ପ୍ରକୃତି।। ଜୀବ ଜଗତ ମଣିଷ --(୪୦)
ମଣିଷର ରୂପ ଦେଖଇ ସ୍ୱରୂପ
ତା ' ଦେହ ମନ୍ଦିର ପରି,
ତହିଁ ବିରାଜନ୍ତି ପ୍ରଭୂ ଦିବ୍ୟ କାନ୍ତି
ଦିବା ନିଶି ଏକ କରି।୧।
ମଣିଷ ନ ଚିହ୍ନେ ସେହି ଦିବ୍ୟ ବ୍ରହ୍ମେ
ନିଜେ ନିଜେ ବୋଲେ ବଡ଼ ,
ମାତ୍ର କେତେ ଦିନ ରହି ହେବ ଲୀନ
ଥିଲେ ମଧ୍ୟ ଶତ ଗଡ଼।୨।
ଏତେ ଅହଙ୍କାର ବହି ଅଛି ନର
ନୁହଁଇ କଳ୍ପନା କରି,
ନ ଭାବେମଣିଷ ଦିନେ ହେବ ନାଶ
ମାଟି ପିଣ୍ଡ ଦେହ ଧରି।୩।
କେଉଁ ଗୁଣେ ଅବା ବଡ଼ ବୋଲାଇବା
କିମ୍ପା ଗର୍ବ ଦମ୍ଭ ବହି,
ଦେହ ତ୍ୟାଗ କରି ଦିନେ ଯିବ ମରି
କାଳ ସ୍ରୋତ ଯାଏ ବହି।୪।
ଯେଉଁ ନର ଦିନେ ଆସିଲେ ମରଣେ
ମରିଯିବ ଦେହ ଧରି,
ତା ଜୀବନ ଦୀପ ହେଉଛି ନିର୍ଲିପ
କାଳ ସ୍ରୋତେ ସରି ସରି।୫।
ନିଜେ ମହାବଳି ଦିନେ ଯିବ ଟଳି
ଥିଲେ ବି ଦୁର୍ଗମ କରି,
ଧରି ଥିଲେ ମଧ୍ୟ ଶ୍ରୀ ହରି ଅଭେଦ
ଗଡ଼କୁ ଜାବୁଡ଼ି ଧରି ।୬।
ପ୍ରଭୁଙ୍କର ଲୀଳା ତାଙ୍କ ବଜ୍ର କୀଳା
ନ ଚିହ୍ନଇ ମୁଢ଼ ମନ,
କରି କରାଉଛି ନାଚି ନଚାଉଛି
ପ୍ରତି କର୍ମ ନାରାୟଣ।୭।
ଏତେକର୍ମ ପରେ ନ ଭାବେ ମନରେ
ଅହଙ୍କାରୀ ମୁଢ଼ ନର,
ଛାଡେ ପ୍ରଭୂ ନାମ ହୋଇବ ବିରାମ
ଅଛି ବୋଲି ଦଣ୍ଡଧର।୮।
ହେ! ମଣିଷ ତୁମ୍ଭେ ନ ରହିଣ ଦମ୍ଭେ
ହିଂସା ନୀତି ପରିହର,
କ୍ଷଣିକ ଜୀବନ ଦିନେ ହେବ ଲୀନ
ଏହି କଥା ଚିନ୍ତାକର।୯।
ଯୁଦ୍ଧ ଘନ ଘଟା ତୋ ମନରୁ ହଟା
ଲୋକେ ଆପଣାର କର,
ରଣ ଅହଙ୍କାର କରେ ଛାରଖାର
ନାଶେ ବିଶ୍ଵ ମନୋହର।୧୦।
କ୍ରମଶଃ
ଶ୍ରୀ ବିଦ୍ୟାଧର ମହାନ୍ତ,ତମ୍ବାହରା,
ହରି ଚନ୍ଦନ ପୁର କେନ୍ଦୁଝର ଓଡ଼ିଶା
ମୋ ନ ୭୮୪୮୦୦୦୦୩୦।
******
ସ୍ୱତନ୍ତ୍ର ମୋ ଉତ୍କଳଭୂମି
ଚନ୍ଦ୍ରକଳା ଦେବୀ
ମୋ ଉତ୍କଳଭୂମି ବୀର ପ୍ରସବିନୀ
ସର୍ବଂସହା ମୋ ଜନନୀ
ତାର ପାଦପଦ୍ମେ ସର୍ବଦା ମୁଁ ନମେ
ସେତ କଲ୍ୟାଣ କାରିଣୀ l
ପୁଣ୍ୟର ପ୍ରତୀକ ଜନ୍ମଭୂମି ମୋର
ଉତ୍କୃଷ୍ଟ କଳାର ଦେଶ
ଉଡ୍ର କଳିଙ୍ଗ ଉତ୍କଳ ଓଡିଶା
ଏଇ ମୋର ଇତିହାସ l
ସୁନ୍ଦର ଐତିହ୍ୟ କଳା ଓ ସ୍ଥାପତ୍ୟ
ବିମଣ୍ଡିତ ଯାର ଭୂଇଁ
ତାବକ୍ଷରେ ଜନ୍ମି ମୁହିଁ ଭାଗ୍ୟବାନ
ମୋପରି କେହିରେ ନାହିଁ l
ସମ୍ରାଟ ଅଶୋକ ଚଣ୍ଡାଶୋକରୁଯେ
ହୋଇଥିଲେ ଧର୍ମଶୋକ
ଖଣିଜ ସଂପଦେ ପରିପୂର୍ଣ୍ଣ ଦେଶ
କଳା ସଂସ୍କୃତି କୋଣାର୍କ l
କୋଣାର୍କ ସ୍ଥାପତ୍ୟ ଐତିହ୍ୟସଂସ୍କୃତି
ଗାଉଛି କଳିଙ୍ଗ ଗାଥା
ବାର ଶହ ଶିଳ୍ପୀ ନିହାଣାର ମୁନେ
ଗଢ଼ିଛି କୋଣାର୍କ ମଥା l
ସମ୍ବଲପୁରର ପାଟଶାଢ଼ୀ ଆଉ
କଟକର ତାରକସି
କଣ୍ଟିଲୋ ବାସନ ପିପିଲି ଚାନ୍ଦୁଆ
ଆଖି ଉଠଇ ଝଲସି l
ମନ୍ଦିର ମାଳିନୀ ମୋର ରାଜଧାନୀ
ବକ୍ଷରେ କଳିଙ୍ଗ କୀର୍ତ୍ତି
ତା'ସଂଗୀତ ନୃତ୍ୟ ଜଗତେ ବିଖ୍ୟାତ
ଲଭିଅଛି ବହୁ ଖ୍ୟାତି l
ଓଡ଼ିଆ ବୋଲିମୁଁ ଆଜି ଗର୍ବ କରେ
ଧନ୍ୟମୋ ଉତ୍କଳ ଭୂଇଁ
ଧନ୍ୟ ସେହିସ୍ରଷ୍ଟା ଧନ୍ୟ ସେହିସୃଷ୍ଟି
ଧନ୍ୟସେ ଜଗତ ସାଇଁ l
ବନ୍ଧୁଗାଁ,କୋରାପୁଟ l..
ମୁଇଁ ବର୍ଦାନ୍ ମାଗେଁ ନାଇଁ
******
ମୂଲ୍ ହିନ୍ଦୀ-ଶିବ୍ମଙ୍ଗଲ୍ ସିଂ ସୁମନ୍
କୋଶଲି-ଶୁଭେନ୍ଦୁ ମେହେର
ଇ ହାର୍ବାର୍ ଟା ଶେଷ୍ ନୁହେ
ଜୀବନ୍ ତ ମହାସଂଗ୍ରାମ୍ ଟେ ଆଏ
ଖିନ୍ଭିନ୍ ହେଇ ମେଟିଯିମି ପଛେ
କାହାର୍ ଦୟାର୍ ଭିଖ୍ ନିଏଁ ନେଇଁ
ମୁଇଁ ବର୍ଦାନ୍ ମାଗେଁ ନାଇଁ ।
ସୁଖର୍ ଝୁମ୍ରା କାଜେ
ନିଜର୍ ସୁଆର୍ଥର୍ ଲାଗି
ଏତ୍କି ଜାନିଥ ଯେ,
ପୁର୍ଥୀର୍ କେନ୍ସି ସମ୍ପଦ୍ କେ
ମୋର୍ ଚାହନା ନେଇଁ
ମୁଇଁ ବର୍ଦାନ୍ ମାଗେଁ ନାଇଁ ।
କେନ୍ ହାର୍ ଭିତ୍ରେ
କି, କେନ୍ ଜିତ୍ ଭିତ୍ରେ
ଅଭାବି ପନର୍ ଲମ୍ବା ଧର୍ଷା ନେ
ଇଟା ଭି ଠିକ୍, ସେଟା ଭି ଠିକ୍
ଭାବ୍ସିଁ ମୁଇଁ
ମୁଇଁ ବର୍ଦାନ୍ ମାଗେଁ ନାଇଁ ।
ମୋର୍ ଦୁର୍ବଲିଆ ପନ୍ କେ ଉଧା କରି
ତମେ ମହାନ୍ ବନି ଯ,
ଅପ୍ନା ଛାତିର୍ ଦରଦ୍ ଭିତ୍ରେ
କିଛି ଅଲ୍ଗେଇ ପାରେଁ ନେଇଁ
ମୁଇଁ ବର୍ଦାନ୍ ମାଗେଁ ନାଇଁ ।
ତମେ ମତେ ତାପ୍ ଦିଅ
କି, ଅଭିଶାପ୍ ଦିଅ
ଯାହା ବି କରୁଛ କର
ମୋର୍ ଧର୍ଷା ମୁଇଁ ଛାଡ଼େଁ ନେଇଁ
ମୁଇଁ ବର୍ଦାନ୍ ମାଗେଁ ନାଇଁ ।
ଶୁଭେନ୍ଦୁ ମେହେର
ଯାଲୋଏ, ସୁବର୍ଣ୍ଣପୁର
(((((ପାଣିପାଗ ନାହିଁ ଭଲ)))))
ଆଜି ଗୋଳମାଳ ରାଜନୀତି
ଆସନ ବଣ୍ଟନ ତାତି
ଚୁଲିକି ଗଲାଣି ନୀତି
ଯାହାର ଯାହା ହେଇଯାଉ ପଛେ
ପେଟ ପୂରୁ ଆମ ନିତି।।
ଆରେ ଏଠି ନୀତିକୁ ମାନୁଛି କିଏ
ଖୁଆଇବା ଲୋକ ନିଜେ ବସି ଗିଳୁ ଥାଏ
ମିଡ଼ିଆ ଦେଖିଲେ ଭାଷଣ ଦିଏ
ଯେମିତି ଜନତା ପାଇଁ ବଡ଼ ଦରଦୀ ସିଏ ।।
ଦାନ ଜିନିଷକୁ ନିଜେ ଦେଇ କହେ
ଜନତାର ମନ ମହେ
ଝାଳ ନୁହେଁ ରକତ ଦେହରୁ ବହେ
ଭୋଟ ଦେଲା ପରେ ପାଞ୍ଚ ବରଷ
ସବୁ ତ ଜନତା ସହେ।।
ଭୟରେ ଘାରୁଛି ମନ
ପାଖି ଆସିଲାଣି ନିର୍ବାଚନ
ଚାଲାକିର ପଣେ ଚାଲେ ରାଜନୀତି
ଇଡି ଭୟେ ଦିନ ରାତି
ପଡିଲାଣି ଏବେ ଶାନ୍ତି
ହାରଜିତ୍ ଭୟ ଦୂରିଲାଣି ସତ
ହେଲେ ଟଳମଳ ରାଜନୀତି।।
ଏବେ ପାଣିପାଗ ନାହିଁ ଭଲ
କୂଟନୀତି କରି ଗାଦିକୁ ସମ୍ଭାଳ
ଅବା କଷାକଷି କରି ବଳ
ଯୁଆଡ଼େ ଦେଖିବ ସେଆଡେ ପାଇବ
ନେତା ଖାଲି ମାଳ ମାଳ
ଯେଉଁଠି କବାଡି ଅବା କିତିକିତି
ସବୁଆଡେ ମାଡିଚାଲ
ଏବେ ପାଣିପାଗ ନାହିଁ ଭଲ ।।
-----#-----
ନିକୁଞ୍ଜ କୁମାର ଘୋଷ ।
ସା-ମାଧଵପୁର ପୋ-ଲକ୍ଷ୍ମଣନାଥ ଥାନା-ଜଳେଶ୍ୱର ଜି-ଵାଲେଶ୍ୱର ଓଡିଶା ପିନ୍ ୭୫୬୦୮୭.ମୋ-୮୦୯୩୬୩୦୭୫୬.
