣ ଶରୀର ତୁମର

ଠେଙ୍ଗାଟିଏ ଧରି ଲଣ୍ଡିତ ମସ୍ତକେ

ଅହିଁସା ମୂର୍ତ୍ତି ମନ୍ତର॥

ଭାରତ ମାତାର ଯୋଗ୍ୟତମ ସୁତ

ଦକ୍ଷିଣ ଆଫ୍ରିକା ଗଲ

ଓକିଲାତି ପାଠେ ମନ ଲାଗିଲାନି

ଦେଖି ଭାରତର ହାଲ॥

ସେହିଠାରୁ ରହି ଶପଥ କରିଲ

ମାତୃଭୂମି ଦେଲା ଡାକ

ଉପବାସ ରହି ଅନଶନ କରି

ଲଢୁଆ ବୀର ସୈନିକ ॥

ସାବରମତୀ ର ତୀରରେ ଆଶ୍ରମ

ଶୁଭେ ରଘୁପତି ରାମ

ସୂତା କୁ କାଟିଣ ଖଦଡ ପିନ୍ଧିଲ

ଗାନ୍ଧୀ ଦର୍ଶନ ତା ନାମ॥

ଅହିଂସା ବଳରେ କଲ ସ୍ବଧୀନତା

କରି ଭାରତ ଭ୍ରମଣ

ପୃଥିବୀର ଲୋକ ଆଶ୍ଚର୍ଯ୍ୟ ହୋଇଲେ

କଥା କମ୍ ବଡ କାମ॥

ମନେ ପଡି ଯାଏ ଭାରତ ଛାଡ ରେ

ଲୁଣ ମରା ଅଭିଯାନ

ଗୋଟିଏ କଥାରେ କୋଟିଏ ଜନତା

କିପରି ହେଲେ ମଗନ॥

ଅଭିିନ୍ନ ବ୍ୟକ୍ତିତ୍ବ ଈଶ୍ବର ଓ ଆଲ୍ଲା

ସମନ୍ବୟ ସର୍ବଧର୍ମ

ସମାଲୋଚନାର ଉର୍ଦ୍ଧ ରେ ରହିଣ

ହେଲା ଦେଶ ବିଭାଜନ॥

ବଳିଦାନ ଦେଲ ଦେଶ ହିତ ପାଇଁ

ଗାନ୍ଧୀ ମହାତ୍ମ୍ୟା ବନିଲ

ଠକ୍ ଠକ୍ ଚାଲି ଏବେ ଶୁଭୁ ଅଛି

ଦେଶ ପାଇଁ ରକ୍ତ ଦେଲ॥

ବସନ୍ତ କୁମାର ସାହୁ

ଦେଉଳି

ଖୋର୍ଦ୍ଧା

ଜମ୍ବୁ ଦ୍ଵୀପ ନାମେ ରହିଛି ମର୍ତ୍ତରେ

ଭାରତ ତା ଅନ୍ୟ ନାମ

ହିନ୍ଦୁସ୍ଥାନ ବୋଲି ଜଗତେ କହନ୍ତି

ସେଇଟା ମୋ ଜନ୍ମ ସ୍ଥାନ ॥

ପୁରାଣ ଶାସ୍ତ୍ର ରେ ମୁନିଋଷି ମାନେ

ଲେଖିଯାଇ ଛନ୍ତି ଶ୍ଳୋକ

ଅତିଥି ଆମର ଦେବତା ସମାନ

ପୂଜି ହେବା ଆମେ ରଙ୍କ ॥

ଆସାମ ନାମରେ ରାଜ୍ୟଟିଏ ଅଛି

ଥରେ ଯିଏ ବୁଲି ଯିବ

ସ୍ନେହ ମମତାରେ ବୁଡାଇଣ ଦେବେ

ବନ୍ଧନରେ ବାନ୍ଧି ହେବ॥

ଗୋଡ ହାତ ଧୋଇ ପାନ ଗୁଆ ଦେବେ

ଅନ୍ତରରୁ ହସି ଦେଇ

ଫୁଲଣୀ ଗାମୁଛା ଉପହାର ଦେବେ

ସ୍ଵାଗତ ସଂଗୀତ ଗାଇ ॥

ଈଶ୍ବରଙ୍କ ଦାନ ମଣିଷ ସମାଜ

ଶ୍ରେଷ୍ଠ ଜୀବ ଜନ୍ମ ନେଇ

ସବୁରି ହୃଦୟେ ଦେବତା ଅଛନ୍ତି