ହୋଲି
ଡଃ ପ୍ରିୟମ୍ବଦା ସାମଲ
ମଧୁର ସୁନ୍ଦର ମଧୁ ମାସେ
ପ୍ରେମରଙ୍ଗ ନେଇ ହୋଲି ଆସେ।
ଦୋଳ ବିମାନରେ ରାଧା କୃଷ୍ଣ
ରଙ୍ଗ ରାସେ ପ୍ରକୃତି ପୁରୁଷ।
ସ୍ନେହ ପ୍ରେମର ଦେଇ ବାର୍ତ୍ତା
ଦୋଳ ବିମାନେ ଜଗତ କର୍ତ୍ତା।
ପିଲାଠୁଁ ବଡ ଖେଳନ୍ତି ରଙ୍ଗ
ଭୁଲିଯାଇ ରାଗ ରୋଷ ଭେଦ।
ଗ୍ରାମେ ଗ୍ରାମେ ଭ୍ରମଣ କରିଣ
ହର୍ଷ ବାଣ୍ଟନ୍ତି ରାଧା ରମଣ।
ସୁସଜ୍ଜିତ ବିମାନରେ ବସି
ମୃଦୁ ହସନ୍ତି ମନକୁ ତୋଷି।
ଅନାବିଳ ସ୍ନେହ ପ୍ରେମ ବାର୍ତ୍ତା
ପ୍ରତି ଗୃହେ ବିଜେ ଜଗତ୍କର୍ତ୍ତା।
ରାଧା ଗୋବିନ୍ଦ ପଦେ ନମନ
ସୁଖ ଶାନ୍ତି ମୟ ହେଉ ଦିନ।
ଛତିଶଗଡ଼/ଭୁବନେଶ୍ୱର।
ଏଇ ରଙ୍ଗ
ଡଃ କିଶୋର ଚନ୍ଦ୍ର ତ୍ରିପାଠୀ,କଳାହାଣ୍ଡି
---------------------
ଦିନ ଥିଲା ପିଲାବେଳେ
ଏଣେତେଣେ ଖେଳୁଥିଲୁ,
ଧୂଳି,ବାଲି,ମାଟି ରଙ୍ଗେ
ବୋଳି ହୋଇ ଯାଉଥିଲୁ ।
ପୁଣି କେବେ ଶସ୍ଯ କ୍ଷେତ୍ରେ
ଚାଷ କାର୍ଯ୍ଯେ ଲାଗିଥାଉ,
କାଦୁଅରେ ସରସର
ରଙ୍ଗବୋଳା ଦିଶୁଥାଉ ।
ବୋଳିହୁଏ ଦେହ ସାରା
ଯେବେ ହୁଏ ମାଛ ଧରା,
ପଙ୍କିଳ ତନୁରେ ମୋର
ହୋଇଯାଏ ରଙ୍ଗ ଭରା ।
ବିବାହ ଉତ୍ସବ ଦିନେ
ହଳଦୀ ରଙ୍ଗରେ ଶୋଭା,
ସୂରୁଜଠୁ ପାଇଥାଉ
କେତେ ଯେ ରଙ୍ଗୀନ ଆଭା ।
ସାଙ୍ଗସାଥି ଦେହେ ବୋଳି
ଫଗୁ ରଙ୍ଗ ଖେଳୁଥିଲୁ,
ଭାଇଚାରା ପରମ୍ପରା
ସନ୍ଦେଶ ବି ଦେଉଥିଲୁ ।
ବୟସ ଫଗୁଣେ ହଜି
ଧରିଲି ପତ୍ନୀର ହାତ,
ମନେପଡେ ସେହିଦିନ
କେତେ ରଙ୍ଗେ ରଙ୍ଗାୟିତ ।
ଏଇ ରଙ୍ଗ ଯେତେଦିନ
ଦେଖାଯାଏ ଭିନ୍ନ ଭିନ୍ନ,
ଭୁଲି କି ପାରିବ ମନ
ସ୍ମୃତି ସଦା ରୂପା ଜହ୍ନ ।
ଦୋଳଯାତ୍ରା ଓ ହୋଲି
""""""**କବିତା ସାହୁ ଜୟପୁର
ଫଗୁଣ ଆସିଛି ଦୋଳ ପୂର୍ଣ୍ଣିମା ନେଇ
ଧରଣୀ ହସଇ ନାନା ଫୁଲ ସଜାଇ
ବସନ୍ତ ଆସିଛି ରଙ୍ଗ ଅବିର ନେଇ
ହୋଲି ଖେଳିବା ଆସ ସାଥୀ ହୋଇ
କେମିକାଲ ରଙ୍ଗ ଜମା ଖେଳିବା ନାହିଁ
ଦେହ ହାତ ଗୋଡ଼ ସବୁ ହେବ କୁଣ୍ଢାଇ
ଆଖି କାନ ନାକ ପାଟିରେ ଯିବ ପଶି
ନାଶ କରିଦେବ ରଙ୍ଗ ବହୁତ କିଛି
ପ୍ରାକୃତିକ ରଙ୍ଗ ନେଇ ଖେଳିବା ମିଶି
ପ୍ରଥମେ ଦିଅଁ ଙ୍କୁ ରଙ୍ଗ ଦେବା ସମର୍ପି
ଫଗୁ ଦଶମୀ ରୁ ଦୋଳ ଯାତରା ହୁଏ
ରାଧାକୃଷ୍ଣଙ୍କୁ ବିମାନରେ ବୁଲା ଯାଏ
ପଞ୍ଚୁ ଦୋଳ ଦଶ ଦୋଳ ହୁଏ ମେଳଣ
ନାନା ଫୁଲ ଫଳରେ ସଜ୍ଜାଇ ବିମାନ
ବିମାନେ ବୁଲନ୍ତି ପ୍ରଭୁ ଗ୍ରାମ ରୁ ଗ୍ରାମ
ଭଜନ କୀର୍ତ୍ତନ ହରିବୋଲ ଧ୍ୱନୀରେ
ଉଛୁଳି ପଡଇ ହୁଳୁହୁଳି ଖୁସିରେ
ଘରେ ଘରେ ପ୍ରଭୁ ବିଜେ କରନ୍ତି ଯାଇ
ଚଣା ଆମ୍ବ ଗୁଡ଼ ଭୋଗ ଖାଆନ୍ତି ରହି
ନାଚନ୍ତି ଗାଆନ୍ତି ଗଉଡ ଭାଇ ମିଶି
ଲଉଡ଼ି ଖେଳନ୍ତି ଅଣ୍ଟା ହଲାଇ ହସି
ବଂଶୀ ବଜାନ୍ତି ରାଧାକୃଷ୍ଣ ବେଶ ହୋଇ
ମନୋହର ଲିଳା ଗୋପ ଦାଣ୍ଡ ଅଟଇ
ଭାଇଚାରା ପର୍ବ ରଙ୍ଗ ଖେଳ ଅବିର
ରାଗ ହିଂସା ଇର୍ଷା ମନୁ କର ହେ ଦୂର
ବରଷକ ପରେ ଆସିଛି ହୋଲି ଭାଇ
ଆସ ହେ ଖେଳିବା ସବୁ ଭୁଲି ଯାଇ
ନାଲି ନେଳି ହଳଦିଆ ଅବିର ନେଇ
ଗୁରୁଜନଙ୍କ ପାଦରେ ଦେବା ଲଗାଇ
ଆଶିଷ ମାଗିବା ସଦା ମଥା ନୁଆଁଇ
ହୋଲି ଖେଳିବା ମିଶି ହେ ଭଉଣୀ ଭାଇ
ଦହି ପଣା ସର୍ବତ ମିଠା ସବୁ ଖାଇ
OJASWINEE ODIA E PATRIKA
କରେ ଶୁଭାଭିନନ୍ଦନ
ଓଡ୍ର କୋଶଳ କଳିଙ୍ଗ ଉତ୍କଳ
ଓଡ଼ିଶା ର କେତେ ନାମ
ଉତ୍କଳ ସନ୍ତାନ ଆମେ ଉତ୍କଳୀୟ
ରଖିବା ମାଆର ମାନ ।୧।
ମଧୁବାବୁ ପରା ବୁଣି ଭାଇଚାରା
ସଭିଙ୍କୁ କଲେ ଆହ୍ୱାନ
ସେ ଆହ୍ୱାନେ ଏକମନେ ଏକପ୍ରାଣେ
ହେଲା ଭାଷା ଆନ୍ଦୋଳନ।୨।
ଉତ୍କଳ ଗୌରବ ମଧୁବାବୁ ଆମ
ଗୋପବନ୍ଧୁ ଆମ ମଣି
ଭାଷା ସୁରକ୍ଷା ରେ ସେନାପତି ଥିଲେ
ଫକୀରମୋହନ ପୁଣି ।୩।
ଗର୍ବେ ଆନ୍ଦୋଳନେ ଝାସ ଦେଇଥିଲେ
କେତେ ଯେ ଓଡ଼ିଆ ବୀର
ଉଣେଇଶ୍ ଶ' ଅପ୍ରେଲ୍ ଏକ ରେ
ହେଲା ସ୍ଵତନ୍ତ୍ର ଉତ୍କଳ ।୪।
ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନେ
ଭାଷା ହିଁ ମୁଖ୍ୟ ଆଧାର
ମାଆ -ମାତୃଭାଷା ସୁରକ୍ଷା ପ୍ରହରୀ
ରହିଲେ ଚିର ଅମର ।୫।
ଶାସ୍ତ୍ରୀୟ ଭାଷା ର ସମ୍ମାନ ଲଭିଛି
ଆମ ଭାଷା ଷଷ୍ଠ ସ୍ଥାନ
ହେଲେ ମୋ ଓଡ଼ିଆ…ହେଲେ ମୋ ଓଡ଼ିଆ ବିଦେଶୀ ଆଦରେ
ସ୍ଵଭାଷା କୁ ହେୟଜ୍ଞାନ।୬।
ଭୁଲିଯିବା ନାହିଁ ଗତ ଗଉରବ
ଜାଗ ହେ ଓଡ଼ିଆ ବୀର
ରାଇଜ ସୀମାନ୍ତେ ବିଲୁପ୍ତ ପରାୟେ
ମାତୃଭାଷା ଆମର ।୭।
ଭାଇଠାରୁ ଭାଇ ରୁଷି ଚାଲି ଗଲେ
ଆଉ କି ପାଇବା ଫେରି !
ବେଳହୁଁ ସଜାଗ ହୋଇଯିବା ଆସ
ଭାଷା ସୁରକ୍ଷା ପ୍ରହରୀ ।୮।
ଉତ୍କଳ ଦିବସେ ଆମେ ଉତ୍କଳୀୟ
ଗରବେ ନେବା ଶପଥ
ମାଆ -ମାତୃଭାଷା ସ୍ଵାଭିମାନ ରକ୍ଷା
ପାଇଁ ଲଢ଼ିବା ସତତ ।୯।
ପ୍ରତି ପ୍ରାଣେ ପ୍ରାଣେ ଝଙ୍କାର ତୋଳୁ
ମାତୃଭାଷା ସ୍ଵାଭିମାନ
ଏଇ ଆଶା ନେଇ ଉତ୍କଳ ଦିବସେ
କରେ ଶୁଭାଭିନନ୍ଦନ ।୧୦।
ଝରଣା ପାଢ଼ୀ
ସ.ଶି.ବି.ମ.କଲମପୁର, କଳାହାଣ୍ଡି ।
ପ୍ରଥମ ଗଳ୍ପ
ଝରା ବଉଳ
******
ନଳିନୀ ପ୍ରଭା ଦାସ
ଅନେକ ଦିନ ତଳର କଥା | ସେତେବେଳେ ମୋତେ ବାର କିମ୍ବା ତେର ବର୍ଷ ବୟସ ହୋଇଥାଏ I ମୁଁ ଆମ ଗାଁ ଇୟୁ ଜି ଏମ୍ ଇ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢୁଥାଏ । ମୋ ସହିତ ଆମ ଗାଁ ର ଅନେକ ଝିଅ ଓ ପୁଅମାନେ ମଧ୍ୟ ପଢୁଥିଲେ । ମୁଁ ଏବଂ ମୋର ଜଣେ ସହପାଠୀ ବାଳକ ଚିନୁ ଆମେ ଦୁହେଁ ଶ୍ରେଣୀରେ ପ୍ରଥମ ଏବଂ ଦ୍ୱିତୀୟ ହେଉଥାଉ । ଆଉ ଦୁଇ ଜଣ ଝିଅ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ରୁହନ୍ତି । କିନ୍ତୁ ଆମ ଘର ପାଖର କଂସାରୀ ଘରର ଗୋଟେ ଝିଅ ଯଦି ଓ ଏତେ ଭଲ ପଢୁ ନଥିଲା ତଥାପି ଖରାପ ବି ପଢୁ ନ ଥିଲା ।
ସେ ଯେତିକି ସୁନ୍ଦର ଥିଲା , ତା 'ର କଥା ବେଶି ସୁନ୍ଦର ଥିଲା । ତାହାର ଗହବା ଚୁଟିରେ ଦୁଇ ପାଖିଆ ବେଣୀ ବେଶି ସୁନ୍ଦର କରିଦେଉଥିଲା ତାକୁ l ସେ ମଧ୍ୟ ମୋର ବହୁତ ଭଲ ସାଙ୍ଗ ଥିଲା । ତା'ର ନାଁ ଥିଲା ବଉଳ ।
ସେତେବେଳେ ଆଜି ଭଳି ଆମ ଘରେ ଗାଧୁଆଘର କିମ୍ବା ଶୌଚଗୃହ ନ ଥିଲା । ଆମେ ଦୁଇ ଜଣ ସାଥୀ ହୋଇ ନଦୀକୁ ଯାଉ । ପିଲାବେଳର ଯେତେପ୍ରକାର କଥା ,କଣ୍ଟେଇ କୋଳି, ବେତକୋଳି ତୋଳା ଠାରୁ ଆରମ୍ଭ କରି କଷି ଆମ୍ବ ସାଙ୍ଗକୁ ଲୁଣଲଙ୍କା ଚଟଣି ,ତେନ୍ତୁଳି ପତ୍ର ସାଙ୍ଗକୁ ଲୁଣଲଙ୍କା ଚକଟା , ବିଦ୍ୟାଳୟରେ ନାଳଡ଼ିଆଁ , ଖାଇବା ଛୁଟିରେ ନାଳ ପାଣିରେ ଗାଧୋଇବା,ନଦୀ ପହଁରିବା , ନଦୀ ବାଲିରେ ଗୋଡ଼ ଥୋଇ ବିଲୁଆ ଗାତ କରିବା ଯେତେ ପ୍ରକାର ପିଲାଳିଆମି କିଛି ବି ଛାଡ଼ି ନଥିଲୁ ।
ବଉଳର ଦୁଇ ଭାଇ । ତା'ର ବାପା ଶାଳ କାମ କରନ୍ତି ଏବଂ ମା ଛେଳି ରଖି ଘର ଚଳାଉଥିଲେ । ବଉଳ ଗୋଟେ ବୋଲି ଝିଅ । ଗରିବ ଘର । ସେଥିପାଇଁ ତା'ର ମା ଚାହୁଁଥିଲେ ଯେତେ ଶୀଘ୍ର ବାହାଘର କରିଦେବେ ସେତେଶୀଘ୍ର ମୁଣ୍ଡରୁ ବୋଝ ହାଲୁକା ହୋଇଯିବ । କିନ୍ତୁ ବଉଳ ରାଜି ନ ଥାଏ । ବଉଳର ଇଚ୍ଛା ଥାଏ ପାଠ ପଢି ଭଲ ମଣିଷଟିଏ ହେବା ପାଇଁ | ଏମିତି ରେ ବି ସେ ଅନେକ କିଛି କାମ କରିଥାଏ । ପୂଜା ପର୍ବ ହେଲେ ବଉଳକୁ ଆଗ ଖୋଜା ପଡ଼େ । ସବୁ କ୍ଷେତ୍ରରେ ବଉଳ ଆଗୁଆ । ପାଠ ସିନା ଟିକେ କମ୍ କିନ୍ତୁ ଝୋଟି ପକା , ନେତୃତ୍ୱ ନେବା, ଗୀତ ଗାଇବା, ନାଚିବା ଖେଳିବା କେଉଁଥିରେ ବଉଳ ହାରମାନେ ନାହିଁ ।
ହଠାତ୍ ଦିନେ ବଉଳ ଆସି ମୋତେ କହିଲା - ଜାଣିଛୁ ସାଙ୍ଗ , ମୋର ବୋଉ ମୋତେ ଆମ ଗାଁ ର ଏଣ୍ଡୁଅ ସହିତ ବାହାଘର କରିଦେବ ବୋଲି କହୁଛି । ତୁ କହିଲୁ, ସାଙ୍ଗ , ଏଣ୍ଡୁଅ କ'ଣ ଗୋଟେ ପିଲା ? ମୁଁ ଚାହୁଁଥିଲି ମୋତେ ଯିଏ ବାହାହେବ ସେ ବହୁତ ସୁନ୍ଦର ହେଇଥିବ, ମୋଟର ସାଇକେଲରେ ମୋତେ ବସାଇ ବୁଲାଇବାକୁ ନେବ । ମୁଁ ମୋର ଲମ୍ବା ବେଣୀକୁ ପଛରେ ପକାଇ, କାନି ଛାଡି ଓଠରେ ଟିକେ ଲିପିଷ୍ଟିକ୍ ଲଗାଇ ଗାଡ଼ି ପଛରେ ବସି ମୋର ସ୍ୱାମୀ କାନ୍ଧରେ ହାତ ରଖି ଗୋଟେ ହିରୋଇନ୍ ଭଳି ଲାଗୁଥିବି । ଶୁଣୁଛୁ ନା ନାହିଁ । କ'ଣ କହୁନୁ । ଏଣ୍ଡୁଅ ତ ସାଇକେଲ ଚଲାଇବା ଶିଖିନି , ସେ କ'ଣ ମୋତେ ମୋଟର ସାଇକେଲରେ ବସାଇବ । ତା' ପରେ ମୁଁ ତାକୁ କହିଲି- ତୁ ମନା କରୁନୁ ।
ପ୍ରଥମେ ତ ମୋର ବୟସ ହୋଇନାହିଁ | ଦ୍ୱିତୀୟରେ ମୋର ବର୍ତ୍ତମାନ ବାହାହେବା ପାଇଁ ଇଚ୍ଛା ନାହିଁ । ମୁଁ ପାଠ ପଢିବି, ଭଲ ମଣିଷଟିଏ ହେବି , ତା' ପରେ ଯାଇ ବାହାଘର ।
ମୋ କଥା ଶୁଣି ବଉଳ କହିଲା- ନାଇଁ ଲୋ ସାଙ୍ଗ, ମୁଁ ଯେତେ କହିଲେ ମୋର ବୋଉ କ'ଣ ଶୁଣିବ ? ସେ ପରା ସବୁବେଳେ କହୁଛି, ଆମେ ଗରିବ ଘର , ଆମ ପାଖରେ ସେତିକି ଟଙ୍କା କେଉଁଠୁ ଆସିବ ଯେ, ଆମେ ପାଠ ପଢାଇବୁ | ପୁଣି ଅଧିକ ପାଠ ପଢାଇଲେ ଅଧିକ ଯଉତୁକ ଦେବାକୁ ବି ପଡ଼ିବ । ଏ ପିଲା ଯଉତୁକ ନେବ ନାହିଁ । ତେଣୁ ଏଇଠି ହିଁ ବାହାଘର କରିଦେବି ।
ତା' ପରେ ସେ ପୁଣି ମୋତେ କହିଲା - ତୁ ଟିକେ ଯାଇ ମୋ ବୋଉକୁ ବୁଝାନ୍ତୁ ନି , କାଳେ ତୋ କଥା ରଖିବ |
ମୁଁ କହିଲି ହଉ, ମୁଁ ଯାଇ ଟିକେ କହି ଦେଖିବି | ଦେଖିବା କ'ଣ ହେଉଛି ।
ତା' ପରଦିନ ମୁଁ ତାଙ୍କ ଘରକୁ ଗଲି ଏବଂ ତା'ର ବୋଉକୁ କହିଲି , ଖୁଡି କ'ଣ କରୁଛ ? ସେ କହିଲେ ନାଇଁମ ଝିଅ କିଛି ନାହିଁ । ଏଇ ଚଟେଇ ଟେ ବୁଣୁଥିଲି । ଖରାଦିନ ଆସିଲାଣି ତ କେତେବେଳେ କେମିତି ଟିକିଏ ବାହାରେ ପକାଇ ଶୋଇବା ପାଇଁ | ଓ ହୋ .. l ହଉ ଖୁଡି. ଗୋଟେ କଥା ଶୁଣିଲି ତ ; ସେଥିପାଇଁ ଟିକେ ଚାଲିଆସିଲି । ଖୁଡି କହିଲେ- କ'ଣ କହୁନୁ ? ନାଇଁ ଖୁଡି ମୋତେ ଡର ଲାଗୁଛି , ତମ ଘର କଥା ..l ତେଣୁ କହିବି କି ନାହିଁ ଭାବୁଛି । ନାଇଁ ଝିଅ କ'ଣ କହ ।
ମୁଁ କହିଲି, ଖୁଡି ବଉଳର ବାହାଘର ଠିକ୍ କରୁଛ ବୋଲି ମୁଁ ଶୁଣିଲି ! ସେ କହିଲେ, ହଁ, ଠିକ୍ ହୋଇନି , କିନ୍ତୁ କଥାବାର୍ତ୍ତା ଚାଲିଛି । ଯଦି ପୁଅ ଘର ରାଜି ହୁଅନ୍ତି ତେବେ ଏ ସନ ବଇଶାଖରେ କରିଦେବୁ । ଫଗୁଣ ତ ହୋଇପାରିବ ନାହିଁ । ବୈଶାଖରେ ଦେଖିବୁ ।
ମୁଁ କହିଲି , ହଁ ଠିକ୍ ଯେ , ହେଲେ ବଉଳ ତ ଛୋଟ ପିଲା , ତା' ପରେ ତାକୁ ଟିକେ ପଚ଼ାରି ଦେଖ । ତା' ମନରେ କ'ଣ ଅଛି । ସେ କ'ଣ କହୁଛି ? ନାଇଁ ଝିଅ ତାକୁ କ'ଣ ପଚାରିବି । ଆମେ ବାପା ମା ଯାହା ଠିକ୍ କରିବୁ ସେ କ'ଣ ଅରାଜି ହେବ । ଆଉ ଯେତେ ପ୍ରକାରେ କହିଲେ ସେ ଆଉ ରାଜି ହେଲେ ନାହିଁ |
ତା' ପରେ ମୁଁ ବଉଳକୁ କହିଲି, ନାଇଁ ଲୋ ବଉଳ, ସେ ବିଲ୍ କୁଲ୍ ରାଜି ହେଲେ ନାହିଁ । ତୁ ଦେଖିଥିବା ସ୍ଵପ୍ନ ସବୁ ତୋ ମନରେ ରଖିଦେ । ମୁଁ ଏତିକି କରିପାରିବି ସାଙ୍ଗ, ମୋ ଭାଇଙ୍କୁ କହି ସ୍କୁଲରେ ଅଷ୍ଟମ ଶ୍ରେଣୀରେ ନାମ ଲେଖେଇ ଦେଇପାରିବି ଏବଂ ମୁଁ ଯାହା ପଢିକରି ଆସିବି ତୋତେ ଘରେ ପଢାଇଦେବି , କିନ୍ତୁ ତୋତେ ପରୀକ୍ଷା ଦେବାକୁ ଯିବାକୁ ପଡ଼ିବ ।
ବଉଳ କହିଲା, ନାଇଁ ଲୋ ସାଙ୍ଗ, ମୋ ବୋଉ କଥା ତ ଜାଣିଛୁ । ସେ ବିଲ୍କୁଲ ଛାଡ଼ିବ ନାହିଁ । ତା' ପରେ ମୋର ଜେଜେଙ୍କ ଦେହ ବି ଭଲ ନାହିଁ । ତାଙ୍କର ଦାୟିତ୍ୱ ବି ମୋର ।
ହଉ ଦେଖ ତୋର ଯାହା ଇଚ୍ଛା ।
ତା'ର କିଛି ଦିନ ପରେ ତା'ର ଲଗ୍ନ ଧାର୍ଯ୍ୟ କରାଗଲା । ବସନ୍ତ ଋତୁ । ଫାଲଗୁନ ମାସ । ଆମ୍ବତୋଟାରେ କୋଇଲିର ମଧୁର ତାନ କାନକୁ ତା' ଆଡ଼କୁ ଟାଣି ନେଉଥାଏ ।ତା ସାଙ୍ଗକୁ ବଉଳର ବାସ୍ନାରେ ଚଉଦିଗ ମହକି ଯାଉଥାଏ । କିଛି ବଉଳରୁ ଚ଼ଣା ମଧ୍ୟ ଗଳି ଯାଇଥାଏ । ଆଉ କିଛି ବଉଳ କୁହୁଡିର ଆଘାତରେ ଝରି ପଡିଥାନ୍ତି । ମୁଁ ମୋ ବୋଉ ସହିତ ଆମ ଉଆବାଡ଼ିରେ କ'ଣ ଗୋଟେ କାମ କରୁଥାଏ । ହଠାତ୍ ମୋର ଜଣେ ସାଙ୍ଗ ଆସି କହିଲା, ହେଇ ଲଳିତା , କ'ଣ କରୁଛୁ ? ବଉଳ ରଶି ଲଗାଇ ଦେଇଛି ।
ହଠାତ୍ ମୋ ପାଦତଳୁ ମାଟି ଖସିଗଲା ପରି ଲାଗିଲା । ଏଇ କେତେ ସମୟ ପୂର୍ବରୁ ତା' ସହିତ କଥା ହୋଇଥିଲି ।କିଛି ସମୟ ପାଇଁ ମୁଁ ନିସ୍ତବ୍ଧ ହୋଇଗଲି ।ତା ପରେ ଯାଇ ଦେଖେ ତ ମୋର ସାଙ୍ଗ ବଉଳର ଜୀବନ ଦୀପ ସବୁଦିନ ପାଇଁ ଲିଭି ଯାଇଛି । ପାଠ ପଢି ବଡମଣିଷ/ଭଲମଣିଷ ହେବାର ସ୍ବପ୍ନ ସ୍ୱପ୍ନରେ ହିଁ ରହିଗଲା । ବସନ୍ତ ବଉଳର ବାସ୍ନା, କୋଇଲିର କୁହୁତାନ ,ଫୁଲର ସୁଗନ୍ଧ ଭିତରେ ଅକାଳରେ ଝରିଗଲା ମୋ ବଉଳ । ଚିରଦିନ ପାଇଁ ହୋଇଗଲା ଅଫେରା ରାଇଜର ସେ " ଝରା ବଉଳ" |
କୋକିଳ କଣ୍ଠିଙ୍କୁ ଭକ୍ତି ଶ୍ରଦ୍ଧାଞ୍ଜଳି
ଚନ୍ଦ୍ରକଳା ଦେବୀ
ହେ କୋକିଳକଣ୍ଠି ଶାନ୍ତିଲତା ଭଗ୍ନି
ଗଲତେଜି ଇହଧାମ,
ଝୁରୁଛନ୍ତି ଆଜି ଏ ଓଡିଶା ବାସୀ
ତୁମରି ମଧୁର ତାନ l
ଉତ୍କଳ ଜନନୀ ସୁକନ୍ୟାଗୋ ତୁମେ
ଅନନ୍ୟା ଓ ଅସାମାନ୍ୟା
ତୁମ ଗୀତ ଶୁଣି ବିମୁଗ୍ଧ ଜନତା
ଛୁଟେଭକ୍ତି ପ୍ରେମବନ୍ୟା l
ଗାଉଥିଲ ତୁମେ ସୁଲଳିତ ସ୍ଵରେ
ଜଗନ୍ନାଥଙ୍କ ଭଜନ,
ଭଜି ଭଜି ନାମ ଚକା ନୟନରେ
କରିଅଛ କଣ୍ଠଦାନ l
ସବୁ ବନ୍ଧନରୁ ଖୋଲି ଦିଅ ପ୍ରଭୁ
ଏଗୀତଟି ଥିଲଗାଇ,
ସବୁ ବନ୍ଧନରୁ ମୁକତି ହୋଇଣ
ଚିରନିଦ୍ରେ ଗଲଶୋଇ l
ପ୍ରଭୁ ଜଗନ୍ନାଥ ସେ କମଳାକାନ୍ତ
ବାଲିରେଣୁ ମହାବନ୍ଧ,
ମୁଁଯେ ବଡ଼ ଦେଉଳର ବେଢାଦୀପ
ତୁମ କଣ୍ଠରୁ ଝଙ୍କୃତ l
କଳାକାହ୍ନୁ ତୋତେ କିଏବଂଶୀଦେଲା
'କେରିକେରି ସୁନାଦୁବ',
'ହଇରେ ଜଗାତୁ କି ମନ୍ତର ଜାଣୁ'
ଅପୂର୍ବ ସେ ଭକ୍ତିଭାବ l
ବାହୁଡା଼ ରଥରେ ଯିବକି ବାହୁଡ଼ି
ଏ ଗୀତରେ ଦେଲ ସ୍ୱର
ସଂସାର ସାଗରୁ ବାହୁଡିଣ ଗଲ
ଆଉ ନାହିଁ ଫେରିବାର l
ସବୁ ଓଡ଼ିଆଙ୍କ ହୃଦୟ ଭିତରେ
ରହିଲ ଅମର ହୋଇ
ସବୁଦିନ ପାଇଁ ରହିଥିବ ମଧ୍ୟ
ଯାବତ ସୂର୍ଯ୍ୟଚନ୍ଦ୍ର ଥାଇ l
ଅସଂଖ୍ୟ ଭଜନେ କରି କଣ୍ଠଦାନ
ଚାଲିଗଲ ତୁମେ ଦୂରେ
କାନ୍ଦୁଛନ୍ତି ଆଜି ତୁମ ଶ୍ରୋତାଗଣ
ଫେରିଆସ ଆଉଥରେ l
ବନ୍ଧୁଗାଁ,କୋରାପୁଟ l
କବିତାକୁ ପ୍ରେମକର
କବିତା ଲେଖିବା କବିତା ପଢିବା
କବିତା କରିବା ସୃଷ୍ଟି
ହାତରେ ଧରିଣ କାଗଜ କଲମ
ସମାଜକୁ ଦେବା ଦୃଷ୍ଟି ।୧।
ସାହିତ୍ୟ ସାଧନା ମୂଳଲକ୍ଷ୍ଯ ଆମ
ଜଗତ ଉଦ୍ଧାର ପାଇଁ
ସୁନ୍ଦର କବିତା ଲେଖିଦେଇ ଯିବା
କାଳକାଳ ଥିବ ଜିଇଁ ।୨।
ଦେଶର ପ୍ରଗତି ଲେଖନୀର ଶକ୍ତି
କବିତାରେ ଦେଖାଇବା
ସ୍ବର୍ଗରୁ ଦେବତା ମର୍ତ୍ତ୍ୟକୁ ଆଣିବା
ତେବେଯାଇ ଧନ୍ୟହେବା ।୩।
ପ୍ରେମମୟ ଏହି ସାରା ଜଗତଟା
ଭରିଅଛି ଖାଲିଧୋକା
ପବିତ୍ର ମନରେ ଲେଖିଲେ କବିତା
ନଥିବ କେଉଁଠି ଏକା ।୪।
ପ୍ରେମ ପାଇଁ ଯଦି ଇଚ୍ଛାଅଛି ତେଵେ
କବିତାକୁ ପ୍ରେମ କର
ବିଶ୍ବ ଦରବାରେ ହେବ ପରିଚିତ