ଭଲପାଅ ତୁମେ ଭାଇ॥

ଧନ୍ୟ ସେ ମଣିଷ କରେ ଦାନ ପୂଣ୍ଯ

ଅତିଥିଙ୍କ ଆଗମନେ

ମନ ପ୍ରାଣ ଢାଳେ ତାଙ୍କରି ସେବାରେ

ଗଙ୍ଗାସମ ଜଳ ଦାନେ॥

ବସନ୍ତ କୁମାର ସାହୁ

ଦେଉଳି

ଖୋର୍ଦ୍ଧା

6.ପୁଣ୍ଯଭୂମି ଧଉଳି

ରାଗ-ରାମକେରୀ

ପ୍ରଣାମ ଜଣାଏ ଭକ୍ତିରେ

ପୁଣ୍ଯ ଧଉଳି ମାଟି ,

ନଇଁଯାଏ ମଥା ଶ୍ରଦ୍ଧାରେ

ବାଢ଼େ ମୋର ପ୍ରଣତି ।

କୁଳୁକୁଳୁ ନାଦେ ତଟିନୀ

ଦୟା ଗାଉଛି ଗୀତ ,

ଧଉଳି ଶିଖ ସମୀରଣ

କୋଳେ ଛୁଏଁ ଜୀମୂତ ।

ମାଟିର ମହିମା ଅଶେଷ

ତୋର ଧଉଳି ରାଣୀ ,

ତୋ ଧୂଳି ମାଟିରେ ଲୁଚିଛି

କଳିଙ୍ଗର କାହାଣୀ ।

କଳିଙ୍ଗ ବୀରଙ୍କ ଶୋଣିତେ

ହେଲୁ ରୁଧୀରମୟୀ ,

ବୁହାଇଲୁ ଶାନ୍ତି ବାରତା

ହିଂସା ଦୂରେଇ ତୁହି ।

ମଗଧାଧିପତି କାନ୍ଦିଲା

ଏଥେ ଅନୁତାପରେ ,

ଛାଡ଼ିଲା ହିଂସା ତରବାରୀ

ବସି ଏ ଭୂମି ପରେ ।

ତରବାରୀ ଜୟ ତେଜି ସେ

ସ୍ନେହ ପ୍ରେମକୁ ବୁଣି ,

ଜିଣିଲା ହୃଦୟ ସବୁରି

ଅହିଂସା ମନ୍ତ୍ର ଆଣି ।

ବୁଦ୍ଧଙ୍କର ବାଣୀ ପ୍ରଚାର

ପ୍ରସାର କଲା ରହି ,

ସେ ବେଳେ ପ୍ରେରଣାଦାୟିନୀ

ଧଉଳି ଥିଲୁ ତୁହି ।

ରୁଧିର ଜଳକୁ ତେଜିଣ

ବୁହାଇ ଶାନ୍ତି ବାରି ,

କଲ୍ଲୋଳିନୀ ଦୟା ବନ୍ଧନେ

ହେଲା ତୋ ସହଚରୀ ।

ପବିତ୍ର ମାଟିରେ ତୋହର

ଦୟା କରୁଣା ରେଣୁ ,

ଭେଦିଯାଏ ହୃଦ ସବୁରି

ହିଂସା ଦୂରେଇ ମନୁ ।

ମାନବବାଦର ବାରତା

ବାଲି ଗୋଡ଼ି ତୋ କହେ ,

ବୁଣି ସ୍ନେହ ପ୍ରେମ ହୃଦୟେ

ସବୁରି ମନ ମୋହେ ।

ତୋ ଆପଣା ପଣ ମନରୁ

ଯାଉ ନାହିଁ ପାଶୋର ,

ନଇଁଯାଏ ମଥା ଶ୍ରଦ୍ଧାରେ

ପୁଣ୍ଯ ଭୂମିରେ ତୋର ।

ଜୟ ଶ୍ରୀଜଗନ୍ନାଥ ।

ତରୁଣ କୁମାର ମିଶ୍ର ।

ଖଣ୍ଡଗିରି ,ଭୁବନେଶ୍ବର ।

ମୋ-9853310292

1.ଘର ଚଟିଆ

ଇଶ୍ୱର ସର୍ଜନା କୁନିକୁନି ଡେଣା