ପଢିଲେ କେହି ଖବର ।୫।
ଗଳ୍ପ ଓ ପ୍ରବନ୍ଧ ତଥ୍ୟ ସଂଗ୍ରହରେ
ସର୍ବଦା ଥାଏ ମୋ ମନ
ସମ୍ବାଦ, ସାହିତ୍ୟ ସମାଜ ସେଵାରେ
ନିତି କାଟୁଥାଏ ଦିନ ।୬।
ତଥାପି କରିନି କବିତାକୁ ପର
ଦୈନିକ ଲେଖୁଛି ବସି
ବାର୍ତ୍ତା ପୂର୍ଣ୍ଣ ଥାଏ କବିତା ମଧ୍ୟରେ
ପଢିଲେ ହୁଅନ୍ତି ଖୁସି ।୭।
ଗତକାଲି ଥିଲା ଦେଶବାସୀ ପାଇଁ
ବିଶ୍ବ ପଖାଳ ଦିବସ
ଆଜି ପୁଣି ଅଛି ସମସ୍ତଙ୍କ ପାଇଁ
ବିଶ୍ବ କବିତା ଦିବସ ।୮।
ଆଜି ଏ ଦିବସେ ସାହିତ୍ୟ ବନ୍ଧୁଙ୍କୁ
କରୁଅଛି ନିବେଦନ
କରନାହିଁ ଡେରି ଆହେ ବନ୍ଧୁଗଣ
କବିତା ଲେଖ ବହନ ।୯।
ଏକତା ସୂତ୍ରରେ ବନ୍ଧା ବିଶ୍ବବାସୀ
କେବଳ ସାହିତ୍ୟ ପାଇଁ
ସାହିତ୍ୟ ବଞ୍ଚିଲେ ଏଦେଶ ବଞ୍ଚିବ
ଏକଥା ଭୁଲିବା ନାହିଁ ।୧୦।
ସନମାନ ଦେବା ଅଦ୍ଯ ଦିବସକୁ
ସୁନ୍ଦର କବିତା ଲେଖି
ଆଲୋଚନା ହେବ ବଜାର ଘାଟରେ
ରହିଯିବା ଆମେ ଲାଖି ।୧୧।
ସାହିତ୍ୟ ପ୍ରେମିକ ଅଛ ଯେତେ ବନ୍ଧୁ
ନଧରିବ ଦୋଷ ମୋର
କବିତା ଦିବସେ ଲେଖିଣ କବିତା
କବିତାକୁ ପ୍ରେମକର ।୧୨।
କବିକମଳ ନରେନ୍ଦ୍ର ପ୍ରସାଦ ବେହେରା, ସମ୍ପାଦକ - ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦
ତା ୨୧/୦୩/୨୦୨୧ ରିଖ (ବିଶ୍ବ କବିତା ଦିବସ)
ତୁଠ ପଥର
ଡଃ ପ୍ରିୟମ୍ବଦା ସାମଲ
ଗାଆଁ ମୁଣ୍ଡ ଶେଷ ପୋଖରୀ କୂଳରେ
କିଅବା ନଦୀ କୂଳରେ
ତୁଠ ପଥରଟି ପଡ଼ି ରହିଥାଏ
ନୀରବ ନିର୍ବିକାରରେ।
ରୁଣୁଝୁଣୁ ଧ୍ଵନି ପାଦର ନୂପୁର
ଯେତେବଳେ ଛୁଇଁ ଦିଏ
ଏକଲା ପଣରେ ଜିଇଁ ଉଠେ ସତେ
ମନ ତାର ଗୀତ ଗାଏ।
ସୁକୁମାରୀ ବାଳା ପାଦର ପରଶେ
ଲଭେ ସ୍ବର୍ଗ ସୁଖ ସେହି
ପାଦଟିକୁ ଘଷି ସଫା କରେ ଯେବେ
ଆନନ୍ଦରେ ଯାଏ ଶୋଇ।
ହଳଦୀ ଅଳତା ଧୋଇ ହୋଇ ଯେବେ
ତା ଶରୀର ଆଚ୍ଛାଦଇ
ପଥର ଦେହରେ ରଙ୍ଗ ଲାଗିଯାଏ
ଧୀରେ ସବୁଜ ଦିଶଇ।
ଗ୍ରାମ ବଧୂଗଣ ମଇଳା ଲୁଗାକୁ
ସଫା କରନ୍ତି ଆଦରେ
ନିଜର ପିଠିକୁ ଦେଖାଇ ଖୁସିରେ
ଲାଗେ ତାଙ୍କରି ସେବାରେ।
ଅଲୋଡା ଆଖୋଜା ଅଚିହ୍ନା ପରାୟ
ପାହାଡ କୋଳରେ ଥିଲା
ଗ୍ରୀଷ୍ମର ଅନଳ ଦାବ ଦହନରେ
ଜ୍ୱଳନରେ ଜଳୁଥିଲା।
ତୁଠ ପଥରଟି ହୋଇଗଲା ଯେବେ
କେତେ ପରଶ ପାଇଲା
କେତେ ଖୁସିଗପ କେତେ ହସକାନ୍ଦ
ନୂତନ ଜୀବନ ଦେଲା।
ବନ୍ଧୁର କର୍କଶ ଶରୀର ତାହାର
ହୋଇଲା କ୍ରମେ ଚିକ୍କଣ
ଲୋକଙ୍କ ସେବାରେ ଲାଗୁଥାଏ ସଦା
ଜୀବନ ତା ହେଲା ଧନ୍ୟ।
ଏ ଜୀବନ ତୁଠ ପଥର ପରାୟ
ସହଇ କେତେ କଷଣ
ନୀରବେ ନିମଗ୍ନେ ନିଜ କର୍ମ ପଥେ
ସଦା ରଖି ଥାଏ ମନ।
ଛତିଶଗଡ଼/ଭୁବନେଶ୍ୱର।
-----::ବିଦାୟ::-----
(୧)
ବିଦାୟ ବେଳର ନିବେଦନ ଏହି
ଦୁଃଖ ମେlର ରହିଗଲା
କୁହଥରେ ବନ୍ଧୁ ହୃଦୟ ଭିତରୁ
ଦୋଷ ମୋ କେଉଁଠି ଥିଲା ।୧।
ଅତି ଆପଣାର ହୋଇଥିଲ ଦିନେ
ଦେଇଥିଲି ମନପ୍ରାଣ
ଆଜି ମୁଁ ଜଳୁଛି ଏମାୟା ସଂସାରେ
ଭୋଗି ଅନେକ କଷଣ ।୨।
ଭଲ ମୁଁ ପାଇଛି ହସ ବି ଦେଇଛି
ଦେଇନି ଦୁଃଖ କାହାକୁ
ସ୍ନେହ ମମତା ଓ ମାନବିକତାରେ
ଜାଣିଛି ଏ ସମାଜକୁ ।୩।
ଆଜି ଏ ସମାଜ ଏତେ କଳୁଷିତ
ପାରୁନି ଆଖିରେ ଦେଖି
ସହିବାର ଦୁଃଖ ଅସହ୍ୟ ହେଲାଣି
କାହାକୁ କରିବି ସାକ୍ଷୀ ।୪।
ଲଘୁ ଗୁରୁଜନ ମାନନ୍ତି ନି କେହି
ସଭିଏଁ କରନ୍ତି ଗର୍ବ
ନିଜ ହାତେ ନିଜେ ଭାବି ଚଉଦପା
ବୋଲାନ୍ତି ନିଜକୁ ସର୍ବ ।
ବାଚାଳ ମସ୍ତିଷ୍କ କରନ୍ତି ରାଜୁତି
ହାତରେ ଧରିଣ ଖଣ୍ଡା
ପଦ ପଦବୀରେ ହୋଇ ଲାଳାୟିତ
ଅଣ୍ଡାକୁ ଭାବୁଛି ଭେଣ୍ଡା ।୬।
ଭାସିଗଲା ପାଣି ସୁଅରେ ଫୋଟକା
ଯାଏନି ବେଶି ଦୂରକୁ
ରାତି ପରେ ଦିନ ଦିନପରେ ରାତି
କରେନି ପର କାହାକୁ ।୭।
ଯୋଗ୍ଯତମ ଯିଏ ପତ୍ରତଳେ ଥାଏ
ଅଯୋଗ୍ୟ ପଥର ତଳେ
ନୁହେଁ ମୁଁ ଅଯୋଗ୍ୟ ନାମରଖି ଯିବି
ଭଜିବେ ମହୀ ମଣ୍ଡଳେ । ୮।
ନାଲି ଆଖି କେବେ ସହି ମୁଁ ପାରେନା
ରହିଅଛି ଧୈର୍ଯ୍ୟଧରି
ସମୟ ସ୍ରୋତରେ ଭାସିଯିବି ନାହିଁ
କାତଧରି ହେବି ପାରି ।୯।
ଆତ୍ମ ଗରିବିତା ରହିନି କାହାରି
ରହିବା ନାହିଁ ମହୀରେ
ସର୍ବେ ନିଜ ନିଜ ଅଭିନୟ ସାରି
ବାହୁଡିବେ ନିଜ ଘରେ ।୧୦।
ଅଢେଇ ଦିନର ହାଟ ସଉଦା ଏ
ହାଟଶେଷେ ଫେରେ ଘର
କିମ୍ପାଇ ଚାତୁରି ଦେଖାଉରେ ତୁହି
କରିଦେଲୁ ଆଜି ପର ।୧୧।
ନାହିଁ ମନେ ମୋର ଦୁଃଖ ତୁ ଜାଣୁଥା
ଚେତେଇ ଦେଉଛି ତୋତେ
ବୁଡିଯିବ ଦିନେ ନୌକାରେ ସଙ୍ଗାତ
ଦେଖିବେ ଜନ ଜଗତେ ।୧୨।
ଅଭିଶାପ ଆଜି ଦେଇ ମୁଁ ପାରୁନି
ଡାକୁଛି ଫେରିଣ ଆସ
ରହିନାହିଁ କେହି ରହିବେତ ନାହିଁ
ହେବ ଦିନେ ସର୍ବନାଶ ।୧୩।
ଲୁହରେ ଭିଜିଲା ମୋ ଦୁଇ ନୟନ
କହିପାରୁ ନାହିଁ କଥା
ଅସମୟେ ଆଜି କରିଦେଲୁ ପର
ରହିଲା ମନରେ ବ୍ଯଥା ।୧୪।
ଏସମୟେ ମୁହିଁ ନେଉଛି ବିଦାୟ
ସାକ୍ଷୀ ଚନ୍ଦ୍ର ସୂର୍ଯ୍ୟ ତାରା
ସମୟ କହିବ କିଏ ସେ କାହାର
ନେବିନି କାହା ସାହାରା ।୧୫।
କବିକମଳ ନରେନ୍ଦ୍ର ପ୍ରସାଦ ବେହେରା, ସମ୍ପାଦକ - ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର, ମୋ-- ୯୮୫୩୧୪୨୫୧୦
ଅସହ୍ୟ ତାତି
"""**କବିତା ସାହୁ। ଜୟପୁର
ନିଜ ଗୋଡ଼ରେ ମାରି କୁରାଢି
ହେଜଇ ନାହିଁ ମଣିଷ
ଆଧୁନିକତାର ଦ୍ୱାହି ଦେଇଣ
କରେ ବଣ ଜଙ୍ଗଲ ନଷ୍ଟ
ସୂର୍ଯ୍ୟ କିରଣ ହୁଏ ପ୍ରଖର
ଅସହ୍ୟ ତାତି ଧରା ଜଳୁଛି
୨- ଶୀତ ଲାଜେଇ ଗଲା ଉଭେଇ
ଋତୁରାଜ ବସନ୍ତ ଆସେ ଧସେଇ
ପ୍ରବଳ ଖରା ଅସହ୍ୟ ତାତି
ଫଟାଇ ଦିଏ ମାଟିର ଛାତି।
୩--ଅସହ୍ଯ ତାତି ରେ ଶ୍ରମଜୀବୀ
କେତେ କଷଣ ସହି
ଯୋଗାଡ଼ କରନ୍ତି
ମୁଠାଏ ଆହାର
ନିଜ ପରିବାର ପାଇଁ।
୪--- ଚାରିଆଡ଼େ ପିଚୁ ରାସ୍ତା
ନାହିଁ ଗଛଲତା
କଳକାରଖାନା ଧୂଆଁ ପରିବେଶ
ଅସହ୍ୟ ତାତି ରୁ କିଏ କରିବ ହେ ରକ୍ଷା
ଗଛମୂଳ ଛାଇ ଆଉ କି ପାଇବା
ଘରେ ରହି ହେଉନାହିଁ ଏପରି ତତଲା
ପଖାଳ ସାଥିରେ ଥଣ୍ଡାପାନୀୟ ଲୋଡା
୫---ଅସହ୍ଯ ତାତିରେ ବାହାରକୁ ନ ଯାଅ
ଅଛି କାମ ଯଦି ପାଣି ଛତା ଚପଲ ନିଅ
ଅଂଶୁଘାତ ରୁ ନିଜକୁ ସୁରକ୍ଷା ଦିଅ
ତ୍ୟାଗ ଓ ବଳିଦାନର ଭିନ୍ନ ନାମ ଗୁରୁ ଭଗବାନ
🌷🌹🌷🌹🌷🌹🌷🌹🌷🌹🌷
ଭାରତୀ ହୋତା
ହେ ଶ୍ରେଷ୍ଠ ସାଧକ ଗୁରୁ ଯୁଗଜନ୍ମା
ବଳିଦାନର ପ୍ରତୀକ,
ଧନ୍ୟ ତୁମ ସେହି କୁମ୍ଭାରୀ ଗ୍ରାମଟି
ଧନ୍ୟ ଜନନୀ ଜନକ ।।
ବରଗଡ଼ ମାଟି ହୋଇଯାଏ ଖୁସି
ଲଭି ନିଜ ବରପୁତ୍ର
କୁମ୍ଭାରି ଗ୍ରାମର ସରବେ ଗରବେ
ହୋଇ ପ୍ରେମେ ଗଦଗଦ ।।
କଳା ସଂସ୍କୃତିର ପରମ ପୂଜାରୀ
ନାଟକ ତୁମରି ନିଶା,
କୋଶଳୀ ନାଟକ କାଳିଦାସ ତୁମେ
ଅଭିନୟ ତୁମ ପେଷା ।।
ହେ ମହମାନବ ନିଃସ୍ୱାର୍ଥ ସେବକ
ରଖିଲ ଭାଷାର ମାନ ,
ଭାଷା ସାହିତ୍ୟର ଉନ୍ନତି ନିମନ୍ତେ
ବିକିଲ ଜମି ଓ ଧନ ।।
ଗ୍ରାମ ଗ୍ରାମ ବୁଲି ଖାଲି ପାଦେ ଚାଲି
ସହି ଅସହ୍ୟ ଯନ୍ତ୍ରଣା,
ଖାତିରି ନ ଥିଲା ଟେକା ମାଡ଼ ଗାଳି
ଅଟଳ ତୁମ ସାଧନା ।।
ଗାଆଁ ଗଉଁତିଆ ଥିଲ ତୁମେ ଗୁରୁ
ମନରେ ନ ଥିଲା ଗର୍ବ,
ଭାଷା ଶବ୍ଦ ନୃତ୍ୟ ସଂସ୍କୃତି ବିକାଶେ
ହରାଇଲ ତୁମେ ସର୍ବ ।।
ଶବଦ ନୃତ୍ୟର ପ୍ରଥମ ଗୁରୁ ହେ
ମୂଳଦୁଆ ଦେଇ ଭବେ,
ରଚି ଇତିହାସ କୋଶଲ ରାଇଜେ
ଅମର ଯେ ଯୁଗେ ଯୁଗେ ।।
ସଂସାରର ଜ୍ଵାଳା ନିଜ ବୁକେ ବହି
ଅମୃତ ଦେଇ ପରଷି,
ବନ୍ଧ୍ୟା ଓ ଉଷର ସଂସ୍କୃତିରେ ମେଘ
ସାଜି ନୀର ଦେଲ ବର୍ଷି ।।
ଘାତ ପ୍ରତିଘାତ କେତେ ଯେ ଜୀବନେ
ଆସିଛି ବୁକୁ ଥରାଇ,
ନବୀନ ସହସ୍ର ନାଟକ ସରଜି
ଚାଲିଗଲ ଯେ ' କନ୍ଦାଇ ।।
ବାଳକ ତରୁଣ ଅବା ବୃଦ୍ଧଜନ
ସଭିଁଙ୍କ ଆଦର ଧନ,
କଳାକାର ଗୁଣ ଚିଂହୁଥିଲ ପୁଣ
ଖୋଜୁ ନ ଥିଲ ତ ଖୁଣ ।।
ଶବ୍ଦ ନୃତ୍ୟ ନାଟ୍ୟ କଳା ଓ ସଂସ୍କତି
ଧୁରନ୍ଧର ପ୍ରତି କ୍ଷେତ୍ରେ
ଦେଖାଇଛ ପଥ କରି ଉତ୍ସାହିତ
ନୂତନ ଚେତନା ଯେତେ ।।
ହାୟ ହାୟ ! କିନ୍ତୁ ଏ ଯୁଗ ମଣିଷ
ଚିହ୍ନେ ନି ଯୁଗ ପୁରୁଷ,
କେବେ ଲୋଡ଼ିନାହଁ କୀର୍ତ୍ତି ମାନପତ୍ର
ଉପାଧି ସମ୍ମାନ ଯଶ ।।
ହେ ବାଣୀ ନନ୍ଦନ ନାମ ଭଗବାନ
ଜ୍ଞାନ ରୂପୀ ରତ୍ନାକର,
ତୁମ ସମ ସତେ ଅଛି କେ ଜଗତେ
ଗୁଣଗ୍ରାହୀ ନାଟ୍ୟକାର ।।
ଭାଷା ମାତୃକାର ଚରଣେ ଜୀବନ
କୁସୁମ କରି ଅର୍ପଣ ,
ହେ ବୀର ସାଧକ ଭଗବାନ ସାହୁ
ଧନ୍ୟ ଏ ମାଟି ସନ୍ତାନ ।।
ତୁମେ ତ ଢାଳିଛ ତ୍ୟାଗ ତିତିକ୍ଷାର
ଜୀବନର ହୋମାନଳ,
ହେ ନାଟ୍ୟ ମହର୍ଷି ତୁମ ଉଦଯୋଗେ
କଳା ସଂସ୍କୃତି ଉଜ୍ବଳ ।।
ସରଗ ପୁରୀରେ ଥାଇ ନିଶ୍ଚିନ୍ତରେ
ଆଶିଷ ଦିଅ ହେ ଢ଼ାଳି,
ତୁମରି ସ୍ମୃତିରେ ଲେଖନୀ ମୁନରେ
ବାଢ଼ିଦିଏ ଶ୍ରଦ୍ଧାଞ୍ଜଳି ।।
🙏🪷🙏🪷🙏🪷🙏🪷🙏
ଖରିଆର ରୋଡ଼,ନୂଆପଡ଼ା,ସଦସ୍ୟା
ଗୁରୁ ଭଗବାନ ସାହୁ ରାଜ୍ୟ ସ୍ତରୀୟ ସ୍ମୃତି କମିଟି ପରିବାର।
କଳା ସଂସ୍କୃତି
- କବିତା ସାହ ଜୟପୁର।
ବୀର ପ୍ରସବିନୀ ଉତ୍କଳ ଜନନୀ
କୋଟି ଦଣ୍ଡବତ କରେ
କେତେ ପୂଣ୍ୟ ବଳେ କେଉଁ ତପ ଫଳେ
ଜନମିଲି ତୋର କୋଳେ
ତୋ ଯୋଗ୍ୟ ସନ୍ତାନ ଫକୀରମୋହନ
ଗଙ୍ଗାଧର ମଧୁସୂଦନ
ଗୌରୀଶଙ୍କର ରାଧାନାଥ ରାୟ
ଲେଖି କବିତା ମାନ
ଲେଖା ରେ ହୋଇଲେ ପ୍ରଭାବିତ ସର୍ବେ
କଲେ ଭାଷା ଆନ୍ଦୋଳନ
ଉଣେଇଶ ଛତିଶ ଅପ୍ରେଲ ପହିଲା
ସ୍ବତନ୍ତ୍ର ପ୍ରଦେଶ ଆମ
ମାଟି ମାଆ ମାତୃଭାଷା ପାଇଁ
ଗର୍ବିତ ଅଟୁ ମହାନ
ସ୍ବୟଂ ପରଂବ୍ରହ୍ମ ଜଗନ୍ନାଥ ଆମ
ହୋଇଛନ୍ତି ବିଦ୍ୟମାନ
ଏ ଉତ୍କଳ ମାଟି ଆମ ପୁଣ୍ୟଭୂମି
ଅଙ୍ଗେ ଅଙ୍ଗେ ନିଭାଉଛୁ
ଐଶ୍ୱର୍ଯ୍ୟ ସମ୍ପଦ ଭରିଛୁ କୋଳରେ
ଧନ୍ୟ ଉତ୍କଳଜନନୀ
ବଣ ଜଙ୍ଗଲ ପାହାଡ ଗଛଲତା ଭରା
ସବୁଜ କେଦାର କାନନ
କଳା ସଂସ୍କୃତି ଭାସ୍କର୍ଯ୍ୟ ପରମ୍ପରା ମଣ୍ଡିତା
ଏ ମାଟି ମନ୍ଦିର ମାଳିନୀ
କୋଣାର୍କ ସୂର୍ଯ୍ୟମନ୍ଦିର ପଥରେ ଖୋଦିତ
ସୁକ୍ଷ୍ମ କାରୁକାର୍ଯ୍ୟ ତୋରା
ତାରକସି କାମ ହସ୍ତତନ୍ତ ପାଟମଠା
ଓଡ଼ିଶୀ ନୃତ୍ୟ ପ୍ରସିଦ୍ଧ ପରା
ମୁଁ ଅଟେ ଓଡ଼ିଆ ମୋ ଭାଷା ବଢିଆ
ମଧୁଠୁ ଅଟେ ମଧୁର
ଓଡ଼ିଆ ବୋଲି ମୁଁ ଗର୍ବ ରେ କହେ
ଭାଷା ସ୍ବାଭିମାନ ମୋର।
ଥରେ ଆସି ମତେ ଦେଖିଯାଅ
ଥରେ ଆସି ମତେ ଦେଖିଯାଅ
କେମିତି ମୁଁ ଜଳୁଅଛି
ଜୀବନଟା ଅନ୍ଧକାରମୟ
ଦୁଃଖର ସଳିତା କହୁଛି ।।
ବସନ୍ତର ହୃଦୟ ଭିତରେ
ଶିଖାହୀନ ଅଗ୍ନି ଜଳେ
ତୁମ ବିରହେ କରୁଣ ଜ୍ୱାଳା
ପ୍ରତିକ୍ଷଣେ ମତେ ମିଳେ ।।
ଅଭାବ ଅଭାବ ମତେ ଲାଗେ
ସବୁ କିଛି ଥାଇ ପାଖେ
ଜୀବନଟା କ୍ଳାନ୍ତ କ୍ଳାନ୍ତ ଲାଗେ
ଶୂନ୍ୟ ଭରେ ଆଖ ପାଖେ ।।
ଶ୍ରାବଣ ବି ଅସହାୟ ହୁଏ
ଶୀତଳ ଆସେନା ମନ
କାମନାର ନିଆଁ ମଉନ ମୁଖେ
ଶେଷ କରେ ସବୁଦିନ ।।
କୋମଳତା ଖିନଭିନ୍ ହୁଏ
ଭ୍ରମର ବିନା ଫୁଲଟେ
ତୁଚ୍ଛ ଲାଗେ ଏ ସାରା ସଂସାର
ମନ ବିନା ଜୀବନଟେ ।।
କଲମ ଖାତାର ଭେଟ ନାହିଁ
କେଉଁଠି ତ ହଜିଲାଣି
ସ୍ତବ୍ଧ ହେଲାଣି ଦିନ ରାତି
କେତେ କ'ଣ ଭାବିଲିଣି ।।
ମସ୍ତିଷ୍କ ମୋ ବିକୃତ ହୋଇଛି
କାନେ ଦି-କାନ ହଉଛି
ଥରେ ଆସି ମତେ ଦେଖିଯାଅ
କେମିତି ମୁଁ ଜଳୁଅଛି ।।
----#----
ନିକୁଞ୍ଜ କୁମାର ଘୋଷ ।
ଚିହ୍ନା ପଥ ସବୁ ଅଚିହ୍ନା ଲାଗୁଛି
ଅରୁଣ କୁମାର ମେହେର
---------------
ଚିହ୍ନା ପଥରେ ଆଜି ମୁଁ
ଜଣେ ଅଚିହ୍ନା ବାଟୋଇ
ବାଟ ଚାଲେ ଏକା ଏକା,
ଚିହ୍ନା ପଥ ସବୁ ଅଚିହ୍ନା ଲାଗୁଛି
ସମୟ ସାଥିରେ ମିଳୁଛି ଧକା ।
ଚିହ୍ନା ମଣିଷର ସବୁ ଅଚିହ୍ନା ସ୍ଵଭାବ
ଏଠି କିଏ ବା କାହାର,
ସ୍ଵାର୍ଥପର ଆଜି ଦୁନିଆଁ ସାଜିଛି
ଖାଲି ଗର୍ବ ଆଉ ଅହଂକାର ।
ଆଖି ପିଛୁଳା କେ ଦୁନିଆଁ ବଦଳେ
ଏଠି ବଞ୍ଚିବା ଟା ଭାରି କଷ୍ଟକର,
ଅଭାବି ମଣିଷ କାହୁଁ ବା ବୁଝିବ
କିଏ ବହୁରୂପୀ କିଏ ଆପଣାର ।
ପଥ ବହୁ ଦୂର ଚାଲିବାକୁ ଅଛି
ଆଜି ଧର୍ଯ୍ୟ ହରା ମୁଁ
ଏ ଜୀବନ ପଥରେ,
ସଫଳତା ପାଇବା ଭାରି କଷ୍ଟ ଦାୟକ
ଚିହ୍ନା ପଥ ର
ଏ ଅଚିହ୍ନା ସହରରେ ।।
ବୁଟୁପାଲି, ବୌଦ୍ଧ
ମୋ-- 9583935009
ଭଜନ ସାମ୍ରାଜ୍ଞୀ ଶାନ୍ତିଲତା
ଡ. ପ୍ରିୟମ୍ବଦା ସାମଲ
ଭଜି ଭଜି ଚକା ନୟନର ନାମ
ଚିରନିଦ୍ରା ନେଲ ବାଛି
ଭାବ ଭକତିର ସୁମଧୁର ସ୍ୱର
ଓଡ଼ିଶା ବାସୀ ଝୁରୁଛି।
ମୋ ପ୍ରଭୁ ଜଗନ୍ନାଥ ହୋଇ ପ୍ରସନ୍ନଚିତ୍ତ
ଘେନି ଗଲେ ନିଜ ସାଥେ
ଶାନ୍ତି ଲତା ଏବେ ଶାନ୍ତିର ଚିତ୍ତରେ
ଗାଇବେ ପ୍ରଭୁଙ୍କ ପାଶେ।
ସବୁ ବନ୍ଧନ ମୋ ଖୋଲି ଦେଇ ପ୍ରଭୁ
ଅଫେରା ରାଇଜେ ନେଲେ
ଆଉ ଗାଇବେନି ଭଜନ ସାମ୍ରାଜ୍ଞୀ
ଶାନ୍ତିଲତା ଭାବ ପ୍ରାଣେ।
ଏମିତିକା ସାଆନ୍ତ ଭକ୍ତି ସାଗରେ
ଭାବ ଭାବନାର ସ୍ୱର
ମୁଗ୍ଧ କରୁଥିଲା ଭକତ ପ୍ରାଣକୁ
ନୀରବ ହୋଇଲା ଚିର।
ବହୁଡ଼ାରେ ପ୍ରଭୁ ରଥେ ଯିବିକି ବାହୁଡ଼ି
ବାହୁଡ଼ିଲେ ପଥ ଖୋଜି
ପ୍ରତୀକ୍ଷାର ଅନ୍ତ ହୋଇଲା ସତ ତ
ପଞ୍ଚଭୂତେ ଗଲେ ହଜି।
ଚିକ୍କଣ କାଳିଆ ପତିତର ସଖା
ଶୁଣ ହେ ଚକା ନୟନ
ମୁଁ ଯେ ଦେଉଳ ବେଢ଼ାର ଦୀପ ପ୍ରଭୁ
ଭଜି ଯାଉ ଏ ଜୀବନ।
(ଭଜନ ସାମ୍ରାଜ୍ଞୀ ଶାନ୍ତିଲତା ବାରିକ ଛୋଟରାୟଙ୍କ କେତୋଟି ଲୋକପ୍ରିୟ ଶୁଣିଥିବା ଭଜନକୁ ଆଧାର କରି ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ)🙏🙏💐💐👏👏
ଛତିଶଗଡ/ ଭୁବନେଶ୍ୱର।
କବିତା
ଦିବା ରାତ୍ର ମୋର ନୟନେ ଯୁଗଳେ
ତନ୍ଦ୍ରା ପାରୁନାହିଁ ଆଖିକୁ ଛୁଇଁ
ଯେବେଠୁ ପାଇଲି କବିତାକୁ ଭଲ
ନିଜର ଆୟତ୍ତେ ନିଜେ ମୁଁ ନାହିଁ ।।
ତା ପ୍ରେମର ବୁଡ଼ି ଦିବା ରାତ୍ର ମୁହିଁ
ଦୁନିଆଁକୁ ମୁଯେ ଯାଇଛିଭୁଲି
କବିତାର ବିନା ଅନ୍ୟେ ପ୍ରୀତି ନାହିଁ
କବିତା ହିଁ ମୋର ଗଳାର ମାଳି ।।
ସପନେ ଶୟନେ ତା ପ୍ରେମକୁ ଝୁରି
ନୟନରୁ ନିଦ ଯାଇଛି ରୁଷି
ଖରା ଛାଇ ପରି ଖେଳେ ଲୁଚକାଳି
ଜମାଧରା ଦେଏନାହିଁ ସେ ଆସି ।।
ଖୋଜିଖୋଜି ଶବ୍ଦଖଞ୍ଜି ତାଦେହରେ
ଯତନେ ସଜାଏ ତାହାରି ରୂପ
ହୃଦୟେ ତା ପାଇଁ ଗଢ଼ି ଚାଲି ଥାଏ
କଳ୍ପନା ଭାବନାର ଏକ ସ୍ତୁପ ।।
ଲକ୍ଷ୍ମୀ ବଗର୍ତ୍ତି ଟିଟିଲାଗଡ଼ ବଲାଙ୍ଗୀର
ବିଶ୍ଵ ପଖାଳ ଦିବସ ଉପଲକ୍ଷେ
ସ୍ମୃତିରେ ମୋ ବୋଉ
ଡଃ ପ୍ରିୟମ୍ବଦା ସାମଲ