କୁନି ପାଦେ ଥିରି ଚାଲି

ଘରଚଟିଆ ଟି ନାମଟି ତାହାର

ଘରୁଘର ଥାଏ ବୁଲି l

ଝାଟିମାଟି ଚାଳ ଘର ତାର ପ୍ରିୟ

ଖୋଲ କରି ବାନ୍ଧେ ବସା

ଦୁଇଟି ଚଢେଇ ଉଡି ଚାଲିଯାନ୍ତି

ଦୁହେଁ ଦୁହିଁଙ୍କର ସଖା l

ଜଣଙ୍କ ଦୁଃଖରେ ଆଉଜଣେ ଦୁଃଖି

ଜଣଙ୍କ ଖୁସିରେ ଖୁସି

ବସା ବାନ୍ଧି ଫୁରଫାର ଉଡିଯାନ୍ତି

ଦେଖି ଆମେ ଦେଉ ହସି l

ଯେଉଁ ଘରେ ବସା ବାନ୍ଧିଦେଇ ଥାନ୍ତି

ସେ ଘରେ ଶୁଭ ସୂଚନା

ମଙ୍ଗଳମୟ ତ ମଙ୍ଗଳ କରନ୍ତି

ନିଶ୍ଚେ ସେହିଘରେ ସିନା

କିଚିରିମିଚିରି ରବ ତା ଆନନ୍ଦ

ସଭିଙ୍କ ମନକୁ ମୋହେ

କୁନି ହେଲେ କିସ ହେଲା ଏହି ଭବେ

ଆନନ୍ଦ ବlଣ୍ଟଇ ସିଏ l

ପରିବେଶ ପ୍ରଦୂଷଣ ଯୋଗୁ ଆଜି

ତା ବଂଶର ହୁଏ କ୍ଷୟ

ସର୍ବେ ମିଳିମିଶି ବୃକ୍ଷ ରୋପଣରେ

ଫେରି ଆସିବ ନିଶ୍ଚୟ

କୁନିକୁନି ସିନା ଚଢେଇ ଦୁଇଟି

ସୁଶିକ୍ଷା ସମାଜେ ଦିଏ

ପିଲାଠାରୁବୁଢା ସଭିଏଁ ଦେଖହେ

ସାଥି ବିନା ଜିଏଁ କିଏ l

ସ୍ନେହ ପ୍ରେମ ପ୍ରୀତି ବାଣ୍ଟି ଦେବା ଆସ

ସଭିଙ୍କ ଖୁସିରେ ଖୁସି

କୁନି ପକ୍ଷୀ ଠାରୁ ଏ କଥା ଶିଖିବା

ଛୋଟ ନୁହେଁ ସେହି ପକ୍ଷୀ

ବିଷ୍ଣୁପ୍ରିୟା ପଣ୍ଡା

ପହଙ୍ଗା, ନିଆଳି, କଟକ

2.ନାରୀ

ନାରୀ ତ ଅଟେଇ ଅତି ସୁକୋମଳ

ଅଟେ ସେ କୁସୁମ କଳି

ରଙ୍ଗରେ ରୂପରେ ଅଟେ ସେ ନିଆରା

ଆନ ନୁହେଁ ସମ ସରି!!

ନାରୀ ସ୍ନେହ ଶିଳା ମମତା ମୟୀ ସେ

ଅଟେ ସେ ଲତା ଟେ ପରି

ଅଟେ ତ୍ୟାଗ ମୟୀ ପ୍ରୀତି ପୁଜାରିଣୀ

ପୁରୁଷ ର ମନୋହାରି !!

ଅନ୍ୟ ଆସରା ରେ ଜୀବନ ବିତାଏ

ପୁରୁଷର ହାତ ଧରି

ପୃଥିବୀ ପରିକା ସହନ ଶିଳା ସେ

ସବୁ ନେଇ ଥାଏ ଚଳି !!

ଦୁଃଖର ଅଟେ ସେ ପଥର ର ବନ୍ଧ

ରହିଥାଏ ଧର୍ଯ୍ୟ ଧରି

ସୁଖରେ ଅଟେ ସେ ପ୍ରଜାପତି ଟିଏ

ଉଡି ବୁଲେ ମନ ଖୋଲି !!