ମୁଁ ସ୍କୁଲରେ ପଢୁଥିବା ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଅଭିଳାଷ ନେଇ ଆମ ପରିବାର ଯାଇ ଥିଲୁ ଶ୍ରୀମନ୍ଦିର ନୀଳାଚଳଧାମ।ପ୍ରଚଣ୍ଡ ଗ୍ରୀଷ୍ମର ପ୍ରଭାବ ଓ ଲୋକ ଗହଳି ଭିତରେ ମହାପ୍ରଭୁଙ୍କ ଦର୍ଶନ କଲୁ ।ପ୍ରାୟ ମଧ୍ୟାହ୍ନ ସମୟ ହୋଇ ଯାଇଥାଏ। ମୋ ସାନ ଭାଇ ଭୋକରେ ଆତୁର ହୋଇ ବୋଉର କାନିକୁ ଟାଣି ବ୍ୟସ୍ତ କରୁଥାଏ। ମୁଁ ଭିଡ଼ ଭିତରେ ମନେ ମନେ ପ୍ରଭୁଙ୍କ ଭଜନ ଗାଉଥାଏ।ମୋତେ ଭୋକ ଲାଗୁ ନଥାଏ।ଦର୍ଶନ ପରେ ବାପା ଆମକୁ ନେଇଗଲେ ଆନନ୍ଦ ବଜାର ଅଭଡ଼ା ପ୍ରସାଦ ପାଇବା ପାଇଁ ହେଲେ ମୋ ବୋଉ ପ୍ରଥମେ ଆମକୁ ନେଇ ଟଙ୍କ ତୋରାଣି ପିଆଇ ଦେଇ କହିଲା ଏ ଭିଡ ଭିତରେ ମୋ ପିଲାମାନେ ଚିପି ଚକଟି ହୋଇଯାଇଛନ୍ତି।ତେଣୁ ତାଙ୍କୁ ଏହି ପ୍ରସାଦ ଦିଅ ଟିକେ ପରେ ଅଭଡ଼ା ପ୍ରସାଦ ପାଇବା।ଆମେ ଆନନ୍ଦ ମନରେ ପାନ କରି ଶାନ୍ତି ଲାଭ କଲୁ।ମୋ ବୋଉ କହିଲା ଟିକେ ବସିପଡ।ଆମେ ସମସ୍ତେ ବସିଲୁ।ବାପା କହିଲେ ଝୁନୁ ତୁ ପ୍ରଭୁଙ୍କର ଗୋଟେ ଭଜନ ଗାଆ। ମୁଁ ଗାଇ ସାରିଲା ପରେ ମୋ ବୋଉ ଏହି ଟଙ୍କ ତୋରଣିର ମାହାତ୍ମ୍ୟ ମୋତେ କହିଲା।ମୋ ବୋଉ କହିଲା ଖାଲି ଆମେ ନୁହେଁ ଆମ ଠାକୁର ମଧ୍ୟ ଏହି ପଖାଳକୁ ମଧ୍ୟ ଭଲ ପାଆନ୍ତି।ପଖାଳର ପ୍ରକାର ଭେଦ ଦର୍ଶାଇ କହିଥିଲା।ପାଣି ପଖାଳ - ରନ୍ଧା ଯାଇଥିବା ଅନ୍ନରେ ପାଣି ମିଶାଇ ଯେଉଁ ମିଶ୍ରଣ ହୁଏ ତାହା ପାଣି ପଖାଳ।ଯାହା ଆମେ ସାଧାରଣତଃ ଘରେ ଖାଉ।ଦହି ପଖାଳ - ବେଶୀ ମାତ୍ରାରେ ଦହି ଓ କମ୍ ପାଣି ଦେଇ ଜିରା ଓ ଅଦା ଓ ଲୁଣ ପକାଇ ଯେଉଁ ପଖାଳ ହୁଏ ତାହା ଦହି ପଖାଳ।ମିଠା ପଖାଳ - ଯେଉଁ ପଖାଳରେ ଭଜା ଜିରା,ଲୁଣ ଓ ଅଦାଖଣ୍ଡ ସହିତ ଟିକେ ଚିନି ପକାଇ ପ୍ରସ୍ତୁତ ହୁଏ। ମଲ୍ଲି ଫୁଲ ପଖାଳ - ଦହି ପଖାଳରେ ମଲ୍ଲି ଫୁଲ ପକାଇ ପରଶିଲେ ସୁବାସିତ ବାସେ। ଟଭା ପକାଇ ପରସିଲେ - ଟଭା ପଖାଳ। କୁଡୁଆରେ ରନ୍ଧା ଅନ୍ନକୁ ପାଣି ମିଶାଇ କଟା ଅଦା,ଭିଜା ଜିରା ଓ ଲୁଣ ମିଶାଇଲେ ତାହା -ସୁବାସ ପଖାଳ। ଅନ୍ନ ସହିତ ଲୁଣ , ଅଦାଖଣ୍ଡ,ଦହି,ଭଜା ଜିରା ଓ ଘିଅ ମିଶାଇଲେ ତାହା - ଘିଅ ପଖାଳ। ଏ ସବୁ ଆମର ମହାପ୍ରଭୁଙ୍କ ନିକଟରେ ପ୍ରସାଦ ରୂପରେ ଲାଗେ।ସେତେବେଳେ ମୁଁ ଖାଲି ଶୁଣୁ ଥିଲି କିଛି ବୁଝୁଥିଲି ଆଉ କିଛି ଅବୁଝା ଥିଲା ମୋ ପାଇଁ।କିନ୍ତୁ ପରେ ଜାଣିଲି ଗ୍ରୀଷ୍ମ ଋତୁରେ ଏହି ପଖାଳ କେତେ ଉପଯୋଗୀ।ଯାହା ବିଶ୍ଵ ସ୍ତରରେ ତାହାର ଉପଯୋଗ ଓ ଉପାଦେୟତାକୁ ବିଚାର କରି ଆଜିର ଦିବସରେ ଅର୍ଥାତ୍ ମାର୍ଚ୍ଚ କୋଡ଼ିଏକୁ ବିଶ୍ଵ ପଖାଳ ଦିବସ ଉପଲକ୍ଷେ ପାଳନ କରାଯାଉଛି।ଆମେରିକାର ଡାକ୍ତରମାନେ ପଖାଳ ଏକ ପୁଷ୍ଟିକର ଖାଦ୍ୟ ବୋଲି ପ୍ରମାଣ ଦେଲେଣି। ଭାତକୁ ବାର ଘଣ୍ଟା ପଖଳା ଯିବା ପରେ ଲୌହ ପରିମାଣ୩.୪ମିଲିଗ୍ରା ରୁ୭୩.୯୧ମିଳିଗ୍ରା କୁ,ପୋଟାସିୟମ ୮୩୯ମିଲିଗ୍ରାକୁ ଓ କ୍ୟାଲସିୟମ ୨୧ ମିଲିଗ୍ରାରୁ ୮୫୦ ମିଲିଗ୍ରା କୁ ବୃଦ୍ଧି ପାଏ। ସୋଡ଼ିଅମ୍ ୪୭୫ ମିଲିଗ୍ରା ରୁ କମି୩୦୩ ମିଲିଗ୍ରା ହୁଏ।ଭାତ ପଚନ ପରେ ଡି - ଲାକ୍ଟିକ ଅମ୍ଳ୍ ସୃଷ୍ଟି ହୋଇ ଉପକାରୀ ଅନ୍ତଃନଳୀ ବ୍ୟାକ୍ଟେରିଆ ସୃଷ୍ଟିକରେ ଯାହା ଶରୀରର ଜୀର୍ଣ୍ଣ କ୍ଷମତା ବଢାଏ।ପଖାଳ ପିତ୍ତ ନାଶକ ଅଟେ।ହାଣ୍ଡି କାଞ୍ଜି ଦ୍ଵାରା ପେଟ ଥଣ୍ଡା ରହେ।ପିତ୍ତ ରୋଗ ବିସୂଚିକା ,ଅତିସାର (Diarrehoea) ଇତ୍ୟାଦି ସମୟରେ ପଖାଳ ତୋରାଣୀ ଅତ୍ୟନ୍ତ ଉପକାରୀ।ଚାଇଁ ପଖାଳ ଖାଇ ତା ତୋରାଣି ମୁନ୍ଦେ ପିଇ ଦେଲେ କୋଷ୍ଠ କାଠିନ୍ୟ ,ଅଗ୍ନୀମାଦ୍ୟ,ଅଜୀର୍ଣ୍ଣ ଓ ପେଟ ବ୍ୟଥା ଇତ୍ୟାଦି ପେଟ ରୋଗରେ ଉପଶମ ମିଳିଥାଏ।ରକ୍ତଚାପ ଓ ଶରୀର ତାପମାତ୍ରା ଏହା ଦ୍ଵାରା ମଧ୍ୟ ହ୍ରାସ ହୋଇଥାଏ।ଗ୍ରୀଷ୍ମରେ ପଖାଳ ପେଟକୁ ଓ ଶରୀରକୁ ଥଣ୍ଡା ରଖିବା ସହ ଦେହକୁ ଜଳୀୟ ଅଂଶ ଯୋଗାଇ ଥାଏ।
ଆଜି ବୋଉ ନାହିଁ ଅଥଚ ତାର ସ୍ମୃତି ଆଜି ସବୁ ମନେ ପକାଇ ଦେଉଛି।
ଛତିଶଗଡ/ ଭୁବନେଶ୍ୱର।
ମୋ ଗାଁରେ ସଂଧ୍ୟା
*****
ନଳିନୀ ପ୍ରଭା ଦାସ
ଗୋଧୂଳି ଲଗନ ଗୋପାଳ
ଗୋଠ ବାହୁଡା ବେଳ
ଭାସ୍କରଙ୍କ ପ୍ରଭା ଲାଲିମା
ଅସ୍ତଗାମୀ ଯେ ବେଳ ।
ଗାଁ ଦାଣ୍ଡ ଫାଟି ପଡଇ
ହମ୍ବା ହମ୍ବା ରଡ଼ିରେ
ଗୋପାଳ ସଂଗୀତ ମୂର୍ଚ୍ଛନା
ଶୁଭେ ବଂଶୀ ସ୍ୱନରେ |
ଧୂଳି ଖେଳ ସାରି ବାଳୁତ
ଘରେ ଆସନ୍ତି ଧାଇଁ
ଧୂଳି ଝାଡ଼ି ଦେଇ ପଣତେ
ମାଆ ନିଏ କୋଳେଇ ।
ସେନେହେ ବାଳକେ ବୁଝାଇ
ଚାଟଶାଳିରେ ଛାଡି
ପାଠ ପଢି ସାରି ବାଳକେ
ଆସନ୍ତି ସେ ବାହୁଡ଼ି ।
ବୃନ୍ତରେ କେତେକ କୁସୁମ
ଧୀରେ ଯାନ୍ତି ମଉଳି
ଜହ୍ନି ଫୁଲ ହସି ଉଠଇ
ହସେ ଝରାଶେଫାଳି |
ନଦୀ ପଠା ନଦୀ ବାଲିରେ
ଥଟ୍ଟା ମଜାର ମେଳେ
ଧୀରେ ଧୀରେ ପାଦ ଥାପଇ
ସଂଧ୍ୟା ଧରଣୀପରେ ।
ଘଣ୍ଟ ଘଣ୍ଟା ହୁଳହୁଳି ଯେ
ଶୁଭେ ଗ୍ରାମ ମନ୍ଦିରେ
ମହିମା ଅଲେଖ ପୂଜନ
ଦେଖ ଶୂନ୍ୟ ମନ୍ଦିରେ ।
ଧୂପ ଦୀପ ଭକ୍ତି ଭାବରେ
ଘର ଘରଣୀମାନେ
ଜାଳନ୍ତି ମଙ୍ଗଳ ମନାସୀ
ଗ୍ରାମ ଦେବୀ ସାମନେ ।
ସଂଧ୍ୟା ଆଗମନେ ଦୀପାଳି
ଜାଳି ତୁଳସୀ ମୂଳେ
ମୁଣ୍ଡିଆଟେ ମାରି ସଂସାର
ସୁଖ ବଧୂ ମନାସେ ।
ଦିବସର ଅନ୍ତେ ରଜନୀ
ପ୍ରବେଶଇ ଧରାରେ
ଘନ ଅନ୍ଧକାର ଘୋଟଇ
ରବି ଅସ୍ତ ହୋଇଲେ ।
ଗାଁ ଦଣ୍ଡା ପଟୁ ହୁ କେ ହୋ
ଶୁଭେ ଶୃଗାଳ ଶବ୍ଦ
ଘନିଆ ଗୁଡ଼ିଆ ଦୋକାନେ
ଜମେ ଚା ଆସର |
ବ୍ୟାସାସନେ ବହି ରକ୍ଷିଣ ଜଳାଇ ସେ ଧୂପକୁ
ଆମ ଗାଁ ଦାମ ଦା ଶୁଣାନ୍ତି
ପଢି ଭାଗବତକୁ |
ଘଣ୍ଟ ଘଣ୍ଟା ଶଙ୍ଖ ଶବ୍ଦରେ
ଭାଗବତ ପଢ଼ାରେ
ଧୀରେ ଧୀରେ କରି ପ୍ରବେଶେ
ସଂଧ୍ୟା ମୋ ଗାଁ ରେ |
ସନ୍ଧ୍ୟା
**
ସନ୍ଧ୍ୟା ଗୋ ତୁମେ
ଫେରିଯାଅ ଦୂରେ
ତୁମକୁ କରୁଚି ମନା ।
ତୁମେ ଆସୁ ଆସୁ
ଆମ ଗାଈ ଗୋଠ
ଲାଗେ ଭାରି ଛିନା ଛିନା ।।
ଆମ ଗାଁ ଆକାଶେ
ଶୁଭୁନାହିଁ ଆଉ
କିଚିରି ମିଚିରି ଶବ୍ଦ ।
ତୁମେ ଆସିଲେ ତ
ଗାଁ ବିଲ ବଣେ
ଶୁଭେ ଝିଙ୍କାରୀର ଶବ୍ଦ ।।
ତୁମେ ଯେବେ ଆସ
ନଈ କୂଳ ଦେଇ
ସୂରୁଜ ଯାଆନ୍ତି ଲୁଚି ।
ତୁମେ ଆସୁ ଆସୁ
ଅନ୍ଧାର ଘୋଟଇ
ଜନଶୂନ୍ୟ ହୁଏ ବିଚୀ ।।
ତୁମେ ଆସୁ ଆସୁ
ଚାଷୀଭାଇ ଫେରେ
ଅବସ ଅଧିର ହୋଇ ।
ତୁମେ ଯେବେ ଆସ
ଆମ ନଈକୂଳେ
ନାଆ ବାନ୍ଧେ ନାଆସାଇଁ ।।
ତୁମେ ଯେବେ ଆସ
କୁଆଁରୀ ଜହ୍ନ
ଲାଜେ ଲାଜେ ଧିରେ ଆସେ ।
ତୁମ ରୂପ ଶୋଭା
ଅନୁପମ ଆଭା
ପ୍ରେମିକା ପ୍ରେମିକା ବାସେ ।।
ଶୁଭେନ୍ଦୁ ମେହେର
ଯାଲୋଏ, ସୁବର୍ଣ୍ଣପୁର-୧୮
ସବୁ ସମ୍ମାନର ଉପରେ ଗୁରୁ ଭଗଵାନ ସାହୁ_
🌹🌷🌹🌷🌹🌷🌹🌷🌹
ପ୍ରଭାସିନୀ ଯୋଷୀ
କାହିଁ ଗଲ କାହିଁ ଗଲ
ଆମେ ନେଇଁ ପାରଲୁଁ ଜାନି
ଗୁରୁ ଭଗବାନ ସାହୁ ତମର୍ ଗୁନ୍'କେ
ସଦା ହଉଛୁଁ ଆମେ ହୁର୍ଗୁନି
ଡର ନେଇଁ କି ଭଏ ନେଇଁ
ଆଗ୍କେ ଗଲ ତମେ ମାଡି
କଁଟା ଝଁଟା କିଛି ନେଇଁ ଅଟକେଇ ପାର୍ଲା
ବଜର କଲ ମନର୍ ସିଡି ।
କେଭେ ନେଇଁ କଲ ଆଶ
କାହାରିର ଠାନୁ କିଛି
ତମେ ଆମର ନାଟୁଆଗୁରୁ
ନାଟ୍ ସଂସ୍କୃତିର୍ ଛାପ୍ ଗଲ ରଖି ।
କୋସଲି ନାଟର୍ କାଲିଦାସ୍ ତୁମେ
କୋସଲିଥି ନାଟ୍ ମୁଲ କରିଥିଲ ତମେ
ରାଏତ ରାଏତ ଧରି ନାଟ୍ କରି
ରହିଗଲ ଅମର୍ ଧାମେ ।
କୁମ୍ଭାରୀ ଗାଁ ଥି ଜନମ୍ ତମର୍
କୁମ୍ଭାରୀ ଗାଁ ଥି ଘର୍
ଧଏନ୍ ଧଏନ୍ ତମର୍ ମାଁ ମାଏଟ୍ କେ
ଯେ କରିଥିଲା ତମକେ ଏଡକି ବଡ୍ ।
କଲା ସଂସ୍କୃତିର୍ ଗୁରୁ ତମେ
ନାଟ କରିକରି ଦିନ କାଟଲ
ଘର ନେଇଁ ଜାନି ଦୁଆର ନେଇଁ ଜାନି
ସୁନାରୁପା ଆର୍ ଜମି ବିକିଦେଲ ।
ନେଇଁ କରି କେଭେ ପାତରଅନ୍ତର୍
ନିଜର୍ କଲା କଲାକାରର୍ ସାଙ୍ଗେ
ଘରଦୁଆର୍ ମାହେଜି ପୋ
ସବୁକେ ରଖଲ ଗୁଟେ ରଙ୍ଗେ ।
ନେଇଁ ଡରିକରି ବନେ ଭାଵିକରି
ଵଢତେ ଗଲ ଆଗ୍କେ ଆଗ୍କେ
ନିଜର୍ କଲାର୍ ଉନ୍ନତି ଲାଗି
ସହିଗଲ କେତନି ଦୁଃଖ ଜେ ।
ଜମିବାଡିର ଧନୀ ହେଇକରି
ସହେଲ ଜେ କେତେ ଅପମାନ
ହେ! ଗୁରୁ ସାହୁ ଢେଲଢେକାନ
ଚପଲମାଡ ଖାଇ ଦେଲ ଗୁରୁଜ୍ଞାନ ।
ନେଇଁ ସହେଲେ ନେଇଁ ଵୁଝଲେ
କିଛି କାମ ନେଇଁ ହୁଏ
ଦୁନିଆଁ ଥି ଯାର୍ କିଛି କରବାର୍ ଅଛେ
ସେ ଧୁର ଧୁରକେ ନେଇଁ ଭାଗେ ।
ହଜାର୍ ହଜାର୍ ରାଏତ୍ ସୁରେନ ସାଏ
ନାଟକେ ଦେଇଥିଲ କରି
ଯୁଗଯୁଗକେ କଥା ରଖିଦେଲ
ଆମର ଇଜ୍ଜତକେ ଭି ଦେଲ ରଖି ।
ତମର ଚେଷ୍ଟାଥି ନୁଆଁଖାଇ ପରଵ୍
ସଭେ ଗୁଟେ ଦିନେ ପାଲଲୁଁ
କେ ଜନେ ହେଲେ ଆମର୍ ପରଵ୍
ଲାଗି ଭିଡଲେ ବଲି ଜାନଲୁଁ
ସମାଜକେ ତମେ ଦରପନ ଦେଖାଲ
ଦେଖାଲ ତମେ ଉକିଆ
ଆମେ ଜାନଲୁଁ ଆମର ଗୁନ
ହେଇଗଲ ତମେ ମୁଖିଆ ।
କେନ ଯୁଗୁନୁ ନାଟର ସଂସ୍କୃତି
ଚଲି ଆସୁଛେ ଆମର ଦେଶେ
ତାକେ ମଜବୁତ୍ କରଵାରଥି
ତମର୍ ପାହା ରହିଛେ ଆଘେ ଜେ ।
କୁମ୍ଭାରୀ ଗାଁର ଗଁଅଁତିଆ ତମେ
କେତେ ଓଲେଦୁଲେ ବଢିଛ
ଫେର ଭି ନିଜର ଗୁନର୍ ଲାଗି
ଗୁନଥି ପରିଚଏ ପାଇଛ ।
ଲୁହୁ ଝରାଲ ଲହ ଝରାଲ
ଫେର ଭି କିଛି ନେଇଁ ଭାବଲ
କେତେ ଦୁଃଖ୍ କେତେ ଯାତନା
ତମେ ସବୁକେ ସହେଲ ।
ଵୋଝ ବୁହିଲା ଖାନ୍ଦ ସିନା
ପାହା ପକାସି ଆଗେକେ ଆଗକେ
କଲା ସଂସ୍କୃତିର ଵୁଝା ଵୁହି
ନେଲ ଆମକେ ସବକର ସାମନାକେ
ସବୁ ସନମାନ ତମର ଠାନେ ଫିକା
ଗୁରୁ ସାହୁ ତମେ ଦେଖାଲ
କଲା ସଂସ୍କୃତି ଭି ଜାତିର ମୁଲ ଆଏ
ବଲି ଗୁରୁଦେଵ ତମେ ଶିଖାଲ
ଅମର ରହୁ ଵାନୀ ତମର
ଅମର ରହୁ ଗାଥା
ଯୁଗ ଯୁଗଧରି କୋସଲି ନାଟର
ଚାଲୁଥଉ ଏନତି ପ୍ରଥା
ଆମର୍ ଛାନ୍ଦ୍ ଆମର୍ ଗୀତ
ଶୁନଵାର ଲାଗି ଵଡା ମଧୁର୍
ମନକେ ପାଏସି ମନକେ ରସାସି
ଦୁଃଖ ସୁଖ ଯାଏସନ୍ ଦୂର୍ ।
ଜୁହାର ଗୁରୁ ଭଗଵାନ ସାହୁ
ଉଡୁଥଉ ତମର ଵାନା
କଲା କଲାକାରର ହଉଥଉ ଜଏ
କେଭେ ନେଇଁ ହଉ ପୁରନା ।
ସବୁ ସନମାନର୍ ଉପରେ
ତମେ ଗୁରୁ ଭଗଵାନ ସାହୁ
ତମକେ ସନମାନ୍ କରିକରି ଆମର୍
ମନ ସଦା ହଉଥଉ କୁରୁତ୍ କୁରୁତ୍ ।
🌹🪷🌹🪷🌹🪷🌹🪷🌹
ଖରିଆର,ଲକ୍ଷ୍ମୀ ନଗର
ଗୁରୁ ଭଗବାନ ସାହୁ ରାଜ୍ୟ ସ୍ତରୀୟ ସ୍ମୃତି କମିଟି ପରିବାର
ଉତ୍କଳ
- ଶ୍ରୀମତୀ ଯମୁନା ଦାଶ।
ଭାରତୀ କନ୍ଯକା ଉତ୍କଳ ଜନନୀ
କେଦାର ମଣ୍ଡିତା ବୀର ପ୍ରସବିନୀ ।
ଶୈଳ ବନ ଝରେ ଗାତ୍ର ସୁଶୋଭିତା
ହ୍ରଦେ ହୃଦହାର ସିନ୍ଧୁ ପଦଧୌତା।
କଳା ଭାସ୍କର୍ଯ୍ୟ ରେ ଉତ୍କର୍ଷ ସୃଜନୀ
ତେଣୁ ତ ଓଡ଼ିଶା ଉତ୍କଳ ରେ ଗଣି।
ଶ୍ରୀ ନୀଳ କନ୍ଦରେ ବିଜେ ନାରାୟଣ
ଚତୁର୍ଦ୍ଧା ମୂରତି ଭକ୍ତ ପ୍ରାଣଧନ।
ଶୋଭା ବଡ଼ଦାଣ୍ଡ ବଡ଼ ଶ୍ରୀମନ୍ଦିରର
ଶ୍ମଶାନ ଅଟଇ ଯା’ର ସ୍ବର୍ଗ ଦ୍ବାର।
ମୋ ଭାଷା ଓଡ଼ିଆ ଶ୍ରବଣେ ମଧୁର
ସୁନ୍ଦର ସଂସ୍କୃତି ଭାତୃତ୍ବ ବେଭାର।
ଇଂରେଜ ଶାସନ କବଳରେ ପଡ଼ି
ଯାଇଥିଲା ଛିନ୍ନ ହୋଇ ପୁରାପୁରି।
ଗଉରୀଶଙ୍କର,ମଧୁ, କୃପାସିନ୍ଧୁ
କୃଷ୍ଣ ଗଜପତି,ଦାସ ଗୋପବନ୍ଧୁ।
ଫକୀର ମୋହନ,କବି ଗଙ୍ଗାଧର
ବାମଣ୍ଡା ର ରାଜା,ରାଜ ହରିହର।
ଭକ୍ତ କବି ପୁଣି ନୀଳକଣ୍ଠ ଦାସ
ଲଢ଼େଇ ରେ ପ୍ରାପ୍ତ ଉତ୍କଳ ପ୍ରଦେଶ।
ଉଣେଇଶ ଶହ ଛତିଶି ମସିହା
ଏପ୍ରିଲ ପହିଲା ଦିବସ ଓଡ଼ିଆ।
ସ୍ବତନ୍ତ୍ର ପ୍ରଦେଶ ଉତ୍କଳ ଆମର
ଯତ୍ନରେ କରିବା ସୁରକ୍ଷା ତାହାର।
ଧୁବେନ ପାଲି।
ବରଗଡ଼।
ଶୁଭ ହୋଲି
ଏଇ ଦେଖ ସାଙ୍ଗ
ନାଲି- ନୀଳ- ପୀତ-
ଫଗୁ ରଙ୍ଗର ପସରା
ଆ.. ସାଙ୍ଗ ଆ...
ଖୁସିରେ ଖେଳିବା
ହୋଲି ଆସିଅଛି ପରା ।।
ଏ ଫଗୁ ଅବିର
ଯେତେ ବୋଳ ଦିଅ
ଧୋଇଦେଲେ ଯିବ ଧୋଇ
ଶ୍ରଦ୍ଧା ରଙ୍ଗ ମାଖି
ମଖାଇଦେ ସଖି
କେବେ ବି ଲିଭିବ ନାହିଁ।।
ଝରଣା ପାଢ଼ୀ, କଳାହାଣ୍ଡି
ବହୁରୂପୀ
***
ତମ ଆସିବାର
ମୁହୂର୍ତ୍ତ ମୁହୂର୍ତଙ୍କ ଦହନରେ
ମୁଁ ଏବେ
ପାଉଁଶ ହେବାକୁ ବସିଲିଣି !
ବରଂ ଭଲ ହେବ
ତମେ ଆଉ ନ ଆସ !
ଆସିଲେ କାଳେ ମୋ ସ୍ମୃତିର
ନିଆଁ ଚେଙ୍କ ତମକୁ ଲାଗିଯିବ
ମୋ ଜଳନ୍ତା ଦେହ ଆଉ ମନରୁ !
ତାପରେ ହୁଏତ
ତମେ ବି ଜଳିବାକୁ ବାଧ୍ୟ୍ୟ ହେବ
ତମ ବିଳମ୍ବତାର ପାପରୁ !
ଆସିଥିଲେ
ଟିକିଏ ଆଖି ପୁରେଇ
ଦେଖିଥାନ୍ତି ତମକୁ,
ଆଉ ଆକଳନ କରିଥାନ୍ତି
ତମେ କଣ ପ୍ରକୃତରେ
ସେଇ ମଣିଷ
ଯାହା ପାଇଁ ମୁଁ ସ୍ୱଇଛାରେ
ମୋ ସୃଷ୍ଟି ଆଉ ସ୍ରଷ୍ଟାଙ୍କୁ
ପାଶୋରିଥିଲି
ଟିକେ ତମ
ପ୍ରେମ ପାଇବା ପାଇଁ !
ନା.. ତମେ ଏବେ
ଆଉ ନ ଆସ
ବରଂ ତମ ପୃଥିବୀରେ
ମୁଗ୍ଧ ମୁହୂର୍ତଙ୍କୁ ଉପଭୋଗ କର
ମୋ ସଦିଛାର ବିଛଣାରେ !
ଆସିଲେ କାଳେ
ମୋ ଜଳନ୍ତା ଦେହ ମନର
ପାଉଁଶରେ ତମେ ବି
ନିଜ ରଙ୍ଗ ହରେଇବ
ବହୁରୂପୀର !!
କିଶୋର ଚନ୍ଦ୍ର ଗିରି
7381280635
ଜହ୍ନ
ସହସ୍ର ପୁତ୍ରର ନାହିଁ ପ୍ରୟୋଜନ
ଗୋଟିଏ ସୁପୁତ୍ର ଥିଲେ
ଘନ ଅନ୍ଧକାର ଦୂରକରେ ବୋଲି
ଜହ୍ନ ନାମ ତାକୁ ଦେଲେ ।୧।
ସୂର୍ଯ୍ୟ ଆଲୋକରେ ଆଲୋକିତ ହୋଇ
ଆଲୋକ ଦିଏ ବିଛାଇ
ଭାରି ଭଲଲାଗେ ତା' ଆଲୋକ ଯେବେ
ରାତ୍ରିରେ ଚାଲେ ବାଟୋଇ ।୨।
ଏକା ଜହ୍ନ ପୁଣି ଆଲୋକିତ କରେ
ସାରା ବିଶ୍ବ ଅନ୍ଧାରକୁ
ସେଥିପାଇଁ ଆମ୍ଭେ ସହସ ବଦନେ
ଜହ୍ନମାମୁ ବୋଲି ଡାକୁ ।୩।
ଶତ ପୁତ୍ରର ସେ ଜନନୀ ଗାନ୍ଧାରୀ
ଆଖିରେ ପଟି ବାନ୍ଧିଲା
ଏକ ଯୁଧିଷ୍ଠିର ଧର୍ମରାଜ ବୋଲି
ମହୀରେ ନାମ ରଖିଲା ।୪।
ଜହ୍ନକୁ ଦେଖାଇ ପିତା ମାତାମାନେ
ପିଲାକୁ ତୁନି କରାନ୍ତି
ଜହ୍ନମାମୁ ଗୀତ ଗାଇ ଗାଇ ତାକୁ
କୋଳରେ ଶୋଇ ପକାନ୍ତି ।୫।
ଗର୍ବ ଅହଙ୍କାରେ ଭସ୍ମୀଭୂତ ହେଲେ
ଆକାଶରେ ତାରାଗଣ
ଜହ୍ନମାମୁ ବୋଲି ନାମ କିମ୍ପା ହେଲା
ବିଶ୍ବବାସୀ ମନେ ଗୁଣ ।।୬।।
କବିକମଳ ନରେନ୍ଦ୍ର ପ୍ରସାଦ ବେହେରା, ସମ୍ପାଦକ - ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ଵର, ମୋ-- ୯୮୫୩୧୪୨୫୧୦
((((ଥରେ ଆସି ମତେ ଦେଖିଯାଅ))))
ଥରେ ଆସି ମତେ ଦେଖିଯାଅ
କେମିତି ମୁଁ ଜଳୁଅଛି
ଜୀବନଟା ଅନ୍ଧକାରମୟ
ଦୁଃଖର ସଳିତା କହୁଛି ।।
ବସନ୍ତର ହୃଦୟ ଭିତରେ
ଶିଖାହୀନ ଅଗ୍ନି ଜଳେ
ତୁମ ବିରହେ କରୁଣ ଜ୍ୱାଳା
ପ୍ରତିକ୍ଷଣେ ମତେ ମିଳେ ।।
ଅଭାବ ଅଭାବ ମତେ ଲାଗେ
ସବୁ କିଛି ଥାଇ ପାଖେ
ଜୀବନଟା କ୍ଳାନ୍ତ କ୍ଳାନ୍ତ ଲାଗେ
ଶୂନ୍ୟ ଭରେ ଆଖ ପାଖେ ।।
ଶ୍ରାବଣ ବି ଅସହାୟ ହୁଏ
ଶୀତଳ ଆସେନା ମନ
କାମନାର ନିଆଁ ମଉନ ମୁଖେ
ଶେଷ କରେ ସବୁଦିନ ।।
କୋମଳତା ଖିନଭିନ୍ ହୁଏ
ଭ୍ରମର ବିନା ଫୁଲଟେ
ତୁଚ୍ଛ ଲାଗେ ଏ ସାରା ସଂସାର
ମନ ବିନା ଜୀବନଟେ ।।
କଲମ ଖାତାର ଭେଟ ନାହିଁ
କେଉଁଠି ତ ହଜିଲାଣି
ସ୍ତବ୍ଧ ହେଲାଣି ଦିନ ରାତି
କେତେ କ'ଣ ଭାବିଲିଣି ।।
ମସ୍ତିଷ୍କ ମୋ ବିକୃତ ହୋଇଛି
କାନେ ଦି-କାନ ହଉଛି
ଥରେ ଆସି ମତେ ଦେଖିଯାଅ
କେମିତି ମୁଁ ଜଳୁଅଛି ।।
----#----
ନିକୁଞ୍ଜ କୁମାର ଘୋଷ ।
ପଖାଳ
"*କବିତା ସାହୁ , ଜୟପୁର
ଓଡ଼ିଆ ର ପ୍ରାଣ ପଖାଳ ଜୀବନ
ଚାହିଦା ଅନେକ ତା'ର
ଧନୀ ଠୁ ଗରିବ ସଭିଙ୍କର ପ୍ରିୟ
ଚାହିଦା ଅନେକ ତା'ର
ଜଗତନାଥ କାଳିଆ ସାଆନ୍ତ
ଖାଆନ୍ତି ନିତି ପଖାଳ
ସୁବାସିତ ମଲ୍ଲୀ, ଦହି, ଟଭା
ଛୁଙ୍କ ଘିଅ ପଖାଳ
ଅନେକ ପ୍ରକାର ପଖାଳ ଖାଆନ୍ତି
ଭାଇ ଭଉଣୀ ସାଥୀରେ
ପଖାଳ ଲୁଣ ଲଙ୍କା ପିଆଜ ଖାଇ
ନିତି ଚାଷୀ ମୂଲିଆ ଚାଷ କରେ ଯାଇ
ଓଡ଼ିଶାର ର ପ୍ରତି ଘରେ ନିଆରା ପଖାଳ
ସଂଜ,ବାସି ଦହି ଛୁଙ୍କ ବଘରା ପଖାଳ ରେ
ନାନା ଚଟଣୀ,ଭଜା,ଶାଗ,ବଡ଼ିଚୁରା