ନାରୀ ପାଇଁ ସୃଷ୍ଟି ହୁଅ ଇ ସୁନ୍ଦର

ନାରୀ ପାଇଁ ସବୁ କଳି

ନାରୀ ଅଟେ ଦେବୀ ଅଟେ ଅଗ୍ରପୂଜ୍ୟା

ନାରୀ ତ ମଙ୍ଗଳ କାରି !!

======================

ଭାଗବତ ସାହୁ, ଆଶୁକବି, ନାଟ୍ୟକାର

ମା ବୀଣାପାଣି ସାହିତ୍ୟ କୁଟୀର

ଦୋଳପ ଦୀ, ବନ୍ତ, ଭଦ୍ରକ,

Mo=9437713276

3. ଦୁଃଖ ସୁଖ ଦୁହେଁ ଜାଆଁଳା ଭାଇ

ଦୁଃଖ ସୁଖ ଦୁହେଁ ଜାଆଁଳା ଭାଇ

କେ କାହାଠୁ ଊଣା କହି ନୁହଁଇ

କେତେବେଳେ କାହା ଭାଗ୍ୟରେ ଆସନ୍ତି

ସମୟର ସାଥେ ତାଳକୁ ଦେଇ ।।

ଭାଗ୍ୟ ରେଖା ସାଥେ ସନ୍ଧି କରିଣ

ନିଜ କର୍ମେ ଥାନ୍ତି ଆଗଭରେଣ

କାହାକୁ ରାଜେନ୍ଦ୍ର ଆସନ ଦିଅନ୍ତି

କାହାର ହାତରେ ଥାଳ ଦେଇଣ‌ ।।

କାହାକୁ ଆଲୋକ ପଥରେ ନିଅନ୍ତି

କାହାକୁ ଅନ୍ଧାର ମଧ୍ୟକୁ ପେଲି

କାହାକୁ ପଣ୍ଡିତ କାକୁ ଭକ୍ତଟିଏ

କରି ଦୁନିଆକୁ ଦିଅନ୍ତି ଠେଲି ।।

ଦୁଃଖ ଭୋଗିବାକୁ ଦୁଃଖୀ ଗଣ ଏଠି

ପୁର୍ବ ଜନ୍ମ ଫଳ କରନ୍ତି ଭୋଗ

ଗତ ଜନ୍ମେ ଯିଏ ସୁକର୍ମରେ ଥାଏ

ଏ ଜନମେ ଭୋଗେ ସେହୁ ଐଶ୍ଵର୍ଯ୍ୟ।।

ଯିଏ ଦୁଃଖ ନେଇ କରେ ଆପଣାର

ଦୁଃଖ ତାହା ପାଇଁ ହୁଏ ଲାଘବ

ଯିଏ ଦୁଃଖ ପାଇ ଖାଲି କଷ୍ଟ ଭୋଗେ

ଧର୍ଯ୍ୟ ଶକ୍ତି ତା ପାଶରେ ଅଭାବ ।।

ଯେହୁ ଧନ ପାଇ ଗର୍ବ ଅହଙ୍କାରେ

ନିଶା ପାଣି ଖାଇ ଗଢେ ଜୀବନ

ମଣିଷ ହୋଇ ବି ଅମଣିଷ ସେହୁ

ଦିନଟାରେ ଦେଖୁଥାଏ ସପନ ।।

ଯେଉଁ ବ୍ୟକ୍ତି ଧନଶାଳୀ ହୋଇ ମଧ୍ୟ

ସୁମଣିଷ ପରିଚୟ ବାଣ୍ଟଇ

ଦୟା କ୍ଷମା ସ୍ନେହ ମମତାକୁ ନେଇ

ଖୁସିରେ ଜୀବନ ସେହୁ ବିତଇ।।

ଦୁଃଖ ନ ଆସିଲେ ସୁଖ ନିରର୍ଥକ

ସୁଖର କିଛି ବା ନଥାଏ ମଜା

ସୁଖ ଦୁଃଖ ମିଶି ମଣିଷ ଜୀବନେ

ସମୟ ଦେଖିଣ କରନ୍ତି ତାଜା।।

ହେମନ୍ତ କୁମାର ସାହୁ। ମାହାଙ୍ଗା।