ମାଛ ଶୁଖୁଆ ଭଜା ରେ
ପଖାଳରେ ଅଛି କେତେ ଜୀବସାର
ଅଂଶୁଘାତ ରକ୍ତଚାପ କରେ ରୋଗ ଦୂର
ପେଟ ଥଣ୍ଡା ମନ ଶାନ୍ତି ଆତ୍ମା ତୃପ୍ତି ହୁଏ
ପଖାଳ ଯେ ନ ଖାଇଛି ଓଡ଼ିଆ କି ସିଏ
ପଖାଳ ର ଚାହିଦା ଦେଶ ବିଦେଶ ରେ
କୋଡ଼ିଏ ମାର୍ଚ୍ଚ ପଖାଳ ଦିବସ ପାଳନରେ
ଘରେ। ବାହାରେ ହୋଟେଲ ମନ୍ଦିର ରେ
ପଖାଳ ଖାଆନ୍ତି ଆନନ୍ଦ ମନରେ
କବିତା ଆସର ଜମେ ପଖାଳ ଭାତ ରେ।
ରୂପସୀ ଚିଲିକା
ଚନ୍ଦ୍ରକଳା ଦେବୀ
ରୂପସୀ ଚିଲିକା ସୌନ୍ଦର୍ଯ୍ୟ ମଣ୍ଡିତା
ଓଡିଶା ଅସ୍ମିତା ସେହି
ପକ୍ଷୀମାନଙ୍କର ଅଭୟରଣ୍ୟ ଏ
ତାହାସରି କେହି ନାହିଁ l
ଓଡିଶା ମାଟିର ପର୍ଯ୍ୟଟନ ସ୍ଥଳୀ
ନୌବାଣିଜ୍ୟ ମୂକସାକ୍ଷୀ
ଦେଶ ବିଦେଶରୁ ଉଡ଼ିଣ ଆସନ୍ତି
ବହୁବିଧ ନାନାପକ୍ଷୀ l
ବିଶ୍ୱର ବୃହତ ଲବଣlକ୍ତ ହ୍ରଦ
ଆମ ଐତିହ୍ୟ ସଂସ୍କୃତି
ଦୟା ଭାରଗବୀ ମକରା ଓ ଲୁଣି
ମଲାଗୁଣୀ ମିଶିଛନ୍ତି l
ଚିଲିକାର ସୁର୍ଯୋଦୟ ଆଉ ଅସ୍ତ
କିଣଇ ଦର୍ଶକ ମନ
ଭାଲେରି ସୋଲେରୀ ଚଢେଇ ଗୁହାଯେ
କରଇ ଶୋଭା ବର୍ଦ୍ଧନ l
ମାଆ କାଳିଜାଇ ମନ୍ଦିର ଶୋଭଇ
ମୁଆଁ ନଡ଼ିଆ କଦଳୀ
ଦିନେ ତିନି ଥର ହୁଏ ଭୋଗଲାଗି
ଜଳୁଥାଇ ଯେ ଦୀପାଳି l
କେତେ ଜଳଚର ଜୀବ ଭରପୁର
ଚିଲିକା ଜଳରାଶିରେ
କଇବର୍ତ୍ତ ଭାଇ ମାଛ ଧରି ବିକି
ଜୀବିକା ନିର୍ବାହ କରେ l
କବି ଓ ଭାବୁକ ତୋରୂପରେ ମୁଗ୍ଧ
ଲେଖନ୍ତି କାବ୍ୟ କବିତା
କବି ରାଧାନାଥ ଆଉ ଗୋପବନ୍ଧୁ
ତୋ ରୂପରେ ଅଭିଭୂତା l
ଜଳରାଶି ପରେ କେତେଯେ ତରଣୀ
ଯାଉଥାନ୍ତି ନାଚିନାଚି
ଡେଣା ଝାଡ଼ି ଝାଡ଼ି ପକ୍ଷୀପଂକ୍ତି ପୁଣି
ଆନନ୍ଦରେ ଉଡ଼ୁଥାନ୍ତି l
ଉତ୍କଳ ଭୂସ୍ବର୍ଗ ଚିଲିକା ସୁନ୍ଦରୀ
ହାସ୍ୟମୟୀ ଲାସ୍ୟମୟୀ
ସୁନ୍ଦର ତୃପ୍ତିର ଅବସାଦ ନାହିଁ
ଦେଖିଲେ ନୂଆ ଲାଗଇ l
ଯେତେ ବଖାଣିଲେ ସରିବ ନାହିଁଲୋ
ବର୍ଣ୍ଣିବାକୁ ନାହିଁ ଭାଷା
ମାଆ କାଳିଜାଇ ସମର୍ପିତା ମୁହିଁ
ଦେଖାଅ ନୂତନ ଦିଶା l
ବନ୍ଧୁଗାଁ, କୋରାପୁଟ l
ଛନ୍ଦା ଚରଣେ ବନ୍ଧା ଏ ଜୀବନ
********
ମନ୍ଦାକିନୀ ପାଢ଼ୀ
ମନକୁ ମୋହର କରିହିଁ ପବିତ୍ର
ବସିଯାଏ ମୁଁ ଧ୍ୟାନରେ
ତୁମ ପ୍ରତିଚ୍ଛବି ଉଙ୍କି ମାରେ ସଦା
ମୋରି ମାନସ ପଟରେ ।।
ସେହି ପ୍ରତିମୂର୍ତ୍ତି ଦେଖିବାକୁ ଥରେ
ବନ୍ଧା ପଡ଼ିଛି ଜୀବନ
କାଳିଆ ନାମଟି ସାର ଏ ସଂସାରେ
ଭଜୁଥାଏ ରାତିଦିନ ।।
ଯାହା ଅଛି ମୋର ମନରେ ବିଷାଦ
ଅଜାଡ଼ି ଦିଏ ଚରଣେ
ପାପ ପୁଣ୍ୟର ହିସାବ କରିବେ ସେ
ସମର୍ପିତା ତାଙ୍କଠାରେ ।।
ଆଗାମୀ ଲଗ୍ନର ମୋହଗ୍ରସ୍ତ ଜୀବନେ
ମୁହୁର୍ତ୍ତଟି ଆସିଯିବ
ସମୟ ସୁଅର ନଈ ଧାରେ ଧାରେ
ଦେଖିବି ସ୍ୱଚ୍ଛ ମନର ।।
ପ୍ରାଣପଣେ ଚେଷ୍ଟିତ ନିର୍ବିକାରଭାବ
ରହିଛି ମୋ ହୃଦୟରେ
ବନ୍ଧା ପଡ଼ିଛି ଜୀବନ ଛନ୍ଦା ଚରଣେ
ଡାକୁଛି ବିନା ଦ୍ବିଧାରେ ।।
ଫେଡ଼ିଦେବ ଦୁଃଖ ଆହେ ଚନ୍ଦ୍ରମୁଖ
ନ'ରଖି ମନେ କପଟ
ତୁମ ଛନ୍ଦା ଚରଣରେ ବନ୍ଧା ସଦା
ଅଶ୍ରୁରେ ଧୋଇଦିଏ ପାଦ ।।🙏🏻
ପଦ୍ମପୁର ବରଗଡ଼
ଆସିଅଛି ନିର୍ବାଚନ
ନିର୍ବାଚନ ଋତୁ ଆସିଅଛି ଏବେ
ନେତାଏ ହେଲେଣି ସଜ
ମତଦାନ ପାଇଁ ଯୋଗ୍ୟ ପ୍ରାର୍ଥୀଟିଏ
ସଭିଙ୍କ ମଧ୍ୟରୁ ଖୋଜ ।୧।
ବିଗତ ଦିନର ପ୍ରତିଶ୍ରୁତି କେତେ
କରିଛ ତୁମେ ପୂରଣ
ହିସାବ ନିକାଶ ହୋଇବ ଏଥର
ମନେ ରଖିଥିବ ଜାଣ ।୨।
ମିଥ୍ୟା ପ୍ରତିଶ୍ରୁତି ଭଣ୍ଡ ରାଜନୀତି
ଚଳିବ ନାହିଁ ଏଥର
ଜବାବ ଦେବାକୁ ଭୋଟର ବାସୀଙ୍କ
ଉଠିଲାଣି କଣ୍ଠ ସ୍ବର ।୩।
ସମୟ ଆସିଛି ହୁଅ ସାବଧାନ
ମୋ ରାଜ୍ୟ ଭୋଟର ଗଣ
କର ନାହିଁ କେବେ ଅପାତ୍ରରେ ଦାନ
ପାଇବ ବହୁ କଷଣ ।୪।
ଅତୀତରେ କେତେ ଭାଷଣ କାରୀଙ୍କ
ଭାଷଣ କର୍ଣ୍ଣ ଶୁଣିଛି
କହିଲା ବେଳକୁ ଭାରି ବାଧୁଅଛି
ଜନତା ସବୁ ଜାଣିଛି ।୫।
ନିର୍ବାଚନ ଘଣ୍ଟି ବାଜି ସାରିଲାଣି
ବେଗେ ହୁଅ ସାବଧାନ
ଯୋଗ୍ୟ ପ୍ରାର୍ଥୀ ଦେଖି କର ମତଦାନ
ଆସିଅଛି ନିର୍ବାଚନ ।୬।
ଚଷା ହୁଡିଯାଏ ଗୋଟିଏ ବରଷ
ଚାଷ କାର୍ଯ୍ୟେ ଦିଏ ମନ
ଭୋଟର ହୁଡିଲେ ପାଞ୍ଚ ବର୍ଷଧରି
ହତାଶେ କାଟନ୍ତି ଦିନ ।୭।
ଆସ ଆମେ ଆଜି ହେବା ସାବଧାନ
ସଭିଙ୍କୁ ଦେବା ବାରତା
ଦକ୍ଷତା ସମ୍ପନ୍ନ ନେତାଟିଏ ବାଛି
ହେବା ଜଗତ କରତା ।୮।
କବିକମଳ ନରେନ୍ଦ୍ର ପ୍ରସାଦ ବେହେରା, ସମ୍ପାଦକ - ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ଵର, ମୋ - ୯୮୫୩୧୪୨୫୧୦
ଏତ ୫-ଟି ସରକାର
ଗ୍ରୀଷ୍ମର ପ୍ରବାହ ହେଲାଣି ଅସ୍ଥିର
କେମିତି ଚଳିବା କୁହ
ପାନୀୟ ପ୍ରକଳ୍ପ ସଚଳ ହେଉନି
ଭାବିଲେ ଆସୁଛି ଲୁହ ।୧।
କୋଟି କୋଟି ଟଙ୍କା ପ୍ରକଳ୍ପରେ ଖର୍ଚ୍ଚ
ଚାଲୁନି ପାଣି ମଟର
ପଚାରିଲେ କେହି ଉତ୍ତର ମିଳୁଛି
ଏତ ୫-ଟି ସରକାର ।୨।
ନଦୀନାଳ ପୁଣି ଗଡିଆ ପୋଖରୀ
ଶୁଖିଲାଣି ବର୍ଷା ବିନା
ଜୀବଜନ୍ତୁ ଏଠି ଛଟପଟ ହୋଇ
ପାଆନ୍ତି କେତେ ଯାତନା ।୩।
ମାନନ୍ତିନି ଏଠି କେହି କାହାରିକୁ
ନିଜକୁ ନିଜେ ମହାନ
ଆଇନ୍ କାନୁନ୍ ବିପର୍ଯ୍ୟସ୍ତ ଏଠି
ଶୁଣିବ କିଏ ବହନ ।୪।
ଜଳ ହିଁ ଜୀବନ ଜଳ ହିଁ ମରଣ
ଜାଣିଛନ୍ତି ସବୁ ନର
ଗ୍ରୀଷ୍ମର ପ୍ରବାହ ବଡ଼ କଷ୍ଟକର
କେବଳ ଜଳ ନିଜର ।୫।
ଜନତାଙ୍କ ଦୁଃଖ ବୁଝିବାକୁ କେହି
ହୁଅନ୍ତି ନାହିଁ ତତ୍ପର
ପଚାରିଲେ କେବେ ଉତ୍ତର ଦିଅନ୍ତି
ଚାଲେ ୫-ଟି ସରକାର ।୬।
ଅଭିଯୋଗ କଲେ ଅଫିସର ହସେ
ଜନତା ଏଠି ପାଗଳ
ଅଫିସ ରେକଡ ରଖିଛୁ ସଜାଡି
ପାଇଛୁ ଉପରୁ ବଳ ।୭।
ଖେଳ ନାହିଁ ଆଉ ଲୁଚକାଳି ତୁମେ
ଦିଅ ନାହିଁ ଏତେ କଷ୍ଟ
ଗ୍ରାମେଗ୍ରାମେ ବୁଲି ଦେଖ ପାଣିଟାଙ୍କି
ହେଉଅଛି କେତେ ନଷ୍ଟ ।୮।
ପ୍ରଚଣ୍ଡ ରୌଦ୍ରରେ ଜନତା ଆତଙ୍କ
ଦିନୁଦିନ ବଢେ ଖରା
ମଣିଷ ଜୀବନ ଡହଳ ବିକଳ
ଉତପ୍ତ ହେଲାଣି ଧରା ।୯।
କେମିତି ହୋଇବ ଜଳକଷ୍ଟ ଦୂର
କୁହ ଆହେ ଅଫିସର
ଛାଡି କାର୍ଯ୍ଯାଳୟ କରି ତଦାରଖ
ପ୍ରଜାଙ୍କୁ କର ଉଦ୍ଧାର ।୧୦।
କବିକମଳ ନରେନ୍ଦ୍ର ପ୍ରସାଦ ବେହେରା, ସମ୍ପାଦକ - ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ଵର, ମୋ - ୯୮୫୩୧୪୨୫୧୦
ଅହଂକାର
*****
ମନ୍ଦାକିନୀ ପାଢ଼ୀ
******
ଛୋଟ ମନୋଭାବ ଜୀବନ କାଳେ
ଅହଂକୁ ବଢ଼ାଇଥାଏ
ଅହଂକାରରେ ଆତ୍ମା ସର୍ବଦା ପତିତ
ନିଜ ସର୍ବନାଶ କରେ ।।
ଆକ୍ରୋଶମୂଳକ ଭାବେ ଅହଂବ୍ୟକ୍ତି
ଅନ୍ୟର କରେ ସେ କ୍ଷତି
ନିଜକୁ ଅଧିକ ମହତ୍ତ୍ୱପୂର୍ଣ୍ଣ ଭାବ
କରେ ଅହଂଭାବ ବୃଦ୍ଧି ।।
ବିଚାର ହୀନ ସଦା ଆକ୍ରୋଶଭାବ
ଆତ୍ମ ବିଶ୍ଳେଷଣ କରେ
ଜୀବନ ସାରା ଅହଂ ଈର୍ଷା ଭାବରେ
ନିଜକୁ ଧ୍ୱଂସ ସେ କରେ ।।
ଭଦ୍ର ନମ୍ର ହୋଇ ଭାଷଣ ପ୍ରବଚନ
କରେନାହିଁ ବୁଦ୍ଧିମାନ
ମନରେ ଯଦି ଅହଂଭାବ ରହିଥିବ
ନିରର୍ଥକ ତା'ର ଜ୍ଞାନ ।।
ବିଚାର ଆତ୍ମ ସଂଯମତା ଈଶ୍ଵର
ଉପାସନା ଜୀବନର
ବ୍ରତ ଅଭ୍ୟାସ କରୁଥିଲେ ବ୍ୟକ୍ତିଟି
ଦମନ କରେ ଅହଂଭାବ ।।
ଭୈ।ତିକ ଶକ୍ତିର ଆକ୍ରୋଶ ସ୍ୱଭାବ
ପ୍ରଦର୍ଶିତ ହୋଇଥାଏ
ଛୋଟ ମନୋଭାବ ପୋଷଣ କରି
ମନେ ଗର୍ବ ଆଣିଥାଏ ।।
ସ୍ତ୍ରୀ ପୁତ୍ର ଧନ ପଦମର୍ଯ୍ୟା ସଂପତ୍ତି
କରେ ଜଣେ ବ୍ୟକ୍ତି ତ୍ୟାଗ
ହେଲେ କାଠିକର ପାଠ ହୁଏ ତା'ର
କରିବାକୁ ଅହଂ ତ୍ୟାଗ ।।
ରାଜନୀତି ବିଜ୍ଞାନ ଅଧ୍ୟାପିକା
ପଦ୍ମପୁର ବରଗଡ଼